ଶୈଳ ଓ ସୀମନ୍ତ

 

 

 

 

 

 

 

 

 

ଶୈଳ ଓ ସୀମାନ୍ତ

ନରେନ୍ଦ୍ରନାଥ ମିଶ୍ର

 

ଓଡ଼ିଶାର ପ୍ରଥମ ଜାତୀୟ ମହାକବି

 

ଦିଗନ୍ତ ବିସ୍ତାରୀ ଗାଙ୍ଗେୟ ଉପତ୍ୟକାର ଚିରହରିତ ଶସ୍ୟକ୍ଷେତ୍ର କଥା ଭାବିଲେ ପ୍ରଥମେ ହିମାଦ୍ରି ହିଁ ମନେ ପଡ଼େ। କାରଣ ସୁମହାନ୍‌ ହିମାଦ୍ରି ବିନା ଗାଙ୍ଗେୟ ଉପତ୍ୟକା ଅକଳ୍ପନୀୟ । ସେହିପରି ଓଡ଼ିଆ ସାହିତ୍ୟ ବା ସଂସ୍କୃତି କଥା ଭାବିଲେ ଓଡ଼ିଆର ପ୍ରଥମ କବି ସାରଳା ଦାସ ହିଁ ମନେ ପଡ଼ନ୍ତି । ତାଙ୍କର ବିରାଟ ସାହିତ୍ୟ ଯେପରି ଏକ ଚିର-ସବୁଜ-ଅରଣ୍ୟାନୀ-ବେଷ୍ଟିତ ସମୁନ୍ନତ ମାଳୟ । ଏହା ଯୁଗ ଯୁଗ ସଞ୍ଚିତ ଭାରତୀୟ ଚିନ୍ତାଧାରାର ମହାସାଗରରୁ ଉଦିତ ମେଘଖଣ୍ଡମାନ ଦୁଇକୋଟି ଓଡ଼ିଆର ବିଶାଳ ବୃକ୍ଷର ହୃଦୟରେ ବର୍ଷାଇ ତାକୁ ଚିର ହରିତ ଶସ୍ୟକ୍ଷେତ୍ରରେ ପରିଣତ କରିଅଛି । ସଂସ୍କୃତରେ ଲେଖା ପୁରାଣାଦି ଧର୍ମଗ୍ରନ୍ଥମାନ ଓଡ଼ିଶାର ପ୍ରାକୃତ ଜନଗଣଙ୍କଠାରେ ମହାସାଗରର ନୀର ସମ୍ଭାର କରି ଅପେୟ ଥିଲା । ଏହି ତୃଷିତ ଜନସାଧାରଣଙ୍କ ହାତରେ ଏହାକୁ ସ୍ୱାଦ୍ୟ ପାନୀୟରୂପେ ପରିବେଷଣ କଲେ ସିଦ୍ଧକବି ସାରଳା ଦାସ । ସାରଳା ଦାସ ତିନୋଟି ଅମୂଲ୍ୟ ଗ୍ରନ୍ଥ ରଚନା କରି ଯାଇଅଛନ୍ତି-ମହାଭାରତ, ଚଣ୍ଡୀପୁରାଣ ଓ ବିଲଙ୍କା ରାମାୟଣ । ଏହି ତିନୋଟିଯାକ ଏକା ପ୍ରକୃତିର ରଚନା-ଯେପରି ଏକଜାତୀୟ ଅରଣ୍ୟର ଅଂଶବିଶେଷ । ଦୂରରୁ ଏହାପ୍ରତି ଦୃଷ୍ଟିପାତ କଲେ, ଏହାର ବିଶାଳତାରେ ବିସ୍ମିତ ହେବାକୁ ପଡ଼େ । ଦୁଷ୍ପ୍ରବେଶ୍ୟ ବୋଲି ମନରେ ଶଙ୍କା ଆସେ । ଇ. ଡବ୍‌ଲିଉ ହିପ୍‌କିନସ୍‌ ସାହେବ ୧୯୨୦ ସାଲରେ ଯେପରି ବ୍ୟାସଙ୍କ ମହାଭାରତ ଉପରେ ‘ଭାରତର ମହାପୁରଣ’ (The great epic of India) ବୋଲି ଏକ ବିରାଟ ଗ୍ରନ୍ଥ ରଚନା କରିଛନ୍ତି, କେବଳ ସାରଳା ମହାଭାରତ ପ୍ରତି ନ୍ୟାୟ କରିବାକୁ ହେଲେ ସେହିପରି ଏକ ଗ୍ରନ୍ଥ ଲେଖିବାର ଉଦ୍ୟମ ଲୋଡ଼ା । ଖ୍ରୀଷ୍ଟପୂର୍ବ ବହୁ ଶତକ ପୂର୍ବରୁ ରଚିତ ବେଦ, ଉପନିଷଦଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ପୁରାଣ ସାହିତ୍ୟ ଗୁଡ଼ିକ ମଧ୍ୟଦେଇ ଭାରତୀୟ ଚିନ୍ତାଧାରା ଯେପରି ଭାବରେ ବିକଶିତ ହୋଇ ଆସିଅଛି, ସହସ୍ର ସହସ୍ର ବର୍ଷ ଧରି ଅଷ୍ଟ୍ରିକ୍‌, ଦ୍ରାବିଡ଼୍‌, ସେମିଟିକ୍‌, ମଙ୍ଗୋଲିୟ ଓ ଆର୍ଯ୍ୟ ଆଦି ବିଭିନ୍ନ ଜାତିର ମାନବଗୋଷ୍ଠୀର ସଂଘର୍ଷ ଓ ସଂମିଶ୍ରଣରେ ଯେପରି ଭାବରେ ଭାରତୀୟ ମାନସ ସମୃଦ୍ଧ ହୋଇ ଆସିଅଛି, ତାର ଏକ ବିଶଦ ଇତିହାସର ଭିତ୍ତିଚିତ୍ର ସାରଳା ଦାସଙ୍କ ଗ୍ରନ୍ଥମାନଙ୍କରୁ ମିଳି ପାରିବ ।

 

ଜାତୀୟତା–

 

ସାରଳା ଦାସଙ୍କୁ ବୁଝିବା ଲାଗି କେତୋଟି ମୌଳିକ କଥାର ସ୍ପଷ୍ଟ ଧାରଣା ଆବଶ୍ୟକ । ଏଠାରେ ସାରଳା ଦାସଙ୍କୁ ଓଡ଼ିଶାର ପ୍ରଥମ ଜାତୀୟ ମହାକବି ବୋଲି କୁହା ଯାଇଅଛି । କିନ୍ତୁ ଯେଉଁ ଅର୍ଥରେ ଗୋଟେ ଜର୍ମାନ୍‌ର ଜାତୀୟ କବି, ରାଧାନାଥ ଓଡ଼ିଶାର ଜାତୀୟ କବି, ସେଇ ଅର୍ଥରେ ସାରଳା ଦାସ ଓଡ଼ିଶାର ଜାତୀୟ କବି ନୁହନ୍ତି । ଜାତୀୟ ଶବ୍ଦଟି ଯଦି National ଅର୍ଥରେ ପ୍ରଯୁକ୍ତ ହୋଇଥାଏ, ତେବେ ତାହା ଏକ ଅର୍ବାଚୀନ ପାଶ୍ଚାତ୍ୟ ଶବ୍ଦ । ୟୁରୋପରେ ଆଧୁନିକ ଯୁଗର ପ୍ରାକ୍‌କାଳରେ ଏଇ ଜାତୀୟତାର ଜନ୍ମ । କୁହାଯାଇଛି ‘‘From religious crusade national crusade was only a step.’’ ମଧ୍ୟଯୁଗର ୟୁରୋପ ଧର୍ମଯୁଦ୍ଧ ଲଢ଼ୁ ଲଢ଼ୁ, ଏ ଯୁଗର ଜାତିଯୁଦ୍ଧ ଲଢ଼ିଲା । ବଣିକ ଓ ମଧ୍ୟବିତ୍ତଙ୍କ ବ୍ୟକ୍ତିସର୍ବସ୍ୱବାଦ କ୍ଷୟଶୀଳ ଦୂରାଚାରୀ ସାମନ୍ତଙ୍କ ବିରୋଧରେ ଯେଉଁ ସଂହତି ଗଢ଼ିଥିଲା, ତାହା ହିଁ ୟୁରୋପର ଜାତୀୟତା । ଏଇ ଜାତୀୟତା ୟୁରୋପରେ ଦେଶ ଦେଶ ମଧ୍ୟରେ ଘୃଣାର ବୀଜ ବୁଣିଥିଲା । ଏସିଆ ଓ ଆଫ୍ରିକାରେ ସାମ୍ରାଜ୍ୟବାଦ ଓ ପରାଧୀନତାର ବିଷ ଉଦ୍‌ଗାର କରିଥିଲା । ଏହାର ଇତିହାସ ଘୃଣା-ବ୍ୟଞ୍ଜିତ ଓ ରକ୍ତରଞ୍ଜିତ । ଯେଉଁ ଜାତୀୟତାର ମୂଳତତ୍ତ୍ୱ ହେଉଛି ବ୍ୟକ୍ତିସର୍ବସ୍ୱବାଦ, ଭାରତ ଭୂଇଁରେ ୟୁରୋପୀୟମାନଙ୍କ ଆଗମନ ପୂର୍ବରୁ ତାହାର ସତ୍ତା ନ ଥିଲା । ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଉପଲବ୍‌ଧିରେ ‘ସାମାଜିକତା ହିଁ ଥିଲା ଭାରତୀୟ ଜୀବନର ଶ୍ରେଷ୍ଠ ସମ୍ପଦ’ ବା ନିହାର ରଞ୍ଜନ ରାୟଙ୍କ ଭାଷାରେ କହିଲେ ‘ଅଷ୍ଟାଦଶ ଶତକ ପର୍ଯ୍ୟନ୍ତ ଭାରତବର୍ଷରେ ସର୍ବତ୍ର ଆମର ଜୀବନ ଥିଲା ସମାଜକୈନ୍ଦ୍ରିକ । ଆମର ଦୈନନ୍ଦିନ ଜୀବନ, ଆମର ସମସ୍ତ କର୍ମକୃତି ଆବର୍ତ୍ତିତ୍‌ ହେଉଥିଲା ସମଗ୍ର ସମାଜକୁ କେନ୍ଦ୍ର କରି ।’ ଏଠାରେ ଦୃଷ୍ଟାନ୍ତରେ କୁହା ଯାଇପାରେ, ରାଧାନାଥଙ୍କ ଶିବାଜୀଙ୍କ ଉତ୍ସାହବାଣୀ, ବା ଅମର୍ଷୀଙ୍କ ଉତ୍ସାହବାକ୍ୟର ମର୍ମ ଏକା ନୁହେଁ । ରାଧାନାଥଙ୍କ ଉଦ୍‌ବୋଧନୀରେ ବ୍ୟକ୍ତିକୁ ଆତ୍ମତ୍ୟାଗ ଭାରତୀୟ ଜାତୀୟତା, ବୀରତ୍ୱ ଓ ସୌନ୍ଦର୍ଯ୍ୟ ବଡ଼ କଥା । କିନ୍ତୁ ସାରଳାଙ୍କ ଦୃଷ୍ଟି ଦେଶକାଳର ସୀମିତ ଗଣ୍ଡିରେ ଆବଦ୍ଧ ନୁହେଁ । ଯେଉଁ କୌରବପତି ସତ୍ୟ ଓ ନ୍ୟାୟର ଅବମାନନା କରିଛନ୍ତି-ତାଙ୍କରି ବିରୋଧରେ ପ୍ରତିଶୋଧ ନେବା ଲାଗି କୁନ୍ତୀଙ୍କ ମୁଖରେ ସାରଳାଙ୍କ ଉଦ୍‌ବୋଧନୀ । ଏହି ସତ୍ୟର ଅବବୋଧ ବ୍ୟକ୍ତି ଭିତରେ ବୃହତ୍ତ ଜୀବନର ବିକାଶ ଘଟାଏ, ସମାଜର ସମୃଦ୍ଧି ଘଟାଏ । ସାରଳା ଏହାରି ସ୍ତାବକ । ଉତ୍କଳର ନଦନଦୀ, ଦେବଦେବୀ, ତୀର୍ଥ, ମନ୍ଦିର ବର୍ଣ୍ଣନାରେ ସାରଳାଙ୍କ ପ୍ରେରଣା ସ୍ୱଦେଶ-ପ୍ରୀତି ନୁହେଁ, ଆଧ୍ୟାତ୍ମିକ ମାନବିକତା ।

 

ରୋମାଣ୍ଟିସିଜମ୍‌–

 

ପ୍ରାଚ୍ୟର ଭାବ ସମ୍ପଦ ପାଶ୍ଚାତ୍ୟ ମନୀଷୀଙ୍କ ମନରେ ପ୍ରତିଫଳିତ ହୋଇ ଆଧୁନିକ ଚିନ୍ତାର କିପରି ବିକାଶ ଘଟାଇଅଛି-ଏବେ ପଣ୍ଡିତମାନେ ନୂଆ ଭାବରେ ତାର ଆଲୋଚନାରେ ପ୍ରବୃତ୍ତ ହୋଇଅଛନ୍ତି । ଉପନିଷଦର ଯେଉଁ ଆଂଶିକ ଅନୁବାଦ ଆରବ ଦେଇ ୟୁରୋପରେ ପ୍ରଚାରିତ ହୋଇଥିଲା, ତାହା ସ୍ପିନୋଜାଙ୍କ ଦର୍ଶନର ମୂଳ ବୀଜ ଯୋଗାଇଥିଲା । ୟୁରୋପର ଦର୍ଶନ ଭଳି ସାହିତ୍ୟ କଥା । ହାବାର୍ଡ଼ ବିଶ୍ୱବିଦ୍ୟାଳୟର ଫରାସୀ ଭାଷାର ଅଧ୍ୟାପକ ଆଇର୍ଭିଂବେବିତ୍‌ ଏବେ ‘ରୁଷୋ ଓ ରୋମାଣ୍ଟିସିଜମ୍‌’ ବୋଲି ଏକ ଉପାଦେୟ ଗ୍ରନ୍ଥ ରଚନା କରିଛନ୍ତି । ସେ ଦର୍ଶାଇଛନ୍ତି ଯେ, ଖ୍ରୀ: ପୂ: ପଞ୍ଚମରୁ ଦ୍ୱିତୀୟ ଶତକ ମଧ୍ୟରେ ଚୀନରେ ବିକଶିତ ତାଓଇଜ୍‌ମ ଭାବଧାରାର ପ୍ରତିପାଦକ କେତେକ ଗ୍ରନ୍ଥ ରୁଷୋଙ୍କ ସମୟରେ ଫରାସୀ ଭାଷାରେ ଅନୁଦିତ ହୋଇଥିଲା । ୟୁରୋପୀୟ ରୋମାଣ୍ଟିସିଜମ୍‌ର ପ୍ରଧାନ ପ୍ରବର୍ତ୍ତକ ରୁଷୋଙ୍କ ଉପରେ ଏହାର ପ୍ରଭାବ ସ୍ପଷ୍ଟ । ରୋମାଣ୍ଟିସିଜମ୍‌ର ଯେଉଁ ମୌଳିକ ବ୍ୟାଖ୍ୟା କରାଯାଇଅଛି, ତାହା ଯେ ସାରଳାଙ୍କ ଲେଖାରେ ପ୍ରାଞ୍ଜଳ ଅଭିବ୍ୟକ୍ତି ଲଭି ନାହିଁ-ସେ କଥା କିଏ କହିବ ? ଆରିଷ୍ଟୋଟ୍‌ଲଙ୍କ ନିର୍ଦ୍ଧାରଣ ଅନୁସାରେ ‘‘ଯେତେବେଳେ କୌଣସି ବସ୍ତୁ ବାସ୍ତବ ଅନୁମାନର ଅପେକ୍ଷା ନରଖି ବିସ୍ମୟ ଉତ୍ପାଦନ କରେ, ହେତୁ ଜିଜ୍ଞାସାର ସୀମା ଏଡ଼ାଇ ଦୁଃସାହସିକ ପଥର ଇଙ୍ଗିତ ଦିଏ, ସେତେବେଳେ ତାହା ରୋମାଣ୍ଟିକ ବୋଲି ପ୍ରତୀୟମାନ ହୁଏ ।’’ ଏହି ବିଚାରରେ ଦେଖିଲେ ସାରଳା ଦାସଙ୍କ ପ୍ରତ୍ୟେକ ବର୍ଣ୍ଣନା, ଘଟଣା ସମାବେଶ ଓ କଥାଭାଗ ରୋମାଞ୍ଚ-ଧର୍ମୀ । ଆମ କବିଙ୍କ ବର୍ଣ୍ଣନାରେ ଯୋଗିନୀର ବିରାଟ ମୁଖ ଗହ୍ୱର ସ୍ୱର୍ଗ ମର୍ତ୍ତ୍ୟର ବ୍ୟବଧାନ, ମାପେ, ଅଧର ଭୂଇଁରେ ଲୋଟିଲେ ଓଠ ଆକାଶରେ ଲାଗେ । ପୁଣ୍ୟ ଶରୀରର କାନ୍ତି ବର୍ଣ୍ଣନାରେ ସୂର୍ଯ୍ୟର ତେଜ ଓ ଜ୍ୱଳନ୍ତ ଅଗ୍ନିର ଦୀପ୍ତି ଆତ୍ମପ୍ରକାଶ କରେ । ବୀରର ପ୍ରତି ପଦକ୍ଷେପରେ ସପ୍ତଦ୍ୱୀପା ମହୀ ଓ ଆକାଶ ଦୋହଲେ । ସହସ୍ରଶରୀର ଗୋଟିଏ ତାଳିରେ ରାମ ସତୁରି ଯୋଜନ ଉଡ଼ିଯାଆନ୍ତି । ଏସବୁ ବର୍ଣ୍ଣନା କେଉଁ ହେତୁ ଜିଜ୍ଞାସାର ଅପେକ୍ଷା ରଖେ ? ବିସ୍ମୟକର ଘଟଣା ସମାବେଶର ବହୁ ଦୃଷ୍ଟାନ୍ତ ମଧ୍ୟରୁ ଗୋଟିକର ସୂଚନା ଏଠାରେ ଦିଆ ଯାଇପାରେ । ଅସୁରର ମନ୍ତ୍ର ବିଭୂତିରେ ବଶହୋଇ ରାମଚନ୍ଦ୍ର ବିଲଙ୍କାରେ ବନ୍ଦୀ ହୋଇଛନ୍ତି । ଛଳନାରେ ତାଙ୍କର ସମସ୍ତ ଦୁର୍ଗୁଣ ଗାଇ ଗାଇ ଅସୁରଙ୍କ ମନରେ ବିଶ୍ୱାସ ଜନ୍ମାଇ ବହୁ କଷ୍ଟରେ ହନୁମାନ ରାମଚନ୍ଦ୍ରଙ୍କୁ ଭେଟିଚି । ଥରେ ମାତ୍ର କୌଶଳରେ ତାଙ୍କୁ ଛୁଇଁଦେଇ ରାମଙ୍କ ମଥାରେ ବିଭୂତି ପୋଛି ଦେଇଛି । ଏହାପରେ ରାମ ଓ ହନୁମାନର ବିଲଙ୍କାରେ ଜିତାପଟ । ଏଠାରେ ଘଟଣାର ଗତି ଯେପରି ଦ୍ରୁତ ସେଇପରି ରୋମାଣ୍ଟିକ । ସାରଳାଙ୍କ ପ୍ରେମ-ଚିତ୍ର ଯେ କୌଣସି ଶ୍ରେଷ୍ଠ ରୋମାଣ୍ଟିକ ପ୍ରେମ-ଚିତ୍ରର ତୁଳନୀୟ । ତାଙ୍କର ନାୟକ ନାୟିକାଙ୍କଠାରେ ଯେଉଁ ଶୌର୍ଯ୍ୟ ଓ ବଳିଷ୍ଠତା ଦେଖିବାକୁ ମିଳେ, ତାହା ଅନ୍ୟତ୍ର ବିରଳ । ଦୃଷ୍ଟାନ୍ତରେ ଏଠାରେ ଚଣ୍ଡୀ ପୁରାଣର ନରଖି ଓ ମହୀଷର ପ୍ରେମ ବର୍ଣ୍ଣନାର ଉଲ୍ଲେଖ କରାଯାଇ ପାରେ । ସେକ୍‌ସପିଆରଙ୍କ ‘ଗ୍ରୀଷ୍ମ ନିଶୀଥର ସ୍ୱପ୍ନ’ ନାଟକର ପ୍ରେମଚିତ୍ର ନାୟକ ନାୟିକାଙ୍କ ସମ୍ଭୋଗ ବିହାରର ରୋମାଞ୍ଚକର ବର୍ଣ୍ଣନାକୁ କେତେକାଂଶରେ ବହୁଗୁଣିତ କରିଦେଲେ ସାରାଳାଙ୍କ ପ୍ରେମଚିତ୍ରର ତୁଳନା ହେବ ।

 

ମାନବିକତା–

 

ଆଦୁନିକ ସାହିତ୍ୟର ଆଉ ଏକ ମୌଳିକ ଆଦର୍ଶ ମାନବିକତା । ଅନେକେ ଭାବନ୍ତି ଏହା କେବଳ ପାଶ୍ଚାତ୍ୟ ମାନବଧର୍ମୀଗଣଙ୍କ ଅବଦାନ । ଏ ଉକ୍ତିର ମଧ୍ୟ ପୁନର୍ବିଚାର ଲୋଡ଼ା । ଏ ଦୃଷ୍ଟିରୁ ସାରଳା ସାହିତ୍ୟର ଭିତ୍ତି ଉନ୍ନତ ମାନବିକତାର ଆଦର୍ଶରେ ପ୍ରତିଷ୍ଠିତ । ସାରଳା ସାହିତ୍ୟର ଆଲୋଚନା ପ୍ରସଙ୍ଗରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଗୋଟିଏ ସ୍ଥାନରେ ଲେଖିଛନ୍ତି-‘‘ଯୁଦ୍ଧ ମନୋବୃତ୍ତିର ପ୍ରଭାବ ସାରଳା ଦାସଙ୍କ ଲେଖାରେ ଅସଂଖ୍ୟ ଯୁଦ୍ଧ ବର୍ଣ୍ଣନାରୁ ଦେଖାଯାଏ ।’’ କିନ୍ତୁ ପ୍ରକୃତରେ ସାରଳା ସାହିତ୍ୟ ସମ୍ୱନ୍ଧରେ ଏହାର ବିପରୀତଟା ହିଁ ସତ୍ୟ । ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ, ଭାନୁମତୀ ରାଣୀଙ୍କ ଶୋକ, ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ମୁଖରେ ଦୁର୍ଯ୍ୟୋଧନକୁ ଭର୍ତ୍ସନା, ପୁରନାରୀମାନଙ୍କର ଯୁଦ୍ଧ କ୍ଷେତ୍ରରେ ଅଶ୍ରୁମୁଞ୍ଚନ ଆଦି ପ୍ରସଙ୍ଗମାନ ପଢ଼ିଲେ ଉଦାର ମାନବପ୍ରାଣ ସାରଳା କି ପରିମାଣରେ ସାମନ୍ତବାଦୀ କ୍ଷୟଶୀଳ ଯୁଦ୍ଧର ନିନ୍ଦୁକ ଥିଲେ, ତାହା ବୁଝାପଡ଼େ । କବି ଭଲଭାବରେ ବୁଝିଥିଲେ ଯେ ନର ଶରୀରରେ ରୋଗ ଭଳି ସମାଜ ଶରୀରରେ ଯୁଦ୍ଧ ଏକ ନିଷ୍ଠୁର ବାସ୍ତବତା । ଉଭୟର ଆରୋଗ୍ୟ ହିଁ କାମ୍ୟ । ମଣିଷ ସମାଜଲାଗି ଚିରକାଳ ଶାନ୍ତି ଓ ସମୃଦ୍ଧିର ପ୍ରୟାସ ହିଁ ମାନବ ଧର୍ମ । ପୃଥିବୀର ସବୁ ଶ୍ରେଷ୍ଠ ଚିନ୍ତା-ନାୟକଗଣ ଏହା ପାଳିଛନ୍ତି । ସାରଳାଙ୍କ ଲେଖନୀରେ ଅନ୍ୟାୟ, ମିଥ୍ୟା ଓ ଅଳିକ ଆତ୍ମସ୍ପର୍ଦ୍ଧାର ବଶବର୍ତ୍ତୀ, ମର୍ମ ବିଦାରକ ମହାଭାରତ ସମର ଯଜ୍ଞର ଉଦ୍‌ଗାତା ଦୁର୍ଯ୍ୟୋଧନର ଭାଗ୍ୟର ପରିଣତିରୁ ଏହା ସ୍ପଷ୍ଟ । ଏଡ଼େ ବଡ଼ ସମ୍ରାଟ ଦୁର୍ଯ୍ୟୋଧନ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରରେ ଏଇ ସମରଦୋଷୀର ସ୍ଥାନ ନାହିଁ । ଅସହାୟ ଅବସ୍ଥାରେ ପଳାଇଯାଇ ସେ ଭୀଷ୍ମକ ଶରଶଯ୍ୟା ନିକଟରେ ନତଜାନୁ ହୋଇ ପରାମର୍ଶ ଭିକ୍ଷା କରିଛି । ମର୍ତ୍ତ୍ୟରେ ଯା’ର ସ୍ଥାନ ନାହିଁ ସେ ହତଭାଗ୍ୟ-ସ୍ୱର୍ଗ ଓ ନରକର ଦ୍ୱାର ବି ତା ଲାଗି ବନ୍ଦ । କି ନିଷ୍ଠୁର ଏ ନାସ୍ତିବାଣୀ !

 

ପଳାଇ ଯାଆନ୍ତୁ ଅବା ଗଗନ ମଣ୍ଡଳ

ଅର୍ଜ୍ଜୁନର ପିତା ତହିଁ ଅଛି ଆଖଣ୍ଡଳ ।

ପଳାଇ ପଶନ୍ତୁ ଅବା ପାତାଳ ଭିତର

ଅନନ୍ତ ନାଗ ରାଜା ତ ଅର୍ଜ୍ଜୁନ ଶଶୁର ।

 

ଆଉ ଗୋଟିଏ ଦୃଶ୍ୟ । ରକ୍ତ ନଈରେ ବୁଡ଼ି ଯାଉଁ ଯାଉଁ ଆପଣାର ପ୍ରାଣର ପୁତ୍ର ଲକ୍ଷ୍ମଣକୁମାରର ଶବ ଧରି ଦୁର୍ଯ୍ୟୋଧନ ଆତ୍ମରକ୍ଷା କରିଛି । ଏହିଠାରେ ଅନୁତାପର ଉଷ୍ଣ ଅଶ୍ରୁରେ ମାନଗୋବିନ୍ଦଙ୍କ ହୃଦୟରୁ ସମସ୍ତ ଅହଂକାର ଦାଗ ଧୋଇଯାଇଛି । ଲକ୍ଷ୍ମଣକୁମାର ଥିଲା ନ୍ୟାୟ ଓ ସତ୍‌ ମାର୍ଗର ପୂଜାରୀ । ଯୁଦ୍ଧରୁ ନିବର୍ତ୍ତାଇବାକୁ ନିଜର ପିତାଙ୍କୁ ଅନେକ ପ୍ରବର୍ତ୍ତାଇ ବିଫଳ ହେଲା । ଶେଷରେ ପିତାଙ୍କ କୁପାଞ୍ଚରେ ନିଜେହିଁ ହେଲା ବଳି । ଚିରନ୍ତନ ମାନବାତ୍ମାର ଶତ୍ରୁର ଶେଳ ମୁଖରେ ସହୀଦ । ମରି ମଧ୍ୟ ଅମର ସେଥିଲାଗି ଦୁର୍ଯ୍ୟୋଧନର ଅନ୍ତରାତ୍ମା କାନ୍ଦିଛି-

 

‘‘ମୋହର ପରାଏ ପିତା

ତୋର ଆଉ ନୋହୁ,

ତୋହର ପରାଏ ପୁତ୍ର

ଜନ୍ମେ ଜନ୍ମେ ହେଉ ।’’

 

ଏହି ଭାବରେ ଦେଖିଲେ ମାନବ ସଂସ୍କୃତି ଓ ସଭ୍ୟତାର ବିକାଶ ଓ ଅଗ୍ରଗତିରେ ସାହାଯ୍ୟ କରିବା ଭଳି ବହୁ ଉପାଦାନ ସାରଳା ସାହିତ୍ୟରୁ ମିଳିବ । ତାଙ୍କର ସମଗ୍ର ସାହିତ୍ୟ, ତାର ଚିରନ୍ତନ ମୂଲ୍ୟବୋଧ, ମହନୀୟ ଶିଳ୍ପ ବିଭବ, ଅତୁଳନୀୟ ଚରିତ୍ର ସୃଷ୍ଟି, ତଥା ଅଭାବନୀୟ ଭାବ ସମୃଦ୍ଧି ପ୍ରତି ଦୃଷ୍ଟିଦେଇ ଆଲୋଚନା କରିବା ଏଇ କ୍ଷୁଦ୍ର ପ୍ରବନ୍ଧର ସୀମିତ ପରିସର ମଧ୍ୟରେ ସମ୍ଭବ ନୁହେଁ । ତେଣୁ ଏଇ କେତୋଟି ସୂଚନା ହିଁ ସାରଳା ସାହିତ୍ୟର ଆଦର୍ଶକୁ ଧାରଣାରେ ଆଣିବା ଲାଗି ଯଥେଷ୍ଟ ।

Image

 

ପଞ୍ଚସଖା ସାହିତ୍ୟ

ଓଡ଼ିଶାର ଚିରନ୍ତନ ସାର୍ବଜନୀନ ସାହିତ୍ୟ

 

ଗାଙ୍ଗୋତ୍ରିର ଧାରା ଭଳି ସାର୍ଥକ ସାହିତ୍ୟର ଗତି । ବହୁ ମାନସଲୋକର ପ୍ରତିବିମ୍ୱ ଏହା ଧାରଣ କରେ । ପୁଣି ଆପଣାର ପ୍ରବାହ ବନ୍ୟାରେ ମାନବର ଅନ୍ତରକୁ ଶୁଦ୍ଧ, ପୂତ ଓ ଆଲୋକିତ କରିଦିଏ । ଏ ପୁଣ୍ୟ ପ୍ରବାହ ଯେଉଁ ଯୁଗ ସାହିତ୍ୟରେ ଯେତିକି ବ୍ୟାପକ ତାହା ସେତିକି ସାର୍ବଜନୀନ, ତାହା ସେତେ ବେଶୀ ବିଭିନ୍ନ ସ୍ତରର ଲୋକଙ୍କ ହୃଦୟକୁ ସ୍ପର୍ଶ କରେ, ମନକୁ ପୁଷ୍ଟ ଓ ସୃଜନକ୍ଷମ କରେ । ଏଇ କଷଟିରେ ପଞ୍ଚସଖା ସାହିତ୍ୟ ଓଡ଼ିଆର ଚିରନ୍ତନ ସାର୍ବଜନୀନ ସାହିତ୍ୟ । ଆଜିକୁ ପାଞ୍ଚଶହ ବର୍ଷ ପୂର୍ବେ ପଞ୍ଚସଖା ଏ ଦେଶରେ ଆପଣାର ସାହିତ୍ୟ ପ୍ରଚାର କରିଥିଲେ । ଏହା ମଧ୍ୟରେ ନାନା ସାସ୍କୃତିକ ଆଦାନ ପ୍ରଦାନ ଭିତର ଦେଇ ଆମ ମାନସ ସମ୍ପଦର ବ୍ୟାପକ ବିକାଶ ଘଟିଛି । ସାହିତ୍ୟର ଧାରା ପୁଷ୍ଟ ହୋଇଛି । କିନ୍ତୁ ଏହା ଉପରେ ପଞ୍ଚସଖା ସାହିତ୍ୟର ପ୍ରଭାବ କେଡ଼େ ଗଭୀର ତାହା ସ୍ଥୂଳରେ କଳନା କରିବା କଠିନ । ଗୋଟିଏ କଥାରେ କହିଲେ-ଆଜିର ଉତ୍କଳ ପଞ୍ଚସଖାଙ୍କ ରଚନା । ଉତ୍କଳର ଜନଗୋଷ୍ଠୀ, ଭାଷା ଓ ସାହିତ୍ୟ ଭିତରେ ପଞ୍ଚସଖା ସାହିତ୍ୟର ପବିତ୍ର ଓ ସନାତନ ପ୍ରାଣଧାରା ଏବେ ବି ପ୍ରବାହିତ ।

 

ପଞ୍ଚସଖା ଓ ପଞ୍ଚସଖା ସାହିତ୍ୟ

 

ପଞ୍ଚସଖାମାନଙ୍କର ଆବିର୍ଭାବ ଓ ତିରୋଭାବର ନିର୍ଦ୍ଦିଷ୍ଟ ତିଥି ଜଣାନାହିଁ । ତେବେ ଉଦୟ କାହାଣୀ ଅନୁସାରେ ପଞ୍ଚଦଶ ଶତକର ଶେଷ ପାଦରେ ହିଁ ଏମାନଙ୍କର ଆବିର୍ଭାବ କାଳ । ବଳରାମ, ଅନନ୍ତ, ଜଗନ୍ନାଥ, ଯଶୋବନ୍ତ ଓ ଅଚ୍ୟୁତ-ପ୍ରାୟ ଏକା ସମୟର ଲୋକ ଥିଲେ । ବୟୋଜ୍ୟେଷ୍ଠ ବଳରାମ ସର୍ବ କନିଷ୍ଠ ଅଚ୍ୟୁତାନନ୍ଦଙ୍କଠାରୁ କୋଡ଼ିଏ ଅଧିକ ବଡ଼ ନ ଥିଲେ । ଷୋଡ଼ଶ ଶତକର ଦ୍ୱିତୀୟ ଭାଗ ଆଡ଼କୁ ଏମାନଙ୍କର ଦେହାବସାନ ଘଟିଥିବାର ଅନୁମାନ । ବଳରାମ ଜଗନ୍ନାଥଙ୍କ କୃତିରେ ରାଜା ପ୍ରତାପରୁଦ୍ରଙ୍କ ପ୍ରସଙ୍ଗ ଓ ଅଚ୍ୟୁତାନନ୍ଦଙ୍କ କୃତିରେ ପ୍ରତାପରୁଦ୍ର ଓ ମୁକୁନ୍ଦ ଦେବଙ୍କ ପ୍ରସଙ୍ଗ ଦେଖିବାକୁ ମିଳେ । ଅନ୍ତତଃ ପଞ୍ଚସଖାଙ୍କ ମଧ୍ୟରୁ ଶେଷ ସଖା ଅଚ୍ୟୁତାନନ୍ଦ ମୁକୁନ୍ଦଦେବଙ୍କ ଦେହାବସାନ ଅର୍ଥାତ୍‌ ୧୫୬୮ ପର୍ଯ୍ୟନ୍ତ ଯେ ଜୀବିତ ଥିଲେ, ଏ ଅନୁମାନ ସମୀଚୀନ ।

 

ଏହି ପଞ୍ଚସଖାମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ନା କିଛି ଅବଦାନରେ ଉତ୍କଳ ସାହିତ୍ୟ ସମୃଦ୍ଧ । ବଳରାମ, ଜଗନ୍ନାଥ ଓ ଅଚ୍ୟୁତାନନ୍ଦ ଏ ତିନିଜଣଯାକ ପୁରାଣକାର ରୂପେ ସୁପରିଚିତ । ଅନନ୍ତ ଓ ଯଶୋବନ୍ତଙ୍କ ସମେତ ସବୁ ପଞ୍ଚସଖା ଗୁହ୍ୟାର୍ଥ ପ୍ରକାଶକ, ଜ୍ଞାନ, ଭକ୍ତି ଓ ଯୋଗମାର୍ଗ ପ୍ରଦର୍ଶକ ଏକାଧିକ ସାଧନଗ୍ରନ୍ଥ, ଲୋକଶିକ୍ଷାସମ୍ୱଳିତ ଆଖ୍ୟାୟିକା, ସ୍ତୁତି ମହିମା, ଭଜନ ଚଉତିଶା ଆଦି ଜନପ୍ରିୟ ସଙ୍ଗୀତର ରଚୟିତା । ପଞ୍ଚସଖା ରଚିତ ଗ୍ରନ୍ଥ ଗୁଡ଼ିକର ଆତ୍ମା ଏକ ହେଲେହେଁ ବସ୍ତୁ ବିନ୍ୟାସ ଓ ପ୍ରକାଶ ଶୈଳୀ ଦିଗରୁ ଏଗୁଡ଼ିକର ସ୍ୱାତନ୍ତ୍ର୍ୟ ସ୍ପଷ୍ଟ । ଏହାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ-ଆଖ୍ୟାନ ଗ୍ରନ୍ଥ, ସାଧନ ଗ୍ରନ୍ଥ । ଆଖ୍ୟାନ ଗ୍ରନ୍ଥଗୁଡ଼ିକ ମଧ୍ୟରେ ପୁରାଣ ଓ ବଟଅବକାଶ, ଭାବସମୁଦ୍ର ଭଳି ଆଖ୍ୟାୟିକା ମୂଳକ ଗ୍ରନ୍ଥଗୁଡ଼ିକ ଅନ୍ତର୍ଗତ । ସାଧନଗ୍ରନ୍ଥ ମଧ୍ୟରେ ଜ୍ଞାନଭକ୍ତି ମାର୍ଗ ପ୍ରତିପାଦକ ଗ୍ରନ୍ଥ ଓ ଗୁହ୍ୟାର୍ଥ ବ୍ୟଖ୍ୟା ତଥା ଟୀକା ଗ୍ରନ୍ଥଗୁଡ଼ିକ ଅନ୍ତର୍ଗତ । ସମୁଦାୟ ପଞ୍ଚସଖା ସାହିତ୍ୟର ଶ୍ରେଣୀ କରଣ ନିମ୍ନ ପ୍ରକାରେ ହୋଇପାରେ ।

 

ବିଶାଳ ପଞ୍ଚସଖା ସାହିତ୍ୟ ସମଗ୍ର ଭାରତୀୟ ଚିନ୍ତାର ସାରସଂଗ୍ରହ । ଏଥିରେ ବେଦାନ୍ତ, ଉପନିଷଦ ଓ ଗୀତା ଆଦିରୁ ବ୍ରହ୍ମଜ୍ଞାନ, ଆତ୍ମତତ୍ତ୍ୱ ଆଦି ଦର୍ଶନର ଅଂଶ; ରାମାୟଣ, ମହାଭାରତ ସମେତ ବିଭିନ୍ନ ପୁରାଣମାନଙ୍କରୁ ଆଖ୍ୟାୟିକା, ଦେବ ଦେବୀଙ୍କ ମହିମା ବର୍ଣ୍ଣନା ଓ ଅବତାରବାଦ; ମହାନିର୍ବାଣ, ପରିନିର୍ବାଣ, ତନ୍ତ୍ରସାର ଆଦି ତାନ୍ତ୍ରିକ ଗ୍ରନ୍ଥରୁ ଗୁରୁବାଦ, ଗୁହ୍ୟାର୍ଥ ବ୍ୟାଖ୍ୟା, ପାତଞ୍ଜଳିଙ୍କ ଯୋଗଶାସ୍ତ୍ରରୁ ଯୋଗମାର୍ଗର ବର୍ଣ୍ଣନା; ନାରଦ, ପଞ୍ଚରାତ୍ର, ଶାଣ୍ଡିଲ୍ୟ ଭକ୍ତି ସୂତ୍ର ଆଦିରୁ ଭକ୍ତି ସିଦ୍ଧାନ୍ତ ବିଷୟକ ଅଂଶମାନ ଅଭିବ୍ୟକ୍ତ ହୋଇଅଛି ।

 

ଏ ଯୁଗର ସାଂସ୍କୃତିକ ଅବସ୍ଥା

 

ପଞ୍ଚସଖା ସାହିତ୍ୟର ପ୍ରଚାର ପୂର୍ବରୁ ସମଗ୍ର ଭାରତୀୟ ଚିନ୍ତାପ୍ରସୂତ ଏପରି ଏକ ବିଚିତ୍ର ରସାୟନ ସେବନର ସୌଭାଗ୍ୟ ଜନସାଧାରଣଙ୍କର ନ ଥିଲା । ସେମାନଙ୍କୁ ପ୍ରାଚୀନ ସ୍ମୃତିଶାସ୍ତ୍ରର ସାମାନ୍ୟ ସ୍ପର୍ଶ ବ୍ରାହ୍ମଣମାନଙ୍କଠାରୁ ମିଳୁଥିଲା । ପୁରାଣ କାହାଣୀର ପରିଚୟ ପୁରାଣ ପଣ୍ଡାଙ୍କଠାରୁ, ଧର୍ମଜ୍ଞାନ ଦୀକ୍ଷା କାପାଳିକ ଓ ଭଣ୍ଡ ସନ୍ନ୍ୟାସୀମାନଙ୍କଠାରୁ ମିଳୁଥିଲା । ଏ ଭାବଧାରା ସମାଜ ପକ୍ଷରେ ପ୍ରକୃତରେ ପୃଷ୍ଟିକର ହେଲାଭଳି ବିଶୁଦ୍ଧ ପାତ୍ରରେ ଜନଗଣଙ୍କଠାରେ ପହଞ୍ଚୁ ନ ଥିଲା । ବ୍ରାହ୍ମଣମାନେ ଆପଣାର ସାମାଜିକ ପ୍ରତିଷ୍ଠା ଓ ଆର୍ଥିକ ଲାଭ ଚିନ୍ତାରେ କଳୁଷିତ ଥିଲେ । ପୁରାଣପଣ୍ଡାମାନଙ୍କର କୌଣସି ବିଶେଷ ଜ୍ଞାନ ବା ବ୍ୟାପକ ଦୃଷ୍ଟିକୋଣ ନଥିଲା । ଭଣ୍ଡସନ୍ନ୍ୟାସୀ ଓ କାପାଳିକମାନେ ସମାଜଚ୍ୟୁତ ଓ ଏକ ପ୍ରକାର ବିକୃତ ମସ୍ତିଷ୍କ ଥିଲେ । ଏମାନଙ୍କ ଜରିଆରେ ଜନଗଣଙ୍କଠାରେ ପହଞ୍ଚିବା ବେଳକୁ ଭାରତୀୟ ଚିନ୍ତାଧାରା ତାହାର ସମସ୍ତ ପବିତ୍ରତା ହରାଇ ବସୁଥିଲା । ପଞ୍ଚସଖାଙ୍କ ସାହିତ୍ୟ ଭିତରେ ଏହା କେବଳ ଅବିକୃତ ଭାବରେ ଜନସାଧାରଣଙ୍କଠାରେ ପହଞ୍ଚିଲା ନାହିଁ, ନବତମ ବ୍ୟାଖ୍ୟା ଓ ନବୀନ ସମନ୍ୱୟ ଦୃଷ୍ଟି ସଂଯୋଗରେ ଭାରତୀୟ ଚିନ୍ତାଧାରା ସମାଜ ପକ୍ଷରେ ଅଧିକ ସ୍ୱାଦ୍ୟ ଓ ପୃଷ୍ଟିକର ପ୍ରତିପାଦିତ ହେଲା ।

 

ପଞ୍ଚସଖା ସାହିତ୍ୟର ସାର୍ବଜନୀନତା

 

ପଞ୍ଚସଖା ସାହିତ୍ୟର ସାର୍ବଜନୀନତା ମୂଳରେ ଥିଲା ପଞ୍ଚ ସଖାଙ୍କର ସାଧନାସିଦ୍ଧ ବ୍ୟକ୍ତିତ୍ୱ ଓ ଚିନ୍ତାଧାରା । ସମାଜ ରକ୍ଷାର ଭାବନା ଓ ଧର୍ମସାଧନା ହିଁ ଏ ସାହିତ୍ୟରେ ବଡ଼ କଥା । ଏହା ହିଁ ଥିଲା ଏ ସମୟର ରୁଗ୍‌ଣ ସମାଜ ପକ୍ଷରେ ପୃଷ୍ଟିକର ସ୍ୱାଦ୍ୟ ରସାୟନ । କିନ୍ତୁ ରସାୟନ କେବଳ ବୈଦ୍ୟର ଭାଣ୍ଡରେ ସାଇତା ହେଲେ ଫଳଦାୟକ ହୁଏ ନାହିଁ; ତାହା ରୋଗୀ ହାତକୁ ଆସିବା ସର୍ବାଦୌ ଆବଶ୍ୟକ । ଏହି ସାଧାରଣ ସତ୍ୟଟି ପଞ୍ଚସଖା ଭଲଭାବରେ ବୁଝୁଥିଲେ । ପଞ୍ଚସଖାଙ୍କ ଜଣେ ସହଧର୍ମୀ ସନ୍ଥ କବୀର କହିଥିଲେ, ‘‘ସଂସ୍କୃତ କୂପଜଲ୍‌, ଭାଷା ବହତା ନୀର୍‌ ।’’ ଏହି ନୀତିରେ ଏମାନେ ଯଥାସମ୍ଭବ ଲୋକ-ଭାଷାରେ ଆପଣାର ଗ୍ରନ୍ଥମାନ ରଚନା କରିଥିଲେ ଓ ବାଣୀ ପ୍ରଚାର କରିଥିଲେ । ଏହି ସାର୍ବଜନୀନ ଭାଷା ହିଁ ପଞ୍ଚସଖା ସାହିତ୍ୟ ପକ୍ଷରେ ସାର୍ବଜନୀନତାର ବଡ଼ କାରଣ ।

ପଞ୍ଚସଖା ସାହିତ୍ୟର ସାର୍ବଜନୀନତାର ଦ୍ୱିତୀୟ କାରଣ ହେଉଛି ସାର୍ବଜନୀନ ଭାବ-ସମ୍ପଦ ଓ ଜନପ୍ରିୟ ପ୍ରକାଶ ରୀତି । ପଞ୍ଚସଖାମାନେ ସାଧକ, ଜ୍ଞାନୀ ଓ ତତ୍ତ୍ୱଦର୍ଶୀ ହୋଇ ବି କବି । ଏମାନଙ୍କ ସାହିତ୍ୟ ଆମୂଳ ଚୂଳ ବିପୁଳ ତତ୍ତ୍ୱ ଜିଜ୍ଞାସାରେ ପୂର୍ଣ୍ଣ, ତଥ୍ୟ ଭାରରେ ନମ୍ରନତ । ତଥାପି ଏହା କାବ୍ୟ । ଦାର୍ଶନିକର ମେଧାସର୍ବସ୍ୱ ଶୁଷ୍କ ବ୍ୟାଖ୍ୟାମାତ୍ର ନୁହେଁ, ଜୀବନ୍ତ ଚିତ୍ରକଳ୍ପରେ ରସାଳ ଓ ହୃଦୟଗ୍ରାହୀ । ଏହି ସାହିତ୍ୟରେ ତତ୍ତ୍ୱବ୍ୟାଖ୍ୟା ଆଖ୍ୟାନ ଭିତରେ, ଦର୍ଶନ-ଦୃଷ୍ଟି ଚରିତ୍ର ସୃଷ୍ଟି ଭିତରେ ପ୍ରତିଫଳିତ । ଗୀତା ଓ ସଂହିତା ଆଦି ଜ୍ଞାନ-ଭକ୍ତି-ତତ୍ତ୍ୱମୂଳକ ଯେଉଁ ଗ୍ରନ୍ଥ ସବୁ ଏମାନେ ରଚନା କରିଛନ୍ତି-ସେଥିରେ ବି ଗୁରୁ ଶିଷ୍ୟଙ୍କ ପ୍ରଶ୍ନୋତ୍ତର, ପୌରାଣିକ କାହାଣୀ ଓ ବାସ୍ତବ ପ୍ରକୃତିରୁ ଉପମାବଳୀର ସମାବେଶ କରାଇ ତାହାକୁ ଉଚ୍ଚ ସାହିତ୍ୟ ସ୍ତରକୁ ଉନ୍ନିତ କରାଇଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ଦୁନିଆରେ ସାନ ବୋଲି କାହାର ଆତ୍ମଗ୍ଳାନୀ ବା ବଡ଼ ବୋଲି ଅହଂକାରର ହେତୁ ନାହିଁ-ଏହା ଏକ ତତ୍ତ୍ୱ । ଏ କଥାଟି ପ୍ରକାଶ କରିବା ଲାଗି ବଳରାମ ଦାସ ହାତୀ ଓ ପିମ୍ପୁଡ଼ିର ଉଦାହରଣ ଦେଇ ବୁଝାଇ ଦେଇଛନ୍ତି ଯେ-‘‘ବାଲି ଭିତରେ ନବାତ କଣା ପଡ଼ିଲେ ପିମ୍ପୁଡ଼ି ତୋଳି ନେଇ ପାରେ, କିନ୍ତୁ ହାତୀ ପାରେ ନାହିଁ । ତେବେ ହାତୀର ବଡ଼ ବୋଲି ଗର୍ବର କାରଣ କଣ ରହିଲା ?’’ ଏ ହେଉଛି, ସକଳର ହୃଦୟକୁ ସ୍ପର୍ଶ କରିବା ଭଳି ଜୀବନ୍ତ ସାହିତ୍ୟ । ଜୀବନ୍ତ ଚିତ୍ରଧର୍ମୀ ସାହିତ୍ୟ ରୂପେ ପଞ୍ଚସଖା ସାହିତ୍ୟ ସାର୍ବଜନୀନ ।

କଥା ଓ ଛନ୍ଦ ଭିତରେ ଛନ୍ଦର ସହଜ ଆକର୍ଷଣ ଅଧିକ । ପଞ୍ଚସଖାଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟ ଅବଶ୍ୟ ଏକାନ୍ତ ଛନ୍ଦହୀନ ନ ଥିଲା । ବଚ୍ଛା ଦାସଙ୍କ ଚଉତିଶାକୁ ଛାଡ଼ିଦେଲେ ସାରଳା ଦାସଙ୍କ ଦାଣ୍ଡିବୃତ୍ତ ବିଶେଷ ଉଲ୍ଲେଖଯୋଗ୍ୟ । କିନ୍ତୁ ଏହା ବିଶେଷ ସଙ୍ଗୀତପ୍ରବଣ ନୁହେଁ । ସଙ୍ଗୀତର ଶୃଙ୍ଖଳା ଅପେକ୍ଷା କଥାର ସ୍ୱାଧୀନତା ଏଥିରେ ବେଶୀ । ପଞ୍ଚସଖାଙ୍କ ଦ୍ୱାରା ପ୍ରଥମେ ଓଡ଼ିଆ କାବ୍ୟ ନାନା ରାଗ ରାଗିଣୀ ତଥା ଛନ୍ଦ ସମାବେଶରେ ବିଚିତ୍ର ଓ ସଙ୍ଗୀତମୟ ହୋଇପଡ଼ିଲା-। ନବାକ୍ଷରୀ ବୃତ୍ତ ବା ଗୁର୍ଜ୍ଜରୀ ରାଗରେ ଭାଗବତ ଭଳି ବିରାଟ ଗ୍ରନ୍ଥ ରଚନା କରି ଜଗନ୍ନାଥ ଦାସ ଏକ ମହାନ୍‌ ସୃଜନଶୀଳ ପ୍ରତିଭାର ପରିଚୟ ଦେଲେ । ପରେ ଜଗନ୍ନାଥ ଦାସ ଓ ଅଚ୍ୟୁତାନନ୍ଦ ଆଷାଢ଼ଶୁକ୍ଳ, ଚକ୍ରକେଳି ଆଦି ବିଭିନ୍ନ ରାଗରାଗିଣୀର ପ୍ରୟୋଗ କଲେ । ଫଳରେ ଅଧିକ ସୁଗେୟ ହେବାରୁ ସାହିତ୍ୟର ସାର୍ବଜନୀନ ପ୍ରଚାର ସହଜ ହେଲା ।

ସମନ୍ୱୟ ବାଦ

 

ପଞ୍ଚସଖା ସମନ୍ୱୟ ଦୃଷ୍ଟିର ସମର୍ଥକ । ସେମାନଙ୍କ ସୃଷ୍ଟ ସାହିତ୍ୟ ସମନ୍ୱୟବାଦର ଆଦର୍ଶରେ ଅନୁପ୍ରାଣୀତ । ତେଣୁ ତାହା ସାର୍ବଜନୀନ । ଏହି ସମନ୍ୱୟବାଦ ହିଁ ପଞ୍ଚସଖା ଧର୍ମସାଧନାର ବିଶେଷତ୍ୱ । ଭାରତବର୍ଷର ଧର୍ମଧାରାରେ ଏହି ସମନ୍ୱୟ ଦୃଷ୍ଟି ଏକ ପ୍ରାଚୀନ ପ୍ରତିଷ୍ଠିତ ପରମ୍ପରା । ଏ ଦେଶରେ ବହୁ ମତବାଦ ଦେଖାଦେଇଛି । ବହୁ ଧର୍ମସଂପ୍ରଦାୟର ଅଭ୍ୟୁଦୟ ଘଟିଅଛି । କିନ୍ତୁ ସମଗ୍ର ରୂପେ କୌଣସିଟି ଭାରତବାସୀର ହୃଦୟକୁ ଆଚ୍ଛନ୍ନ କରି ପାରିନାହିଁ । ଆମ ଜନସାଧାରଣଙ୍କର କାହାରି ପ୍ରତି ଘୃଣା ନାହିଁ । ସବୁ ସଂପ୍ରଦାୟ ପ୍ରତି ସେମାନଙ୍କର ଶ୍ରଦ୍ଧା ଅତୁଟ ରହିଛି । ଏହି ଲୋକଧର୍ମୀ ସମନ୍ୱୟ ଦୃଷ୍ଟି ପଞ୍ଚସଖାଙ୍କ ଧର୍ମଧାରାରେ ସ୍ପଷ୍ଟଭାବେ ପ୍ରତିଫଳିତ । ବେଦ ଓ ବଉଦ୍ଧ ଏକ, ଶରୀରାର୍ଥ ଓ ପରମାର୍ଥ ଏକ ସତ୍ୟର ଦୁଇପାଖ-ଏହା ବଳରାମ ଦାସ ବହୁ ସ୍ଥଳରେ ପ୍ରକାଶ କରିଛନ୍ତି । ଭାଗବତରେ ଜଗନ୍ନାଥ ଦାସ ଲେଖିଛନ୍ତି-

 

ବେଦ ଓ ଶାସ୍ତ୍ର, ଅର୍ଥାତ୍‌ ନିଗମଗ୍ରନ୍ଥ ଓ ବିଭିନ୍ନ ଧର୍ମ ଶାସ୍ତ୍ର-ବିପ୍ରର ଦୁଇଆଖି । ଏଥିରୁ ଗୋଟିଏ ହରାଇଲେ ସେ କଣା, ଦୁଇଟି ହରାଇଲେ ସେ ଅନ୍ଧ । ଯେ କୌଣସି ଧର୍ମଶାସ୍ତ୍ର ମାନବର ହୃଦୟକୁ ଦିବ୍ୟ ଆଲୋକରେ ଆଲୋକିତ କରେ । ଏଥିଲାଗି କୌଣସିଟି ଆଗ୍ରାହ୍ୟ ନୁହେଁ । ଆପାତ ଦୃଷ୍ଟିରେ ଧର୍ମପାଳନ କଠିନ ଜଣା ପଡ଼େ । କିନ୍ତୁ ଧର୍ମ-ସାଧନ ଭିତରେ ମାନବର ଚିରନ୍ତନ ମଙ୍ଗଳ ନିହିତ । ସନ୍ତାନ ଉପରେ ପିତାମାତାଙ୍କ ଦୃଷ୍ଟି ଭଳି ମାନବ ଉପରେ ଧର୍ମର ବନ୍ଧନ ବରଣୀୟ । ଏହା ଜଗନ୍ନାଥ ଦାସ ଅନୁକରଣୀୟ ଭାଷାରେ ଭାଗବତରେ ବ୍ୟକ୍ତ କରିଛନ୍ତି ।

 

ପରମ ସୁଖେ ଧର୍ମ କହେ

ଯେହ୍ନେ ପୁତ୍ରକୁ ବାପମାଏ

।।

ଔଷଧ କଟୁ ତିକ୍ତ ଆଣି

କହନ୍ତି ନାନା ଚାଟୁବାଣୀ

।।

ମଧୁର ବସ୍ତୁ ଥୋଇ ତଳେ

ଲୋଭେ ଭୁଞ୍ଜାନ୍ତି ତାକୁ ବଳେ

।।

ତେଣୁ ହରଇ ତାର ରୋଗ

ଆନନ୍ଦେ କରେ ସୁଖଭୋଗ

।।

 

ଜ୍ଞାନ କର୍ମ ଭକ୍ତି-ଧର୍ମ-ସାଧନାର ତିନି ଅଙ୍ଗ । ଏହି ତିନି ଅଙ୍ଗର ମଧୁର ସମନ୍ୱୟ ପଞ୍ଚସଖା ଧର୍ମରେ ଘଟିଛି । ଜ୍ଞାନ ଓ ଯୋଗମାର୍ଗ ତତ୍ତ୍ୱଦ୍ରଷ୍ଟା ସାଧକମାନଙ୍କର ପ୍ରିୟ । ପଞ୍ଚସଖା ଏଇ ମାର୍ଗର ସାଧକ । କର୍ମ ଓ ଭକ୍ତି ପ୍ରତ୍ୟେକର ସାଧାରଣ ସମ୍ପଦ । ପଞ୍ଚସଖା ଏଇ ମାର୍ଗର ସ୍ତାବକ । ଭଗବାନଙ୍କଠାରେ ଅର୍ପଣ ଭାବରେ ଭାବନା ସମସ୍ତ ପଞ୍ଚସଖା ସାହିତ୍ୟରେ ପୂରି ରହିଅଛି-। ମର୍ମେ ମର୍ମେ ଭଗବାନଙ୍କ ମହିମା ସେମାନେ ଅନୁଭବ କରିଅଛନ୍ତି । ପରମାତ୍ମା ସର୍ବବ୍ୟାପୀ, ଦର୍ପଣରେ ପ୍ରତିବିମ୍ୱ ଭଳି ସବୁ ଜୀବନରେ ତାଙ୍କର ପ୍ରକାଶ ବିଦ୍ୟମାନ । ଭଗବତ ଭାଷାରେ–‘‘ଜୀବକୁ ଭୁଞ୍ଜାଇ ଭୁଞ୍ଜଇ । ଅନ୍ତରେ ସାକ୍ଷୀ ରୂପେ ଥାଇ ।।’’

 

ପଞ୍ଚସଖାଙ୍କ ସାର୍ବଜନୀନ ଦୃଷ୍ଟି ମୂଳରେ ଥିଲା ବିଶୁଦ୍ଧ ଅନ୍ତରନିଷ୍ଠା । ବାହାର ଭେକ ଘେନି, ମାଳାତୁଳସୀର ପାର୍ଥକ୍ୟ ଘେନି ବିବାଦ ଘଟିବା ସମ୍ଭବ । କିନ୍ତୁ ଅନ୍ତରର ଶୁଚିକୁ କେଉଁ ଧର୍ମ, କେଉଁ ମାନବିକତା ଅସ୍ୱୀକାର କରିବ ? ପ୍ରକୃତ ଧର୍ମର ତତ୍ତ୍ୱ ବାହାରେ ନାହିଁ, ତାହା ଗୋପନରେ ନିହିତ । ସେଥିଲାଗି ଆପଣା ହୃଦୟକୁ ଅନୁସନ୍ଧାନ କରିବା ଉଚିତ । ସେଥିଲାଗି ବଳରାମ ଦାସ କହିଛନ୍ତି-‘‘ଆପଣା-ହୃଦକୁ ଚାହିଁ ଦେଖ ଦିବ୍ୟଜ୍ଞାନ,’’ ଭାଗବତର ବାଣୀ-‘ମନର ମୂଳେ ଏ ଜଗତ’ । ଏହି ସତ୍ୟ ବି ଉପନିଷଦରେ ପ୍ରକାଶିତ-‘ମନ ଏବ ମନୁଷ୍ୟାଣାଂ କାରଣଂ ବଦ୍ଧମୋକ୍ଷୟାଃ ।’’

 

ପଞ୍ଚସଖାଙ୍କ ସମନ୍ୱୟ ଦୃଷ୍ଟି ଏକ ଦିଗରେ, ଯେପରି ଆମର ଲୋକଜୀବନ ଓ ଲୋକଧର୍ମକୁ ଗଢ଼ିଛି, ଅନ୍ୟ ଦିଗରେ ସେହିପରି ଲୋକଜୀବନର ଆଦର୍ଶରେ ପୁଷ୍ଟ ହୋଇଛି । ଲୋକଜୀବନ ଓ ପଞ୍ଚସଖାଙ୍କ ଧର୍ମଦୃଷ୍ଟି ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ଆଜି ଓଡ଼ିଶାର ପ୍ରତ୍ୟେକ ସାଧାରଣ ପଲ୍ଲୀବାସୀ ପ୍ରତି-ପଦକ୍ଷେପରେ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଧର୍ମର ଇଙ୍ଗିତ କରେ । ଧର୍ମର ଖଣ୍ଡା ଧାରରେ ପାଦ ରଖି ଚାଲୁଁ ଚାଲୁଁ ବଞ୍ଚିବାକୁ ଶପଥ କରେ; ମରିବାକୁ ଶ୍ଳାଘ୍ୟ ମଣେ । ଏ କାହାର ପ୍ରଭାବ ? ପୁଣି ସାଧାରଣ ପଲ୍ଲୀବାସୀର ସକଳ ଧର୍ମସାଧନା ମୂର୍ତ୍ତ ଓ ତାହାର ଜୀବନଧାରା ସହିତ ଅଙ୍ଗାଙ୍ଗୀ ଭାବେ ବିଜଡ଼ିତ । ସେ ତାହାର ଦୈନନ୍ଦିନ ଜୀବନରେ ଦେବ ଦ୍ୱିଜର ଅର୍ଚ୍ଚନା କରେ । ଭୋକିକୁ ମୁଠେ ଅନ୍ନ, ତୃଷାର୍ତ୍ତକୁ ମୁନ୍ଦେ ପାଣିଦେଇ ମୋକ୍ଷ ଲାଭର ବିଶ୍ୱାସ ରଖେ । ତଥାପି ସମସ୍ତ ଦେବବିଶ୍ୱାସ, ଭାଗବାନ, କର୍ମଫଳ ବିଶ୍ୱାସ ମଧ୍ୟରେ ଆପଣାର ଉଦ୍‌ଯୋଗ ଓ ପୌରୁଷକୁ ଚରମ ସ୍ଥାନ ଦିଏ । ‘‘ଜୀବନ୍ତେ ଯେତେ କାଳ ଥିବ । ଉଦଯୋଗ କର୍ମ ନ ଛାଡ଼ିବା’’ ଏହି ଭାଗବତ ବାଣୀକୁ ସେ ତାହାର ଜୀବନର ଆଦର୍ଶରୂପେ ଗ୍ରହଣ କରେ । ଲୋକଜୀବନର ଆଦର୍ଶ ଓ ବିଶ୍ୱାସ ସହିତ ଯେଉଁ ସାହିତ୍ୟର ଭାବଧାରା ଏଭଳି ସଂହିତା ସୂତ୍ରରେ ଗ୍ରଥିତ-ତାହାର ମହତ୍ତ୍ୱ ବୁଝାଇ କହିବାର ନୁହେଁ ।

 

ସମାଜ ସାଧନା

 

ପଞ୍ଚସଖା ସାହିତ୍ୟରେ ସମାଜ ରକ୍ଷାର ଉପାଦାନ ପ୍ରଚୁର । ଯେଉଁ ଧର୍ମ କେବଳ ସନ୍ନ୍ୟାସ ଦୀକ୍ଷା ଦିଏ, ତାହାର ପ୍ରତିଷ୍ଠା ପଞ୍ଚସଖାମାନେ କରିନାହାନ୍ତି । ଆଦର୍ଶ ଗୃହୀଧର୍ମ ଓ ସଂଯମ ସାଧନା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି । ‘ପୁତ୍ର ନିବେଶି ପତ୍ନୀ ପାଶେ, ଅଥବା ଚଳିବ ସନ୍ନ୍ୟାସେ’ ଏହା ଭାଗବତର ବାଣୀ । ସମାଜ ସଂରକ୍ଷଣ ଲାଗି ଯାହା ଆବଶ୍ୟକ ସେ ସବୁର ବ୍ୟାପକ ସୂଚନା ପଞ୍ଚସଖା ସାହିତ୍ୟରେ ପୂରି ହୋଇରହିଛି । ବ୍ରାହ୍ମଣକୁ ଆଦର୍ଶ ବ୍ରାହ୍ମଣ, ରାଜାକୁ ଆଦର୍ଶ ରାଜା, ଗୃହୀକୁ ଆଦର୍ଶ ଗୃହୀ କରିବାକୁ ସେମାନେ ଚରମ ପ୍ରୟାସ କରି ଯାଇଛନ୍ତି । ସମାଜରେ ଏ ସମସ୍ତଙ୍କର ସ୍ୱତନ୍ତ୍ର ସ୍ଥାନ ଅଛି, ତଥାପି ଧର୍ମର ଦୃଷ୍ଟିରେ ସମସ୍ତେ ସମାନ । ଧର୍ମର ଛତ୍ର ଛାୟାତଳେ ଚଣ୍ଡାଳ ବ୍ରାହ୍ମଣର ଭେଦ ନାହିଁ-‘ସାନ ବଡ଼ ନାହିଁ ଯେ ଧର୍ମ ଆଶ୍ରିତଙ୍କୁ ।’ ପୁଣି ଭକ୍ତିର ସରଣୀରେ ସମସ୍ତେ ସମାନ-

 

‘‘ହରି ଭକତ ପ୍ରାଣୀଙ୍କର,

ନ ଥାଏ କୁଳ ଆତ୍ମପର ।’’

 

ବଳିଷ୍ଠ ସଂଯମ ସାଧନା ବ୍ୟତୀତ ଆଦର୍ଶ ଗୃହ, ଅଥବା ଉଚ୍ଚ ସମାଜ ସମ୍ଭବ ନୁହେଁ । ଏ କଥା ପଞ୍ଚସଖାମାନେ ବିଶେଷ ଭାବରେ ଅଭିହିତ ଥିଲେ । ଏହାର ସୂଚନା ସେମାନଙ୍କ ସାହିତ୍ୟରୁ ବ୍ୟାପକ ଭାବରେ ମିଳେ । ମନୁଷ୍ୟ ଶରୀରରେ ବୀର୍ଯ୍ୟଶକ୍ତିକୁ ବଳରାମ ଦାସ ଏକ ପୂର୍ଣ୍ଣ ଘଟର ଜଳ ସହିତ ତୁଳନା କରିଛନ୍ତି । ଘଟ ଛିଦ୍ରଯୁକ୍ତ ହେଲେ ଯେପରି ତାହା ଶୂନ୍ୟ ହୋଇଯାଏ, ସଂଯମ ରକ୍ଷା ନ କଲେ ନିର୍ବଳ ପୁରୁଷ ସେହିପରି ଶକ୍ତିଶୂନ୍ୟ ଓ ବ୍ୟାଧିଗ୍ରସ୍ତ ହୋଇ ମୃତ୍ୟୁ ବରଣ କରେ । ଏହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ବଳରାମ ଦାସ ‘‘ବିରାଟ ଗୀତା’’ରେ ଲେଖିଛନ୍ତି–

 

‘‘ଘଟରେ ଜଳ ପୂରିଥାଇ,

କିଞ୍ଚିତେ ଛିଦ୍ର ମାତ୍ର ହୋଇ ।

ଶରୀର କୁମ୍ଭ ବୋଲି ଜାଣ,

ଜୀବଟି ଜଳ ପରିମାଣ ।

ତହିଁରୁ ଜଳ ଗଳିଯାଇ,

ଶରୀର ନିର୍ବଳ ହୁଅଇ ।

ଜଳ ବିହୀନେ ବ୍ୟାଧି ଗ୍ରାସେ,

ବ୍ୟାଧି ଗ୍ରାସିଲେ ଆତ୍ମା ନାଶେ ।

 

ଭାଗବତରେ ଜଗନ୍ନାଥ ଦାସ ମଧ୍ୟ ଏ କଥା କହି ଅଛନ୍ତି । ତାଙ୍କ ମତରେ ସନ୍ନ୍ୟାସୀର ସଂଯମଠାରୁ ଗୃହୀର ସଂଯମ ବଡ଼ । କେବଳ ପବିତ୍ର ଗୃହସ୍ଥାଶ୍ରମର ସଂରକ୍ଷଣ ଲାଗି ନାରୀ ଓ ପୁରୁଷର ମିଳନ କାମ୍ୟ-‘ଜୀବର ସ୍ୱଧର୍ମ ଏ ବାଣୀ । ସକଳ ବେଦ ବାକ୍ୟେ ଭଣି ।’ ଜଳ ଉପରେ ଭାସମାନ ତୈଳବିନ୍ଦୁ ଭଳି ନିର୍ଲିପ୍ତ ଭାବରେ ଗୃହସ୍ଥାଶ୍ରମ ପାଳନକୁ ପଞ୍ଚସଖା ସବୁଠାରୁ ବଡ଼ ସ୍ଥାନ ଦେଇଛନ୍ତି । ସେମାନଙ୍କର ଉଦାର ସମାଜ ସାଧନାରେ ସନ୍ନ୍ୟାସ ଓ ଗାର୍ହସ୍ଥ୍ୟର ମଧୁର ମିଳନ, ବ୍ରାହ୍ମଣ ଓ ଚଣ୍ଡାଳରେ ସମଦୃଷ୍ଟି, ନାରୀତ୍ୱ ଓ ପୌରୁଷର ସମମର୍ଯ୍ୟାଦା ପ୍ରତିଷ୍ଟିତ ।

 

ଇତିହାସର ଉପାଦାନ

 

ପଞ୍ଚସଖାଙ୍କ ରଚିତ ବହୁ ମାଳିକା, ପୁରାଣ, ସଂହିତା ଓ ଗୀତାରେ ଅନେକ ସ୍ଥଳରେ କଳିଯୁଗ ବର୍ଣ୍ଣନା ଓ ଭବିଷ୍ୟତ ନିର୍ଣ୍ଣୟ ପ୍ରସଙ୍ଗମାନ ଦେଖିବାକୁ ମିଳେ । ବାସ୍ତବ ଇତିହାସର ସ୍ପଷ୍ଟ ଇଙ୍ଗିତରେ ଏ ଚିତ୍ର ଉଜ୍ଜ୍ୱଳ । ଉଦାହରଣ ପାଇଁ ଅଚ୍ୟୁତାନନ୍ଦଙ୍କ ‘ଗୁରୁଭକ୍ତି ଗୀତା’ରୁ କିଞ୍ଚିତ ଉଦ୍ଧାର କରୁଅଛି-

 

‘‘କଳି ଶହେ ବରଷ ଯେ ପ୍ରାଣୀମାନେ ରହି,

ମୁଁ କାର ଗରବେ ପ୍ରାଣୀ କିଛି ନ ଚିହ୍ନଇ ।

ଦକ୍ଷିଣ ଦିଗୁଁ ଆସିବେ ତେଲଙ୍ଗ ଯେ ଜାଣ,

ଉତ୍ତର ଦିଗରେ ଜଗିଥିବେ ଯେ ପଠାଣ ।

ସେ କାଳେ ଦଶ ବରଷ ଦେଢ଼ ମାସ ଲେଖି,

ପ୍ରାଣୀମାନେ ହୋଇବେ ଅନେକ ତହିଁ ଦୁଃଖି ।

ଦୁର୍ଭିକ୍ଷରେ ଥୋକେ ଜନ ହୋଇବେ ଯେ ନାଶ,

ହାଣ କାଟରେ ମରିବେ ଅନେକ ମନୁଷ୍ୟ ।

କାଙ୍ଗୁ ଯେ ମାଣ୍ଡିଆ ସୁଆଁ କୋଦୁଅ ବାଳୁଙ୍ଗା,

ଖଣ୍ଡିଆ ପଥୁରି କରିଥିବେ ଘରସଙ୍ଗା ।

ଶୁଦ୍ଧ ଶ୍ରାଦ୍ଧମାନ କେହି କରି ନ ପାରିବେ,

ଥିଲା ପ୍ରଜାଧନ ରାଜା ବୋହି କରି ନେବେ,

ଦେଢ଼ କାହାଣ ହୋଇବ ଧାନ ଯେ ଗଉଣୀ,

ବିକିଣ ରଖିଣ ଥିବେ କୃପଣ ଯେ ପ୍ରାଣୀ ।

ତାହାଙ୍କର ଧନ ପୁଣି ଟସକର ନେବେ,

ଦୁଃଖୀ ସୁଖୀ ଦରିଦ୍ର ଯେ ହୋଇବେଟି ସର୍ବେ ।

ସେହି ଦିନ ଠାରୁ ଜାଣ ତୁଟିବ ସଂସାର,

ଗ୍ରାମକେ ଗ୍ରାମକେ ଥିବେ ଏକ ଏକ ନର ।’’

 

ପ୍ରାଚୀନ ଭାରତର ମନୀଷୀମାନଙ୍କ ବିରୋଧରେ ଏକ ଅଭିଯୋଗ କରା ହୋଇଥାଏ, ସେମାନେ ଇତିହାସ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଆମର ପୁରାଣ ସାହିତ୍ୟରେ ଇତିହାସର ବହୁ ଉପାଦାନ ଏହି ଭାବରେ ପୂରି ରହିଛି । ନାନା ଭାବରେ ପରୀକ୍ଷା କରି ଆଜିକାଲି ପଣ୍ଡିତମାନେ ତାକୁ ଗ୍ରହଣ କରୁଛନ୍ତି । ଇତିହାସର ତତ୍ତ୍ୱଜିଜ୍ଞାସୁଙ୍କ ପାଇଁ ପଞ୍ଚସଖା ସାହିତ୍ୟରେ ଯେ କି ବିପୁଳ ଉପାଦାନ ପୂରି ରହିଛି-ତାହା ବର୍ତ୍ତମାନ ଅନୁମାନ ସାପେକ୍ଷ ।

 

 

ବଳିଷ୍ଠ ଆଶାବାଦର ସ୍ୱର

ବେଦନା ଭିତରେ ଆନନ୍ଦର ଓ ଅପୂର୍ଣ୍ଣତା ଭିତରେ ପୂର୍ଣ୍ଣତାର ସନ୍ଧାନ ଦେବା ଯେ କୌଣସି ସତ୍‍ ସାହିତ୍ୟର ଧର୍ମ । ଏହି ଧର୍ମରୁ ପଞ୍ଚସଖା ସାହିତ୍ୟ କେଉଁଠି ବିଚ୍ୟୁତ ହୋଇନାହିଁ । ଆପଣା ସମାଜ ପ୍ରସଙ୍ଗ ବର୍ଣ୍ଣନା ସମୟରେ ପଞ୍ଚସଖାଙ୍କଠାରେ ବିଷାଦର ସ୍ୱର ଶୁଣିବାକୁ ମିଳୁଥିଲେ ହେଁ-ସମଗ୍ର ଭାବରେ ପଞ୍ଚସଖାଙ୍କ ସ୍ୱର ବିଷାଦର ନୁହେଁ ଆନନ୍ଦର, ନିରାଶର ନୁହେଁ ଆଶାୟୀର । କାଳ ଭେଦରେ ପଞ୍ଚସଖାଙ୍କର ଏହି ଆଦର୍ଶକୁ ବୁଝିବା ଲାଗି, ଆଧୁନିକ ଚିନ୍ତାଧାରା ସହିତ ଟିକିଏ ତୁଳନା କଲେ, ଅବାନ୍ତର ହେବ ନାହିଁ । ଆଜି ଚିନ୍ତାକ୍ଷେତ୍ରରେ ଯେଉଁମାନେ ସବୁଠାରୁ ଅଗ୍ରଗାମୀ, ରବୀନ୍ଦ୍ରନାଥଙ୍କ ଭାଷାରେ କହିଲେ ସେମାନଙ୍କ ମର୍ମବାଣୀ ହେଉଛି -‘ମଣିଷ ଉପରୁ ବିଶ୍ୱାସ ହରାଇବା ପାପ ।’ ସେମାନେ ମଣିଷର ସୁଖ ସନ୍ତୋଷମୟ ଭବିଷ୍ୟତ ଉପରେ ଦୃଢ଼ ଆସ୍ଥା ସ୍ଥାପନ କରନ୍ତି । ପଞ୍ଚସଖାମାନେ କେବେ ଭବିଷ୍ୟତ ଉପରୁ ବିଶ୍ୱାସ ହରାଇ ନାହାନ୍ତି । ପାପୀମାନଙ୍କର କ୍ଷୟ ଓ ସତ୍ୟବନ୍ତଙ୍କର ବିଜୟ ଉପରେ ସେମାନେ ପୂର୍ଣ୍ଣ ବିଶ୍ୱାସ ରଖିଅଛନ୍ତି । ଯୁଗ ବଦଳିଲେ ଭେକ ବଦଳେ । ସେଥିଲାଗି ସେ ଯୁଗରେ ପ୍ରଳୟ, ସତ୍ୟଯୁଗ, ଧର୍ମରାଜ୍ୟ ଆଦିର ସ୍ଥାନ, ଏ ଯୁଗରେ ବିପ୍ଳବ, ଗଣତନ୍ତ୍ର, ସାମ୍ୟବାଦ ଆଦି ନେଇଅଛି । ସେ ଯାହାହେଉ ଲକ୍ଷ୍ୟ କରିବାର କଥା, ଏହି ବଳିଷ୍ଠ ଆଶାବାଦ ଲାଗି ଶତନିପୀଡ଼ିତ ଲାଞ୍ଛିତ ଜନତାଠାରେ ପଞ୍ଚସଖା ସାହିତ୍ୟ ଏତେ ଆଦରଣୀୟ ହୋଇଅଛି ।

ପରିପୂର୍ଣ୍ଣ ଭାବରାଜ୍ୟ

ଜର୍ମାନ ପଣ୍ଡିତ ଇଣ୍ଟାରନିସ୍‍ ମହାଭାରତକୁ ଏକ ‘ସମ୍ଫୂର୍ଣ୍ଣ ସାହିତ୍ୟ’ ( Whole literature ) କହିଲା ଭଳି ପଞ୍ଚସଖା ସାହିତ୍ୟକୁ ଏକ ‘‘ପରିପୂର୍ଣ୍ଣ ଭାବରାଜ୍ୟ’’ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର ଭାବରେ ଦେଖିଲେ ମନେ ହୁଏ ଯେପରି ସମୁଦାୟ ଭାରତୀୟ ଚିନ୍ତାଧାରାର ସତ୍ୟମୂର୍ତ୍ତି ଏଥିରେ ସଜୀବ ହୋଇ ଉଠିଅଛି ।

Image

 

ଭାରତୀୟ ସଂସ୍କୃତି ମିଳନ ଭୂମିରେ ରାମସାହିତ୍ୟ

କମ୍ୱନ ଓ ବଳରାମ ଦାସଙ୍କ ରାମାୟଣ

 

ଗୋଟିଏ ବୃନ୍ତରେ ବିକଶିତ ପୁଷ୍ପପୁଞ୍ଜ ବା ଗୋଟିଏ କୁସୁମର ଅଜସ୍ର ପାଖୁଡ଼ାପରି ଭାରତୀୟ ସଂସ୍କୃତି; ତାର ବହିରଙ୍ଗର ବହୁ ବୈଚିତ୍ର୍ୟ ଅନ୍ତରାଳରେ ଗୋଟିଏ ଆତ୍ମାର ସୁରଭି, ଗୋଟିଏ ଆଲୋକର ପ୍ରକାଶଧାରା ଅଖଣ୍ଡ ପ୍ରବାହିତ । ଭାରତୀୟ ସଂସ୍କୃତିର ଏ ମିଳନ ଭୂମିର ଧାରଣା ନାନା ଦୃଷ୍ଟାନ୍ତରେ କରାଯାଇପାରେ; କିନ୍ତୁ ତାର ସ୍ପଷ୍ଟରୂପ ଧରାଦିଏ ଭାରତୀୟ ସାହିତ୍ୟରେ । ଏ ମିଳନ ଭୂମିକୁ ଗଭୀର ଅନୁଭବରେ ବୁଝିବା ଲାଗି ଯଦି ଗୋଟିଏ ମାତ୍ର ଦୃଷ୍ଟାନ୍ତ ନିଆହୁଏ, ତେବେ ରାମାୟଣ ସାହିତ୍ୟ ହିଁ ପ୍ରଥମେ ଦୃଷ୍ଟିରେ ପଡ଼େ । ପରମ୍ପରା ପ୍ରକାଶ ଧାରାରେ ଆମର ସମାଜ ଓ ଜୀବନ-ଆଦର୍ଶର ଯେଉଁ ପରିପୂର୍ଣ୍ଣ ଅନ୍ତରଙ୍ଗ ଚିତ୍ର ଏଥିରୁ ମିଳେ, ତାର ତୁଳନା ନାହିଁ ।

 

ଅତି ପ୍ରାଚୀନ କାଳରେ ଏ ବିଶାଳ ଦେଶର କୋଣେ କୋଣେ ରାମଚରିତ ଲୋକମୁଖରେ ସଞ୍ଚରୁ ଥିଲା । ଲୋକ-ସାହିତ୍ୟର ରାଜପଥରୁ ଏହାକୁ ଘେନିଯାଇ ବାଲ୍ମୀକି ସୁଧୀ-ସାହିତ୍ୟର ସିଂହାସନରେ ବସାଇଲେ । କାଳର ଆବର୍ତ୍ତନରେ କଳାର ବିବର୍ତ୍ତନ ଘଟେ । ଏଇ ସିଂହାସନରୁ ପୁରାଣ କାବ୍ୟର ବିଭିନ୍ନ ମାର୍ଗ ଅନୁସରଣ କରି ଆଧୁନିକ ଭାରତୀୟ ଭାଷାଗୁଡ଼ିକର ବିକାଶ କାଳରେ ପୁଣି ରାମସାହିତ୍ୟ ଲୋକ-ସାହିତ୍ୟର ରାଜପଥ ଅଭିମୁଖୀ ହୋଇଅଛି । ତାମିଲ କମ୍ୱନ ରାମାୟଣ, ତେଲଗୁ ଦ୍ୱିପାଦ ରାମାୟଣ, ଓଡ଼ିଆ ଦାଣ୍ଡି ରାମାୟଣ, ବଙ୍ଗଳା କୃତିବାସ ରାମାୟଣ, ଅବଧି ତୁଳସୀ ରାମାୟଣ, ମହାରାଷ୍ଟ୍ରୀୟ ଏକନାଥଙ୍କ ଭାବାର୍ଥ ରାମାୟଣ ଆଦି ଏହାର ନିଦର୍ଶନ । ଏହି ଗ୍ରନ୍ଥ ଗୁଡ଼ିକ ମଧ୍ୟରୁ କେବଳ ତୁଳସୀ ଦାସଙ୍କ ରାମଚରିତର ମହିମା ପୂର୍ଣ୍ଣରୂପେ, ଏପର୍ଯ୍ୟନ୍ତ ବିଶ୍ୱର ସୁଧୀ ସମାଜ-ଦୃଷ୍ଟିକୁ ଆସିଥିଲା । ଏହା ଗତ ଶତକର ବହୁ ପାଶ୍ଚତ୍ୟ ପଣ୍ଡିତଙ୍କ ଉଦ୍ୟମର ଫଳ । ତୁଳସୀ ଦାସଙ୍କ କୃତିର ମହତ୍ତ୍ୱ ଯେପରି ଫୁଟି ପାରିଚି, ଯଥାର୍ଥ ଆଲୋଚନା ଓ ସଙ୍କଳନ ହେଲେ ଅନ୍ୟାନ୍ୟ ଭାରତୀୟ ଭାଷାରେ ରଚିତ ଏହି ଧରଣର ଅନେକ ଗ୍ରନ୍ଥ ବିଶ୍ୱସାହିତ୍ୟରେ ସମାଦୃତ ହୋଇ ପାରିବ-ଏ ବିଶ୍ୱାସ ଆଜି ଦୃଢ଼ରୁ ଦୃଢ଼ତର ହେଉଅଛି । ତୁଳସୀ ରାମାୟଣର ସୌଭାଗ୍ୟ ଏବେ ତାମିଲ କମ୍ୱନ ରାମାୟଣକୁ ମିଳିବାକୁ ଯାଉଅଛି । ମିଳିତ ଜାତି ସଂଘର ଶିକ୍ଷା ସଂସ୍କୃତି ସଂସ୍ଥା ପକ୍ଷରୁ ଏହି ଗ୍ରନ୍ଥଟିର ଅନୁବାଦ ପୃଥିବୀର ବିଶିଷ୍ଟ ଭାଷାମାନଙ୍କରେ ପ୍ରକାଶ ପାଇବାକୁ ଯାଉଚି । ଭାରତ ସରକାରଙ୍କ ମଧ୍ୟସ୍ଥିରେ ଏ ବ୍ୟବସ୍ଥା କରାଯାଇଅଛି । ଏହାର ସଂପୂର୍ଣ୍ଣ ଇଂରେଜି ଅନୁବାଦ ଶ୍ରୀଯୁକ୍ତ ରାଜଗୋପାଳଚାରୀ କରୁଅଛନ୍ତି । କିନ୍ତୁ, ଏଭଳି ଅନୁବାଦର ପ୍ରଥମ ଆୟୋଜନ ମାନ୍ଦ୍ରାଜ ବେତାର କେନ୍ଦ୍ର କରିଥିଲେ । ଏଇ ବେତାର କେନ୍ଦ୍ର ଅନୁରୋଧରେ ଯତ୍‍କିଞ୍ଚିତ ଟୀକା ଟିପପ୍‍ଣୀ ସହ କମ୍ୱନ ରାମାୟଣର କେତୋଟି ନିର୍ବାଚିତ ଅଂଶ ଶ୍ରୀଯୁକ୍ତ ରାଜଗୋପାଳଚାରୀ ଇଂରେଜୀରେ ଅନୁବାଦ କରିଥିଲେ ।

 

ଏହା ଭାରତ ସରକାରଙ୍କ ସମ୍ୱାଦ ଓ ବେତାର ବିଭାଗ ପକ୍ଷରୁ, ‘‘ଭରତ ମିଳାପ’’ ନାମରେ ଏକ ପୁସ୍ତିକା ଆକାରରେ ଗତବର୍ଷ ମଇ ମାସରେ ପ୍ରକାଶିତ ହୋଇଅଛି । କମ୍ୱନ ରାମାୟଣର ଯେ ସୌଭାଗ୍ୟ ହୋଇଛି ଅନ୍ୟାନ୍ୟ ଭାରତୀୟ ଭାଷାରେ ପ୍ରକାଶିତ ଏ ଭଳି ଗ୍ରନ୍ଥଗୁଡ଼ିକ ସହିତ ଦାଣ୍ଡି ରାମାୟଣର କି ପରିମାଣରେ ସେ ସୌଭାଗ୍ୟ ଲାଭର ଅଧିକାର ଅଛି-ତାହା ତତ୍ତୁଲ୍ୟ ଅଂଶମାନ ତୁଳନାରେ ଦେଖିଲେ ସହଜରେ ଧାରଣା କରି ହେବ ।

 

 

 

କମ୍ୱନ ରାମାୟଣ

 

ଆଧୁନିକ ଭାରତୀୟ ଭାଷାମାନଙ୍କ ମଧ୍ୟରେ ତାମିଲ ଜ୍ୟେଷ୍ଠ । ଏଥିରେ ଖ୍ରୀଷ୍ଟ ଦଶମ ଶତକବେଳକୁ ପ୍ରଥମେ ରାମାୟଣ ରଚିତ ହୋଇଥିଲା । ମହାକବି କମ୍ୱନ ତାମିଲ ରାମାୟଣର ରଚୟିତା । ରଚୟିତାଙ୍କ ନାମ ଅନୁସାରେ ଏହାକୁ କମ୍ୱନ ରାମାୟଣ କୁହାଯାଏ । ବାଲ୍ମୀକି ରାମାୟଣ ତୁଳନାରେ ଏଥିରେ କଥାବସ୍ତୁର ଆହରଣ ଓ ସଂଯୋଜନାରେ ହୁଏତ କେତେକ ପାର୍ଥକ୍ୟ ଦେଖାଯିବ । କିନ୍ତୁ, ବାଲ୍ମୀକି ରାମୟଣର ମୂଳ କଥା ସ୍ରୋତରୁ ମହାକବି କମ୍ୱନ ବିଚ୍ୟୁତ ହୋଇ ନାହାନ୍ତି । କମ୍ୱନ ନିଜ ଗ୍ରନ୍ଥର ମଙ୍ଗଳାଚରଣରେ ବାଲ୍ମୀକିଙ୍କ ପୁଣ୍ୟ ନାମ ଉଚ୍ଚାରଣ କରି ଅଛନ୍ତି; ତା ସଙ୍ଗେ ସଙ୍ଗେ ଅହୁରି ଦି’ଜଣ କବିଙ୍କ ପଦାଙ୍କ ଅନୁସରଣ କରିଥିବା କଥା ବି କହିଛନ୍ତି । କମ୍ୱନ ରାମାୟଣର ଛ’ଟି କାଣ୍ଡ ଲେଖିଥିଲେ । ପରେ ଓତ୍ତକୁତ୍‍ଥନ ବୋଲି ଆଉ ଜଣେ କବି ଏଥିରେ ଉତ୍ତରାକାଣ୍ଡ ଯୋଡ଼ି ଥିବା କଥା ଆଲୋଚକମାନେ କହନ୍ତି । ଆମର ସାଧୁସନ୍ଥଙ୍କ ଭଳି ତାମିଲନାଡ଼ୁର ଅଲବାରମାନେ-ଏମାନଙ୍କ ଦୃଷ୍ଟି ଭକ୍ତର ଦୃଷ୍ଟି । କମ୍ୱନ ଜଣେ ଅଲବାର ଥିଲେ । ନିଜ ଗ୍ରନ୍ଥରେ ସେ ବିମଳ ଭକ୍ତିଭାବରେ ପ୍ରଚାର କରି ଯାଇଛନ୍ତି ।

 

କମ୍ୱନ ଓ ବଳରାମଙ୍କ ବିଶେଷତ୍ୱ-

 

ଶ୍ରୀଯୁକ୍ତ ରାଜଗୋପାଳଚାରୀ ଏହି ପୁସ୍ତିକାଟି ଲାଗି ରାମାୟଣର ଅଯୋଧ୍ୟାକାଣ୍ଡରୁ ପାଞ୍ଚଗୋଟି ପ୍ରସଙ୍ଗ ନିର୍ବାଚିତ କରିଛନ୍ତି । ସେ ହେଉଛି-(୧) ଧନୁଭଙ୍ଗ, (୨) ମାମୁଁ ଘର ଭରତ ଫେରିବା ପରେ କୈକେୟୀ, କୌଶଲ୍ୟା ଆଦି ମାତାମାନଙ୍କ ସହ ସାକ୍ଷାତ, (୩) ରାମଙ୍କୁ ବନବାସରୁ ଫେରେଇବା ଲାଗି ଭରତଙ୍କର ପାତ୍ର ମନ୍ତ୍ରୀଙ୍କ ସହ ବିଚାର ଓ ଦଣ୍ଡକାରଣ୍ୟ ଯାତ୍ରା, (୪) ଗୁହକ ଓ ଭରତଙ୍କ ଭେଟ, (୫) ଚିତ୍ରକୂଟରେ ରାମ ଓ ଭରତଙ୍କ ମିଳନ । କେବଳ ପ୍ରଥମ ପ୍ରସଙ୍ଗକୁ ଛାଡ଼ି ଦେଲେ ଅନ୍ୟ ପ୍ରସଙ୍ଗ ଗୁଡ଼ିକ କରୁଣ ରସାତ୍ମକ । ଭରତ ଏଥିରେ ମୁଖ ଚରିତ୍ର । ଭରତ ଚରିତ୍ରର ପ୍ରାଧାନ୍ୟ ମୂଳ ରାମାୟଣର ଏହି ଅଂଶରେ ଦେଖିବାକୁ ବି ମିଳିଥାଏ । ଭ୍ରାତୃ ଭକ୍ତିର ପରାକାଷ୍ଠା, ପୁଣ୍ୟ ପ୍ରାଣତା, ଓ ମହାନତା ଭରତ ଚରିତ୍ରରେ ବାଲ୍ମୀକି ପ୍ରକଟିତ କରି ଅଛନ୍ତି-। ଏ ଆଦର୍ଶରୁ କମ୍ୱନ କିମ୍ବା ବଳରାମ ବିଚ୍ୟୁତ ହୋଇନାହାନ୍ତି । ପୁଣି ଏହି ଅଂଶରେ ଶ୍ରେଷ୍ଠ ବନ୍ଧୁ ରୂପେ ଗୁହକ ଚରିତ୍ର ଅଙ୍କିତ । କିନ୍ତୁ, ଗୁହକ ଚରିତ୍ରର ଯେଉଁ ମହାନ୍‍ ଓ ବିଶଦ ଚିତ୍ର ବଳରାମ ଓ କମ୍ୱନ ଦେଇଛନ୍ତି-ତାହା ବାଲ୍ମୀକିରେ ନାହିଁ । ପାରିବାରିକ ପରିଧିରେ ବନ୍ଧୁତ୍ୱର ଆବେଦନ କେଡ଼େ ଗଭୀର, ତାହା ରାମାୟଣରେ ମାତ୍ର ତିନୋଟି ସ୍ଥାନରେ ଦେଖାଯାଏ । ଗୁହକ ଓ ରାମଙ୍କ ସଖ୍ୟ, ସୁଗ୍ରୀବ ଓ ରାମଙ୍କ ବନ୍ଧୁତ୍ୱ, ଆଉ ବିଭୀଷଣ ଓ ରାମଙ୍କ ମିତ୍ରତା । ସୁଗ୍ରୀବ ଓ ବିଭୀଷଣର ମିତ୍ରତାକୁ ବାଲ୍ମୀକି ଯେଉଁ ମହତ୍ତ୍ୱ ଦେଇଛନ୍ତି, ତାହା ତୁଳନାରେ ଗୁହକର ସଖ୍ୟକୁ ଯଥାର୍ଥ ପ୍ରାଧାନ୍ୟ ଦେଇ ନାହାନ୍ତି । ରାମାୟଣର ମୁଖ୍ୟ କଥା ଭାଗର ପରିଣତିରେ ଗୁହକ ଚରିତ୍ରର ଗୌଣତ୍ୱ ବିବେଚନାରେ ସେ ହୁଏତ ଏହା କରିଅଛନ୍ତି । ବାଲ୍ମୀକିଙ୍କ ଗୁହକ ଯେପରି ଏକ ଛାୟା । ଗୁହକକୁ କେନ୍ଦ୍ରକରି ଯେଉଁ ଆଖ୍ୟାନ ବାଲ୍ମୀକି ଲୋକ ମୁଖରୁ ଶୁଣିଛନ୍ତି-ତାକୁ କେବଳ ଘଟଣା ସୁତ୍ରରେ ଗୁନ୍ଥି ଦେଇଛନ୍ତି; ଯେପରି ଏକ ମୂର୍ତ୍ତି ଗଢ଼ିଦେଇ ସେଥିରେ ଜୀବନ୍ୟାସ ଦେବାକୁ ସେ ଭୁଲି ଯାଇଛନ୍ତି । କିନ୍ତୁ କମ୍ୱନ ଓ ବଳରାମ ଉଭୟେ ଗୁହକର ଚିତ୍ର ଅତି ନିପୁଣ ତୂଳୀରେ କରିଅଛନ୍ତି । ବଳରାମଙ୍କ ଲେଖନୀ କେବଳ ଶବରରାଜ ଗୁହକ ଚିତ୍ର ଦେଇସାରି ଅଟକି ଯାଇ ନାହିଁ । ସେ ସମୁଦାୟ ଶବରପଲ୍ଲୀ, ଶବର ସମାଜର ବର୍ଣ୍ଣନା ବିଶଦ ଭାବରେ ଦେଇଛନ୍ତି । ଏ ବର୍ଣ୍ଣନା ପଢ଼ିଲେ, ଏବେ ଉତ୍କଳର କୌଣସି ଏକ ଆଦିବାସୀ ଗାଆଁରେ ବୁଲୁଥିବା ଭଳି ଜଣାଯାଏ । ଗୁହକକୁ କେନ୍ଦ୍ର କରି କମ୍ୱନଙ୍କ କଳ୍ପନା ଯଥା ସମ୍ଭବ ମୁକ୍ତ ଭାବରେ ବିଚରଣ କରିଅଛି । ତାକୁ କମ୍ୱନ ଶ୍ରେଷ୍ଠ ଭକ୍ତ ଭାବରେ ଚିତ୍ରି ଅଛନ୍ତି । ଯେଉଁମାନେ ଭକ୍ତିଭାବ ଘେନି କମ୍ୱନ ରାମାୟଣ ପଢ଼ନ୍ତି, ସେମାନେ କହନ୍ତି-‘‘ଯିଏ ଗୁହକ, ସିଏ କମ୍ୱନ । ଗୁହକ ବାଣୀରେ ରାମଭକ୍ତ କମ୍ୱନଙ୍କ ହୃଦୟ ବାଣୀ ପ୍ରକାଶ ପାଇଅଛି ।’’

 

ଧନୁର୍ଭଙ୍ଗ

 

ସମଗ୍ର ଅଯୋଧ୍ୟା କାଣ୍ଡରେ ଯେଉଁ କରୁଣ ଅଭିନୟ ଘଟିଅଛି, ଧନୁର୍ଭଙ୍ଗ ଓ ସୀତା ବିବାହ ଏହାର ଭୂମିକା ବୋଲି ମନେ ହୁଏ । କାରଣ ପୁଅମାନଙ୍କ ବିଭା ଉତ୍ସବ ପରେ ରାମଙ୍କ ଯୌବରାଜ୍ୟ ଓ ଏହି ପ୍ରସଙ୍ଗରୁ ରାମ ବନବାସ ଘଟିଚି । ପୁଣି ଏ ଅଭିନୟର ଅନ୍ତରାଳରେ ସୀତାଙ୍କ ଭୂମିକା ଅତି ମହାନ୍‍ । ଏଥିଲାଗି ଧନୁର୍ଭଙ୍ଗ ଓ ସୀତା ବିବାହ ପ୍ରସଙ୍ଗରୁ ‘‘ଭରତ ମିଳାପ’’ ପୁସ୍ତିକାର ଆରମ୍ଭ ହୋଇଅଛି । କମ୍ୱନ ନିଜ ବର୍ଣ୍ଣନାରେ ସୁକୁମାରୀ ସୀତାଙ୍କର ମନୋହର ଚିତ୍ର ଦେଇଛନ୍ତି । ଧନୁର୍ଭଙ୍ଗର କଠୋର ପଣ, ବହୁ ବୀର, ବଳବାନ ନୃପତିମାନଙ୍କର ଧନୁ ଭାଙ୍ଗିବାରେ ଅସାମର୍ଥ୍ୟ, ସୀତାଙ୍କ ଭବିଷ୍ୟତ ବିଷୟରେ ସମସ୍ତଙ୍କୁ ଗଭୀର ଶଙ୍କାକୁଳ କରିଛି । ପୁଣି ରାମଙ୍କ ସୁନ୍ଦର ଦେବୋପମ ରୂପ ଦେଖି ସୀତାଙ୍କର ଉପଯୁକ୍ତ ବର ବୋଲି ସମସ୍ତେ ଯେତିକି ଆଗ୍ରହ ପ୍ରକାଶ କରିଛନ୍ତି-କାଳେ ଧନୁ ଭଙ୍ଗରେ ରାମ ଅସଫଳ ହେବେ, ଏଇ ଶଙ୍କାରେ ସେତିକି ବ୍ୟଥିତ ହୋଇଛନ୍ତି । ଏଇ ପ୍ରସଙ୍ଗରେ ସୀତାଙ୍କ ସଖୀମାନଙ୍କର ଉକ୍ତି ପ୍ରତ୍ୟକ୍ତିରେ କମ୍ୱନଙ୍କ ସ୍ୱାଭାବିକ କବିତ୍ୱ କଳା ପ୍ରକଟିତ । ବଳରାମ ଦାସଙ୍କର ଏ ଚିତ୍ରରେ ମଧ୍ୟ କୌଣସି ଅପୂର୍ଣ୍ଣତା ପରିଲକ୍ଷିତ ହୁଏ ନାହିଁ । ବଳରାମଙ୍କ ରାମାୟଣ ସହିତ ଘନିଷ୍ଠ ପରିଚୟ ଘେନି କମ୍ୱନ ରାମାୟଣର ଧନୁର୍ଭଙ୍ଗ ପ୍ରସଙ୍ଗ ପଢ଼ିଲାବେଳେ ଦାଣ୍ଡି ରାମାୟଣ ପଢ଼ୁଥିଲା ଭଳି ମନେ ହୁଏ ।

 

 

ରାମ ବନବାସ ପରେ

 

ରାମ ବନବାସ ପରେ ରାମାୟଣର କରୁଣ ନାଟକ ଶେଷ ପରିଣତି ଆଡ଼କୁ ଗତି କରୁଛି-। ପୁତ୍ର ଶୋକରେ ଦଶରଥଙ୍କର ମୃତ୍ୟୁ ହୋଇଛି । ଭରତ ଶତ୍ରୁଘ୍ନ ମାମୁଁ ଘରେ । ଏତିକିବେଳେ ରାମାୟଣକାର ରାମ ଲକ୍ଷ୍ମଣ ସୀତାଙ୍କୁ ବନବାସର ନିକାଞ୍ଚନ ଉପଭୋଗ କରିବାକୁ ଛାଡ଼ିଦେଇ ଭରତ ଓ ଶତ୍ରୁଘ୍ନ ଆଡ଼କୁ ଦୃଷ୍ଟି ଫେରେଇଛନ୍ତି । ଶୀଘ୍ର ଅଯୋଧ୍ୟା ଫେରିବାକୁ ଚାର ମୁଖରୁ ନିର୍ଦ୍ଦେଶ ପାଇ ଭରତ ଶତ୍ରୁଘ୍ନ ବହୁ ଅଶୁଭ ଶକୁନ ଦେଖି ଶଙ୍କାକୁଳ ହୋଇ ଅଯୋଧ୍ୟା ଫେରିଛନ୍ତି । ପ୍ରଥମେ ଭରତର କୈକେୟୀଙ୍କ ସହ ସାକ୍ଷାତ ହୋଇଛି । ଏ ସାକ୍ଷାତର ବର୍ଣ୍ଣନା କମ୍ୱନ ଓ ବଳରାମ ଉଭୟେ ଅତି ବିଶଦ ଓ ନାଟକୀୟ ଭାବରେ ଦେଇଛନ୍ତି । ସବୁ ବୃତ୍ତାନ୍ତ ଶୁଣି ନିଜ ଜନନୀ ପ୍ରତି ଘୃଣା ଓ କ୍ରୋଧରେ, ତଥା ଶୋକରେ ଭରତ ବିଚଳିତ ହୋଇ ପଡ଼ିଛନ୍ତି । କୈକେୟୀଙ୍କ ସାକ୍ଷାତ୍‍ ପରେ ଶୋକାକୁଳିତ ଭରତକୁ କମ୍ୱନ କୌଶଲ୍ୟାଙ୍କଠାକୁ ଘେନି ଯାଇଛନ୍ତି । କିନ୍ତୁ ଏହାରି ମଝିରେ ବଳରାମ ମନ୍ଥରା ପୀଡ଼ିନ ବର୍ଣ୍ଣନା କରିଛନ୍ତି । ଏଥିରେ ଭରତର କ୍ରୋଧମୂର୍ତ୍ତି ସୁପ୍ରକଟିତ ହୋଇଛି । ଆଦର୍ଶ ଦିଗରୁ ମନ୍ଥରା ପୀଡ଼ନର ଯାହା ମୂଲ୍ୟ ଥାଉ ନା କାହିଁକି; ବାସ୍ତବ ପରିବେଶରେ ଭରତ ଚରିତ୍ର ଏଥିରେ ମନୋଜ୍ଞ ହୋଇଛି । କରୁଣା ଓ ଶୋକଘନଛାୟାର ବିପୁଳ ବିସ୍ତାର ଭିତରେ ଘୃଣା ଓ କ୍ରୋଧର ଏହି ଅସ୍ଥିର ମୁହୂର୍ତ୍ତଗୁଡ଼ିକ ବୈଚିତ୍ର୍ୟ ଆଣିଛି । ଏହା ପରେ କୌଶଲ୍ୟା ଓ ଭରତଙ୍କ ସାକ୍ଷାତ । ଏଥିରେ କମ୍ୱନଙ୍କ କୌଶଲ୍ୟା ଚିତ୍ର ଅଧିକ ଆଦର୍ଶମୁଖୀ । ସେ ଭରତ ଉପରେ କୌଣସି ପ୍ରକାର କ୍ରୋଧ ବା ଘୃଣା ପ୍ରକାଶ କରିବା ଅପେକ୍ଷା ଶୋକାକୁଳିତ ଅଧୀର ଭରତକୁ ଦେଖି ଆପଣା ପ୍ରିୟପୁତ୍ର ରାମର ବିଚ୍ଛେଦ ଭୁଲି ଯାଇଛନ୍ତି । ନିମେଷକ ଲାଗି ଭରତଙ୍କ ଭିତରେ ରାମଙ୍କୁ ଦେଖିବାକୁ ପାଇଛନ୍ତି । ନିଜର ସମସ୍ତ ଶୋକ ସମ୍ୱରଣ କରି ଭରତଙ୍କୁ ସାନ୍ତ୍ୱନା ଦେଇଛନ୍ତି । କିନ୍ତୁ ବଳରାମଙ୍କ ବର୍ଣ୍ଣନାରେ କୌଶଲ୍ୟା ଏକ ପୁତ୍ରଶୋକବିଧୂରା ସାଧାରଣ ଜନନୀ । ସେ ଭରତଙ୍କୁ ଦେଖିଲାମାତ୍ରେ ନିଜର ଗଭୀର ଶୋକର ଉଚ୍ଛ୍ୱାସ କ୍ରୋଧ ଓ ବିଦ୍ରୂପ ବାକ୍ୟରେ ପ୍ରକାଶ କରିଛନ୍ତି । ପୁତ୍ରକୁ ହରାଇ ସେ ଯେପରି ଅଧୀରା, ପ୍ରାଣସମ ଭାଇଙ୍କୁ ହରାଇ ଭରତ ଯେ ସେହି ପରି ଅସ୍ଥିର-ଏ କଥା ବଳରାମଙ୍କ କୌଶଲ୍ୟା ପ୍ରଥମରୁ ବୁଝିପାରି ନାହାନ୍ତି । ଦୁଇଟି ବିପରୀତମୁଖୀ ଶକ୍ତିର ସଙ୍ଘାତ ହେଲେ ଗୋଟିଏ ଉପରକୁ ଉଠିଯାଏ, ଅପରଟି ତଳେ ପଡ଼ିଯାଏ । ଏଠାରେ ଏହା ହିଁ ହୋଇଛି, କୌଶଲ୍ୟା ନୀରବ ହୋଇଛନ୍ତି, ଭରତ ସତ୍ୟ, ଧର୍ମ ଓ ନ୍ୟାୟର କଷଟିରେ ଆପଣାର ନିର୍ଦ୍ଦୋଷତା ପ୍ରମାଣ କରିଛନ୍ତି । ହୁଏତ କୌଶଲ୍ୟା ଭରତଙ୍କ ଶୋକାକୁଳତା ବୁଝିଛନ୍ତି; ନିର୍ଦ୍ଦୋଷତା ଉପଲବ୍‍ଧି କରିଛନ୍ତି, କିନ୍ତୁ ମୁହଁ ଖୋଲି କିଛି କହି ପାରି ନାହାନ୍ତି । ସେ ଯେମିତି ହୃଦୟ ଓ ବିବେକ, ଅନୁଭବ ଓ ସତ୍ୟୋପଲବ୍‍ଧିର ନିରନ୍ତର ସଂଘର୍ଷର ଉପରକୁ ଉଠି ପାରିନାହାନ୍ତି ।

 

ସ୍ଥିତପ୍ରଜ୍ଞ ଭରତ

 

ଭରତ ଯେମିତି ସ୍ଥିତପ୍ରଜ୍ଞ ମୁନି । ଦୁଃଖ ଆସିଚି, ସେଥିପାଇଁ ମନ ବ୍ୟସ୍ତ ନାହିଁ; ସୁଖ ଆସିବ, ଆନନ୍ଦ ଆଗ୍ରହ ନାହିଁ; କର୍ତ୍ତବ୍ୟର ଖଣ୍ଡାଧାରରେ ସେ ସତତ ନିରୁଦ୍‍ବିଗ୍ନ । ଗଭୀର ଶୋକଘନ ହୃଦୟରେ ବି ସେ କର୍ତ୍ତବ୍ୟର ଆହ୍ୱାନ, ବିବେକର ନିର୍ଦ୍ଦେଶ ଭୁଲି ନାହାନ୍ତି । ଅତି ସ୍ଥିର ଚିତ୍ତରେ ସେ ପାତ୍ର ମନ୍ତ୍ରୀ, ବୟସ୍ୟ, ମୁନି, ଋଷି, ପୁରବାସୀମାନଙ୍କୁ ଘେନି ଉପସ୍ଥିତ କର୍ତ୍ତବ୍ୟ ସ୍ଥିର କରିବାକୁ ବାହାରିଛନ୍ତି । ଏକ ଦିଗରେ ସମସ୍ତଙ୍କ ଅନୁରୋଧ,-ଭରତ, ତୁମେ ସିଂହାସନ ଆରୋହଣ କର, ପ୍ରଜାପାଳନ କର; ଅନ୍ୟ ଦିଗରେ ବିବେକର ନିର୍ଦ୍ଦେଶ-ଭରତ, ତୋର ପ୍ରାଣସମ ଭାଇ, ଏଡ଼େ ଗୁଣର ଭାଇ ବଣରେ । ସେ ତୋର ପିତୃସମ । ସେ ବଣରେ ସନ୍ନ୍ୟାସୀ ହୋଇ ବୁଲିବେ, ଆଉ ତୁ କନିଷ୍ଠ ହୋଇ ସିଂହାସନରେ ବସିବୁ, ଏହା ଯୋଗାଏ ନାହିଁ । ଏଥିରେ କାଳକାଳକୁ ଲୋକେ ତୋର ନିନ୍ଦା କରିବେ, ଏହା କେତେ ଅସୁନ୍ଦର କଥା । ଭରତଙ୍କର ଏ ଆତ୍ମଚିନ୍ତନର ଚିତ୍ର କମ୍ୱନ ଓ ବଳରାମ ଉଭୟଙ୍କ କୃତିରେ ମନୋରମ ଓ କଳାପୁଷ୍କଳ ।

 

କମ୍ୱନଙ୍କ ବର୍ଣ୍ଣନା ଅନୁସାରେ ପାତ୍ରମନ୍ତ୍ରୀମାନେ ସମବେତ ଭାବରେ ଭରତଙ୍କୁ ଅନୁରୋଧ କରିଛନ୍ତି-‘‘ହେ ଦଶରଥ ପୁଅ, ତମର କର୍ତ୍ତବ୍ୟ ତମେ ଏବେ ବୁଝ । ଲୋକେ ତମରି ବାହାକୁ ଚାହିଁଛନ୍ତି । ତାହା ସେମାନଙ୍କର ରକ୍ଷାକବଚ । ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଆଉ ତାରା ଯେମିତି ଦୁନିଆାର ମୁହଁକୁ ଉଜ୍ଜ୍ୱଳ କରନ୍ତି, ସେମିତି ରାଜାର ତୀକ୍ଷ୍‌ଣ ଖଣ୍ଡା ଆଉ ବଳିଷ୍ଠ ବାହା ଦେଶର ମୁଖ ଉଜ୍ଜ୍ୱଳ କରେ; ତାହା ନୋହିଲେ ସବୁ ଅନ୍ଧକାର । ରାଜ୍ୟ ଉଜୁଡ଼ି ଯାଏ । ଯେ ରାଜ୍ୟର ରାଜା ନାହିଁ, ତାହା ଖଣ୍ଡଖଣ୍ଡ ହୋଇଯାଏ । ଭିତରୁ ଶାସନ କରୁଥିବା ଆତ୍ମା ନ ଥିଲେ ଦେହ ଯେମିତି ଅଚଳ ହୁଏ, ସେଇପରି ଦେବତା ବା କିନ୍ନରଙ୍କ ସମାଜ ହେଉ ରାଜା ବିନା ତାହା ଚଳିପାରେ ନାହିଁ-। ଏବେ ତମର ପିତା ମରିଛନ୍ତି, ବଡ଼ ଭାଇ ବଣରେ । ତମ ମାଆ ତମ ଲାଗି ସିଂହାସନର ଗୌରବ ଆଣି ଦେଇଛନ୍ତି । ତମକୁ ନିଶ୍ଚୟ ରାଜ୍ୟପାଳନ କରିବାକୁ ହେବ ଏହା ଆମର ସ୍ଥିର ମତ-।’’ ବଳରାମ ଦାସଙ୍କ ବର୍ଣ୍ଣନାରେ ପାତ୍ରମନ୍ତ୍ରୀଗଣ ଭରତଙ୍କୁ ଅନୁରୂପ ଉପଦେଶ ଦେଇଛନ୍ତି । ତାର ମର୍ମ ହେଉଛି-‘‘ଭରତ ତମେ ଶୀଘ୍ର ଅଭିଷିକ୍ତ ହୁଅ । ପିତା ତମକୁ ରାଜ୍ୟ ଦେଇ ଯାଇଛନ୍ତି,-ସିଂହାସନରେ ବସ । ବିଳମ୍ୱ କଲେ ଏ ସିଂହାସନ ତମ ପାଖରୁ ଚାଲିଯାଇ ପାରେ । ତମେ ତ ଜାଣ, ତମ ବାପାଙ୍କର ବହୁତ ଶତ୍ରୁ ଅଛନ୍ତି । ତମେ ବୈରାଗ୍ୟ ଦେଖାଇଲେ ସମାନେ ତମ ରାଜ୍ୟ ଘେନି ପାରନ୍ତି । ଦେଶ, ପରଜା, ଅମାତ୍ୟ, ବନ୍ଧୁ, ଭଣ୍ଡାର, ସୈନ୍ୟ ଓ ଭୃତ୍ୟ ଏଇ ସାତ ଅଙ୍ଗକୁ ସମତୁଲ କରି ରଖିଲେ ରାଜ୍ୟ ସମ୍ଭଳା ହୁଏ, ତମେ ଏହା ସମ୍ଭାଳ । ରାଜା ଦଶରଥ ମଲେ । ରାମ ବନବାସ ଗଲେ । ରାଜ୍ୟ ଲୋକେ ତମକୁ ଭରସା କରି ବସିଅଛନ୍ତି ।’’

 

ଭରତ ପାତ୍ରମନ୍ତ୍ରୀ, ପୁରୋହିତ, ମୁନିଋଷିମାନଙ୍କ ଏ ସମବେତ ଅନୁରୋଧରେ ତିଳେ ହେଲେ ଟଳିବାର ପାତ୍ର ନୁହନ୍ତି । କମ୍ୱନଙ୍କ ଅନୁସାରେ ପାତ୍ରମନ୍ତ୍ରୀଙ୍କୁ ଭରତ ଏପରି ଅନୁରୋଧରୁ ନିବର୍ତ୍ତାଇଛନ୍ତି । ଏହା କିପରି ଧର୍ମ, ପରମ୍ପରା ଓ ବିବେକ ଅନୁମୋଦିତ ନୁହେଁ, ତାହା ସେ ବୁଝାଇଛନ୍ତି । ‘‘ଅତି ନିଷ୍କଳଙ୍କ ବଡ଼ ଭାଇ ରାମଚନ୍ଦ୍ର, ସେ ଜୀବନରେ ଅଛନ୍ତି । ଅଥଚ ତମେ ସବୁ ମୋତେ ମୁକୁଟ ନେବାକୁ କହୁଚ ? ତମମାନଙ୍କ ମତରେ ଏଇଆ ଯଦି ଧର୍ମ ହୁଏ, ତେବେ ଲୋକେ ମୋ ମାଆ କୈକେୟୀକୁ ନିନ୍ଦା କରିବେ କାହିଁକି ? ମୋତେ ହିଁ ସମସ୍ତେ ନିନ୍ଦା କରିବେ । ସୃଷ୍ଟିର ଆଦିକାଳରୁ ବଡ଼ ଭାଇ ଥାଉଁ ଥାଉଁ ସାନ ଭାଇ ରାଜା ହେବା କଥା ତମେ କ’ଣ ଜାଣିଚ ? ଏହା ବଡ଼ ଲଜ୍ଜାର କଥା । ମୁଁ ତମମାନଙ୍କର ଏ ଅନୁରୋଧ ପୂରଣ କରି ପାରିବି ନାହିଁ । ବଣକୁ ଯାଇ ମୋର ପ୍ରାଣସମ ବଡ଼ ଭାଇଙ୍କୁ ଅଯୋଧ୍ୟାର ସିଂହାସନକୁ ଫେରେଇ ଆଣିବି ।’’ ବଳରାମ ଦାସଙ୍କ ଲେଖନୀରେ ଏ ସ୍ଥଳରେ ଭରତଙ୍କ ଉକ୍ତି ଆହୁରି ମର୍ମସ୍ପର୍ଶୀ ହୋଇଛି । ଭରତ କହିଛନ୍ତି-‘‘ଶ୍ରୀରାମଙ୍କୁ କ୍ଷଣେ ନ ଦେଖିଲେ ମୋ ପ୍ରାଣରେ ତୃପ୍ତି ନାହିଁ; ସେ ମୋର ପ୍ରାଣର ପ୍ରାଣ । ସେ ଏକା ଅଯୋଧ୍ୟାର ରାଜା ହେବାକୁ ଭାଜନ । ସେ ରାଜା ହେଲେ ପୁର ସୁନ୍ଦର ଦିଶିବ । ମୁଁ ତାଙ୍କରି ତେଜରେ, ତାଙ୍କରି ସ୍ନେହ ଛାୟାରେ ବଢ଼ିଛି । ସୂର୍ଯ୍ୟଠାରେ ଯେପରି ଚନ୍ଦ୍ର ମୁଁ ତାଙ୍କଠାରେ ସେଇପରି । ସୂର୍ଯ୍ୟ ସ୍ଥାନରେ କଣ ଚନ୍ଦ୍ର ବସେ ?...ଉଚ୍ଚ ଗଛରେ ଫଳ ଫଳି ଥାଏ, ବାଙ୍ଗର ମନୁଷ୍ୟ ତାକୁ ପାଇବାକୁ ହାତ ବଢ଼ାଏ, କିନ୍ତୁ କି ଭାବରେ ସେ ଉପହସିତ ନ ହୁଏ ? ମୁଁ ରାଜା ହେବାକୁ ବସିଲେ ଏହିପରି ହେବ । ରାଜା ସିଂହ; କିନ୍ତୁ ରାମ ଥାଉଁ ଥାଉଁ ମୁଁ ସିଂହାସନରେ ବସିଲେ ଦୋହରା ଘରେ କୁକୁର ପଶିଲା ଭଳି ଅସୁନ୍ଦର ଦିଶିବ ।’’ ଶେଷରେ ଭରତଙ୍କ ଏ ଯୁକ୍ତି ସମସ୍ତେ ବୁଝିଛନ୍ତି; ଭରତଙ୍କ ସଂକଳ୍ପ ସମସ୍ତଙ୍କର ସଂକଳ୍ପ ହୋଇଛି । ରାମଙ୍କୁ ବନରୁ ଫେରାଇ ଆଣିବାକୁ ଯିବାକୁ ସମସ୍ତେ ସ୍ଥିର କରିଛନ୍ତି-

 

ଗୁହକ ମିତ୍ର

ଗୁହକର ଚିତ୍ର ଦେବାରେ କମ୍ୱନ ଓ ବଳରାମଙ୍କ ମୁକ୍ତ କଳ୍ପନାର ସୂଚନା ଆଗରୁ ଦିଆ ଯାଇଛି । ଭରତ ସୈନ୍ୟ ସାମନ୍ତ ପୁରଜନ ଓ ପରିଜନ ସମାବୃତ୍ତ ହୋଇ ଚିତ୍ରକୂଟ ପଥରେ ଆସି ଗଙ୍ଗା କୂଳରେ ପହଞ୍ଚଛନ୍ତି । କମ୍ୱନ ଓ ବଳରାମ ଉଭୟଙ୍କ ବର୍ଣ୍ଣନା ଅନୁସାରେ ଗୁହକ ରାମଙ୍କ ବିରୋଧରେ ଭରତ ସୈନ୍ୟ ଚାଳନା କରୁଥିବା କଥା ଭାବିଛି । ପ୍ରାଣର ସଖା ରାମଙ୍କ ବିରୋଧରେ ତା’ ନିଜରାଜ୍ୟ ଦେଇ ଭରତ ସୈନ୍ୟ ଚଳାଇ ନେବ-ଏହା ସହିବା ତା ପକ୍ଷରେ ଅସମ୍ଭବ । ତେଣୁ ସେ ଆପଣା ସୈନ୍ୟମାନଙ୍କୁ ଯୁଦ୍ଧ ସଜ୍ଜାରେ ସଜ୍ଜିତ କରି ରଖିଅଛି । କିନ୍ତୁ ଭରତର ମହତ୍‍ ଉଦ୍ଦେଶ୍ୟ ଯେତେବେଳେ ସେ ବୁଝି ପାରିଛି, ସେତେବେଳେ ସେ ଭରତଠାରୁ କ୍ଷମା ମାଗିଛି; ନିଜର କୁଭାବନା ଲାଗି ବହୁତ ଅନୁତାପ କରିଅଛି । ଏଠାରେ କମ୍ୱନଙ୍କ ବର୍ଣ୍ଣନା ଅତ୍ୟନ୍ତ ନାଟକୀୟ । ଗଙ୍ଗାର ଏକ ପାଖରେ ଭରତଙ୍କ ସୈନ୍ୟ, ଅନ୍ୟ ପାଖରେ ଗୁହକର ଧନୁତୀରଧାରୀ ଶବର ସୈନ୍ୟ । ଗୁହକ ନିଜ ସୈନ୍ୟମାନଙ୍କୁ ସଜ୍ଜିତ କରିଛି, ଭରତ ବିରୋଧରେ ଯୁଦ୍ଧ କରିବା ଲାଗି ଉଦ୍‌ବୋଧନ ଦେଇ କହିଛି-‘‘ଖଳମତି ଯୁବରାଜ ଭରତ, ସେ ରାଜଦ୍ରୋହୀ । ସେ ନିଜର ବଡ଼ ଭାଇକୁ ସୁଖ ପାଇ ନ ପାରେ; ବ୍ୟାଘ୍ରପରି ହିଂସ୍ର ଓ ଭୀଷଣ ବୀର ଲକ୍ଷ୍ମଣକୁ ଭୟ କରି ନ ପାରେ, ତଥାପି ମୁଁ ଯେତେବେଳେ ଏ ପଥ ଜଗିବାକୁ ପ୍ରସ୍ତୁତ ହୋଇ ରହିଅଛି, ସେ କିପରି ସୀମା ଛୁଇଁବାକୁ ସାହାସ କଲା ? ଆମେ ଆଜି ଦେଖାଇ ଦେବା ଆମ ବଣୁଆ ଜାତିଙ୍କର ବାଣ କିପରି ରାଜପୁତ୍ରଙ୍କ କୋମଳ ଶରୀର ଭେଦ କରିପାରେ ! ମୋ ପ୍ରଭୁ ରାମଚନ୍ଦ୍ରଭରତକୁ ଜଳ ସ୍ଥଳ ସବୁ ଦେଲେ, ତାଙ୍କୁ କଣ ସେ ବଣରେ ବି ରହିବାକୁ ଦେବ ନାହିଁ ? ଏ ବଣରେ ତ ଆମର ଅଧିକାର ।’’ ପୁଣି ସୈନ୍ୟଙ୍କୁ ଆଦେଶ କରିଚି-‘‘ମନ୍ଦମତି ଭରତର ସବୁ ସୈନ୍ୟଙ୍କ ପତକା ତମେମାନେ ନୁଆଇଁ ଦିଅ; ତମର ସାହାସ, ତମର ଲକ୍ଷ୍ୟଭେଦୀ ତୀରସନ୍ଧାନ ଦେଖି ସ୍ୱୟଂ ରାମଚନ୍ଦ୍ର ନିଜ ମୂର୍ତ୍ତି ଧରି ତମ ପାଖରେ ଠିଆ ହେବେ ।’’ କିନ୍ତୁ ମୁହୂର୍ତ୍ତକ ଭିତରେ ଅପରପାଖରେ ସୈନ୍ୟଙ୍କ ଗହଣରୁ ନିଜେ ଭରତଙ୍କୁ ଯେତେବେଳେ ଦେଖିଛି, ସେତେବେଳେ ତାର ସମସ୍ତ ଭାବନା ବଦଳି ଯାଇଛି । ସେ ଭରତଙ୍କ ଭିତରେ ସ୍ୱୟଂ ରାମଚନ୍ଦ୍ରଙ୍କୁହିଁ ଦେଖିଛି । ଶତ୍ରୁଘ୍ନକୁ ଦେଖିଛି ଲକ୍ଷ୍ମଣ ରୂପରେ । ଏହାପରେ ଗୋଟିଏ ନୌକାରେ ଏକାକୀ ଭରତଙ୍କ ନିକଟକୁ ଯାଇ ନିଜର ଦୁର୍ଭାବନା ଲାଗି କ୍ଷମା ମାଗିଚି । ଗୁହକଠାରୁ ବନବାସୀ ରାମଙ୍କର ସମସ୍ତ କାହାଣୀ ଶୁଣି ଭରତ ଅଭିଭୂତ ହୋଇଛନ୍ତି । ଭରତ ଓ ଗୁହକ ପରସ୍ପରର ବନ୍ଧୁ ହୋଇଛନ୍ତି ।

କମ୍ୱନ ଓ ବଳରାମ ଉଭୟେ ଗୁହକ ସଙ୍ଗରେ ଭରତଙ୍କୁ ରାମ ସୀତାଙ୍କ ସ୍ମୃତି ଜଡ଼ିତ ସ୍ଥାନସବୁକୁ ଘେନି ଯାଇଛନ୍ତି । ଏଥିରେ ଭରତଙ୍କ ମନରେ ବୈରାଗ୍ୟ ଜାତ ହୋଇଅଛି । ସେ ରାଜପୁତ୍ର ବେଶ ଛାଡି ସନ୍ନ୍ୟାସୀ ବେଶ ଧାରଣ କରିଅଛନ୍ତି । କମ୍ୱନଙ୍କ ବର୍ଣ୍ଣନାରେ ରାମ ସୀତା ଗୋଟିଏ କଠିନ ଶିଳାଖଣ୍ଡରେ ଶୋଇଥିଲେ, ଆଉ ଲକ୍ଷ୍ମଣ ସାରାରାତି ସେମାନଙ୍କୁ ଜଗି ବସିଥିଲେ-। ବଳରାମଙ୍କ ବର୍ଣ୍ଣନାରେ ରାମ ସୀତା ‘‘ପୁଈ ଚନ୍ଦୁଆ’’ ତଳେ ତିରଣ ଶଯ୍ୟାରେ ଶୋଇଥିବା କଥା କୁହା ଯାଇଛି । ଏହାପରେ ଭରତ ଚିତ୍ରକୂଟ ଯିବା ପଥରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ସସୈନ୍ୟେ ରାତ୍ରି ଯାପନ କରିଛନ୍ତି । ମୁନିଙ୍କ ତପଃ ପ୍ରଭାବରେ ଏଇ ରାତ୍ରିଟି ସୈନ୍ୟମାନେ ଅତ୍ୟନ୍ତ ବିଳାସ ଓ ଆମୋଦ ପ୍ରମୋଦରେ ବିତାଇଥିବା କଥା ଉଭୟ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ।

ଭାଇ ଭାଇଙ୍କ ମିଳନ

ସମୁଦାୟ ରାମାୟଣରେ ରାମ ଭରତଙ୍କ ମିଳନ ଏକ ପ୍ରଧାନ ଘଟଣା । ଏଇ ପ୍ରସଙ୍ଗ ବର୍ଣ୍ଣନାରେ ହିନ୍ଦୁର ଜୀବନାଦର୍ଶ ଓ ଧର୍ମଧାରାର ଗଭୀର ଇଙ୍ଗିତ ବାଲ୍ମୀକି ଦେଇ ଯାଇଅଛନ୍ତି । ଏ ଆଦର୍ଶରୁ କୌଣସି ରାମାୟଣକାର ବିଚ୍ୟୁତ ହୋଇ ନାହାନ୍ତି । ଏ ମିଳନର ରଙ୍ଗଭୂମି ଚିତ୍ରକୂଟ; ସମଗ୍ର ଅଯୋଧ୍ୟ ଏଠାରେ ଠୁଳ ହୋଇଛି । କେତୋଟି ମୁହୂର୍ତ୍ତ ଲାଗି ଶ୍ୱାପଦସଙ୍କୁଳ, ଅରଣ୍ୟ ବେଷ୍ଟିତ ଚିତ୍ରକୂଟ ଏକ ମହାନଗରୀରେ, ମହାତୀର୍ଥରେ ପରିଣତ ହୋଇଛି । ଚିତ୍ରକୂଟର ଏ ସୌଭାଗ୍ୟ କମ୍ୱନ ଓ ବଳରାମ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି ଅଛନ୍ତି ।

ଭରତ ସୈନ୍ୟ ଚଳାଇ ଯିବାରେ ଅରଣ୍ୟର ପଶୁ ପକ୍ଷୀମାନେ ଭୀତତ୍ରସ୍ତ ହୋଇଛନ୍ତି । ଏହା ଦେଖି କମ୍ୱନଙ୍କ ବର୍ଣ୍ଣନାନୁସାରେ, ଲକ୍ଷ୍ମଣ ଅବସ୍ଥା ନିରୀକ୍ଷଣ କରିବା ଲାଗି ଗୋଟିଏ ପାହାଡ଼ ଶୃଙ୍ଗକୁ ଉଠି ଅଛନ୍ତି । ବଳରାମ, ଲକ୍ଷ୍ମଣ ଗୋଟିଏ ଉଚ୍ଚ ଶାଳଗଛକୁ ଉଠିଥିବା କହିଅଛନ୍ତି । ଉଭୟ ବର୍ଣ୍ଣନାରେ, ଭରତ ଓ ଶତ୍ରୁଘ୍ନଙ୍କୁ ଲକ୍ଷ୍ମଣ ଆକ୍ରମଣକାରୀ ରୂପେ ମନେକରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛନ୍ତି ଓ ଯୁଦ୍ଧ କରିବାକୁ ଆଦେଶ ଦେବାଲାଗି ରାମଙ୍କୁ ଅନୁରୋଧ କରିଛନ୍ତି । ଏଇ ସ୍ଥଳରେ ରାମ ଓ ଲକ୍ଷ୍ମଣଙ୍କ କଥୋପକଥନ ଦାଣ୍ଡି ରାମାୟଣରେ ଅତ୍ୟନ୍ତ ନାଟକୀୟ । ଲକ୍ଷ୍ମଣଙ୍କ ଏପରି ଭାବନାରେ ରାମଚନ୍ଦ୍ର ବାଧା ଦେଇଛନ୍ତି; ବିଦ୍ରୂପ କରି କହିଛନ୍ତି, ‘‘ବାବୁ ଭରତ ଉପରେ ତୋର ଏତେ କୋପ କାହିଁକି ? ବନସ୍ତକୁ ଆସି ତୁ ଯେବେ କଷ୍ଟ ପାଇଲୁ, ତେବେ ତୁ ଶତ୍ରୁଘ୍ନକୁ ଘେନି ଅଯୋଧ୍ୟାକୁ ଫେରି ଯାଆ, ସୁଖରେ ରାଜା ହୋଇ ରହ । ଭରତ ମୋ ପାଖରେ ଥାଉ ।’’ ଏଥିରେ ଲକ୍ଷ୍ମଣ ବଡ଼ ବ୍ୟଥା ପାଇଛନ୍ତି, ଲଜ୍ଜା ଓ ସଂକୋଚରେ ମଉଳି ପଡ଼ିଛନ୍ତି ।

 

ସେନା ସୈନ୍ୟ, ପାତ୍ରମନ୍ତ୍ରୀ ସମସ୍ତଙ୍କୁ ପାଦ ଦେଶରେ ଛାଡ଼ି ଭରତ ଓ ଶତ୍ରୁଘ୍ନ ଦୁହେଁ ଚିତ୍ରକୂଟ ପର୍ବତ ଉପରକୁ ଉଠି ଅଛନ୍ତି । ସାକ୍ଷାତ୍‍ ମାତ୍ରେ ଭାଇ ଭାଇ କୋଳାକୋଳି ହୋଇ ଅଛନ୍ତି । ଅବିରଳ ଧାରାରେ ନିଶ୍ଚଳ ନୟନରୁ ଆନନ୍ଦାଶ୍ରୁ ବହିଯାଇଅଛି । ଭରତଙ୍କ ପ୍ରଥମ ବାକ୍ୟରେ ରାମଚନ୍ଦ୍ର ରାଜା ଦଶରଥଙ୍କ ବିୟୋଗ ସମ୍ୱାଦ ଶୁଣିଛନ୍ତି । ଏଥିରେ ସମୁଦାୟ ପରିବେଶର ଏକ ନାଟକୀୟ ପରିବର୍ତ୍ତନ ଘଟିଅଛି । ମୁହୂର୍ତ୍ତକ ଭିତରେ ସମସ୍ତଙ୍କ ମୁଖରୁ ପ୍ରସନ୍ନତାର ମୁଦ୍ରା ଲିଭି ଯାଇଚି । କ୍ରମେ ପାତ୍ରମନ୍ତ୍ରୀ, ମୁନିଋଷି, ଅଯୋଧ୍ୟାର ପୁରଜନ, ଜନନୀଗଣ, ସୈନ୍ୟ ସେନାପତିମାନେ ପାହାଡ଼ର ପାଦଦେଶରୁ ଉପରକୁ ଉଠିଛନ୍ତି । ପୂର୍ଣ୍ଣମୀ ଜୁଆର ଯେମିତି କୂଳଛୁଇଁ ଥରକୁ ଥର ଉଛୁଳି ଉଠେ, ସେଇପରି ଏମାନଙ୍କୁ ପାଇ ଚିତ୍ରକୂଟରେ ଶୋକର ଜୁଆର ଉଦ୍‍ ବେଳିତ ହୋଇଛି ।

 

ଶୋକ ଘନ ପରିବେଶରେ ଉଦାର ଦାର୍ଶନିକ ମନୋଭୂମି ରଚନା କରିବା କବି ବଳରାମ ଦାସଙ୍କ ବିଶେଷତ୍ୱ । ଶୋକ-ବନ୍ୟାରେ ମୋହାବିଷ୍ଟ ହୋଇ ରହିବାକୁ ଛାଡ଼ି ନ ଦେଇ ଏହା ଦ୍ୱାରା କବି ନିଜର ପାଠକଙ୍କୁ ସମୁଦାୟ ମାନବ ଜୀବନର ସୁଖଦୁଃଖ, ବେଦନା ବିଷାଦର ଅନ୍ତସ୍ଥଳକୁ ଘେନି ଯାଆନ୍ତି । ମାନବଜୀବନର ସମସ୍ତ ଗୋପନ ରହସ୍ୟ ଉଦ୍‍ଘାଟନ କରି ଦିଅନ୍ତି । ଏଠାରେ ଏହା ହିଁ ହୋଇଛି । ଶୋକାକୁଳିତ ରାମଚନ୍ଦ୍ରଙ୍କୁ ଶନ୍ତ୍ୱନା ଦେବାକୁ ଯାଇ ମହର୍ଷି ବଶିଷ୍ଠଙ୍କ ମୁଖରେ କବି ଏହା କୁହେଇଛନ୍ତି । ଏଇ ସ୍ଥାନରେ କମ୍ୱନଙ୍କ ରାମାୟଣରେ ମଧ୍ୟ ବଶିଷ୍ଠିଙ୍କ ପ୍ରବୋଧବାକ୍ୟ ଦିଆ ହୋଇଛି । କିନ୍ତୁ, ତାହା ସଂକ୍ଷିପ୍ତ; ସାମାଜିକ ମାନବର ଦୁଃଖସୁଖ ପୂର୍ଣ୍ଣ ଜୀବନର ସମସ୍ୟା ଓ ସମାଧାନ ପ୍ରତି ଗଭୀର ଇଙ୍ଗିତ ନାହିଁ । ଦାଣ୍ଡି ରାମାୟଣ ଅନୁସାରେ, ବଶିଷ୍ଠ ପ୍ରବୋଧ ଦେଇ କହିଛନ୍ତି-‘‘ପ୍ରିୟଜନର ବିୟୋଗରେ ଶୋକ କରିବା ବୃଥା । ସଂସାର ରଚନା ଜଳବିମ୍ୱ ବା ଦର୍ପଣର ଛାୟା ପରି ଚଞ୍ଚଳ । ଏହା ମାୟାର ଆବରଣରେ ଢଙ୍କା । ଧନ, ଯଉବନ, ପୁତ୍ର, ବନ୍ଧୁ କେହି କାହାକୁ ଚିରଦିନ ମିଳେ ନାହିଁ । ଏ ଦୁନିଆରେ ସମସ୍ତେ ଆପଣା ଆପଣା ଉପାୟ ଘେନି ବ୍ୟସ୍ତ । ଆମର ସମାଜ, ପରିବାର ସବୁଠାରେ ଏଇ ଏକା କଥା । ମାଆ ବହୁ କଷ୍ଟରେ ସନ୍ତାନକୁ ଜନ୍ମ ଦିଅନ୍ତି, ପ୍ରାଣରୁ ଅଧିକ କରି ପାଳନ୍ତି । କିନ୍ତୁ ପୁତ୍ରର ବୟସ ହେଲେ, ସେ ସମସ୍ତଙ୍କୁ ଭୁଲି ପତ୍ନୀଗତ ପ୍ରାଣ ହୁଏ; କନ୍ୟା ପତିଗତ ପ୍ରାଣା ହୁଏ । ଏହାହିଁ ସଂସାରର ନିୟମ ।’’ କବିଙ୍କର ଏସବୁ ଚିତ୍ରରେ ବାସ୍ତବ ଲୋକ ଦୃଷ୍ଟି ଅତି ମନୋରମ ଭାବରେ ପ୍ରକାଶିତ ।*

 

ବିଦାୟ ବାଣୀ

 

ଚିରାଚରିତ ଧର୍ମ ନାମରେ, ଅଯୋଧ୍ୟା ସିଂହାସନ ଓ ପ୍ରଜାମାନଙ୍କ ପ୍ରତି କର୍ତ୍ତବ୍ୟ ଅନୁରୋଧରେ ରାମଙ୍କର ବନବାସ ସଂକଳ୍ପ ତ୍ୟାଗ କରିବା ଉଚିତ ବୋଲି ଭରତ ତଥା ଉପସ୍ଥିତ ପାତ୍ରମନ୍ତ୍ରୀ, ମୁନିଋଷି ସମସ୍ତେ କହିଛନ୍ତି । ରାମଙ୍କୁ ଅଯୋଧ୍ୟା ଫେରିବାକୁ ବାରମ୍ୱାର ଅନୁରୋଧ କରିଛନ୍ତି । କିନ୍ତୁ ପିତୃସତ୍ୟ ପାଳନ ପୁତ୍ରର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ବୁଝାଇ ରାମଚନ୍ଦ୍ର ସମସ୍ତଙ୍କୁ ଏ ଅନୁରୋଧରୁ ନିବର୍ତ୍ତାଇ ଅଛନ୍ତି । କମ୍ୱନଙ୍କ ବର୍ଣ୍ଣନାରେ ଭରତ ରାମଙ୍କ ଉପଦେଶ ଗ୍ରହଣ କରିଛନ୍ତି । ଚଉଦ ବର୍ଷ ପରେ ରାମଚନ୍ଦ୍ର ଅଯୋଧ୍ୟା ଫେରି ସିଂହାସନ ଆରୋହଣ କରନ୍ତୁ ଏ ଅନୁରୋଧ ସହିତ ରାମଙ୍କ ଆଶୀର୍ବାଦ ରୂପେ ତାଙ୍କର ପାଦୁକା ଦେବାକୁ ଅଳି କରିଛନ୍ତି । ରାମଚନ୍ଦ୍ର ସନ୍ତୋଷରେ ନିଜର ପାଦୁକା ଭରତକୁ ଦେଇଛନ୍ତି । ଭରତ ତାହା ଶିରୋଧାର୍ଯ୍ୟ କରି ଅଯୋଧ୍ୟା ଫେରିଛନ୍ତି । ବଳରାମଙ୍କ ବର୍ଣ୍ଣନାରେ ରାମଙ୍କ ସମସ୍ତ ପ୍ରବର୍ତ୍ତନା ସତ୍ତ୍ୱେ ଭରତ ଅବୁଝା ହୋଇ ତିରଣଶଯ୍ୟାରେ ଶୋଇଛନ୍ତି; ରାମଙ୍କୁ ଅଯୋଧ୍ୟା ଫେରେଇ ନେବା ତାଙ୍କର ଏକମାତ୍ର ପଣ । ଏଥିରେ ସ୍ୱର୍ଗର ଦେବତାମାନେ ଶଙ୍କି ଯାଇଛନ୍ତି । କାଳେ ରାମଙ୍କୁ ଫେରେଇ ନେବାରେ ଭରତ ସଫଳ ହୁଏ, ସେମାନେ ଭରତକୁ ଶୂନ୍ୟବାଣୀ ଶୁଣେଇଛନ୍ତି । ଏହି ସମୟରେ ଶରଭଙ୍ଗ ମୁନିଙ୍କର ଜଣେ ଶିଷ୍ୟ ହଳେ କଠାଉ ରାମଙ୍କୁ ଆଣି ଉପହାର ଦେଇଅଛି । ଶୂନ୍ୟବାଣୀ ଶୁଣି ତିରଣଶଯ୍ୟାରୁ ଭରତ ଉଠିଛନ୍ତି । ରାମଙ୍କର ଏହି ପାଦୁକାକୁ ସିଂହାସନରେ ବସାଇ, ତାଙ୍କ ଲାଗି ରାଜ୍ୟଶାସନ କରିବାକୁ ରାଜି ହୋଇଛନ୍ତି । ଏଥିରେ ସନ୍ତୁଷ୍ଟ ହୋଇ ରାମ ନିଜର ଏହି ପାଦୁକା ଭରତ ହାତରେ ଅର୍ପଣ କରିଅଛନ୍ତି ।

 

କ୍ରମେ ପାତ୍ରମନ୍ତ୍ରୀ, ପୁରଜନ, ମୁନିଋଷି ସମସ୍ତେ ଚିତ୍ରକୂଟରୁ ଜଣ ଜଣ ହୋଇ ଫେରିଛନ୍ତି-। ଭରତ ଶତ୍ରୁଘ୍ନ ମଧ୍ୟ ଫେରିଛନ୍ତି । ଶେଷକୁ ଜଣେ ହୋଇ ରହିଛି ଗୁହକ । ବନ୍ଧୁଙ୍କୁ ଏକାକୀ ପାଇ ରାମଚନ୍ଦ୍ର ଶଙ୍ଖୋଳିଛନ୍ତି । ଅଯୋଧ୍ୟାର ଉଦନ୍ତ ବୁଝିବାକୁ, ଭରତର ସହାୟ ହେବାକୁ ତଥା ତାର ଏ ଅକିଞ୍ଚନ ବନ୍ଧୁ ବନବାସୀ ରାମଙ୍କ ପ୍ରତି ସଦୟ ଦୃଷ୍ଟି ରଖିବାକୁ ଅନୁରୋଧ କରି ବିଦାୟ ଦେଇଛନ୍ତି । ପଛକୁ ଚାହିଁ ଚାହିଁ ମନ୍ଥର ପଦରେ ଗୁହକ ଚିତ୍ରକୂଟରୁ ଫେରିଛନ୍ତି । ଚିତ୍ରକୂଟର ଏ ଶୂନ୍ୟତା ରାମଚନ୍ଦ୍ରଙ୍କ ସ୍ମୃତିକୁ ପୀଡ଼ିତ କରିଛି । ସେ ମଧ୍ୟ ଚିତ୍ରକୂଟ ଛାଡି ଯାଇଛନ୍ତି ।

 

ଉପସଂହାର

 

ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ‘‘ଭରତ ମିଳାପ’’ ପୁସ୍ତିକାର ଅଗ୍ରଲେଖରେ କମ୍ୱନ ରାମାୟଣର ଏହି ଅନୂଦିତ ଅଂଶ ପ୍ରସଙ୍ଗରେ ନିଜର ଅନୁଭବ ବର୍ଣ୍ଣନା କରି ଲେଖିଛନ୍ତି-‘‘ମୁଁ ଏଇ ଅନୁବାଦ ପଢ଼ିଲି । ମୋର ମନେ ହେଲା, ଅନେକ ସ୍ଥଳରେ ଯେମିତି ତୁଳସୀଦାସଙ୍କୁ ପଢ଼ୁଛି ।’’ ଦାଣ୍ଡି ରାମାୟଣର ନିବିଡ଼ ପରିଚୟ ଥାଇ କମ୍ୱନ ରାମାୟଣର ଏ ଅନୁବାଦ ଅଂଶ ପଢ଼ିଲେ, ଠିକ୍‍ ଏହି ଅନୁଭବ ହୋଇଥାଏ । ଏହା ହିଁ ହେଉଛି ଭାରତୀୟ ସଂସ୍କୃତିର ବହୁ ବୈଚିତ୍ର୍ୟମୟ ବହିରଙ୍ଗ ଚିତ୍ରର ଅନ୍ତରାଳରେ ଲୁକ୍‍କାୟିତ ଐକ୍ୟର ଅଖଣ୍ଡ ଧାରା । କମ୍ୱନ ଓ ବଳରାମଙ୍କ ରାମାୟଣର ଏଇ ଆଂଶିକ ତୁଳନାତ୍ମକ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ।

 

ଗୋଟିଏ ନିର୍ଦ୍ଦିଷ୍ଟ ଦେଶକାଳ, ଜନ ଜୀବନ ଓ ଚିନ୍ତାର ପରିଧିରେ ମହାନ୍‍ ସାହିତ୍ୟ ସୃଷ୍ଟି ଲାଭ କରେ; ଆପଣା ଯୁଗର ଆଦର୍ଶ ଓ ଅଭିରୁଚି ଏଥିରେ ମୂର୍ତ୍ତ ଓ ବିଶ୍ଳେଷିତ ହୁଏ । କିନ୍ତୁ ଏହାର ଦୀପ୍ତି ଦେଶକାଳର ସୀମାବନ୍ଧନ ମାନେ ନାହିଁ । ପୃଥିବୀର ସବୁଦେଶର ଶ୍ରେଷ୍ଠ ସାହିତ୍ୟକ୍ଷେତ୍ରରେ ଏହା ହିଁ ପ୍ରମାଣିତ । ସାହିତ୍ୟ ଲୋକର ଏଇ ଅନିର୍ବାଣ ଦୀପାଲୋକରେ ଭିନ୍ନ ଦେଶ, ଜାତି ଓ ଗୋଷ୍ଠୀର ମାନବ ପ୍ରାଣକୁ ଏକ ଓ ଅଖଣ୍ଡ ସୂତ୍ରରେ ଗୁନ୍ଥିବାର ଆୟୋଜନ ଆଜି ବହୁ ଭାବରେ ହେଉଅଛି । ଏ ଆୟୋଜନରେ ଏବେ ମହାକବି କମ୍ୱନଙ୍କ ଅମର କୃତିର ଦାନ ସାଦରେ ଗୃହୀତ ହୋଇଅଛି । ଅଚିରେ ହୁଏତ ଉତ୍କଳର ମହାକବି ବଳରାମ ଦାସଙ୍କ ଅମର କୃତିର ବି ଲୋଡ଼ା ହେବ-। ଏହାରି ଆଲୋକ ବିଶାଳ ବିଶ୍ୱରେ ଓଡ଼ିଆର ପରିଚୟ ଘୋଷଣା କରିବ । କିନ୍ତୁ ମୂଳରୁ ତ ଆମର ଏହି ନିଜସ୍ୱ ଆଲୋକରେ ଆମେ ନିଜେ ଆଲୋକିତ ହେବା ଉଚିତ । ଅଜସ୍ର କୀଟ ଦଷ୍ଟ ପାଣ୍ଡୁ ଲିପି ପୃଷ୍ଠାରୁ ଏହାକୁ ଆଲୋକକୁ ଆଣିବା, ବ୍ୟବସାୟୀ ପ୍ରକାଶକଙ୍କ ଆବର୍ଜନା ସ୍ତୂପରୁ ମୁକ୍ତି ଦେବା ଲାଗି ଆମକୁ କେତେ ଦିନ ଅପେକ୍ଷା କରିବାକୁ ହେବ-ତାହା ହିଁ ଆଜି ଗଭୀର ଅନୁଧ୍ୟାନର କଥା ।

Image

 

ଓଡ଼ିଆ ସାମାଜିକ ଇତିହାସର ଉପାଦାନ ଇତିହାସ କ’ଣ ?

 

‘‘ବ୍ୟବହାରଚିନ୍ତା, ଉତ୍ସବ ଅନୁଷ୍ଠାନ ଓ ଚାଲି-ଚଳଣି ଭିତରେ ପ୍ରକାଶିତ ସାମାଜିକ ପରମ୍ପରା ସଂସ୍କୃତିକୁ ଗଢ଼େ । ଏସବୁର କିଛି ସ୍ଥୂଳ ରୂପ ନାହିଁ । ଯେଉଁ ସମାଜର ରଙ୍ଗିତ ଓ ଅନୁଶାସନରେ ଏହାର ସୃଷ୍ଟି ହୁଏ, ସେ ସମାଜ ବଞ୍ଚିଥିବା ପର୍ଯ୍ୟନ୍ତ ଏହା ବଞ୍ଚେ (୧) ।’’ ଏକଥା ଆମେ ଏପର୍ଯ୍ୟନ୍ତ ବୁଝୁ ନ ଥିଲୁଁ । ସେଥିଲାଗି ଇତିହାସ ଆଲୋଚନାବେଳେ ସମଗ୍ର ସମାଜ ପ୍ରତି ଦୃଷ୍ଟି ଦେଉ ନ ଥିଲୁଁ । ଅଳ୍ପ କେତେ ଜଣଙ୍କର ଇତିହାସ ଅନୁସନ୍ଧାନ କରି ସନ୍ତୁଷ୍ଟ ରହୁଥିଲୁଁ । ଏହି ଦୃଷ୍ଟିରେ ଭାରତବର୍ଷର ଇତିହାସ କଣ, ଏକଥା ବୁଝାଇବାକୁ ଯାଇ ମାକ୍‍ସମୁଲାର ସାହେବ କହିଥିଲେ,‘‘ଆମେ ଏଭ୍‌ରେଷ୍ଟ ଶୃଙ୍ଗରୁ ହିମାଳୟର ଉଚ୍ଚତା ମାପୁଁ । ସେହିପରି ଆମକୁ ଭାରତବର୍ଷର ଧାରଣା କରିବାକୁ ହେଲେ ବେଦର କବି, ଉପନିଷଦ୍‍ର ଋଷି, ବେଦାନ୍ତର ପ୍ରତିଷ୍ଠାତା, ସାଂଖ୍ୟର ଦାର୍ଶନିକ ଓ ପ୍ରାଚୀନ ନୀତିଶାସ୍ତ୍ରର ପ୍ରଣୟିତାମାନଙ୍କୁ ବିଚାର କରିବାକୁ ହେବ । ଆପଣା ଆପଣା ପଲ୍ଲୀକୋଳରେ ଜନ୍ମ ହୋଇ ମରୁଥିବା, ତନ୍ଦ୍ରାତୁର ଜୀବନର ସ୍ୱପ୍ନକୋଳରୁ ମୁହୂର୍ତ୍ତକ ଲାଗି ଆଖି ଖୋଲି ଚାହୁଁ ନଥିବା କୋଟି କୋଟି ଜନସାଧାରଣଙ୍କୁ ଘେନି ନୁହେଁ (୨) ।’’ ଏହି ଦୃଷ୍ଟିରେ ଇତିହାସ କହିଲେ ବୃହତ୍ତର ଦୃଷ୍ଟିରେ ସାଂସ୍କୃତିକି ଇତିହାସ ଓ ସାଧାରଣ ଦୃଷ୍ଟିରେ ରାଜନୈତିକ ଇତିହାସକୁ ଆମେ ବୁଝୁଥିଲୁଁ । କିନ୍ତୁ ମଣିଷର ଯଥାର୍ଥ ଇତିହାସର ଏହା ଏକ ଅଂଶ ମାତ୍ର, ପୂର୍ଣ୍ଣରୂପ ନୁହେଁ । ପରିପୂର୍ଣ୍ଣ ଇତିହାସର ଧାରଣା କରିବାକୁ ହେଲେ, ଆମକୁ ସାମାଜିକ ପରମ୍ପରା ପ୍ରତି ଦୃଷ୍ଟି ଦେବାକୁ ହେବ । ପୁଣି ଏ ସାମାଜିକ ପରମ୍ପରାକୁ ବୁଝିବାକୁ ହେଲେ, ଦୈନନ୍ଦିନ ଜୀବନଧାରା, ଆମର ଚାଲିଚଳଣି, ଆହାର ବିହାର, ପୁରୁଷ ଓ ନାରୀର ପାରିବାରିକ ଓ ସାମାଜିକ ସଂପର୍କ, ପୋଷାକ ପରିଚ୍ଛଦ, ବେଶବିନ୍ୟାସ ଆଦିକୁ ଅନୁଧ୍ୟାନ କରିବାକୁ ହେବ । ବସ୍ତୁତଃ ଏହା ହିଁ କୌଣସି ଜନଗୋଷ୍ଠୀର ଐତିହାସିକ ଯାତ୍ରାର ବୃହତ୍ତର ପରିଧି ।

 

ଇତିହାସର ଏହି ବୃହତ୍ତର ପରିଧି ଭିତରେ ଓଡ଼ିଆର ଅତୀତ ଜୀବନଯାତ୍ରାକୁ ଆବିଷ୍କାର କରିବାହିଁ ହେବ ଓଡ଼ିଶାର ଯଥାର୍ଥ ଇତିହାସ । ଏ ଇତିହାସରେ ପ୍ରାଚୀନ ଓଡ଼ିଶାର କେତେ ଜଣ ରାଜା, ସେନାପତି, କବି ବା ଶିଳ୍ପୀଙ୍କ ସୁମାରି ମାତ୍ର ରହିବ ନାହିଁ । ଏଥିରେ ଅଗଣିତ ନାଗରିକ, ପଲ୍ଲିବାସୀ ଜନସାଧାରଣ, କୃଷକ, ଶ୍ରମିକର ସ୍ୱାକ୍ଷର ରହିବ । ଅବଶ୍ୟ ନାମର ସ୍ୱାକ୍ଷର ନୁହେଁ, ବ୍ୟକ୍ତି ଜୀବନର ଘଟଣାବଳୀ ନୁହେଁ, ଏଥିରେ ରହିବ ସମୂହ ଜୀବନର ପ୍ରବାହଧାରା ।

 

ସାହିତ୍ୟିକଙ୍କ କାର୍ଯ୍ୟ ଓ ଇତିହାସର ଯଥାର୍ଥ ଦୃଷ୍ଟି

 

ପ୍ରଶ୍ନ ଉଠେ ଏଭଳି ଏକ ଇତିହାସର ଯଥାର୍ଥତା କଣ ? କେଉଁ ସତ୍ୟର ଉପାଦାନରେ ଏ ଇତିହାସର କଙ୍କାଳ ନିର୍ମିତ ହେବ ? ରାଜପୁରୁଷଙ୍କ ଇତିହାସ ଅଜସ୍ର ଲିପିମାଳାରେ ଘୋଷିତ, କାବ୍ୟ ଓ ଶିଳ୍ପସମ୍ଭାର ଭିତରେ କବି ଓ ଶିଳ୍ପୀଙ୍କ ପ୍ରକାଶ ଚିର ଭାସ୍ୱର । ଏ ସବୁଥିରେ ଅଳ୍ପଙ୍କ ବ୍ୟତୀତ ସମୂହର ସ୍ୱାକ୍ଷର କାହିଁ ? ଏଠାରେ ଯୁକ୍ତି ହେଉଛି, ଏ ଲିପିମାଳାରେ ଯେଉଁ ପରମ୍ପରାର ପ୍ରତିଷ୍ଠା, ଏହି କାବ୍ୟାବଳୀରେ ଯେଉଁ ମନର ବିକାଶ ଏଇ କଳା ଭିତରେ ଯେଉଁ ରୁଚିର ଇଙ୍ଗିତ ତାହା କଣ ଜନଗଣର ସାମୂହିକ ଦାନରେ ସମୃଦ୍ଧ ନୁହେଁ ?

 

ଆଜି ଆମର ତଥ୍ୟମୂଳକ ଇତିହାସଗୁଡ଼ିକ ଏସବୁର କ୍ୱଚିତ୍‍ ସୂଚନା ଦେଇଥାଏ । ଐତିହାସିକମାନଙ୍କର ନୀରବତା ସତ୍ତ୍ୱେ, ଆମର ଅତୀତ ଜୀବନକୁ ଜାଣିବା ଲାଗି ଏ ଯୁଗର ସାହିତ୍ୟିକମାନଙ୍କର କାର୍ଯ୍ୟ ପ୍ରଶଂସନୀୟ । ଅତୀତ ଇତିହାସର ଘଟଣା ଘେନି କାବ୍ୟ, ନାଟକ, ଉପନ୍ୟାସ ଆଦି ରଚନା ବେଳେ ସେମାନେ ତଥ୍ୟମୂଳକ ଇତିହାସର କଙ୍କାଳ ଉପରେ କଳ୍ପନାର ପ୍ରଲେପ ବୋଳି ଅତୀତ ଜୀବନର ଏକ ବିଶ୍ୱାସଜନକ ରୂପ ଗଢ଼ି ଥାଆନ୍ତି । ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ବହୁ ବିଶିଷ୍ଟ ସାହିତ୍ୟିକଙ୍କ ଦାନ ଏ ଦିଗରେ ବିଶେଷ ସ୍ମରଣୀୟ । ତଥାପି ସତ୍ୟାନୁସନ୍ଧିତ୍ସୁ ଐତିହାସିକ ଲାଗି ଏତକ ଯଥେଷ୍ଟ ନୁହେଁ । ସାହିତ୍ୟିକର କଳ୍ପନା ସ୍ୱାଧୀନତା ତାର ନ ଥାଏ । ପୁଣି ଯୁଗ ରୁଚିର ପ୍ରଚକ୍ଷୁରେ ଅତୀତକୁ ଦେଖିବାର ମୋହାବିଷ୍ଟତାରୁ ଐତିହାସିକକୁ ଦୂରରେ ରହିବାକୁ ପଡ଼େ ।

 

କେତେକ ସାହିତ୍ୟିକ ରୋମାଣ୍ଟିକ ସ୍ୱାଚ୍ଛନ୍ଦ୍ୟ ଲାଗି ଅତୀତକୁ ଫେରି ଯାଇଥାଆନ୍ତି । ସେମାନଙ୍କ ବର୍ଣ୍ଣନାରେ ଅତୀତ ଏକ କାଳ୍ପନିକ ଶୋଭନ ରୂପରେ ପ୍ରତିଭାତ ହୁଏ । ଏଇ ଦୃଷ୍ଟିରେ ବି କେତେକ ଐତିହାସିକ ଅତୀତକୁ ସୁନା ଯୁଗ, ତମତମ୍ୱା ଯୁଗ ବୋଲି ବର୍ଣ୍ଣନା କରି ଥାଆନ୍ତି । ପ୍ରକୃତରେ କିନ୍ତୁ ଏଭଳି ବର୍ଣ୍ଣନା ବହୁ ଭାବରେ ଅବାନ୍ତର । ଇଂଲଣ୍ଡର ଏଲିଜାବେଥ୍‍ ଯୁଗ, ବା ଭାରତର ଗୁପ୍ତ ଯୁଗକୁ ଏମାନେ ସ୍ୱର୍ଣ୍ଣଯୁଗ ବୋଲି କହିଥାନ୍ତି । କିନ୍ତୁ ଏ ଇତିହାସରେ ଦେଖୁଁ ସ୍ପେନିୟାର୍ଡ଼ଙ୍କ ବିରୋଧରେ ଇଂରେଜଙ୍କ ଜଳଦସ୍ୟୁଗିରି, ଧର୍ମାନ୍ଧ ଭାବରେ କ୍ୟାଥଲିକମାନଙ୍କୁ ଦମନ, ସମୁଦ୍ରଗୁପ୍ତଙ୍କ ସାମ୍ରାଜ୍ୟ ଗଠନ, ବୌଦ୍ଧମାନଙ୍କୁ ଦମନ-ସବୁଠାରୁ ବଡ଼ ଘଟଣା । ଅଥଚ ଏଇ ଐତିହାସିକମାନେ ନିଉଟନ ଯେଉଁ ଯୁଗରେ ଜନ୍ମ ହୋଇଥିଲେ ତାକୁ ଅନ୍ଧକାର ଯୁଗ ବୋଲି ଘୃଣା କରିଛନ୍ତି; ଚରକ ସୂଶ୍ରୁତ ଯେଉଁ ଯୁଗରେ ଜନ୍ମ ହେଲେ ତାର କୌଣସି ସନ୍ଧାନ ରଖି ନାହାନ୍ତି । ଏହିଭଳି ଗଙ୍ଗାବଂଶ ରାଜାଙ୍କର ଭାସ୍କର୍ଯ୍ୟ ଓ କପିଳେନ୍ଦ୍ର, ଖାରବେଳଙ୍କ ଦିଗ୍‍ବିଜୟ ପ୍ରଶଂସାରେ ପୂର୍ଣ୍ଣ ଇତିହାସ ଓଡ଼ିଆର ଯଥାର୍ଥା ଇତିହାସ ନୁହେଁ । ରାଜାଙ୍କ ସ୍ତବରେ ଭରା କେତୋଟି ଶିଳାଲିପି, ବିଳାସପୂର୍ଣ୍ଣ କେତୋଟି ପ୍ରାସାଦ, ଐଶ୍ୱର୍ଯ୍ୟପୂର୍ଣ୍ଣ କେତୋଟି ଦେବାଳୟର ଭାସ୍କର୍ଯ୍ୟ ଭିତ୍ତିରେ ଅତୀତକୁ ବୁଝିବାକୁ ଚେଷ୍ଟା କଲେ ଆମେ ସତ୍ୟର ବହୁ ଦୂରକୁ ଚାଲିଯିବା । ଯଥାର୍ଥ ଇତିହାସ ଆଲୋଚନା କରିବାକୁ ଗଲେ ଆମକୁ ସମାଜର ଦୈନନ୍ଦିନ ଜୀବନଧାରାକୁ ଆଖିରେ ରଖି ଦେଶର ଆର୍ଥିକ ଅବସ୍ଥା କିପରି ଥିଲା, ଐତିହାସିକ ପରିବର୍ତ୍ତନ ଲାଗି କୁସଂସ୍କାର ବିରୋଧରେ ବୈଜ୍ଞାନିକ ଚିନ୍ତା କି ଭାବରେ ଗତି କରୁଥିଲା-ସେ ସବୁର ବିଚାର କରିବାକୁ ହେବ ।

 

ଉପାଦାନ (ଭାଷା)

 

ଏଭଳି ଏକ ବ୍ୟାପକ ଦୃଷ୍ଟିରେ ଇତିହାସ ନିର୍ମାଣ ଲାଗି ଉପାଦାନ ଆହରଣର ପରିସର ମଧ୍ୟ ଅତ୍ୟନ୍ତ ବ୍ୟାପକ । ପ୍ରକୃତି-ଲାଳିତ ଜୀବନ ଛାଡ଼ିବା ପରେ ସାମାଜିକ ପ୍ରାଣୀ ଭାବରେ ମଣିଷର ସମସ୍ତ ସାଧନା, ସମସ୍ତ ଚିନ୍ତାର ପ୍ରକାଶ କ୍ଷେତ୍ର ଏହାର ଅଙ୍ଗୀଭୂତ । ମଣିଷର ସାଂସ୍କୃତିକ ତଥା ସମାଜିକ ଜୀବନର ପ୍ରଥମ ଓ ଶ୍ରେଷ୍ଠ ସାଧନ ଭାଷା । ଆମ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଇତିହାସରୁ ଅତୀତ ସମାଜ ବିଷୟରେ ବହୁ ତଥ୍ୟ ମିଳିଥାଏ । ଦ୍ରାବିଡ଼ ଓ ଅଷ୍ଟ୍ରିକ ଭାଷା ଗୋଷ୍ଠୀର ଶବ୍ଦମାନଙ୍କରୁ ଏହି ଜାତିମାନଙ୍କ ସହିତ ଆମର ଅତୀତ ସମ୍ପର୍କ ବିଷୟରେ ବହୁ ସୂଚନା ମିଳିଥାଏ । ଏହି ବିଚାରରେ ଆମର ଶୌଚବିଧି, ଓଷାବ୍ରତ, କୃଷି ଆଦି ଉପରେ ଏହି ଜାତିମାନଙ୍କ ପ୍ରଭାବ ପଣ୍ଡିତମାନେ ନିର୍ଣ୍ଣୟ କରିଥାନ୍ତି ।

 

ପ୍ରାଚୀନ ସାହିତ୍ୟ

 

ସମାଜ ଜୀବନର ସାହିତ୍ୟରୁ ହିଁ ସାହିତ୍ୟର ବିକାଶ । ଏଥିଲାଗି ପ୍ରାଚୀନ ଯୁଗର ସମାଜକୁ ବୁଝିବା ଲାଗି ପ୍ରାଚୀନ ସାହିତ୍ୟର ଦାନ ସ୍ୱୀକାର କରିବାକୁ ହେବ । ବୌଦ୍ଧ ଓ ଜୈନ ସାହିତ୍ୟରୁ ବହୁ ଉପାଦାନ ମିଳିବ । ଅବଶ୍ୟ ଏଥିରୁ ଯାହା ଓଡ଼ିଆ ସମାଜ ପ୍ରତି ପ୍ରଯୁଜ୍ୟ, ତାହା ହୁଏତ କେତେକ ପରିମାଣରେ ଭାରତର ଅନ୍ୟ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ହେବା ସମ୍ଭବ । ତେବେ ଆମର ସାମାଜିକ ଚିନ୍ତା ଚରିତ୍ରରେ ଯାହାର ପ୍ରକାଶ ଯୁକ୍ତିସମ୍ମତ ମନେ ହେବ, ତାକୁ ଗ୍ରହଣ କରିବାକୁ ହେବ । ଆମ ଲୋକ କଥାରେ ‘‘ହାତୀ ସୁନା କଳସ’’ ଢାଳିବା କଥାଟି କିପରି ଏକ ଜୈନ ପରମ୍ପରା, ପଣ୍ଡିତ ନୀଳକଣ୍ଠ ତାହାର ସୂଚନା ଦେଇଛନ୍ତି । ଲୋକକଥା ବର୍ଣ୍ଣିତ ସାଧବ କୁଳର ସଙ୍କେତ ବୌଦ୍ଧ ସାହିତ୍ୟରୁ ମିଳେ । କାରଣ ବୌଦ୍ଧ ଯୁଗ ହିଁ ହେଉଛି ବୈଶ୍ୟ ବିଜୟ ଯୁଗ । ଏହି ଯୁଗରେ କୃଷି ସଭ୍ୟତା ପରେ ଏ ଦେଶରେ ପ୍ରଥମ ବଣିକ୍‍ ସଭ୍ୟତାର ଉଦୟ ହୋଇଥିଲା ।

 

କୌଟିଲ୍ୟଙ୍କ ଅର୍ଥଶାସ୍ତ ଓ ବାତ୍ସାୟନଙ୍କ କାମ ସୂତ୍ରରେ ପ୍ରଚୁର ଉପାଦାନ ରହିଅଛି । ଅର୍ଥ ଶାସ୍ତ୍ରରେ ଶାସନର ଯେଉଁ ଆଦର୍ଶ ବର୍ଣ୍ଣିତ ହୋଇଅଛି, ଅନେକାଂଶରେ ତାହା ଆମ ଦେଶରେ ଶାସନର ଆଦର୍ଶ ଥିଲା । ଦ୍ୱିତୀୟ ଗ୍ରନ୍ଥଟି ଆମ ଦେଶର ନାଗରିକ ଅଭ୍ୟୁତ୍‍ଥାନ ବିଷୟରେ ବହୁ ଉପାଦାନ ଯୋଗାଇ ଥାଏ । ନାଗରିକ ଜୀବନର ବିଳାସ ବ୍ୟସନ, ପୋଷାକ ପରିଚ୍ଛଦର ବ୍ୟାପକ ବର୍ଣ୍ଣନା ଏଥିରୁ ମିଳିଥାଏ । ଏହି ଅର୍ଥଶାସ୍ତ୍ର ଓ କାମସୂତ୍ର ଆଦିରେ ବର୍ଣ୍ଣତ ସାମାଜିକ ଜୀବନର ଆଦର୍ଶ ବହୁ ଭାବରେ ଆମର ସମୁଦାୟ ସମାଜ ଓ ସାହିତ୍ୟକୁ ପ୍ରଭାବିତ କରିଅଛି । ସାରଳା ଓ ପଞ୍ଚସଖାଙ୍କ ରଚିତ ମଧ୍ୟଯୁଗର ଓଡ଼ିଆ ସାହିତ୍ୟରୁ ଏହାର ସୂଚନା ମିଳେ ।

 

ଅଭିଲେଖ

 

ଅଶୋକଙ୍କ ସମୟରୁ ଆରମ୍ଭ କରି ଓଡ଼ିଶାରେ ଅନେକ ଅଭିଲେଖ ମିଳେ । ଏଥିରୁ ଅଧିକାଂଶ ରାଜପ୍ରଶସ୍ତି ରୂପେ ଲେଖା । ଏଗୁଡ଼ିକରେ କଳ୍ପନା ଓ ଅତିରଞ୍ଜନ ଏତେ ବେଶି ଯେ ଏଥିରୁ କେତେକ ରାଜପୁରୁଷଙ୍କର ନାମଧାମ ବ୍ୟତୀତ ସାମାଜିକ ଇତିହାସର ଉପାଦାନ କଣ ସଂଗ୍ରହ କରିବା ଖୁବ୍‍ କଠିନ । ଦ୍ୱାଦଶ ଶତକରୁ ଭୁବନେଶ୍ୱର ଓ ପୁରୀର କେତେକ ଓଡ଼ିଆ ଭାଷାରେ ଲେଖା ଶିଳାଲେଖ ଓ ତାମ୍ରାନୁଶାସନ ମିଳେ । ଓଡ଼ିଆ ଭାଷାର ଐତିହାସିକ ବିକାଶକ୍ରମ ଜାଣିବା ଲାଗି ଏଗୁଡ଼ିକର ମୂଲ୍ୟ ଯାହା ହେଉନା କାହିଁକି ଓଡ଼ିଆ ସମାଜର ପରିଚୟ ମିଳିବାର ଉପଯୋଗୀତା ଅଳ୍ପ । ତଥାପି ପରୋକ୍ଷ ଭାବରେ ଏସବୁରୁ କିଛି କିଛି ଉପାଦାନ ଆରୋହଣ କରିବା ହୁଏତ ସମ୍ଭବ ।

 

ଭାସ୍କର୍ଯ୍ୟ

 

ଶିଳ୍ପକଳା ଦିଗରୁ ଓଡ଼ିଶା ଏକ ପ୍ରକାର ଧନୀ । ଏ ଦେଶର ମହାକାବ୍ୟ ଓ ଅନ୍ତରାତ୍ମାର ସଙ୍ଗୀତ ବିଶାଳ ମନ୍ଦିରମାଳାର ସୂକ୍ଷ୍ମ କାରୂକାମରେ ଲେଖା ଯାଇଅଛି ବୋଲି ଆମର ଗର୍ବ । କିନ୍ତୁ ଏଥି ସଙ୍ଗେ ଆମକୁ ଆଉ ଗୋଟିଏ କଥା ସର୍ବଦା ମନେ ରଖିବାକୁ ହେବ । ଏ ଦେଶର କାବ୍ୟ ଅଳଙ୍କାର ଶାସ୍ତ୍ର ଗର୍ଭରୁ ଜନ୍ମିଲା ଭଳି ଶିଳ୍ପ ବି ଲକ୍ଷଣ ଶାସ୍ତ୍ର ଗର୍ଭରୁ ଜନ୍ମିଛି । ଏ ଦିଗରେ ପୁଣି ଭାବ କଳ୍ପନାର ଅନ୍ତରାୟ ଅଛି । ତଥାପି ଖଣ୍ଡଗିରି ଉଦୟଗିରିର ଗୁମ୍ଫା ଓ କେତେକ ମନ୍ଦିର ଗାତ୍ରର ବିଗ୍ରହରୁ ସାମାଜିକ ଓ ନାଗରିକ ଜୀବନର ଆଭାସ ମିଳିଥାଏ ।

 

ମଧ୍ୟଯୁଗୀୟ ସାହିତ୍ୟ

 

ମଧ୍ୟଯୁଗରେ ରଚିତ ସଂସ୍କୃତ, ପ୍ରାକୃତ ଓ ଅପଭ୍ରଂଶ ସାହିତ୍ୟରୁ କେତେକ ଉପାଦାନ ସଂଗ୍ରହ କରାଯାଇ ପାରିବ । ସରସ୍ୱତୀ ବିଳାସ ଭଳି ସ୍ମୃତି ଗ୍ରନ୍ଥ ଏକାମ୍ର ପୁରାଣ, ସ୍ୱର୍ଣ୍ଣାଦ୍ରି ମହୋଦୟ, କପିଳ ସଂହିତା ଆଦି ପୁରାଣ ସାହିତ୍ୟ, ଲୋକ ପ୍ରଚଳିତ ଉଦ୍ଭଟ ଶ୍ଳୋକାବଳୀ, ପ୍ରାକୃତ ପିଙ୍ଗଳ, ଚର୍ଯାଗୀତି, ଦୋହାକୋଷ ଆଦି ଏହାର ଅନ୍ତର୍ଗତ । ଏଥିମଧ୍ୟରୁ ଅଧିକାଂଶ ରଚନା ପ୍ରାକୃତିକ ଉତ୍କଳର ସୀମା ଭିତରେ ହୋଇଥିବା ସମ୍ଭବ । ଖ୍ରୀଷ୍ଟ ଦଶମ ଶତକର ପରବର୍ତ୍ତୀ କାଳ ଏ ସବୁର ରଚନା ସମୟ । ପୁଣି ଆମ ସାମାଜିକ ଜୀବନର କିଛି ନା କିଛି ସୂଚନା ଆଉସବୁ ଯେଉଁ ସଂସ୍କୃତ କାବ୍ୟଗୁଡ଼ିକରୁ ମିଳିବ ତାହାର ମଧ୍ୟ ଏ କ୍ଷେତ୍ରରେ ବିଚାର କରାଯିବା ଉଚିତ । ତଥାପି ସ୍ମରଣ ରଖିବାକୁ ହେବ, ଏ ବିବରଣୀ ଖଣ୍ଡିତ, ଅସଂପୂର୍ଣ୍ଣ ଓ ପରୋକ୍ଷ । ଏହାକୁ ସେହି ମୂଲ୍ୟରେ ଗ୍ରହଣ କରିବାକୁ ହେବ ।

 

ଓଡ଼ିଆର ଜୀବନଧାରା ସମ୍ୱନ୍ଧରେ ଯଦି ସତ୍ୟମୂଳକ ବିସ୍ତୃତ ବିବରଣୀ ଅଲକ୍ଷିତ ଭାବରେ କେଉଁଠି ଲୁଚି ରହିଥାଏ-ତାହା ହେଉଛି ମଧ୍ୟଯୁଗର ଓଡ଼ିଆ ସାହିତ୍ୟ । ଏଥିରେ ଓଡ଼ିଆର ପୋଷାକ ପରିଚ୍ଛଦ, ଖାଦ୍ୟପେୟର ଆଦର୍ଶ ଲୋକାଚାର, ପରୋକ୍ଷ ଭାବରେ ଦେଶର ଆର୍ଥିକ ଓ ସାମାଜିକ ଅବସ୍ଥା ଆଦି ବଷୟରେ ବହୁଳ ବର୍ଣ୍ଣନା ହୋଇଅଛି । ଅବଶ୍ୟ ବାସ୍ତବ ଲୋକ ଜୀବନର ଚିତ୍ର ପୁରାଣର ଆଦର୍ଶ କଳ୍ପନାର ଆଚ୍ଛାଦନରେ କେତେକ ସ୍ଥାନରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ସମ୍ଭବ । ଏଥିପ୍ରତି ଦୃଷ୍ଟି ରଖି ସମାଜ ଇତିହାସର ଉପାଦାନ ଏଥିରୁ ଆହରଣ କରିବାକୁ ହେବ ।

 

ଏବ ସାମଜର ସମୀକରଣ

 

ଶଂସିତ ଉପାଦାନ ଆହରଣ କ୍ଷେତ୍ରରୁ ଆମ ସାମାଜିକ ଜୀବନର କ୍ରମିକ ଗତି କଥା ଚିନ୍ତା କଲାବେଳେ ତାହାର ସ୍ଥିତିଶୀଳତା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ । ଏ ଦେଶର ରାଜନୈତିକ ଜୀବନ ଭଳି ସମାଜିକ ଜୀବନ କୋଳାହଳମୟ ନୁହେଁ । ପ୍ରାଚୀନ କୃଷି ସଭ୍ୟତା ଓ ତାହାର ଅଙ୍ଗ ସାମନ୍ତ ଓ ବଣିକ ସଭ୍ୟତା ବ୍ୟତୀତ ଆମ ସାମାଜିକ ଜୀବନରେ କୌଣସି ବୈଚିତ୍ର୍ୟ ଆଖିରେ ପଡ଼େ ନାହିଁ । ଏହି ଭାବରେ ଦେଖିଲେ, ସାମାଜ୍ର୍ୟ ପରେ ସାମ୍ରାଜ୍ୟ ଏ ଦେଶରେ ମଥା ଟେକି ଥିଲେ ବି କୃଷିନିର୍ଭର ସମାଜ ଜୀବନର ସ୍ଥିର ଜଳବାୟୁରେ ଆଲୋଡ଼ନ ସୃଷ୍ଟି ଅତି ଅଳ୍ପ । ତେଣୁ ସମାଜ ଜୀବନ ଉପରେ ପାରମ୍ପରିକତାର ବନ୍ଧନ ଅତି ନିବିଡ଼ ହେବା ସ୍ୱାଭାବିକ । ଏଥିଲାଗି ଏବ ସମାଜରେ ପ୍ରାଚୀନକାଳର ଯେଉଁ ସମସ୍ତ ସଙ୍କେତ ଓ ସୂଚନା ସ୍ପଷ୍ଟ ପ୍ରକାଶିତ ଅତୀତ ଉପାଦାନଗୁଡ଼ିକ ସହିତ ତାହାର ସମୀକରଣ ଆବଶ୍ୟକ ।

 

ବସ୍ତୁତଃ ଏହି ସମୀକରଣ ହିଁ ସବୁଠାରୁ ମୂଲ୍ୟବାନ୍‍ । ଏହାଦ୍ୱାରା ଅତୀତ ତୁଳନାରେ ବର୍ତ୍ତମାନକୁ ମାପି ହେବ, ଭବିଷ୍ୟତର ଗତି ନିର୍ଣ୍ଣୟ ସହଜ ହେବ । ଏ ସମୀକରଣ ଆମ ମନରେ ସମାଜ ଭାବନା ବିକଶିତ କରାଇବ । ଏହା ଆମର ଚିନ୍ତା ଓ କାର୍ଯ୍ୟକୁ ଅଧିକ ମାନବିକ ମୂଲ୍ୟବୋଧରେ ମହିମାନ୍ୱିତ କରିବ ।

Image

 

ଆଧୁନିକ ଓଡ଼ିଆ ସାହିତ୍ୟର ଆଧୁନିକତା

ଓଡ଼ିଆ ସାହିତ୍ୟର ଦୂଇ ଆତ୍ମା-ପ୍ରାଚୀନ ଭାରତ ଓ ଆଧୁନିକ ଇଉରେପ

 

ରାତିର ଅନ୍ଧାର ବିଷୟରେ ଯେ ସଚେତନ ସେଇ ଏକା ଦିବସର ଆଲୋକକୁ ବୁଝିପାରେ-। ସେଇଭଳି ସାହିତ୍ୟ କଥା । ଆମ ସାହିତ୍ୟରେ କଣ ଆଧୁନିକ ନୁହେଁ, ସେକଥା ବୁଝିଲେ ଯାଇଁ ତହିଁରେ ଆଧୁନିକତାର ସ୍ୱରୂପ କଳନା କରି ହେବ । ଏହା ପୂର୍ବରୁ ଗୋଟିଏ ପ୍ରଶ୍ନ ପରିଷ୍କାର କରିନେବା ଆବଶ୍ୟକ । ସାହିତ୍ୟରେ କ’ଣ ଦିନରାତି ଅଛି ? ସାହିତ୍ୟପଟ୍ଟ ଉପରେ କଣ ଧଳା କଳା ଭଳି ଭିନ୍ନ ରଙ୍ଗର ଚିତ୍ର ବିଦ୍ୟମାନ ? କାରଣ ମଣିଷର ସ୍ୱାଭାବିକ ପ୍ରକାଶ ତ ସାହିତ୍ୟ ! ମନୁଷ୍ୟ ନିଜେ ଶିଳ୍ପୀ ଓ ନିଜେ ବି ଶିଳ୍ପର ଉପାଦାନ । କିନ୍ତୁ ମନେ ରଖିବାକୁ ହେବ, ସାହିତ୍ୟର ଧର୍ମ ସଂପୂର୍ଣ୍ଣ ଜୈବ ନୁହେଁ । ମାନବିକ ଜୈବ ପ୍ରକୃତିର ବହିରଙ୍ଗର ବିକାଶ ହିଁ ସଂସ୍କୃତି, ତାହାହିଁ ସାହିତ୍ୟ-। ଏଇ ଭାବରେ ଗୋଟିଏ ସୂତ୍ରରେ ସମାଜ, ସଂସ୍କୃତି ଓ ସାହିତ୍ୟ ବନ୍ଧା । ଏଥିରେ ସଂପୂର୍ଣ୍ଣ ଶାଶ୍ୱତ କିଛି ନାହିଁ । କାଳଭେଦରେ ଏହାର ରୂପ ବଦଳେ । ସ୍କାୟ ମାଷ୍ଟାର ବା ନଭରାଜ ବ୍ୟୋମଯାନ ବିଦୀର୍ଣ୍ଣ ଆକାଶ ତଳେ, ଆଉ ଯାହା ହେଉ ପଛକେ, ପୁଷ୍ପକ ବିମାନର କଳ୍ପନା ସମ୍ଭବ ହୁଏ ନାହିଁ ।

 

ଯୁଗେ ଯୁଗେ ସାହିତ୍ୟର ଏଇ ଭେକ ପରିବର୍ତ୍ତନ କଥା ମନେ ରଖି ଓଡ଼ିଆ ସାହିତ୍ୟର ବିଚାର କରିବାକୁ ହେବ । ଲେଖା ସାହିତ୍ୟ ରୂପେ ଏହା ବିଶେଷ ପ୍ରାଚୀନ ନୁହେଁ । ବୟସ ଦୃଷ୍ଟିରୁ ହଜାର ହଜାର ବର୍ଷର ମାନବ ସଂସ୍କୃତିର ବିକାଶକ୍ରମ ଭିତରେ ଅବଶ୍ୟ ଏହା ଶିଶୁ । କିନ୍ତୁ ବିଶ୍ଳେଷଣ କରି ଦେଖିଲେ, ଜାତିବିଦ୍ୟାବିତ୍‍ (Ethnologist) ଆଖିରେ ଏବର ମଣିଷ ଦେହରେ ହଜାର ହଜାର ବର୍ଷ ତଳର ମୂଳଜାତିର ରକ୍ତସନ୍ଧାନ ମିଳିଲା ଭଳି, ଏଥିରୁ ହଜାର ହଜାର ବର୍ଷର ମୌଳିକ ଭାବଧାରାର ସନ୍ଧାନ ମିଳବ । ଏଇ ଦୃଷ୍ଟିରେ ଦେଖିଲେ ସମୁଦାୟ ଓଡ଼ିଆ ସାହିତ୍ୟ ଏକ ଶରୀରଭୂତ ହୋଇ ବି, ରଲାଁଙ୍କ ଉପନ୍ୟାସର ଚରିତ୍ର ଭଳି ବହୁ ଆତ୍ମିକ । ଏହାର ବହୁଆତ୍ମା ଭିତରେ ଦୁଇଟି ଆତ୍ମାର ସ୍ୱରୂପ ସମଧିକ ବିକଶିତ । ଏଥରୁ ଗୋଟିଏ ପ୍ରାଚୀନ ଭାରତର, ଅନ୍ୟଟି ଆଧୁନିକ ଇଉରୋପର । ସମଗ୍ରଭାବେ ଭାରତୀୟ ଚିନ୍ତାଧାରା ଓଡ଼ିଆ ସାହିତ୍ୟକୁ ଯେ କେବଳ ଜନ୍ମ ଦେଇଥିଲା ତାହା ନୁହେଁ, ତାକୁ ପ୍ରବୀଣ କରିଥିଲା । ରୂପ ଓ ରୁଚି ଦେଇ ସମ୍ଭ୍ରାନ୍ତ କରିଥିଲା, ରସ ଦେଇ ରସାଳ କରିଥିଲା । ହଠାତ୍‍ ଦିନେ ସର୍ବଗ୍ରାସୀ ଇଉରୋପ ଆସି ତାହାର ଦ୍ୱାରରେ ଧକ୍‍କା ଦେଲା । ସେଦିନୁ ଓଡ଼ିଆ ସାହିତ୍ୟ ଏଇ ନବାଗତଠାରୁ ଏପରି ଏକ ଧର୍ମ ଆବିଷ୍କାର କରି ଆତ୍ମସାତ୍‍ କରିବାକୁ ଲାଗିଲା ଯେ, ଫଳରେ ତାର ପୂର୍ବର ସମ୍ଭ୍ରାନ୍ତଶୁଚିତା ହରାଇ ବସିଲା । ନୂତନ ବେଶ ଧାରଣ କଲା । ତାର ଚେହେରା ବଦଳି ଗଲା । ଏହା ଏକ ପ୍ରକାର ନବଜନ୍ମ । ଏଇ ନବଜାତକର ଭବିଷ୍ୟତ ଭିତରେ ହିଁ ଆଧୁନିକ ସାହିତ୍ୟର ଆଧୁନିକତା କେଉଁଠାରେ ପ୍ରଶ୍ନର ସମାଧାନ ନିହିତ । କଣ ଘେନି ଆମ ସାହିତ୍ୟ ଗତି କରୁଥିଲା, ଓ କଣ ପାଇଁ ଏହାର ଚେହେରା ବଦଳି ଗଲା-ଏହାର ଅବଧାରଣା ଲାଗି ଏଇ ଦ୍ୱୈତ ଆତ୍ମାର ସ୍ୱରୂପ ବୁଝିବା ଦରକାର । ଏହାର ଏକ ସ୍ପଷ୍ଟ ଓ ସୂଚନା ଦିଏ ଭାରତବିଦ୍ୟାବିତ୍‍ ପାଶ୍ଚାତ୍ୟପଣ୍ଡିତ ମୋକ୍‍ସମୁଲାରଙ୍କ ଏଇ ଉକ୍ତି । ଭାରତ ଓ ଇଉରୋପର ତୁଳନା କରି ସେ କହିଛନ୍ତି-‘‘ସେମାନଙ୍କଠାରେ (ଭାରତୀୟଙ୍କଠାରେ) ଏଇ ଶାନ୍ତ ଜଗତ କଥା କୁହ, ସେମାନେ କହିବେ ଅନନ୍ତ ବିନା ଶାନ୍ତ-ଜଗତ ନିରର୍ଥକ, ଅସମ୍ଭବ । ସେମାନଙ୍କୁ ମୃତ୍ୟୁ କଥା କୁହ, ସେମାନେ ତାକୁ ଜନ୍ମ କହିବେ । କାଳ କଥା କୁହ, ସେମାନେ ସେଥିରେ ସନାତନତତ୍ତ୍ୱର ରହସ୍ୟ ବତାଇ ଦେବେ । ଆମ (ଇଉରୋପୀୟମାନଙ୍କ) ନିକଟରେ ଇନ୍ଦ୍ରିୟ-ସାଧନ ଅଛି । ଶସ୍ତ୍ର ଅଛି । ଜ୍ଞାନଲାଭର ଶକ୍ତିଶାଳୀ ଇଞ୍ଜିନ ଅଛି । କିନ୍ତୁ ସେମାନଙ୍କଠାରେ ଏହା ସମ୍ପୂର୍ଣ୍ଣ ମିଥ୍ୟା ନ ହେଲେ ବି, ସର୍ବଦା ଊଣାଅଧିକେ ଏକ ବନ୍ଧନ । ଆତ୍ମାର ସ୍ୱରୂପୋଲବ୍‍ଧିର ବାଧକ । ଆମଠାରେ ଏ ପୃଥିବୀ, ଆକାଶ, ଜୀବନ, ଆଖିଆଗରେ ଦେଖିପାରିବା ଚିଜ, ଛୁଇଁ ପାରିବା ବସ୍ତୁ, ଶୁଣିପାରିବା ଶବ୍ଦ ନିଶ୍ଚିତ ଓ ଧ୍ରୁବ । ଏଇ ଆମର ଘର, ଏଠି ଆମମର କର୍ତ୍ତବ୍ୟ ଓ ସୁଖ ସନ୍ତୋଷ । ସେମାନଙ୍କ ଲାଗି ଏ ପୃଥିବୀ ଏ ଭଳି ଏକ ପଦାର୍ଥ-ତାହା କେବେ ନ ଥିଲା । ଆଉ ଏମିତି ଗୋଟିଏ ସମୟ ଆସିବ, ସେତେବେଳେ ତାହା ରହିବ ନାହିଁ । ଏ ଜୀବନ ଗୋଟିଏ କ୍ଷଣିକ ସ୍ୱପ୍ନ । ଏହା ଶୀଘ୍ର ଭାଙ୍ଗିଯିବ ଓ ସମସ୍ତେ ଚେଇଁ ଉଠିବେ । ଆଉମାନଙ୍କ ନିକଟରେ ଯାହା ନିତାନ୍ତ ସତ୍ୟ, ସେମାନଙ୍କଠାରେ ତାହା ସବୁଠାରୁବଳି ଅସତ୍ୟ । ଆଉ ଯେଉଁଠି ସେମାନଙ୍କର ଘର ସହିତ ସମ୍ୱନ୍ଧ, ସେମାନେ ଦୃଢ଼ ଭାବରେ ବୁଝିଥିଲେ, ସେ ଆଉ ଯେଉଁଠି ହେଉନା କାହିଁକି ଏଇ ଧୂଳିମାଟିର ଦୁନିଆରେ ନୁହେଁ ।’’

 

(୨)

 

ପ୍ରାଚୀନ ସାହିତ୍ୟର ପୁଂଜି-

 

ଓଡ଼ିଆ ସାହିତ୍ୟ ଆଧୁନିକତା ମାର୍ଗରେ ପଦକ୍ଷେପ କରିବାର ଆରମ୍ଭ ଆଜିକୁ ଶହେ ବର୍ଷରୁ ବେଶି ନୁହେଁ । ଏହା ପୂର୍ବରୁ ପ୍ରାୟ ଅର୍ଦ୍ଧସହସ୍ର ବର୍ଷଧରି ଏହା ବିକଶିତ ହୋଇ ଆସିଅଛି । ଏଇ କ୍ରମବିକାଶ ଭିତରେ ମୁଖ୍ୟତଃ ଦୁଇଟି ଅବସ୍ଥାଭେଦ ଲକ୍ଷ୍ୟ କରାଯାଇ ପାରେ-ପ୍ରଥମରେ ଧର୍ମ ସାହିତ୍ୟ, ଦ୍ୱିତୀୟରେ ରସ ସାହିତ୍ୟ । ପୁରାଣ, ଗୀତା, ସଂହିତା, ମାଳିକା, ସ୍ତୋତ୍ର, ଭଜନ ଆଦିକୁ ପ୍ରଥମ ଓ ଭଞ୍ଜ ଯୁଗର କାବ୍ୟ, କବିସୂର୍ଯ୍ୟ ଆଦିଙ୍କ ସଙ୍ଗୀତକୁ ଦ୍ୱିତୀୟ ଶ୍ରେଣୀରେ ନିର୍ଦ୍ଦେଶ କରାଯାଇ ପାରେ । ଏଇ ବିଭାଗ ଅବଶ୍ୟ ସ୍ୱୟଂସଂପୂର୍ଣ୍ଣ ନୁହେଁ । କାରଣ ଧର୍ମ-ସାହିତ୍ୟ ସଂପୂର୍ଣ୍ଣ ରସ ବିବର୍ଜିତ ନୁହେଁ, କିମ୍ୱା ରସସାହିତ୍ୟ ସଂପୂର୍ଣ୍ଣ ଧର୍ମବିରହିତ ନୁହେଁ । ସମଗ୍ର ଭାବରେ ଏଇ ବିରାଟ ସାହିତ୍ୟର ପ୍ରକୃତି ଅନୁଧ୍ୟାନ କଲେ ଦେଖିବାକୁ ମିଳିବ-କୌଣସି କ୍ଷେତ୍ରରେ କବି ବାସ୍ତବ ଜୀବନରୁ ସୁଖ ଦୁଃଖର ଦରଦ ନେଇ କାବ୍ୟ ରଚନା କରିବାକୁ ବସୁ ନ ଥିଲେ । ସମାଜରେ ଦୁଃଖ ଥିଲା, ଅଭାବ ଦାରିଦ୍ର୍ୟ ପୂରି ରହିଥିଲା । ତାହା କବି ଚିତ୍ତକୁ ବିଚଳିତ କରୁ ନ ଥିଲା । ଏହାର ଉର୍ଦ୍ଧ୍ୱରେ ଥିଲା ସାହିତ୍ୟର ଆସନ । ପ୍ରଥମ କ୍ଷେତ୍ରରେ ବିଶ୍ୱଜନର ମଙ୍ଗଳାକାଂକ୍ଷା କବିର ଲକ୍ଷ୍ୟ ଥିଲା । କିନ୍ତୁ ଜୀବ ପରମର ଶାଶ୍ୱତ ରହସ୍ୟ ଉଦ୍‍ଘାଟନ ଦ୍ୱାରା ଏହା ସମ୍ଭବ ବୋଲି ସେ ମନେ କରୁଥିଲା । ଏହା ମଧ୍ୟରେ ଆପଣାର ଅଳିକ ସତ୍ତା ଓ ପରିବର୍ତ୍ତମାନ କାଳର ପ୍ରଭାବ ପ୍ରତି କୌଣସି ପ୍ରକାରେ ଅବହିତ ହେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ଦ୍ୱିତୀୟ କ୍ଷେତ୍ରରେ ଲୋକୋତ୍ତର ଆନନ୍ଦ ପ୍ରାପ୍ତି ଓ କୀର୍ତ୍ତି ଲାଭ କବିର ଲକ୍ଷ୍ୟ । ଏଥିପାଇଁ ତାର ଶାସ୍ତ୍ରାଭ୍ୟାସ ଓ ସାଧନା ଅଭିପ୍ରେତ ଥିଲା । ଉଭୟ କ୍ଷେତ୍ରରେ ବ୍ୟକ୍ତିତ୍ୱର ସତର୍କ ଉପେକ୍ଷା ଯେପରି ଭାବରେ ଦେଖିବାକୁ ମିଳେ, କେବଳ ଭାରତବର୍ଷ ଛଡ଼ା ବିଶ୍ୱର ଅନ୍ୟ କେଉଁଠି ତାର ତୁଳନା ମିଳିବା ସମ୍ଭବ ନୁହେଁ । ଉଭୟତ୍ର କବିର ଦୃଷ୍ଟି ଥିଲା ଅତୀତ-ମୁଖୀ । ଭାରତର ବେଦ, ପୁରାଣ, ଧର୍ମଶାସ୍ତ୍ର, କାବ୍ୟସାହିତ୍ୟ ଉପରେ ତାର ଆସ୍ଥା ଥିଲା ଅବିଚଳ । ସେଥିରେ ଅବଗାହନ ବ୍ୟତୀତ ବିଶାଳ ପୃଥିବୀର ଅନ୍ୟ କୌଣସି ଦିଗ ପ୍ରତି, ଧର୍ମ ଓ ସାହିତ୍ୟ ପ୍ରତି ଦୃକ୍‍ପାତ କରିବା ତା’ପକ୍ଷରେ ଥିଲା ଅସହ୍ୟ । ବୈଦେଶିକ ମନୀଷୀ ଆଲ୍‌ବେୁନିଙ୍କ ଭଙ୍ଗୀରେ କହିଲେ-ହିନ୍ଦୁଠାରେ ତାହାରି ଧର୍ମ ହିଁ ପୃଥିବୀର ଏକମାତ୍ର ଧର୍ମ, ତା’ରି ଶାସ୍ତ୍ର ହିଁ ପବିତ୍ରତମ ଶାସ୍ତ୍ର, ଦୁନିଆରେ ସମସ୍ତ; ମ୍ଳେଚ୍ଛ, ପାପୀ । ଏଭଳି ଆତ୍ମଶ୍ଳାଘା ପାରମ୍ପରିକ ଦୃଷ୍ଟି, ବହିର୍ବିଶ୍ୱ ପ୍ରତି ବିମୁଖୀନତା, ବାସ୍ତବ ପ୍ରତି ଚେତନା ଶୂନ୍ୟତା, କୌଣସି ସାହିତ୍ୟ ଓ ସଂସ୍କୃତିର ଜୀବନ ବା ଯୌବନର ଇଙ୍ଗିତ ଦିଏ ନାହିଁ । ପାରମାର୍ଥିକ ଦୃଷ୍ଟି ଜୀବନ ପ୍ରତି ଉଦାସୀନତା ଆଣି ଦେଇଥିଲା । ପଦେ ପଦେ ସ୍ମୃତିଶାସ୍ତ୍ରର ନୈତିକ ବନ୍ଧନ ଅଳଙ୍କାର ଶାସ୍ତ୍ରର ନିଗଡ଼, କୌଣସି ପ୍ରକାର ସ୍ୱଛନ୍ଦ ଗତିର ବାଧକ ଥିଲା । ଗୋଟିଏ କଥାରେ କହିଲେ ଆମର ସମୁଦାୟ ସାହିତ୍ୟ ଥିଲା ସ୍ଥବିରଧର୍ମୀ । ତଥାପି ଏଇ ସ୍ଥବିରଠାରେ ସମାରୋହର ଅଭାବ ନ ଥିଲା । ପୁଞ୍ଜିର ଅଭାବରେ ସେ ଦେବାଳିଆ ହୋଇ ନ ଥିଲା । ଜାଗରଣର ଇଙ୍ଗିତ ନ ଦେଇ, ସ୍ୱପ୍ନ ବା ମହାସ୍ୱପ୍ନର ଇଙ୍ଗିତ ଦେଉ ପଛେ, ସହଜ ଭାବେ ହୃଦୟକୁ ଆକର୍ଷଣ କରି ପାରିବା ପାଇଁ ଏଇ ପ୍ରାଚୀନ ସାହିତ୍ୟରେ ସଙ୍ଗୀତରେ ସ୍ୱର ଥିଲା, ଉତ୍‍ପ୍ଳାବି ରସପ୍ରାଣତା ଥିଲା । କାଳର କ୍ଷଣିକ ବାତ୍ୟାରେ ମଳିନ ନ ହୋଇ ମହାକାଳ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା ତାର ଶାଶ୍ୱତ ଦୃଷ୍ଟି । କୌଣସି ସାହିତ୍ୟର ଏହା କମ୍‍ ମୂଲ୍ୟବାନ ସମ୍ପଦ ନୁହେଁ ।

 

(୩)

 

ନୂଆ ସାହିତ୍ୟର ନୂଆ ରୂପ ଓ ଧର୍ମ

 

‘‘ଯେଉଁ ପୁତ୍ର କବି ସେଇ କେବଳ ଦେଖିପାରେ’’ ଏହା ବୈଦିକ ଋଷିର ବାଣୀ । କାରଣ ସାଧାରଣ ଆଖିରେ ଦେଖା, ଦେଖା ନୁହେଁ । ସାଧାରଣ ଆଖିରେ ଦେଖିଲେ ସୀମା ଭିତରେ ଦୃଷ୍ଟି ଆବଦ୍ଧ ରହେ । କବିର ଦୃଷ୍ଟି ଅସୀମ ପ୍ରତି ନିବଦ୍ଧ । କିନ୍ତୁ ଯେଉଁ ଦିନ କବି ଏଇ ସାଧାରଣ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କଲା, ସୀମା ଭିତରେ କଣ ଅଛି ଆବିଷ୍କାର କରିବାକୁ ପ୍ରୟାସ କଲା-ସେ ଦିନ ଆମ ସାହିତ୍ୟ ଓ ଚିନ୍ତାଧାରାରେ ଏକ ବିପ୍ଳବ ସୃଷ୍ଟି ହେଲା । ସେଦିନୁ ପ୍ରାଚୀନଠାରୁ ଏକ ସଂପୂର୍ଣ୍ଣ ଭିନ୍ନଧର୍ମୀ ଆଧୁନିକ ସାହିତ୍ୟର ଅୟମାରମ୍ଭ । ଉପରେ କୁହା ଯାଇଛି, ଏଇ ନବଧର୍ମର ପ୍ରେରଣା ମିଳେ ପାଶ୍ଚାତ୍ୟଠାରୁ । ‘‘ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ’’-ଏ ଆମର ଗୋଟିଏ କଥାର କଥା । କିନ୍ତୁ ପାଶ୍ଚାତ୍ୟଲୋକେ ଏଇ କଥାଟିକୁ କାମରେ ପ୍ରୟୋଗ କରିବାରେ ଓସ୍ତାଦ । ଏଇ ସଂଶୟବାଦ ଓ ବାସ୍ତବ ଦର୍ଶନଭଙ୍ଗୀ ଆମ ସାହିତ୍ୟରେ ଏକ ନୂତନ ପରମ୍ପରା ସୃଷ୍ଟିକଲା । ଶାସ୍ତ୍ରର ନିର୍ଦ୍ଦେଶ ନୁହେଁ, ଧର୍ମର ଆଧାର ନୁହେଁ, ଆପଣା ନିର୍ମିତ ଭୂମି ଉପରେ ଠିଆ ହେବାର ପ୍ରୟାସ ହେଲା । ଫଳରେ ଆମ ସାହିତ୍ୟ ଆଗରେ ଏକ ସଂପୂର୍ଣ୍ଣ ନୂତନ ଜଗତ ଖୋଲିଗଲା । ପ୍ରାଚୀନ ଦୃଷ୍ଟିରେ ଏହା କ୍ଷୁଦ୍ର, ସୀମିତ ଥିଲେ ବି, ଏହା ଥିଲା ବିଚିତ୍ର, ଏହା ଥିଲା ପ୍ରସାରଣଧର୍ମୀ । ଏଇ ଜଗତକୁ ଆସି ସାହିତ୍ୟିକ ନିଜ ଜୀବନରେ, ନିଜ ଚଉପାଶର ଅଗଣିତ ନରନାରୀଙ୍କ ଜୀବନରେ ପୁରାଣଠାରୁ ଆହୁରି ବିଚିତ୍ର, ଆହୁରି ମନୋରମ ଉପଖ୍ୟାନର ସନ୍ଧାନ ପାଇଲା । ଆପଣାର ପଞ୍ଚେନ୍ଦ୍ରିୟର ଅନୁଭବ ଭିତରୁ କାବ୍ୟର ଉପାଦାନ ତାକୁ ଅଭାବ ହେଲା ନାହିଁ-

 

ଏଇ ନୂତନ ଜଗତ ବିଷୟରେ ଏତେ କଥା କହିବାର, ଏତେ ତର୍କ କରିବାର ସାମଗ୍ରୀ ସାହିତ୍ୟିକ ଯୋଗାଡ଼ କରି ପାରିଲା ଯେ, ପ୍ରାଚୀନଯୁଗର କଳକୂଜନ ଛାଡ଼ି ସେ ଏକ ପ୍ରକାର ବାବଦୂକ ହୋଇ ପଡ଼ିଲା । ସେ ଦୃଢ଼ କଣ୍ଠରେ ଘୋଷଣା କରିବାକୁ ଲାଗିଲା-ଯାହା ସହଜ ତାହା ସୁନ୍ଦର, ଯାହା ସଳଖ ତାହା ସୁନ୍ଦର, ଯାହା ସ୍ୱାଭାବିକ ତାହା ସୁନ୍ଦର-ତାହାହିଁ ସତ୍ୟ ଓ ଶିବ । ଫଳରେ ମଣିଷର ସହଜ ସ୍ୱଭାବ କଥା ହିଁ ସାହିତ୍ୟିକ ରୂପ ଧାରଣ କଲା । ସାହିତ୍ୟ ଗଦ୍ୟମୟ ହୋଇ ପଡ଼ିଲା । ସାହିତ୍ୟିକ ଆବିଷ୍କାର କଲା, ଜୀବନର ସ୍ୱାଭାବିକ ଅଭିବ୍ୟକ୍ତି ହେଉଛି-କଥା, କ୍ରିୟା ଓ ତର୍କ ଭିତରେ । ତେଣୁ ଆଧୁନିକ ଯୁଗର ସ୍ୱାଭାବିକ ସାହିତ୍ୟ ହୋଇ ପଡ଼ିଲା ଉପନ୍ୟାସ, ନାଟକ, ଓ ପ୍ରବନ୍ଧ; କେଉଁ ଗୋଟିଏ କୋଣରେ ପଡ଼ି ରହିଲା କବିତା । ତେଣୁ ଖାଲି ଭାବଗତ ପରିବର୍ତ୍ତନ ନୁହେଁ, ସାହିତ୍ୟରେ ଏକ ରୂପଗତ, ତଥା ରୁଚିଗତ ପରିବର୍ତ୍ତନ ଦେଖା ଦେଲା । ଅତିଶୟୋକ୍ତି ଓ ଅସ୍ୱାଭାବିକ ରୂପ କଳ୍ପନା ଥିଲା ପ୍ରାଚୀନ ସାହିତ୍ୟର ଧର୍ମ । କିନ୍ତୁ ଶୃଙ୍ଖଳା, ସଂଯମ, ଓ ପରିମିତି ଭିତରେ ଆଧୁନିକ ସାହିତ୍ୟ ବିକଶିତ ହେବାକୁ ଲାଗିଲା । ଯଦି କୌଣସି ଭାଗବତ ପରିବର୍ତ୍ତନ ମଧ୍ୟରେ ଗତି ନ କରି, କେବଳ ଏଇ ରୂପଗତ ବୈଚିତ୍ୟକୁ ଆଦରି ନେଇ ଥାଆନ୍ତା, ତେବେ ତାହା ଆମର ଆଧୁନିକ ସାହିତ୍ୟ ପକ୍ଷରେ କମ ଗୌରବର କଥା ହୋଇ ନ ଥାଆନ୍ତା । କିନ୍ତୁ ଆଧୁନିକ ସାହିତ୍ୟ ତାର ଭାବ ସମ୍ଭାରରେ ଆହୁରି ସମୃଦ୍ଧ, ଆହୁରି ବିଚିତ୍ର ଓ ମହନୀୟ । ଏହାର ସାମାନ୍ୟ ପରିଚୟ ଦେଲେ, ଆଧୁନିକ ସାହିତ୍ୟର ଆଧୁନିକତା କେଉଁଠାରେ, ତାହା ସହଜରେ ବୁଝି ହେବ ।

 

(୪)

 

ନୂଆ ସାହିତ୍ୟର ଯୁଗ ବିନ୍ୟାସ

 

କହିବା ବାହୁଲ୍ୟ, ଆଧୁନିକ ସାହିତ୍ୟର ଜୀବନକାଳ କ୍ଷୁଦ୍ର ହେଲେ ବି ତାହା ବୈଚିତ୍ର୍ୟମୟ, ବହୁ ଘଟଣା ସମୃଦ୍ଧ । ପ୍ରାୟ ଊନବିଂଶ ଶତକର ଶେଷପାଦରେ ଏହାର ଜନ୍ମ । ବୟସ ଦୃଷ୍ଟିରୁ ଏହା ଗୋଟିଏ ଚାରାଗଛ ହେଲେ ବି ବହୁ ଭାବଧାରାର ଗ୍ରାଫ୍‍ଟିଂ ଦ୍ୱାରା ବହୁ ଭାବରେ ତାର ରୂପ ପରିବର୍ତ୍ତନ କରି ସାରିଛି । ବହୁଯୁଗ ଭୋଗ କରି ସାରିଛି । ତାର ଜନ୍ମରୁ ଏ ଅବଧି, କେବଳ ଆଲୋଚନାର ସୁବିଧା ଦୃଷ୍ଟିରୁ ନୁହେଁ, ବିଶିଷ୍ଟ ଚରିତ୍ରଗତ ଲକ୍ଷଣାମାନ ଅନୁଧ୍ୟାନ କଲେ, ତିନୋଟି ଯୁଗର ସ୍ପଷ୍ଟ ସନ୍ଧାନ ମିଳି ପାରିବ । ଅବଶ୍ୟ ଐତିହାସିକ ତାତ୍ପର୍ଯ୍ୟ ଦୃଷ୍ଟିରୁ ସମାଲେଚକମାନେ ବ୍ୟକ୍ତି ବା ଗୋଷ୍ଠୀକୁ କେନ୍ଦ୍ର କରି ରାଧାନାଥଯୁଗ, ସତ୍ୟବାଦୀଯୁଗ, ସବୁଜଯୁଗ ଆଦି ଯୁଗ ବିନ୍ୟାସ କରିଅଛନ୍ତି । କିନ୍ତୁ ସମଗ୍ରରୂପେ ଆଧୁନିକ ସାହିତ୍ୟର ସ୍ୱରୂପ ବିନ୍ୟାସ ପାଇଁ ଏଇ ନାମ ଗୁଡ଼ିକ ଯଥେଷ୍ଟ ଇଙ୍ଗିତପୂର୍ଣ୍ଣ ନୁହେଁ । ଏଥିପାଇଁ ଉପରେ କହିବା ମତେ, ଆଧୁନିକ ସାହିତ୍ୟକୁ ଅଭ୍ୟୁଦୟ ବା ପୁନର୍ଜାଗୃତିଯୁଗ, ଜାତୀୟତା ଯୁଗ ଓ ଆନ୍ତର୍ଜାତୀୟ ଯୁଗ ରୂପେ ବିଭକ୍ତ କରାଯାଇ ପାରେ । ଏହି ଯୁଗ ଗୁଡ଼ିକ ଭିତରେ ଯଥାକ୍ରମେ ଆଧୁନିକ ସାହିତ୍ୟର ଆରମ୍ଭ, ବିକାଶ ଓ ପରିଣତି ନିହିତ । ଏଠି ବି ମନେ ରଖିବାକୁ ହେବ, ଏ ବିଭାଗ ସ୍ୱୟଂସଂପୂର୍ଣ୍ଣ ନୁହେଁ । କାରଣ କୌଣସି ପ୍ରାକୃତିକ ବସ୍ତୁର ବିଭାଗ ଯଦିଓ କଠିନ ଭାବ ପର୍ଯ୍ୟାୟର ବିଭାଗୀକରଣ ଆହୁରି କଠିନ । ଚିନ୍ତାଜଗତରେ ଜନ୍ମ ଛଡ଼ା ମୃତ୍ୟୁ ନାହିଁ । ପୁଣି, ଗୋଟିଏ ବିଶେଷ ଚିନ୍ତାଧାରାର ଜନ୍ମ ବହୁ ସାଙ୍ଗୋପାଙ୍ଗ ଚିନ୍ତାପର୍ଯ୍ୟାୟ ସହ ଜଡ଼ିତ ଥାଏ । ତେଣୁ ଆନ୍ତର୍ଜାତୀୟ ଯୁଗରେ ଯଦି ଅକସ୍ମାତ୍ ଜାତୀୟତାର ଉଚ୍ଛ୍ୱାସ ଶୁଣୁଁ, କିମ୍ବା ପୁନର୍ଜାଗୃତିର ଉଦ୍‌ବୋଧନୀ ଶୁଣୁଁ, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କାରଣ କିଛି ନାହିଁ । ବର୍ତ୍ତମାନ ଆମ ଆଗରେ ପ୍ରଥମ ଦୁଇଟି ଯୁଗର ସ୍ୱରୂପ ବିଶେଷ ଭାବରେ ପ୍ରକଟିତ । ଆଉ ନିସଂଶୟରେ କୁହା ଯାଇ ପାରେ, ଏଇ ଦୁଇ ଯୁଗର ଅଧିନାୟକ ରୂପେ ଅନ୍ତତଃ ଦୁଇଟି ବ୍ୟକ୍ତିତ୍ୱ ସୁପ୍ରତିଷ୍ଠିତ । ସେମାନେ ଯଥାକ୍ରମେ ଓଡ଼ିଆ ଗଦ୍ୟ ସାହିତ୍ୟର ପିତା ମନୀଷୀ ଫକୀରମୋହନ ଓ ଓଡ଼ିଆ ଜାତୀୟତାର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ । କିନ୍ତୁ ତୃତୀୟ ଯୁଗ ବିଷୟରେ ନିର୍ଦ୍ଦିଷ୍ଟ ଭାବରେ କିଛି କହିବା କଠିନ୍ । ସାଂଖ୍ୟ କାରିକାରେ କୁହାଯାଇଛି, ଅତ୍ୟନ୍ତ ଦୂରସ୍ଥିତ ଭଳି ଅତ୍ୟନ୍ତ ନିକଟବର୍ତ୍ତୀ ବସ୍ତୁର ପ୍ରତ୍ୟକ୍ଷ ଉପଲବ୍‌ଧି ଦୁରୂହ । ଆଧୁନିକ ଓଡ଼ିଆ ସାହିତ୍ୟରେ ଏହି ତୃତୀୟଯୁଗ ବା ଆନ୍ତର୍ଜାତୀୟ ଯୁଗ ଆମର ଏକାନ୍ତ ନିକଟବର୍ତ୍ତୀ । ପୁଣି ଏବେ ବି ତାହା ନିର୍ମାଣ ଅବସ୍ଥାରେ ରହିଛି । ତାର ସମ୍ମୁଖରେ ଏବେ ବି ବିରାଟ ସମ୍ଭାବନା । ଏହା କେଉଁ ସାଫଲ୍ୟ ହାସଲ କରିବ, ଆଉ କିଏବା ଏଥିରେ ପ୍ରତିଷ୍ଠିତ ହୋଇ ପାରିବେ, ତାହା ଭବିଷ୍ୟତ ହାତରେ ।

 

(୫)

 

ଆଧୁନିକ ସାହିତ୍ୟର ଆରମ୍ଭ–ରେନେସାଁ ବା ଅଭ୍ୟୁଦୟ ଯୁଗ

 

ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଏକ ପ୍ରକାର ରେନେସାଁ ବା ଅଭ୍ୟୁଦୟ ଯୁଗ । ଭାରତବର୍ଷର ପୁନର୍ଜାଗୃତିର ନବ-ଧର୍ମ ବ୍ରାହ୍ମ ଓ ଆର୍ଯ୍ୟ ସମାଜ ଦ୍ୱାରା ଏଇ ସମୟରେ ବିଶେଷଭାବରେ ପ୍ରଚାରିତ ହୋଇଥିଲା । ପାଶ୍ଚାତ୍ୟ ସଂଶୟବାଦ ଓ ତର୍କ ଜିଜ୍ଞାସା ଭାରତର ଉପନିଷଦୀୟ ବିଚାର ଧାରା ସହିତ ମିଳିତ ହୋଇ, ଏଇ ଧର୍ମଗୁଡ଼ିକୁ ରୂପ ଦେଇ ଥିଲା । ସାହିତ୍ୟ ଉପରେ ଏହାର ପ୍ରଭାବ ଥିଲା ଅବିସମ୍ବାଦିତ । ତା ଛଡ଼ା ଇଉରୋପୀୟ ସାହିତ୍ୟର ପ୍ରଭାବ ମଧ୍ୟ ଏଡ଼ିବା ସମ୍ଭବ ନ ଥିଲା । ସେ ଦେଶରେ ସାହିତ୍ୟ ଓ ଚିନ୍ତା ଜଗତରେ ରୋମାଣ୍ଟିକଯୁଗ, ଆଉ ଫରାସୀ ବିପ୍ଳବ ଏକ ନୂଆ ତୋରଣ ଖୋଲି ଦେଇ ଥାଏ । ସାମ୍ୟ, ମୈତ୍ରୀ ଓ ସ୍ୱାଧୀନତାର ମହାଭାବରେ ଉଦ୍‌ବୁଦ୍ଧ ଇଉରୋପ ନୂତନ ଶକ୍ତି ଆହରଣ କରିଥାଏ । ଏଣେ କିନ୍ତୁ ଭାରତର ଜାତୀୟ ଦୁର୍ଦ୍ଦଶା ଏକ ପ୍ରକାର ଚରମ ସୀମାରେ ଉପନୀତ । ଭାରତୀୟ ଇତିହାସ, ଚିନ୍ତାଧାରା, ଦର୍ଶନର ମହନୀୟ ଅଂଶ ଦେଶ ଭୁଲି ଯାଇଥାଏ । ଅଶିକ୍ଷା, କୁସଂସ୍କାର, ଦାରିଦ୍ର୍ୟ, ସାମନ୍ତମାନଙ୍କ ବିଳାସ ଓ ଅମାନୁଷିକ ଅତ୍ୟାଚାର, ଇଂରେଜ ବଣିକ୍ ସାମ୍ରାଜ୍ୟର ଶୋଷଣ ସବୁ କିଛି ମିଶି ଦେଶକୁ ଅନ୍ତଃସାର ଶୂନ୍ୟକରି ଦେଇଥାଏ । ଏହି ଦୁର୍ଦିନରେ ସମଗ୍ର ଭାବେ, ବାସ୍ତବ ଦୃଷ୍ଟିରେ ଜାତିର ସାମୂହିକ ଉନ୍ନତ କଥା ଭାବିବାକୁ ପାଶ୍ଚାତ୍ୟ ଶିକ୍ଷା ଦେଶର ଚିନ୍ତାନାୟକମାନଙ୍କୁ ଅନୁପ୍ରେରିତ କରିଥିଲା । ଏହି ଯୁଗର ଅଭିବ୍ୟକ୍ତି ରାମ ଶଙ୍କରଙ୍କ ନାଟକ ଓ ପ୍ରହସନ ଆଦିରେ, ରାଧାନାଥଙ୍କ କାବ୍ୟ କବିତାରେ, ମଧୁସୂଦନ ଓ ବିଶ୍ୱନାଥ କର ଆଦିଙ୍କ ପ୍ରବନ୍ଧରେ ଓ ଫକୀରମୋହନଙ୍କ ଉପନ୍ୟାସ ସମୂହରେ ଘଟିଅଛି । ଯୁଗର ପ୍ରଥମ ଆବଶ୍ୟକତା ଥିଲା ଆତ୍ମଗ୍ଲାନୀରୁ ମୁକ୍ତି ଓ ଆତ୍ମ ବିଶ୍ୱାସ ଲାଭ । ଏଥିପାଇଁ ଏ ଯୁଗର ଲେଖକ ଅତୀତ ଗୌରବ ଓ ସ୍ୱଦେଶର ପ୍ରାକୃତିକ ବିଭବର ପ୍ରାଞ୍ଜଳ ଆଲେଖ୍ୟ ବାଢ଼ିଛି । ଦ୍ୱିତୀୟ ଆବଶ୍ୟକତା ଥିଲା ସଂସ୍କାର ଓ ସଂହତି । ହେତୁ ବିହୀନ ପରମ୍ପରାର ଅନୁସରଣରେ ଜାତିମନରେ ଯେତେ ପ୍ରକାର କୁସଂସ୍କାର ସବୁ ବଦ୍ଧମୂଳ ହୋଇ ଉଠିଥିଲା, ତାର ନିରାକରଣ ପାଇଁ ଏ ଯୁଗରେ ଅପ୍ରାଣ ପ୍ରୟାସ ହୋଇଛି । ସର୍ବ ଧର୍ମ ସମନ୍ୱୟ ଓ ଧର୍ମର ଯାହା ଅନ୍ତର୍ନିହିତ ତତ୍ତ୍ୱ ତା’ର ପ୍ରଚାର ଭିତରେ ମାନବିକ ସଂହତିର ସ୍ୱପ୍ନ ଏ ଯୁଗରେ ପ୍ରବଳ ହୋଇ ଉଠିଛି । ତୃତୀୟ ଆବଶ୍ୟକତା ଥିଲା ସ୍ୱଚ୍ଛନ୍ଦ ଦୃଷ୍ଟି । ସବୁପ୍ରକାର ଧରାବନ୍ଧା ନୀତିନିୟମ ଓ ରୂଢ଼ ଭାବନାହିଁ ମୁକ୍ତ ନ ହେଲେ ଜାତିର ମୃତକଳ୍ପ ପ୍ରାଣରେ ସ୍ୱାସ୍ଥ୍ୟ ସଂଚାର ଅସମ୍ଭବ । ଏ ଧାରଣା ଯୁଗର ଚିନ୍ତାନାୟକମାନଙ୍କ ମନରେ ଦୃଢ଼ ହୋଇଥିଲା । ଚିନ୍ତା ପ୍ରବାହର ଏଇ ସ୍ୱାଚ୍ଛନ୍ଦ୍ୟ, ଏଇ ରୋମାଣ୍ଟିକ ଦୃଷ୍ଟି ଲାଗି କବି ରାଧାମୋହନ ଗଡ଼ନାୟକ ରାଧାନାଥଙ୍କୁ ବିପ୍ଳବୀ ବୋଲି ଅଭିହିତ କରିଅଛନ୍ତି । ଆମ ଦେଶର ବଦ୍ଧଭାବ ମୂଳରେ ରାଧାନାଥଙ୍କ ଚିନ୍ତାଧାରା କିପରି ଆଘାତ କରିଥିଲା, କବି ଗଡ଼ନାୟକଙ୍କର ଏଇ ଉକ୍ତିରୁ ତାହା ପ୍ରମାଣିତ ହୁଏ । ‘‘ରାଧାନାଥ ଓଡ଼ିଶାର ବନଗିରି, ନଦୀ, ହ୍ରଦ ଓ ମାଟିକୁ ତାଙ୍କର କାବ୍ୟଲୋକରେ ସୁଗଭୀର ସ୍ନେହ ଓ ଶ୍ରଦ୍ଧା ଦେଖାଇ ଅଛନ୍ତି, ମାତ୍ର ଓଡ଼ିଶାର ମଣିଷକୁ ବଡ଼ କୁତ୍ସିତ ଓ କଳଙ୍କିତ କରି ଆଙ୍କି ଦେଶର ଜାତୀୟତା ଉପରେ ଗୁରୁତର ଆଘାତ କରିଅଛନ୍ତି - ଦେଶର ସାଧାରଣଙ୍କର ଏହି ଅଭିଯୋଗ ପ୍ରାୟ ରହିଅଛି ।’’ ପ୍ରକୃତରେ ଏ ଅଭିଯୋଗ ପ୍ରାଚୀନ ବଦ୍ଧଭାବର ଏକ ପ୍ରତିକ୍ରିୟା । ଏଥିରେ କ୍ୱଚିତ୍ ସନ୍ଦେହ କରିବାର ଅଛି ।

 

ଏ ଯୁଗରେ ସବୁଠାରୁ ବଡ଼ କଥା ଥିଲା, ଆଦର୍ଶବାଦୀ ଦୃଷ୍ଟିକୋଣରୁ ବାସ୍ତବର ସମୀକ୍ଷା, ସମାଜର ସମୂହ ଚିତ୍ର ଆବିଷ୍କାର । ଏଥିପାଇଁ ଫକୀରମୋହନଙ୍କ ଉପନ୍ୟାସ ଜଗତ ପ୍ରତି ଦୃଷ୍ଟିପାତ୍ କରିବାକୁ ହେବ । ଏଥିରେ ଯେ କେବଳ ଅଭ୍ୟୁଦୟ ଯୁଗର ବାଣୀ ମୂର୍ତ୍ତି ହୋଇଛି ତାହା ନୁହେଁ, ଭବିଷ୍ୟତ ପ୍ରତି ଏ ଯୁଗର ଯାହା ଚରମ ଅବଦାନ, ତାହା ଅଭିବ୍ୟକ୍ତ ହୋଇଛି । ଜାତୀୟ ଓ ଆନ୍ତର୍ଜାତୀୟ ଯୁଗର ଇଙ୍ଗିତ ପୂର୍ଣ୍ଣ ହୋଇ ରହିଛି ।

 

ଫକୀରମୋହନଙ୍କ ଯୁଗ ହିଁ ଓଡ଼ିଆ ଉପନ୍ୟାସର ସ୍ୱର୍ଣ୍ଣଯୁଗ । ବସ୍ତୁବାଦୀ ସାହିତ୍ୟର ଆଦ୍ୟ ସୂଚନା ମିଳେ ଏଥିରୁ । ଜୀବନ ଓ ସମାଜର ସ୍ୱାଭାବିକ ବାସ୍ତବ ଚିତ୍ର, ବ୍ୟକ୍ତିକ ଚରିତ୍ରର ମନୋବୈଜ୍ଞାନିକ ବିଶ୍ଳେଷଣ, ସୁଧାରବାଦୀ ଓ ବୈପ୍ଳବିକ ଦୃଷ୍ଟିକୋଣର ଇଙ୍ଗିତ ଫକୀରମୋହନଙ୍କ ଉପନ୍ୟାସକୁ ସାର୍ଥକ କରିଛି । ସ୍ୱାଭାବିକ ଓଡ଼ିଆ ଗଦ୍ୟର ବିକାଶ ଘଟିଛି । ଲୋକ ଭାଷା ସାହିତ୍ୟ ଜଗତରେ ପ୍ରତିଷ୍ଠା ଲଭିଛି । ବ୍ୟକ୍ତି ସର୍ବସ୍ୱ ଅହଂବାଦୀ ମାନବର ଦୁର୍ବଳତା ଦିଗକୁ ଫକୀରମୋହନ ପରିଷ୍କାର କରି ଦେଇଛନ୍ତି । ଏହାହିଁ ତାଙ୍କର ଭବିଷ୍ୟତ ପ୍ରତି ପୁରୋଦୃଷ୍ଟି । ଏହି ଅହଂବାଦୀ ମଣିଷ ସମାଜକୁ ଅନ୍ଧ ବୋଲି ମନେ କରି ଉପହାସ କରେ । କିନ୍ତୁ ଆପଣା ମାର୍ଜିତରୁଚି ଓ ସଂସ୍କାରପ୍ରୟାସୀମନର ଅହଂକାର ଲାଗି ଯେତେବେଳେ ଅଧିକ ଭାବପ୍ରବଣ ହୋଇପଡ଼େ, ସ୍ୱୀୟ ଆତ୍ମ ପରୀକ୍ଷା ଓ ପରିବେଶ ବିଷୟରେ ତୀକ୍ଷ୍ମ ଦୃଷ୍ଟି ହରାଇ ବସେ, ସେତେବେଳେ ସେ କୁଆଁର ଗୋବିନ୍ଦଚନ୍ଦ୍ରଙ୍କ ଭଳି ପ୍ରାୟଶ୍ଚିତର କଠୋର ପରୀକ୍ଷା ଦେଇ ଗତି କରିବାକୁ ବାଧ୍ୟ ହୁଏ । ପରମ୍ପରା ଓ କୁସଂସ୍କାର ବିରୋଧ କରି ପ୍ରଗତିମାର୍ଗରେ ସମାଜର ପରିବର୍ତ୍ତନ ଆଣିବା କଦାପି ଭାବପ୍ରବଣ, ସରଳ ସହଜ ବିଶ୍ୱାସୀ, ବାସ୍ତବ ଦୃଷ୍ଟିହୀନ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ, ବରଂ ସମାଜ ଓ ତାର ସ୍ଥିତି ବିଷୟରେ ବାସ୍ତବ ଜ୍ଞାନ ବିଶିଷ୍ଟ ବୈଜ୍ଞାନିକ ଦ୍ୱାରା ସମ୍ଭବ । ଏହା ଥିଲା ଦ୍ରଷ୍ଟା ଫକୀରମୋହନଙ୍କର ଭବିଷ୍ୟତ ପ୍ରତି ନିର୍ଦ୍ଦେଶ ।

 

ଫକୀର ମୋହନଙ୍କ ଆଦର୍ଶବାଦ ମଧ୍ୟ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ । ସେ ପରମ୍ପରାବାଦୀ ଧର୍ମ ବିଶ୍ୱାସୀ ନ ଥିଲେ । ଧର୍ମ ଓ ଦେବବିଶ୍ୱାସକୁ ମଙ୍ଗରାଜଙ୍କ ଭଳି ବ୍ୟକ୍ତି କିପରି ଅତ୍ୟାଚାର ଓ ଅନ୍ୟାୟର ଅସ୍ତ୍ରରୂପେ ବ୍ୟବହାର କରି ପାରନ୍ତି, ତାହା ତାଙ୍କର ବାସ୍ତବ ଦୃଷ୍ଟିରେ ଧରା ଦେଇଛି । ତଥାପି ସେ ତାଙ୍କର ଚରିତ୍ର ଗୁଡ଼ିକୁ ଆପଣା କୁକର୍ମ ପାଇଁ ଉଚିତ ପରିଣାମ ଭୋଗାଇଛନ୍ତି । ଦୈବୀ ଘଟଣା, ବା ଆକସ୍ମିକ ଦୁର୍ଯୋଗ ଆଦି ଭିତରେ ନୁହେଁ, ଯଥା ସମ୍ଭବ ସ୍ୱାଭାବିକ ଘଟଣା ସମାବେଶରେ ସେ ଏହା କରିବାକୁ ସମର୍ଥ ହୋଇଛନ୍ତି । ତାଙ୍କର ଆଦର୍ଶବାଦ ଦୁଇଟି କଥାର ସୂଚନା ଦିଏ । ଫରାସୀ ସ୍ୱଭାବବାଦୀ ଔପନ୍ୟାସିକମାନଙ୍କ ଭଳି ଅନ୍ୟାୟ ଅତ୍ୟାଚାରର ପରିଣତି ପାଇଁ ହୁଏତ ଅନିର୍ଦ୍ଦିଷ୍ଟ ଭବିଷ୍ୟତ ଉପରେ ବିଶ୍ୱାସ କରି ପାରୁ ନ ଥିଲେ । ପୁଣି ଅନ୍ୟାୟ ବିରୋଧରେ ସଂହତ ପ୍ରତିରୋଧ ଭାବନାର ସାଫଲ୍ୟ ସେତେବେଳେ ସୁଦୂର ତର୍କର ସାମଗ୍ରୀ ଥିଲା-

 

(୬)

 

ଆଧିୁନିକ ସାହିତ୍ୟର ବିକାଶ–ଜାତୀୟତା ଯୁଗ

 

ଅଭ୍ୟୁଦୟ ଯୁଗ ପରେ ଆଧୁନିକ ସାହିତ୍ୟ ଜାତୀୟତାଯୁଗରେ ପଦାର୍ପଣ କଲା । ମୋଟାମୋଟି ଏହା ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଯୁଗ । ଏଇ ଯୁଗର ଆରମ୍ଭରୁ ଏକଥା ସ୍ପଷ୍ଟ ହୋଇ ଉଠିଲା ଯେ, ଭାରତବର୍ଷ ଆଉ ଯାହା କରୁନା କାହିଁକି ସେ ଇଉରୋପର ଅନୁକରଣ କରିବ ନାହିଁ । ଇଉରୋପ ଆକାଶରେ ଉଡ଼ିବାକୁ ଚାହିଁଲେ, ଭାରତ ତାର ବଳଦ ଗାଡ଼ିକୁ ହିଁ ଶ୍ରେୟ ମଣିଲା । ଇଉରୋପ ଆଗ୍ନେୟାଶାସ୍ତ୍ରର ସାଞ୍ଜୁ ପିନ୍ଧିବାକୁ ଗଲାବେଳେ ଭାରତ ଅହଂସାର ବକଳ ଧରିବାକୁ ଶୁଭ ଓ ଶିବ ମଣିଲା । ମୋଟ ଉପରେ ଇଉରୋପର ସମସ୍ତ ଭାବନା, ଚିନ୍ତା, ଜାତୀୟତାର ପରିକଳ୍ପନା, ସ୍ୱାଧୀନତାର ସାଧନା, ମାନବିକତାର ସ୍ୱପ୍ନ, ଯାହା କିଛି ଫରାସୀ ବିପ୍ଳବ ପରେ ଜନ୍ମଲାଭ କରିଥିଲା - ପ୍ରଥମ ବିଶ୍ୱଯୁଦ୍ଧରେ ତାହା ଏକ ପ୍ରକାର ସମାଧି ଲଭିଲା । ଇଉରୋପ ବୈଶ୍ୟଧର୍ମରେ ପାପାଚାରୀ ଓ କ୍ଷାତ୍ରଧର୍ମରେ ଉନ୍ମତ୍ତ ହୋଇ ଉଠିଲା । ଏହାକୁ କୌଣସି ପ୍ରକାରେ ଭାରତ ଗ୍ରହଣ କରିବା ଅସମ୍ଭବ ଥିଲା । ଏତେବେଳେ ଇଉରୋପ ପ୍ରତି ଭାରତର ମନୋବୃତ୍ତି ରବୀନ୍ଦ୍ରନାଥଙ୍କ ଭାଷାରେ ରୂପ ପାଇଛି । ପ୍ରଥମେ କିପରି ପରିସ୍ଥିତିରେ ଭାରତ ଇଉରୋପ ପ୍ରତି ଉନ୍ମୁଖ ହୋଇଥିଲା, ତାହା ବର୍ଣ୍ଣନା କରି ରବୀନ୍ଦ୍ରନାଥ ଲେଖିଛନ୍ତି - ‘‘ଏକଦା ଫରାସୀ ବିପ୍ଳବକୁ ଯେଉଁମାନେ କ୍ରମେ କ୍ରମେ ଆଗେଇ ନେଇ ଆସିଥିଲେ, ସେମାନେ ଥିଲେ ବୈଶ୍ୱମାନବିକ ଆଦର୍ଶ ପ୍ରତି ବିଶ୍ୱାସ ପରାୟଣ । ଧର୍ମ ହେଉ, ରାଜଶକ୍ତି ହେଉ, ଯାହା କିଛି କ୍ଷମତା ଲୁବଧ, ଯାହା ଯାହା କିଛି ମାନବ ମୁକ୍ତିର ଅନ୍ତରାୟ, ତା ବିରୋଧରେ ଥିଲା, ସେମାନଙ୍କର ଅଭିଯାନ । ସେଇ ବିଶ୍ୱକଲ୍ୟାଣ ଇଚ୍ଛାର ପାଣିପାଗରେ ଯେଉଁ ସାହିତ୍ୟ ବିକଶିତ ହୋଇଥିଲା, ସେ ମହତ୍ । ସେ ମୁକ୍ତଦ୍ୱାର ସାହିତ୍ୟ ସବୁଦେଶ, ସବୁ ସମୟର ମଣିଷ ଲାଗି । ସେ ଆଣିଥିଲା ଆଲୋକ, ସେ ଆଣିଥିଲା ଆଶା । ଇତି ମଧ୍ୟରେ ବିଜ୍ଞାନ ସାହାଯ୍ୟରେ ଇଉରୋପର ବିଷୟ ବୁଦ୍ଧି, ବୈଶ୍ୟଯୁଗର ଅବତାରଣା କଲା । ସ୍ୱଜାତି ଓ ପରଜାତିର ମର୍ମସ୍ଥଳ ବିଦୀର୍ଣ୍ଣ କରି ଧନ ସ୍ରୋତ ନାନା ପ୍ରଣାଳୀରେ ଇଉରୋପର ନବୋଦିତ ଧନିକମଣ୍ଡଳୀ ମଧ୍ୟରେ ସଞ୍ଚାରିତ ହେବାକୁ ଲାଗିଲା । ବିଷୟବୁଦ୍ଧି ସର୍ବତ୍ର, ସବୁ ଭାବରେ ଭେଦ ବୁଦ୍ଧି । ତାହା ଈର୍ଷାପରାୟଣ । ସ୍ୱାର୍ଥସାଧନର ବାହାନ ଯେଉଁମାନେ ସେଇମାନଙ୍କର ଈର୍ଷା, ସେଇମାନଙ୍କର ଭେଦନୀତି ଅନେକ ଦିନରୁ ଇଉରୋପର ଅନ୍ତରରେ ଗୁମୁରି ଉଠୁଥିଲା । ସେଇ ବୈନାଶିକ ଶକ୍ତି ହଠାତ୍ ସକଳ ବାଧା ବିଦୀର୍ଣ୍ଣ କରି ଆଗ୍ନେହ ସ୍ରାବରେ ଇଉରୋପକୁ ଭସାଇ ଦେଲା । ଏଇ ଯୁଦ୍ଧର ମୂଳରେ ଥିଲା ସମାଜ ଧ୍ୱଂସକାରୀ ରିପୁ; ଉଦାର ମନୁଷ୍ୟତ୍ୱ ପ୍ରତି ଅବିଶ୍ୱାସ । ସେଥିଲାଗି ଏ ଯୁଦ୍ଧର ଯାହା ଦାନ, ତାହା ଦାନବର ଦାନ । ତାର ବିଷ କୌଣସି ପ୍ରକାରେ ମରିବାକୁ ଚାହେଁ ନାହିଁ । ତାହା ଶାନ୍ତି ଆଣିଲା ନାହିଁ ।’’ (ସାହିତ୍ୟେ ଆଧୁନିକତା-ସାହିତ୍ୟେର ସ୍ୱରୂପ । ପୃ ୨୩ । ୨୪) । ଭାରତ କାହିଁକି ଏ ଅପଦାନ ଗ୍ରହଣ କରିବ, ଇଉରୋପର ଉଚ୍ଛିଷ୍ଟରେ ନିଜକୁ କୁତ୍ସିତ କରିବ ? ତେଣୁ ସେ ନୂଆ ପନ୍ଥା ଖୋଜିଲା । ଏତେବେଳେ ସମୁଦାୟ ମାନବିକତାର ଆକାଶରେ ଯେଉଁ ଶୁଭବୁଦ୍ଧିର ଉଦୟ ହୋଇଥିଲା - ତାକୁ ଆକର୍ଷଣ କରିବାକୁ ଭାରତର ପାଣିପାଗ ଅନୁକୂଳ ଥିଲା । ଏ ଭୂମିକା ମୂର୍ତ୍ତ ହୋଇଥାଏ ଗାନ୍ଧିଜୀଙ୍କ ଭିତରେ । ଏଇ ସମୟରେ ଜନ୍ ରସ୍କିନ୍ ନାମକ ଜଣେ ଇଂରେଜଧର୍ମ ପ୍ରଚାରକ ସୋକ୍ରେଟିସ୍‌ଙ୍କ ଦର୍ଶନ ଉପରେ ମାନବିକତାର ନୀତି ବ୍ୟାଖ୍ୟା କରି ‘‘ On to the last ’’ ନାମକ ପୁସ୍ତକ ଲେଖିଥିଲେ-। ତାହା ଗାନ୍ଧିଜୀଙ୍କୁ ଖୁବ୍ ଅନୁପ୍ରାଣିତ କରିଥିଲା । ଏହାକୁ ଭିତ୍ତି କରି ଗାନ୍ଧିଜୀ ତାଙ୍କର ‘‘ସର୍ବୋଦୟ’’ ଭାବନା ସିଦ୍ଧ କରିଥିଲେ । ଇଉରୋପକୁ ପ୍ରତ୍ୟାଖ୍ୟାନ କରିବାର ବାଣୀ ତାଙ୍କର ଏଇ ପୁସ୍ତକ ମୁଖବନ୍ଧରେ ପ୍ରକାଶ ପାଇଛି–‘‘ଆଜିକାଲି ଆମେ ପାଶ୍ଚାତ୍ୟ ଲୋକଙ୍କର ଖୁବ୍ ଅନୁକରଣ କରୁଛୁଁ । କେତେକ କଥାରେ ଏହା ଆମେ ଆବଶ୍ୟକ ମଣି ଥାଇଁ । କିନ୍ତୁ ଏଥିରେ ସନ୍ଦେହ ନାହିଁ ଯେ, ପଶ୍ଚିମର ବହୁତ ରୀତି ନୀତି ଖରାପ ଓ ଏହା ତ ସମସ୍ତେ ସ୍ୱୀକାର କରିବେ ଯେ, ଯାହା ଖରାପ ତା’ଠୁଁ ଦୂରରେ ରହିବା ଉଚିତ ।’’ ପୁଣି ଏଇ ବହିର ଉପସଂହାରରେ ଲେଖିଛନ୍ତି–‘‘ଆମେ ତରତର ହୋଇ ନ ବୁଝି ନ ବିଚାରି ପାଶ୍ଚାତ୍ୟ ଜାତିମାନଙ୍କର ଅନ୍ଧ ଅନୁକରଣ କଦାପି କରିବା ଉଚିତ ନୁହେଁ-। ......ଭାରତବାସୀ ସୁନା ଭଳି ଥିଲେ । ସେଥିଯୋଗୁଁ ଭାରତଭୂମି ଦିନେ ସ୍ୱର୍ଣ୍ଣଭୂମି ବୋଲାଉଥିଲା । ସେଇ ଭୂମି ତ ଅଛି, କିନ୍ତୁ ଲୋକେ ବଦଳି ଗଲେଣି । ସେଥିଯୋଗୁଁ ଏ ଭୂଇଁ ମରୁଭୂମି ଭଳି ହୋଇଗଲାଣି । .....ଆମକୁ ଯେଉଁ ପରଶମଣି ସୁନା କରିଦେବ ତାହା ଦୁଇଟି ଅକ୍ଷରରେ ଅଛି - ତାହା ‘‘ସତ୍ୟ’’ । ସେଥିଯୋଗୁଁ ଯଦି ପ୍ରତ୍ୟେକ ଭାରତବାସୀ ‘‘ସତ୍ୟ’’ ର ଆଗ୍ରହ ହିଁ କରିବେ ତେବେ ଭାରତକୁ ଘରେ ବସି ସ୍ୱରାଜ୍ୟ ମିଳିଯିବ ।’’

 

ଓଡ଼ିଆ ସାହିତ୍ୟରେ ଜାତୀୟତାର ଯୁଗ କଥା ଅବତାରଣା କଲାବେଳେ ରବୀନ୍ଦ୍ରନାଥ ଓ ଗାନ୍ଧିଜୀଙ୍କୁ ଯଥାସମ୍ଭବ ବିସ୍ତୃତ ଭାବେ ଉଦ୍ଧୃତ କରିବା ଏଥିପାଇଁ ଆବଶ୍ୟକ ଯେ; ଯେଉଁ ଭାରତ ଦୟାନନ୍ଦ, ବିବେକାନନ୍ଦ ଆଦି ସଂସ୍କାରଧର୍ମୀ ମହାପୁରୁଷଙ୍କ ମନରେ ଜନ୍ମଲାଭ କରିଥିଲା, ତାହା ବିକାଶ ପଥରେ ପ୍ରଥମ ପଦକ୍ଷେପ କଲା ଏଇ ଦୁଇ ମହାପୁରୁଷଙ୍କ ଜୀବନ ସାଧନାରେ । ଉତ୍କଳର ଜାତୀୟ ବିକାଶ ଥିଲା ଏଇ ମହାଭାରତୀୟ ବିକାଶ ଧାରାର ଅବିଭ୍ୟକ୍ତ ଅଙ୍ଗ । ଉତ୍କଳମଣି ଗୋପବନ୍ଧୁ ଥିଲେ ଏଇ ପଥର ଅଗ୍ରଦୂତ । ଯେଉଁ ସାହିତ୍ୟ ଓ ଭାବଧାରାର ପ୍ରଚାର ସେ ଉତ୍କଳରେ ଆରମ୍ଭ କଲେ, ସେଥିରେ ଗାନ୍ଧିଜୀଙ୍କ ସତୃଦୃଷ୍ଟି, ରବୀନ୍ଦ୍ରନାଥଙ୍କର ମୁକ୍ତ ମାନବିକତା ଓ ଶାଶ୍ୱତ ସୌନ୍ଦର୍ଯ୍ୟବୋଧ ସୁପ୍ରତିଷ୍ଠିତ ହୋଇଥିଲା । ଗୋପବନ୍ଧୁ ଓ ତାଙ୍କର ସମଧର୍ମୀମାନେ ଦେଶ ଓ ମାନବିକତା ପ୍ରତି ଥିଲେ ଏକାନ୍ତ ବିଶ୍ୱସ୍ତ । ସେତେବେଳେ ଭାରତୀୟ ତଥା ଉତ୍କଳୀୟର ଯାହା ଆଶା ଅଭିରୁଚି ତାହା ସାହିତ୍ୟରେ ଅଭିବ୍ୟକ୍ତି ହୋଇଥିଲା । ସାହିତ୍ୟ ଭିତରେ ଯାହା ଅବାଞ୍ଛନୀୟ ଆଡ଼ମ୍ବର ଓ ଅନୁକୃତି ଥିଲା - ତାହା ବିଦୂରିତ ହୋଇଥିଲା । ପୁଣ୍ୟାତ୍ମା ଗୋପବନ୍ଧୁ ବା ଗାନ୍ଧୀଙ୍କ ଖଦଡ଼ ପୋଷାକର ସରଳତାକୁ ସାହିତ୍ୟର ସରଳ ସାଜ ବଳି ପଡ଼ିଥିଲା । ଅସଂଖ୍ୟ ସାଧାରଣ ବାଣୀ କଥା କହିଥିଲେ । ସବୁପ୍ରକାର ଆଭିଜାତ୍ୟର ଭେକ ଛାଡ଼ି ସତ୍ୟାଗ୍ରହୀଙ୍କ ହାତଧରି ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ବାହାରର ନିରାଭରଣ ରୂପ ଆତ୍ମାର ସୌନ୍ଦର୍ଯ୍ୟରେ ସମତା ରକ୍ଷା କରିଥିଲା । ଏହି ସତ୍ୟସନ୍ଧି ସାହିତ୍ୟିକଙ୍କର ବାଣୀ ଥିଲା ହୃଦୟର ଓ ସାହିତ୍ୟ ଥିଲା ଜୀବନ ସାଧନାର ପ୍ରତିରୂପ । ଏଇ ଯୁଗର ବିପୁଳ ସାହିତ୍ୟରେ ପଲ୍ଲୀପ୍ରାଣତା, ସ୍ୱରାଜ୍ୟର ବାଣୀ, ମାନବ ହୃଦୟର ପରିବର୍ତ୍ତନ ଲାଗି ଆକୁଳ ଆକୁତି ଅତି ବଳିଷ୍ଠଭାବେ ପ୍ରକାଶିତ ହୋଇଛି । ସଂକ୍ଷେପରେ ଏ ଯୁଗର ସାହିତ୍ୟିକଙ୍କର କି ଆଦର୍ଶ ଥିଲା, ସାହିତ୍ୟର କି ଧର୍ମ ଥିଲା, ପରବର୍ତ୍ତୀ ଯୁଗ ପାଇଁ କି ବ୍ୟାପକ ଆଦର୍ଶର ଅବତାରଣା ଏମାନେ କରିଥିଲେ, ତାହା ଜାଣିବାକୁ ହେଲେ, ଉତ୍କଳମଣିଙ୍କ ସଂପାଦିତ ସତ୍ୟବାଦୀ ମାସିକ ପତ୍ରର ପ୍ରଥମ ସଂଖ୍ୟାରେ ପ୍ରକାଶିତ ତାଙ୍କ ନିମ୍ନ ଉକ୍ତି ପ୍ରତି ଅନୁଧ୍ୟାନ ଦେବା ଉଚିତ । ‘‘ଆମ୍ଭେମାନେ ଉତ୍କଳ ସେବାରେ ଭାରତ ସେବା ତଥା ବିଶ୍ୱସେବା କରିବୁଁ, ଉତ୍କଳ ଜାତିର ଉନ୍ନତିରେ ମାନବ ଜାତିର ଉନ୍ନତି ଦେଖିବୁଁ, ଉତ୍କଳ ପ୍ରାଣରେ ବିଶ୍ୱପ୍ରାଣ ଅନୁଭବ କରିବୁଁ, ଉତ୍କଳ ହୃଦତନ୍ତ୍ରୀରେ ବିଶ୍ୱମାନବ ହୃଦୟଗୀତି ଶୁଣିବୁ । ଉତ୍କଳ ଭୂମିକୁ ଏଇ ବିଶ୍ୱଭାବରେ ଅନୁପ୍ରାଣିତ କରି ଓଡ଼ିଆମାନଙ୍କ ଜାତୀୟଜୀବନ ଗଢ଼ିବାକୁ ହେଲେ ଓଡ଼ିଆଭାଷା ମୁଖରେ ବିଶ୍ୱଭାବରାଶିର ପ୍ରକାଶ କରେଇବାକୁ ହେବ । ଭିନ୍ନ ଦେଶ ଓ ପ୍ରଦେଶମାନଙ୍କରେ ବିଭିନ୍ନ ସମୟରେ ମାନବଚିନ୍ତା ଯେ ସମସ୍ତ ସତ୍ୟ ଆବିଷ୍କାର କରିଅଛି, ମାନବ ପ୍ରତିଭା ଯେଉଁ ଶୋଭାପଟଳ ପରିସ୍ଫୁଟ କରିଅଛି, ମାନବପ୍ରଜ୍ଞା ଯେଉଁ ଆଲୋକ ପାଇଅଛି, ମାନବ ଜୀବନ ଯେଉଁ ଉଚ୍ଚ ଆଦର୍ଶ ଦେଖାଇ ଅଛି, ସେ ସବୁକୁ ଓଡ଼ିଆସାହିତ୍ୟର ସମ୍ପଦୀଭୂତ କରିବାକୁ ହେବ । ଏହି ବିପୁଳ ଆୟୋଜନ ଲାଗି ଆମ୍ଭମାନଙ୍କର କି ଉପାଦାନ ଅଛି, ଆଦର୍ଶ ଅଛି, ଅତୀତ ଅଛି ?’’ ତାର ବିଶ୍ଳେଷଣ କରି ‘‘ଏଇ ମୂଳଧନ ସାହାଯ୍ୟରେ ଆମ୍ଭମାନଙ୍କୁ ନୂତନ ସଂପଦ ଅର୍ଜନ କରିବାକୁ ହେବ, ନୂତନ ଶକ୍ତି ସଂଗ୍ରହ କରିବାକୁ ହେବ । ଆଦର୍ଶର ଉଦାରତା ପ୍ରତି ଲକ୍ଷ୍ୟ ରଖି, ଅତୀତର ଇତିହାସ ସାହାଯ୍ୟରେ ଓଡ଼ିଶାର ବର୍ତ୍ତମାନ ଆଶା ଅଭିପ୍ରାୟ, ଅଭାବ ଓ ଅଭିରୁଚି ବ୍ୟାଖ୍ୟା କରିବାକୁ ହେବ ଏବଂ ମାନବ ଜଗତର ସମୂହଚିନ୍ତାଦ୍ୱାରା ସେ ସବୁକୁ ପରିବର୍ଦ୍ଧିତ ଓ ପରିମାର୍ଜିତ କରି ଭବିଷ୍ୟତ ଗଠନର ପ୍ରୟାସ କରିବାକୁ ହେବ ।’’

 

(୭)

 

ଆଧୁନିକ ସାହିତ୍ୟର ପରିଣତି–ଆନ୍ତର୍ଜାତୀୟ ଯୁଗ

 

ଜାତୀୟତାର ଯୁଗ ପରେ ଆନ୍ତର୍ଜାତୀୟ ଯୁଗ । ଏ ଆମର ଚଳନ୍ତି ଯୁଗ । ବିଜ୍ଞାନ, ମନସ୍ତତ୍ୱ, ରାଜନୀତି ଓ ସମାଜନୀତି ଆଦିର କେତେକ ଭାବଧାରା ଏ ଯୁଗର ଗ୍ଲୋବମାଷ୍ଟାରର ଡ଼େଣା ତଳେ ଏପରି ଦ୍ରୁତଗତିରେ ଉଡ଼ି ବୁଲୁଚି ଯେ, ତାହା ବିଶ୍ୱର ପ୍ରତି କୋଣ ଅନୁକୋଣରେ ବ୍ୟାପ୍ତ ହୋଇ ପଡ଼ିଛି । ଯେତେ ଅସ୍ପଷ୍ଟ ଓ ଆଂଶିକ ହେଲେ ବି ଓଡ଼ିଆ ସାହିତ୍ୟକୁ ଏଇ ଭାବଧାରାମାନ କେବଳ ସ୍ପର୍ଶ କରି ନାହିଁ, ତାର ନିସ୍ତରଙ୍ଗ ଚତ୍ୱର ଭିତରେ ଝଡ଼ ତୋଳିଛି । ତାର ସମୁଦାୟ ଭିତ୍ତିଭୂମିକୁ ଆନ୍ଦୋଳିତ କରି ଦେଇଛି । ତେବେ ଏ ଝଡ଼ର ସଂଘାତରେ କେଉଁ ପରିଣତି ଦିଗରେ ଆମ ସାହିତ୍ୟ ଗତି କରିବ, ତାହା ସଂପୂର୍ଣ୍ଣ ନିରୂପଣ କରିବା ସମ୍ଭବ ନୁହେଁ । ତେଣୁ ଏଠାରେ ଏଇ ପରିଣତି ପ୍ରତି ବେଶୀ ନଜର ନ ଦେଇ, ଏଇ ନୂତନ ଭିତ୍ତିଭୂମିକୁ ଟିକିଏ ସ୍ପଷ୍ଟ କରିଦେବା ଆବଶ୍ୟକ । ମୂଳଦୁଆରୁ ଅସମାପ୍ତ ସୌଧର କଳନା କରାଯାଏ । ସୁତରାଂ ଏହା ଦ୍ୱାରା ସମଗ୍ର ଭାବେ ଏଇ ସାହିତ୍ୟର ଏକ ସ୍ଥୂଳ ଧାରଣା କରିବା କଠିନ୍ ହେବ ନାହିଁ ।

 

ବିଜ୍ଞାନ ଓ ସାହିତ୍ୟ

 

ଏ ଯୁଗରେ କେତେକ ମନେ କରନ୍ତି, ଏହା ରାଜନୀତିର ଯୁଗ । କିନ୍ତୁ ପ୍ରକୃତରେ ଏହା ବିଜ୍ଞାନର ଯୁଗ । ଲେବୋରେଟରୀର ପରୀକ୍ଷା ଭିତରୁ ଯେଉଁ ତଥ୍ୟ ଜନ୍ମ ନେଉଛି - ତାହା ଆମର ଚିନ୍ତାଧାରାକୁ ରୂପ ଦେଉଛି । ଦର୍ଶନ ସୃଷ୍ଟି କରୁଅଛି । ସମାଜ ଓ ମାନବ ଜୀବନକୁ ଦେଖିବାର ଭଙ୍ଗି ବିଜ୍ଞାନ ଏକ ପ୍ରକାର ପରିବର୍ତ୍ତନ କରି ଚାଲିଅଛି । ତେଣୁ ସାହିତ୍ୟିକ ରୂପସୃଷ୍ଟିର ରୂପଗତ, ଉପଗତ ଓ ମର୍ମଗତ ପରିଣତି ଉପରେ ତାର ପ୍ରଭାବ ଅବିସମ୍ବାଦିତ ହୋଇ ଉଠିବା ସ୍ୱାଭାବିକ । ପ୍ରାକୃତିକ ବିଜ୍ଞାନର ଯେଉଁ ସତ୍ୟ ସାହିତ୍ୟରେ ପ୍ରତିଷ୍ଠିତ ହୋଇ ଉଠୁଛି, ସେଥିର ମୁଖ୍ୟ କଥା ହେଉଛି– (୧) ‘‘ଆମର ଚତୁର୍ଦ୍ଦିଗସ୍ଥ ବହିର୍ବିଶ୍ୱର ବାସ୍ତବ ସ୍ଥିତି ବିଷୟରେ ବିଶ୍ୱାସ । ପୁଣି ବିଜ୍ଞାନ ପ୍ରତିପାଦନ କରେ - ଆମର ଚଉପାଶର ପ୍ରକୃତି ସତତ ଗତିଶୀଳ, ପରିବର୍ତ୍ତମାନ ଏବଂ ବିକାଶୋନ୍ମୁଖୀ । ପ୍ରକୃତିର ଏଇ ଗତି, ପରିବର୍ତ୍ତନ ଓ ବିକାଶ କେତେକ ନିର୍ଦ୍ଦିଷ୍ଟ ନିୟମର ଅଧୀନ । ଏଥିରେ କୌଣସି ରହସ୍ୟ, ଐନ୍ଦ୍ରଜାଲିକ ପ୍ରଭାବ ବା ଗୋପନ ଶକ୍ତିର ଅଦୃଶ୍ୟ ହସ୍ତ ନିହିତ ନାହିଁ । ମଣିଷ ଯଦି ଏଇ ନିୟମମାନ ଅନୁଧ୍ୟାନ କରି ପାରେ, ତେବେ ସେ ପ୍ରକୃତିକୁ ପ୍ରଭାବିତ କରି ପାରିବ ଓ ଆପଣାର ମଙ୍ଗଳ ପାଇଁ ପ୍ରକୃତିର ଶକ୍ତିକୁ ନିୟୋଜିତ କରି ପାରିବ’’ । ଆଗ ଯୁଗରେ ସାହିତ୍ୟ ଓ ଦର୍ଶନ ମାନବ ଭିତରେ ଆତ୍ମାର କଳନା କରୁଥିଲା । ଆଜିର ଚିନ୍ତାଧାରା ମଣିଷ ଭିତରେ ଆତ୍ମା ଭଳି କୌଣସି ଏକ ରହସ୍ୟମୟ ବସ୍ତୁର କଳ୍ପନାକରି ସନ୍ତୁଷ୍ଟ ହୋଇ ପାରେ ନାହିଁ । ସେ ଆବିଷ୍କାର କରେ ଜୀବକୋଷ (Chromosomes) । ଜୀବକୋଷର ବଂଶାନୁକ୍ରମ ସିଦ୍ଧାନ୍ତ (Jene theory) ଅନୁସାରେ ସେ ମଣିଷ ତଥା ଜୀବଜଗତର ଅନ୍ତରଙ୍ଗ ବୁଝିବାକୁ ଉଦ୍ୟମ କରେ । ଏଇ ସିଦ୍ଧାନ୍ତ ଅନୁସାରେ ଜେନ୍ ବୋଲି ପରିଚିତ କେତେକ ସୂକ୍ଷ୍ମଅଂଶ (Particle) ର ସମଷ୍ଟି ବଂଶାନୁକ୍ରମର ଉପାଦାନ ବିଶେଷରୂପେ ଜୀବକୋଷ ଭିତରେ ଅବସ୍ଥାନ କରେ । ଏଇ ଜେନ୍ ସ୍ୱୟମ୍ଭୁ । ନ୍ୟଷ୍ଟି ଭିତରେ ବଂଶାନୁକ୍ରମିକ ପ୍ରାର୍ଥକ୍ୟ ଏଇ ଜେନ୍‌ଗତ ପାର୍ଥକ୍ୟ ଅନୁସାରେ ନିର୍ଦ୍ଧାରିତ । ଜୀବ ଦେହରେ ଏଇ ବଂଶାନୁକ୍ରମର ପ୍ରକୃତି ଅନୁଧ୍ୟାନ କରି ଋଷ ବୈଜ୍ଞାନିକ ମିଚୁରିନ୍ ଏକ ବିଶେଷ ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ବର୍ତ୍ତମାନ ସମସ୍ତ ଚିନ୍ତାଧାରାରେ ତାହା ଏକ ପ୍ରକାର ଆଲୋଡ଼ନ ସୃଷ୍ଟି କରିଛି । ପ୍ରଥମେ ପ୍ରକୃତିବାଦୀମାନେ ମନେ କରୁଥିଲେ (Mendal morganist matto ଅନୁସାରେ) ପ୍ରକୃତିଠାରୁ ସୁଯୋଗ ମଣିଷ ବଳପୂର୍ବକ ଦାବୀକରି ପାରିବ ନାହିଁ, ସେଥିଲାଗି ତାକୁ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ମିଚୂରିନ୍‌ଙ୍କ ଉଦ୍‌ଭାବନ ପ୍ରମାଣ କଲା, ପ୍ରକୃତିର ଦାନ ପାଇଁ ଅପେକ୍ଷା କରିବା ସ୍ପୃହଣୀୟ ନୁହେଁ । ପ୍ରକୃତିକୁ ପ୍ରୟୋଜନରେ ଆଣିବା ପାଇଁ ମଣିଷର କ୍ଷମତା ଅସୀମ । ଏହାକୁ ବୈଜ୍ଞାନିକ ଜେମସ୍ ଫାଇଫ୍ ବ୍ୟାଖ୍ୟା କରି କହିଛନ୍ତି - ଜୀବର ବିକାଶରେ ଜୀବ ଓ ତାର ପରିବେଶର ସମବାୟ (ସଂଘର୍ଷ ନୁହେଁ) ହଁ ବଡ଼କଥା । ଜୀବ ବିଜ୍ଞାନର ଏଇ ସମବାୟର ସାର ମର୍ମ ହେଉଛି - ଜୀବ ତାର ବଂଶାନୁକ୍ରମ ସହିତ ନିଜକୁ ନିଜେ ହିଁ ନିର୍ମାଣ କରେ (୨) । ଜୀବ ବିଜ୍ଞାନର ପ୍ରଭାବ ଆମ ସାହିତ୍ୟକୁ ବିଶ୍ଳେଷଣ କଲେ ଯେ, ନ ମିଳିବ ନୁହେଁ । ଆଲ୍‌ଡ଼ୁଆସ ହକ୍‌ସଲେ (Aldous Huxley) ଜୀବବିଜ୍ଞାନର ସିଦ୍ଧାନ୍ତ ଅନୁସରଣରେ ସାର୍ଥକ ସାହିତ୍ୟ ସୃଷ୍ଟି କରିଛନ୍ତି । ଏଇ ପ୍ରଭାବର ଗଭୀର ଇଙ୍ଗିତ ଦିଏ ତାଙ୍କର ଗୋଟିଏ ଉକ୍ତି–‘‘ଆମ ମନ ଶରୀରର ଖେଳନା ଏବଂ ଶରୀର ପରିବେଶର ।’’

 

ସାହିତ୍ୟରେ ମନୋବିଜ୍ଞାନ

 

ବର୍ତ୍ତମାନ ଯଦି ମନୋବିଜ୍ଞାନକୁ ବାଦ୍ ଦିଆଯାଏ, ତେବେ ଆଧୁନିକ ସାହତ୍ୟର ଅନେକ କିଛି ଅବୋଧ୍ୟ ରହିଯିବ । ଏବେ ବିଶେଷ ଭାବରେ ଔପନ୍ୟାସିକମାନଙ୍କ ଉପରେ ଆକ୍ଷେପ କରାଯାଇଥାଏ, ସେମାନେ ପୂର୍ବଭଳି ସ୍ମରଣଯୋଗ୍ୟ କୌଣସି ଚରିତ୍ର ସୃଷ୍ଟି କରିପାରୁ ନାହାନ୍ତି । ପ୍ରକୃତରେ ଏହାର କାରଣ ମନୋବିଜ୍ଞାନ ଭିତରେ ଖୋଜିବାକୁ ହେବ । ଆଗେ ଔପନ୍ୟାସିକଙ୍କର ବଡ଼ ଉପାଦାନ ଥିଲା ଚରିତ୍ର । ବଙ୍ଗଳାର ପ୍ରଖ୍ୟାତ ଉପନ୍ୟାସକାର ବଙ୍କିମଚନ୍ଦ୍ର ଥରେ କହିଥିଲେ - ‘‘ତାଙ୍କ ମାନସ ଚକ୍ଷୁରେ ଯେତେବେଳେ କେତୋଟି ଚରିତ୍ର ଜୀବନ୍ତ ହୋଇ ଉଠନ୍ତି, ସେତେବେଳେ ତାଙ୍କୁ ଉପନ୍ୟାସ ପାଇଁ ଆଉ କୌଣସି ଉପାଦାନ ଅଭାବ ପଡ଼େ ନାହିଁ ’’ । ଫକୀର ମୋହନଙ୍କ ଉପନ୍ୟାସଗୁଡ଼ିକ ବି ଏଇ ଭଳି ଚରିତ୍ରକୈନ୍ଦ୍ରିକ । ଏଇ ଔପନ୍ୟାସିକମାନେ ସଦୟତା, ସ୍ତ୍ରୈଣତା, କୋପନଶୀଳତା ଆଦି କୌଣସି ବିଶେଷ ଗୁଣ ଚରିତ୍ରରେ ଆରୋପ କରୁଥିଲେ ଏବଂ ସେଇ ଚରିତ୍ରଟିର ସମୁଦାୟ କ୍ରିୟାକଳାପ ଏହି ଦିଗରେ ଚାଳିତ ହେଉଥିବାର ବର୍ଣ୍ଣନା କରି ଚରିତ୍ରଟିକୁ ପାଠକ ଆଗରେ ଖୁବ୍ ସ୍ମରଣୀୟ କରି ପାରୁଥିଲେ । ଆଜି ଏ ରୀତି ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହନ୍ତି । ଚରିତ୍ରରେ ଏ ଦୃଷ୍ଟିକୋଣ ଏକାନ୍ତ ଅବାସ୍ତବ ବୋଲି ମନସ୍ତତ୍ୱ ପ୍ରତିପାଦନ କରେ । ସାହିତ୍ୟ ଉପରେ ମନସ୍ତତ୍ୱର ଆକ୍ରମଣ ଶୀର୍ଷକ ଏକ ଆଲୋଚନାରେ ଭିକ୍‌ଟୋରିଆ ଓ ଏଡ଼ଓ୍ୟାର୍ଡ଼ଯୁଗର ଇଂରେଜୀ ଉପନ୍ୟାସର ଦୃଷ୍ଟାନ୍ତରେ ସି.ଇ. ଏମ୍. ଜୋଡ଼ ଏକଥା ସ୍ପଷ୍ଟ କରି ଦେଇଛନ୍ତି । ଏଠାରେ ଗୋଟିଏ ସ୍ଥଳରେ ସେ କହିଛନ୍ତି - ‘‘ବ୍ୟକ୍ତିର ବ୍ୟକ୍ତିତ୍ୱ ବୋଲି କିଛି ନାହିଁ । ଜଣେ ବ୍ୟକ୍ତି ହେଉଛି କେତେକ ଭାସମାନ ବ୍ୟକ୍ତିତ୍ୱର ସମାହାର । ଏଗୁଡ଼ିକ ପ୍ରତ୍ୟେକ ଗୋଟିଏ ଗୋଟିଏ ବିଶେଷ ମାନସିକ ମୁହୂର୍ତ୍ତରେ ତା’ ଉପରେ ସୁଆର ହୁଅନ୍ତି ।’’ ବ୍ୟକ୍ତିତ୍ୱର ଅସ୍ୱୀକାର ସହିତ, ବ୍ୟକ୍ତିମନର ବିଶିଷ୍ଟ ଗଠନକୁ ବି ସେ ଅସ୍ୱୀକାର କରିଛନ୍ତି । ବିଶେଷତଃ ଯୌନ ଜୀବନ ଘେନି ପୂର୍ବେ ଯେପରି, କେତେକଙ୍କୁ ଏକାବେଳକେ ସଂଯମୀ ଓ ସାଧୁ ଏବଂ କେତେକଙ୍କୁ ସ୍ତ୍ରୈଣ ଓ ଦୁରାଚାରୀ ବୋଲି ଧରା ଯାଉଥିଲା, ଏହା ମନସ୍ତତ୍ୱ ଅନୁସାରେ ଏକାନ୍ତ ଅମୂଳକ ବୋଲି ପ୍ରତିପାଦିତ ହୋଇଛି । ପୁଣି ଜୋଡ଼ଙ୍କ ଭାଷାରେ କହିଲେ - ‘‘ବସ୍ତୁତ କାର୍ଯ୍ୟବ୍ୟସ୍ତ ପୁରୁଷ ମନକୁ କେତେବେଳେ ନାରୀ ଭାବନା ସଂପୂର୍ଣ୍ଣ ଅଧିକାର କରେ, ପୁଣି କେତେବେଳେ ଏକାନ୍ତ ପରିତ୍ୟକ୍ତ ଅପ୍ରୟୋଜନୀୟ ବସ୍ତୁଭଳି ତାହା ମନରୁ ବିସ୍ମୃତ ହୋଇ ଯାଏ । (୩)

 

ମାର୍କସବାଦ ଓ ପ୍ରଗତି ସାହିତ୍ୟ

 

ବିଜ୍ଞାନ ଓ ମନସ୍ତତ୍ୱ ଭଳି ମାର୍କସ୍‌ବାଦ ଏ ଯୁଗର ସାହିତ୍ୟ ସୃଷ୍ଟି ସହିତ ବିଶେଷ ଭାବରେ ଜଡ଼ିତ । ଏ ଦର୍ଶନର ଜନ୍ମ ଶହେ ବର୍ଷରୁ ଅଧିକ ନୁହେଁ । ଏହା ଏ ଯୁଗର ସାହିତ୍ୟ ଉପରେ କେବଳ ପ୍ରଭାବ ବିସ୍ତାର କରି ନାହିଁ; ବରଂ ବିଶ୍ୱସାହିତ୍ୟର ବହୁ ଶ୍ରେଷ୍ଠ ପ୍ରତିଭାର ଲାଳନ କରିଛି । ଏ ଯୁଗର ଦୁଇଜଣ ଶ୍ରେଷ୍ଠ ମନୀଷୀ ଶ ଓ ରଲାଁ ନିଜ ବାଟରେ ସାମ୍ୟବାଦର ବଡ଼ ଭକ୍ତ ଥିଲେ । ଆମ ଦେଶରେ ପ୍ରବୀଣ ବୟସରେ ରବୀନ୍ଦ୍ରନାଥ ହୃଦୟର ଗଭୀର ଶ୍ରଦ୍ଧା ଏହା ଉପରେ ଅଜାଡ଼ି ଦେଇଥିଲେ । ତଥାପି ଭାରତୀୟ ଜୀବନ ଓ ସାହିତ୍ୟ ସହିତ ମାର୍କ୍‌ସୀୟ ଦର୍ଶନର ଯୋଗ ବଡ଼ ଅର୍ବାଚୀନ । ଭାରତୀୟ ରାଜନୀତିରେ ୧୯୩୪ ମସିହାରେ ଗଠିତ କଂଗ୍ରେସ ସାମ୍ୟବାଦୀ ଦଳ ଏ ଦର୍ଶନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସାହିତ୍ୟ କ୍ଷେତ୍ରରେ ଏହାର ବ୍ୟାପକ ବିନିଯୋଗ ପାଇଁ ବୋଧହୁଏ ବିଖ୍ୟାତ ଉର୍ଦ୍ଦୁ ଓ ହିନ୍ଦୀ ସାହିତ୍ୟିକ ପ୍ରେମଚାନ୍ଦ ପ୍ରଥମ ପ୍ରୟାସ କରିଥିଲେ । ତାଙ୍କ ନେତୃତ୍ୱରେ ୧୯୩୬ ମସିହାରେ ପ୍ରଥମେ ‘‘ପ୍ରଗତିଶୀଳ ଲେଖକ ସଂଘ’’ ଗଢ଼ା ଯାଇଥିଲା । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହିନ୍ଦୀ ମାସିକ ‘‘ହଂସ’’ ପରେ ଏହାର ମୁଖପତ୍ର ହୋଇ ପଡ଼ିଥିଲା-। (୪) ଏଇ ସମୟରୁ ଭାରତର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟକୁ ଏହା ନାନା ଭାବରେ ପ୍ରଭାବିତ କରିଅଛି । ଏହାର ସମୁଦାୟ ଇତିହାସ ଏଠାରେ ଦେବା କଠିନ । ପୁଣି ଏ ଦର୍ଶନର ସମର୍ଥକଙ୍କ ଭିତରେ ଯେଉଁ ଭିନ୍ନମତମାନ ଦେଖାଯାଏ ତାର ବିଶ୍ଳେଷଣର ଅବସର ଏଠି ନାହିଁ । ତେବେ ଯେଉଁ କେତୋଟି ବିଷୟରେ ଏମାନେ ସମସ୍ତେ ଏକମତ–ତାହା ଏଠାରେ ଉଲ୍ଲେଖ କଲେ ଯଥେଷ୍ଟ ହେବ-

 

ବିଜ୍ଞାନର ସୂତ୍ର ଅନୁସାରେ ମାର୍କସ୍ ପ୍ରଥମେ ସମୁଦାୟ ମାନବର ଇତିହାସକୁ ବ୍ୟାଖ୍ୟା କରି, ମାନବ ଲାଗି ଏକ ସୁଖୀ ସମୃଦ୍ଧ, ନ୍ୟାୟ ଓ ସାମ୍ୟର ଆଦର୍ଶ ଉପରେ ପ୍ରତିଷ୍ଠିତ ସମାଜର ପରିକଳ୍ପନା କରିଥିଲେ । ଏଇ ବ୍ୟାଖ୍ୟା ଅନୁସାରେ–ସଂସାରର ସ୍ୱରୂପ ଭୌତିକ । କୌଣସି ଚେତନ ସର୍ବସମର୍ଥ ସତ୍ତାର ଏହା ବିବର୍ତ୍ତନ ବା ପରିଣାମ ନୁହେଁ । ଏହାର ସବୁ ଅବସ୍ଥାର ବ୍ୟାଖ୍ୟା ସମ୍ଭବ । ଏଥିରେ କୌଣସି ରହସ୍ୟର ଇଙ୍ଗିତ ନାହିଁ । ସମୁଦାୟ ମାନବ ସମାଜ ଗୋଟିଏ ବିକାଶଶୀଳ ସଂସ୍ଥା । ଆର୍ଥିକ ଗଢ଼ଣ ବା ବିଧାନ ଅନୁସାରେ ଏହି ସମାଜ ନିଜ ରୂପ ପରିବର୍ତ୍ତନ କରିଚାଲିଛି । ଶ୍ରେଣୀହୀନ ସମାଜ ହିଁ ଏହା ଆଗରେ ଚରମ ଆଦର୍ଶ ଏବଂ ସାହିତ୍ୟ ଏହାର ଏକ ସାଧନ । ମାର୍କସ୍‌ବାଦୀମାନେ ପ୍ରଚଳିତ କେତେକ ଭାବଧାରାର ଏକାନ୍ତ ବିରୋଧ କରିଥାନ୍ତି । ଯେଉଁମାନେ ପୁନରୁତଥାନ୍‌ବାଦୀ, ବା କାଳ୍ପନିକ ଅତୀତର ଗୌରବ ଘେନି ତନ୍ମୟ ଥାଆନ୍ତି, ସେମାନଙ୍କୁ ପ୍ରଥମେ ଅସ୍ୱୀକାର କରନ୍ତି । କୌଣସି ପ୍ରକାର ରହସ୍ୟବାଦରେ ଏମାନେ ବିଶ୍ୱାସ କରନ୍ତି ନାହିଁ । ଯୌନ ବାସନା ଭିତରେ ଜୀବନର ସମଗ୍ରରୂପ ଯେଉଁମାନେ ଦେଖନ୍ତି, ବା ଜୀବନ ସଂଘର୍ଷ ପ୍ରତି ଅବହିତ ନ ହୋଇ ମନୋବିଜ୍ଞାନର ଛତ୍ରଛାୟା ତଳେ ଯେଉଁମାନେ ଆଦର୍ଶ ଖୋଜିବାରେ ବ୍ୟସ୍ତ, ସେମାନଙ୍କୁ ସର୍ବଦା ବିରୋଧ କରିବା ପ୍ରଗତିବାଦୀମାନଙ୍କର ସବୁଠାରୁ ବଡ଼ କାମ । କାରଣ, ଏମାନେ ବିଜ୍ଞାନ ନାମରେ ଏକ ପ୍ରକାର ଛଳନା କରି ହେତୁବାଦୀଙ୍କ ମସ୍ତିଷ୍କକୁ ବିଷାକ୍ତ କରି ଦିଅନ୍ତି ।

 

ଅତି ଅଳ୍ପଦିନ ମଧ୍ୟରେ ସାମ୍ୟବାଦୀ ଭାବନାରେ ଉଦ୍‌ବୁଦ୍ଧ ହୋଇ ଓଡ଼ିଆ ଲେଖକମାନେ ବହୁ ଉନ୍ନତ ରଚନାରେ ହାତ ଦେଇଛନ୍ତି । ବହୁଭାବରେ ସେମାନେ ଏ ଦିଗରେ ସଫଳ ହୋଇଥିଲେ ମଧ୍ୟ, ଭବିଷ୍ୟତରେ ଆହୁରି ସଫଳତର ସିଦ୍ଧିର ପ୍ରତ୍ୟାଶା ସେମାନଙ୍କଠାରୁ କରାଯାଉଅଛି । ଆମର ଗଣଜୀବନର ସଂଘର୍ଷ ଓ ବିକାଶର ନିପୁଣ ଶିଳ୍ପୀରୂପେ ଏମାନଙ୍କର ଭବିଷ୍ୟତ ଗୌରବାବହ । ଆମ ସାହିତ୍ୟ ଉପରେ ଏ ପ୍ରଭାବକୁ ସ୍ୱୀକୃତି ଜଣାଇ କାଳିନ୍ଦୀ ଚରଣ ଯଥେଷ୍ଟ ଇଙ୍ଗିତପୂର୍ଣ୍ଣ ଅଥଚ ସ୍ପଷ୍ଟ ଭାଷାରେ କହିଛନ୍ତି - ‘‘ଉତ୍କଟ ଶ୍ରେଣୀଭେଦ ଓ ଶ୍ରେଣୀ ସଂଘର୍ଷ ପ୍ରଭାବ ସାହିତ୍ୟ କ୍ଷେତ୍ରରେ ସ୍ୱଦେଶୀ ବିଦେଶୀ ମନୋଭାବକୁ ଦୂର କରି ଦେଇଛି । ଜାତିବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜର ସୁଖ ଦୁଃଖ କିମ୍ବା ରାଜନୈତିକ ବା ଅର୍ଥନୈତିକ ସମସ୍ୟାଗୁଡ଼ିକ ସମାନରୂପେ ଅନୁଭବ କରିବାର ପ୍ରବୃତ୍ତି ସାହିତ୍ୟ କ୍ଷେତ୍ରରେ ମଧ୍ୟ ସୁସ୍ପଷ୍ଟ ।’’

 

(୮)

 

ଆନ୍ତର୍ଜାତୀୟ ସାହିତ୍ୟର ପ୍ରତିକ୍ରିୟା ଓ ଭବିଷ୍ୟତ–

 

ଜୀବନ ଓ ଚିନ୍ତାଧାରା ଉପରେ ଏଇ ନବଜାତ ସାହିତ୍ୟର ପ୍ରଭାବ ଯେତେ ଗଭୀର ହୋଇ ଉଠୁଛି, ତାହା ବିରୋଧରେ ପ୍ରତିକ୍ରିୟା ବି ସେତେ ପ୍ରବଳ ହୋଇ ଉଠୁଅଛି । ଅଭିଯୋଗର ମୂଳକଥା ହେଉଛି - ଜୀବନରେ ପରିମିତ ଓ ସଂଯମ ଯେପରି ସ୍ୱାସ୍ଥ୍ୟ ଆନୟନ କରେ, ସାହିତ୍ୟରେ ମଧ୍ୟ ସେହିଭଳି ସ୍ୱାସ୍ଥ୍ୟ ସଂଚାର କରାଏ । ରସବାଦୀମାନଙ୍କ ମତରେ ଏଇ ନୂତନ ସାହିତ୍ୟ ପରିମିତ ପ୍ରତି ସଦା ଜାଗ୍ରତ ରହୁ ନାହିଁ । ଅନେକ ସମୟରେ ପରିମିତିର ସୀମା ଲଘଂନ କରି ବିଜ୍ଞାନ, ମନସ୍ତତ୍ୱ ଆଦିର ସୂତ୍ର ଅବଲମ୍ବନ କରି ଏତେ ଦୂରକୁ ଗତି କରୁଛି ଯେ, ସାଧାରଣରେ ତାହା ଅବୋଧ୍ୟ ହୋଇ ପଡ଼ୁଛି । ଲେଖକମାନେ ଯେପରି ମୂଳରୁଚୂଳ ପର୍ଯ୍ୟନ୍ତ ପାଠକର ଧୈର୍ଯ୍ୟକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି । ଏଭଳି ସମାଲୋଚନାରେ ଅବଶ୍ୟ ଏ ଯୁଗର ଲେଖକ ଦବି ଯିବାର ପାତ୍ର ନୁହେଁ । କାରଣ ସେ ଭଲଭାବରେ ବୁଝିଛି; ପରିମିତି ଭିତରେ ଥାଇ କେବଳ ରୂପ ସୃଷ୍ଟି କରାଯାଇ ପାରେ, କିନ୍ତୁ ପରିମିତିର ବହାରକୁ ନ ଗଲେ ସ୍ୱତନ୍ତ୍ର ଜଗତ ସୃଷ୍ଟି କରି ହେବ ନାହିଁ । ମଧ୍ୟଯୁଗରେ ଧର୍ମ ଓ ଈଶ୍ୱରଙ୍କୁ ଘେନି ଯେଉଁ ସବୁ ଭାବଧାରା ପ୍ରକାଶ ପାଇଥିଲା - ତାର ଅନୁସରଣରେ ସୀମାଲଙ୍ଘନର ଦୃଷ୍ଟାନ୍ତ ସେ ଯୁଗର ସାହିତ୍ୟିକମାନେ ରଖିଯାଇଛନ୍ତି । ଏ ବିଜ୍ଞାନର ଯୁଗ । ଏହା ସହିତ ସମଗ୍ର ମାନବସମାଜର ଭାଗ୍ୟ ଜଡ଼ିତ । ବିଜ୍ଞାନର ସୂତ୍ର ଅବଲମ୍ବନରେ ସୀମା ଲଙ୍ଘନ କରିବାକୁ ଏ ଯୁଗର ସାହିତ୍ୟିକ ସଂକୋଚ ପ୍ରକାଶ କରିବ କାହିଁକି ? ତା’ଛଡ଼ା ଏ ସଂଘର୍ଷପ୍ରବଣ ଦୁନିଆର ସମ୍ମୁଖୀନ ହେବାକୁ ଚାହୁଁଥିବା ପାଠକମାନଙ୍କର ଉପଯୁକ୍ତ ମାନସିକ ବ୍ୟାୟାମ ଲାଗି ଉପାଦାନ ଯୋଗାଇବାର କର୍ତ୍ତବ୍ୟବୋଧ ଏ ଯୁଗର ଲେଖକଠାରେ ଥିବା ବାଞ୍ଛନୀୟ ।

 

ଏହି ପ୍ରସଙ୍ଗରେ ଆଉ ଗୋଟିଏ କଥା ମନେ ରଖିବାକୁ ହେବ- ଏ ସାହିତ୍ୟର ଗତି ସବୁବେଳେ ଗୋଟିଏ ଅଜ୍ଞାତ ରାଜ୍ୟକୁ ଦଳପତିହୀନ ବାହିନୀର ଗତି ଭଳି । ଏଥିପାଇଁ ତଟସ୍ଥ ଦ୍ରଷ୍ଟା ନ ହୋଇ ଯେଉଁମାନେ ସାହିତ୍ୟ ଜଗତ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ସେମାନଙ୍କ ଭିତରେ ସଂଶୟ ଏ ମତପାର୍ଥକ୍ୟର ଅନ୍ତ ନାହିଁ । ‘‘ସଂଶୟାତ୍ମା ବିନଶ୍ୟତି’’–ଏହା ଆଧୁନିକ ସାହିତ୍ୟର ବଡ଼ ଦୁର୍ବଳତା । ଏମାନଙ୍କ ଭିତରେ କେଉଁମାନେ ସାହିତ୍ୟକୁ ନୂତନ ନୂତନ ରୂପଗତ ପରୀକ୍ଷାର କ୍ଷେତ୍ର ବୋଲି ମନେ କରି ଅଗ୍ରସର ହୁଅନ୍ତି ଏବଂ ନିଜକୁ ପରୀକ୍ଷାବାଦୀ (Experimentalist) ରୂପେ ପରିଚିତ କରାନ୍ତି; ମାନବ ଜୀବନ ଉପରେ ପ୍ରକୃତିର ବା ପରିବେଶର ପ୍ରଭାବକୁ ସାହିତ୍ୟର ମୂଳତତ୍ତ୍ୱ ବୋଲି ଯେଉଁମାନେ ମନେ କରନ୍ତି, ସେମାନେ ନିଜକୁ ‘ପ୍ରଭାବବାଦୀ’ ବା Impressionist ବୋଲି ପରିଚିତ କରାନ୍ତି । ଚୋରି, ଆତ୍ମହତ୍ୟା, କୁତ୍ସିତ ଯୌନାଚାରଣ ଆଦି ମାନବ ଜୀବନ ସହିତ ଶାଶ୍ୱତ ଭାବେ ଜଡ଼ିତ କେତେକ କୁପ୍ରବୃତ୍ତିର ଅଭିବ୍ୟକ୍ତିକୁ ସାହିତ୍ୟରେ ପ୍ରାଧାନ୍ୟ ଦେଇ ନିଜକୁ ‘ସଂସ୍ଥିତିବାଦୀ’ (Existentialist) ନାମରେ ଅଭିହିତ କରାଇଥାନ୍ତି । ଏଇପରି ଭାବରେ ଦେଖିଥିଲେ କ୍ୟୁବିଷ୍ଟ, ସୁରିୟାଲିଷ୍ଟ, ଫ୍ୟୁଚାରିଷ୍ଟ ଆଦିଙ୍କର ଗୋଟିଏ ଲମ୍ବାତାଲିକା ପ୍ରସ୍ତୁତ କରି ହେବ । ଏଇ ସବୁ ପ୍ରବୃତ୍ତିଗୁଡ଼ିକର ପ୍ରଚ୍ଛନ୍ନ ସ୍ପର୍ଶ ଓଡ଼ିଆ ସାହିତ୍ୟରେ ସ୍ପଷ୍ଟ-

 

ଏବେ ଆଧୁନିକ ସାହିତ୍ୟର ଆଧୁନିକତା କେଉଁଠାରେ, ତାହାର ସନ୍ଧାନ କରିବାକୁ ଯାଇ ଦେଖୁ ଥାଇଁ - ଓଡ଼ିଆ ସାହିତ୍ୟର କ୍ଷୁଦ୍ର ଆକାଶ ଆଗଭଳି ଶୂନ୍ୟ ନୁହେଁ । ଯୁଗ ଯୁଗର ରୁଦ୍ଧ ଭାବଧାରାରୁ ସେ ମୁକ୍ତ । ତାର ଭାରାକ୍ରାନ୍ତ ବାୟୁମଣ୍ଡଳରେ ଲଘୁଚାପ ସୃଷ୍ଟିହୋଇଛି ସମଗ୍ରବିଶ୍ୱର ବାୟୁମଣ୍ଡଳରୁ ମେଘମାଳାକୁ ଧାରଣ କରି ପାରିବା ଭଳି ଶକ୍ତି ଉଦୟ ହୋଇଅଛି । ଯେଉଁମାନେ ଶୁଚିବାୟଗ୍ରସ୍ତ ନୁହନ୍ତି, ସେମାନେ ନିଃସନ୍ଦେହରେ କହିବେ - ଏହାର ଜୀବନୀଶକ୍ତି ଅସୀମ । ଏ ଯୁଗର ସମସ୍ତ ଅସଙ୍ଗତି, ସମସ୍ତ ହଳାହଳକୁ ହଜମ କରି ସେ ନୀଳକଣ୍ଠ ସାଜି ପାରିବ । ମୃତକୁ ଅମୃତର ସନ୍ଧାନ ଦେଇ ପାରିବ । ମାନବର ଐତିହ୍ୟ ଓ ତାର ଭବିଷ୍ୟତ ଭାଗ୍ୟ ପ୍ରତି ଜାଗ୍ରତ ରହି, ଯୋଜନା ଓ ସାହସର ସହିତ ‘‘ମାନବାତ୍ମାର ଭାସ୍କର’’ ରୂପେ ପ୍ରତ୍ୟେକ ସାହିତ୍ୟିକଙ୍କୁ ଅଗ୍ରଗତିରେ ପ୍ରେରଣା ଦେବା ଲାଗି ଏହାର ସମ୍ଭାର ବିପୁଳ ।

 

(୧)

K. E. Birkett. A conference of Russian teachers . So viet studies 1950-1

(୨)

"The link between organism and environment is assimiletion ` The process where by the organism selects and takes in parts of the environments and makes them parts of itself.

 

The resulet of the process of assimilation is that the organism builds itself and its heredity. This is the central feature of Michurinst biology."

 

Lysenko is right. by James Fife.

London 1950. Page 19-20

 

(୩)

Guide to modern thought, by C.E. M. Joad. Chap. IX. The invasion of literature by psychology.

(୪)

ହିନ୍ଦୀ ସାହିତ୍ୟ - ଉସ୍‌କା ଉଦ୍ଭବ ଔର ବିକାଶ । ଡା: ହଜାରୀ ପ୍ରସାଦ ଦ୍ୱିବେଦୀ । ଆଗ୍ରା - ୧୯୫୨ । ପୃ: ୪୯୪

Image

 

ଆଧୁନିକ ଓଡ଼ିଆ ସାହିତ୍ୟ *

 

* ଡା: ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ସଂପାଦିତ ବନାରସ ନାଗରୀ ପ୍ରଚାରିଣୀ ସଭାର ହୀରକ ଜୟନ୍ତି ଗ୍ରନ୍ଥରେ ପ୍ରକାଶିତ ‘‘ଆଧୁନିକ ଓଡ଼ିଆ ସାହିତ୍ୟର ଗତ ଷାଠିଏ ବର୍ଷର ଇତିହାସ’’ ପ୍ରବନ୍ଧର କେତେକ ଅଂଶ ।

 

ଆଧୁନିକ ଯୁଗର ପୃଷ୍ଠଭୂମି

 

ପାଶ୍ଚାତ୍ୟ ଜାତିମାନେ ବିଗତ ଦେଢ଼ଶତ ବର୍ଷ ମଧ୍ୟରେ ଭାରତବର୍ଷରେ କେବଳ ସେମାନଙ୍କର ରାଜନୈତିକ ଅଧିକାର ସାବ୍ୟସ୍ତ କରି ନ ଥିଲେ । ଆମର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଏକ ପରିବର୍ତ୍ତନ ଆଣି ଦେଇଥିଲେ । ଏହି ପରିବର୍ତ୍ତନର ମୂକସାକ୍ଷୀରୂପେ ଆଧୁନିକ ଭାରତୀୟ ସାହିତ୍ୟ ବିଦ୍ୟମାନ । ଆଧୁନିକ ଓଡ଼ିଆ ସାହିତ୍ୟର ଜନ୍ମ ଓ ବିକାଶ ଏହି ପରିବର୍ତ୍ତନର ଧାରା ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ।

 

ଓଡ଼ିଶାରେ ଇଂରେଜ ଶାସନ–

 

୧୮୦୩ ଖ୍ରୀ:ଅ:ରେ ଇଂରେଜମାନେ ଓଡ଼ିଆ ଅଧିକାର କଲାବେଳକୁ ସେମାନେ ଭାରତୀୟ ରଜନୀତି କ୍ଷେତ୍ରରେ ସଗୌରବ ପଦମର୍ଯ୍ୟାଦାରେ ଅଧିଷ୍ଠିତ ହୋଇ ସାରିଥିଲେ । ଇଂରେଜ ଶାସନ କୌଣସି ଆଶୀର୍ବାଦ ଘେନି ଓଡ଼ିଶାକୁ ଆସି ନ ଥିଲା । ଅଧିକନ୍ତୁ ଏହା ଥିଲା ଜାତିର ଧର୍ମ ଓ ସମ୍ମାନର ଧୂମକେତୁ, ଆର୍ଥିକ ବ୍ୟବସ୍ଥାର ଭଗ୍ନଦୂତ । ତତ୍କାଳୀନ ସାମନ୍ତ, ଧର୍ମନେତା ଓ ପାଇକମାନଙ୍କ ପ୍ରତି ଇଂରେଜମାନେ ଉପଯୁକ୍ତ ବିଚାର କରି ନ ଥିଲେ, ଜଗନ୍ନାଥ ମନ୍ଦିରକୁ ଏକ ଲାଭଜନକ ଅନୁଷ୍ଠାନ ଭାବି ତାକୁ ଶାସନ କରିଥିଲେ । ଯାତ୍ରୀମାନଙ୍କ ଉପରେ କର ବସାଇଥିଲେ । ଏହା ଜାତିର ପ୍ରାଣରେ ଆଘାତ ଦେଇଥିଲା । ଓଡ଼ିଶାର ଦୁଇଟି ମୁଖ୍ୟ ଆର୍ଥିକ ସଂଗଠନ - ବୟନ ଶିଳ୍ପ ଓ ଲବଣଶିଳ୍ପକୁ ଧ୍ୱଂସ କରି ଇଂରେଜମାନେ ଦେଶର ଆର୍ଥିକ ଜୀବନକୁ ଅଚଳ କରିଦେଇଥିଲେ, ସମସ୍ତ ଦେଶକୁ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ କରିଥିଲେ । ଫଳରେ ଦୁର୍ଭିକ୍ଷ ମହାମାରୀ ପାଇଁ ପଥ ପରିଷ୍କାର ହୋଇଯାଇଥିଲା ।

 

୧୮୦୩ ରୁ ୧୮୬୬ ଖ୍ରୀ:ଅ: ର ‘‘ନଅଙ୍କ’’ ଦୁର୍ଭିକ୍ଷ ପର୍ଯ୍ୟନ୍ତ ପ୍ରାୟ ୧୦ଟି ବଡ଼ ଧରଣର ଦୁର୍ଭିକ୍ଷ ଓଡ଼ିଶାରେ ଦେଖା ଦେଇଥିଲା । କେଳବ ନଅଙ୍କ ଦିର୍ଭିକ୍ଷରେ ଓଡ଼ିଶାର ସମୁଦାୟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଅର୍ଥାତ୍ ୨୦ ଲକ୍ଷ ଲୋକ ମରିଥିଲେ । ପ୍ରବଳ ପ୍ରତାପୀ ବିଜେତା ଇଂରେଜମାନଙ୍କର ସଦ୍‌ବୁଦ୍ଦି ବ୍ୟତୀତ ଏହାର ଯେ ଅନ୍ୟ ପ୍ରତିକାର ପନ୍ଥା ନ ଥିଲା - ସେ କଥା ସେତେବେଳେ ଓଡ଼ିଆମାନେ ବୁଝି ନ ଥିଲେ । ସେମାନେ ସାହସର ସହିତ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ପ୍ରତିରୋଧ ପାଇଁ ଆଗଭର ହୋଇଥିଲେ । ଫଳରେ ଖୋର୍ଦ୍ଧାର ପାଇକ ବିଦ୍ରୋହ, ଘୁମ୍‌ସର, ଅନୁଗୁଳ, ସିଂହଭୂମି, ସମ୍ବଲପୁର ଆଦିରେ ସାନ ବଡ଼ ବହୁ ବିଦ୍ରୋହ ଦେଖା ଦେଇଥିଲା । ଏହାର ଫଳ ହେଲା ବହୁଦିନ ପର୍ଯ୍ୟନ୍ତ ଇଂରେଜମାନଙ୍କର ଓଡ଼ିଆମାନଙ୍କୁ ଅବିଶ୍ୱାସ । ଓଡ଼ିଆଙ୍କ ଭିତରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଲାଗି ଦୃଷ୍ଟି ଦିଆଯାଇ ନ ଥିଲା । ଏମାନଙ୍କୁ ଶାସନ କ୍ଷେତ୍ରରୁ ଯଥାସମ୍ଭବ ଦୂରରେ ରଖିବାକୁ ଉଦ୍ୟମ ହୋଇଥିଲା । ସମୁଦାୟ ଓଡ଼ିଆ ଭାଷୀ ଅଞ୍ଚଳକୁ ଖଣ୍ଡ ବିଖଣ୍ଡିତ କରି ରଖାଯାଇଥିଲା । ଫଳରେ ଇଂରେଜ ଶାସନର ଆରମ୍ଭରୁ ଓଡ଼ିଆମାନଙ୍କର ଜାତୀୟ ଜୀବନ ଅଧୋଗତ ହୋଇପଡ଼ିଥିଲା ।

 

ଓଡ଼ିଆ ସାହିତ୍ୟର ସଙ୍କଟ–ବଙ୍ଗଳାସହ ସଂଘର୍ଷ

ଓଡ଼ିଆରେ ଇଂରେଜମାନେ ପ୍ରବେଶ କଲାବେଳକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ବଙ୍ଗଳାରେ ସେମାନଙ୍କ ଶାସନ ଦୃଢ଼ ହୋଇଥିଲା । ପାଶ୍ଚାତ୍ୟ ଶିକ୍ଷା ପ୍ରାପ୍ତ ବଙ୍ଗାଳୀମାନେ ଓଡ଼ିଶା ଶାସନରେ ଇଂରେଜମାନଙ୍କର ଦକ୍ଷିଣହସ୍ତ ସ୍ୱରୂପ କାର୍ଯ୍ୟ କରିଥିଲେ । ଇଂରେଜ ଶାସକମାନଙ୍କର ହତାଦାର ସହିତ ଏମାନଙ୍କର ଚକ୍ରାନ୍ତ ଓ ଭେଦବୁଦ୍ଧି ଓଡ଼ିଆ ସାହିତ୍ୟର ବିକାଶ ପଥରେ ପ୍ରଧାନ ଅନ୍ତରାୟ ହୋଇଥିଲା ।

ଓଡ଼ିଶା ଅଧିକାର ପରିବା ପରେ ୩୦ ବର୍ଷ ପର୍ଯ୍ୟନ୍ତ ଇଂରେଜମାନେ ଏଠାରେ ଆଧୁନିକ ଶିକ୍ଷାର ପ୍ରସାର ପାଇଁ କୌଣସି ବିଦ୍ୟାଳୟ ସ୍ଥାପନ କରି ନ ଥିଲେ । କେବଳ ଇଂରେଜ ସିଭିଲିଆନ୍ ଅଫିସରମାନଙ୍କ ପ୍ରୟୋଜନ ଲାଗି କଲିକତାର ଫୋର୍ଟଉଇଲିୟମ କଲେଜ୍‌ରେ ଓଡ଼ିଆ ଶିକ୍ଷାର ସାମାନ୍ୟ ବ୍ୟବସ୍ଥା କରି ସନ୍ତୁଷ୍ଟ ଥିଲେ । ଏହି ବ୍ୟବସ୍ଥାର ଫଳ ସ୍ୱରୂପ ଶ୍ରୀମୋହନ ପ୍ରସାଦ ଠାକୁର ୧୮୦୭ ଖ୍ରୀ: ଅ: ର ଓଡ଼ିଆ ଇଂରେଜୀ ଅଭିଧାନ ପ୍ରକାଶ କରିଥିଲେ । ୧୮୨୨ ଖ୍ରୀ: ଅ: ରେ ମିଶନାରୀମାନେ ପ୍ରଥମେ ଓଡ଼ିଶାକୁ ଆସି କେତେକ ବିଦ୍ୟାଳୟ ସ୍ଥାପନର ଉଦ୍ୟମ କରିଥିଲେ-। ୧୮୩୫ ଖ୍ରୀ: ଅ: ରେ ପୁରୀରେ ପ୍ରଥମ ସରକାରୀ ସ୍କୁଲ ସ୍ଥାପିତ ହେବା ବେଳକୁ ଏମାନଙ୍କ ଯତ୍ନରେ ୧୫ଟି ସ୍କୁଲ ସ୍ଥାପିତ ହୋଇଥିଲେ ହେଁ ଜନପ୍ରିୟତା ଅଭାବରୁ ଏ ଗୁଡ଼ିକର ଛାତ୍ରସଂଖ୍ୟା ଅତି ନଗଣ୍ୟ ଥିଲା ।

ଓଡ଼ିଶାରେ ମୁଦ୍ରିତ ପୁସ୍ତକର ଅଭାବ ଆଧୁନିକ ଶିକ୍ଷାର ପ୍ରସାର ଲାଗି ବଡ଼ ପ୍ରତିବନ୍ଧକ ହୋଇଥିଲା । ପୂର୍ବେ ଗ୍ରାମର ଚାଟଶାଳୀମାନଙ୍କରେ ଦିଆଯାଉଥିବା ଶିକ୍ଷାଲାଗି ମୁଦ୍ରିତ ପୁସ୍ତକର କୌଣସି ଆବଶ୍ୟକତା ନ ଥିଲା । ତାଳପତ୍ରରେ ସେଠାରେ ଚାଟମାନେ ଲେଖିପଢ଼ି ଶିଖୁଥିଲେ । ଗ୍ରାମମାନଙ୍କରେ ପୋଥିଗାଦିମାନ ଥିଲା । ତାହା ପଲ୍ଲୀର ସାଂସ୍କୃତିକ ସଂସ୍ଥାରେ ଗ୍ରନ୍ଥାଗାରର କାମ କରୁଥିଲା । କିନ୍ତୁ ନୂତନ ଶିକ୍ଷା ବ୍ୟବସ୍ଥାରେ ଏସବୁ କୌଣସି କାମରେ ଲାଗିଲା ନାହିଁ । ନବପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ବଙ୍ଗୀୟମାନେ କର୍ଣ୍ଣଧାର ସ୍ୱରୂପ ଥିଲେ । ଏହି ଅବସରରେ ସେମାନେ ବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଶିକ୍ଷା ଲାଗି ନାମକୁ ମାତ୍ର ବ୍ୟବସ୍ଥା କରି, ବଙ୍ଗଭାଷାରେ ମୁଦ୍ରିତ ପୁସ୍ତକମାନ ଚଳାଇଥିଲେ । ସୁଯୋଗକ୍ରମେ ସେମାନେ ଓଡ଼ିଶାର ଶାସନ ଓ ଶିକ୍ଷାକ୍ଷେତ୍ରରେ ଓଡ଼ିଆ ସ୍ଥାନରେ ବଙ୍ଗଭାଷାର ପ୍ରଚଳନ ଲାଗି ଦୂରଭିସନ୍ଧିମୂଳକ ଆନ୍ଦୋଳନ ଆରମ୍ଭ କରିଥିଲେ । ୧୮୬୫ ଖ୍ରୀ: ଅ: ରେ ବିଖ୍ୟାତ ଐତିହାସିକ ଶ୍ରୀଯୁକ୍ତ ରାଜେନ୍ଦ୍ରଲାଲ୍ ମିତ୍ର ଓଡ଼ିଶାରେ ବଙ୍ଗଭାଷା ପ୍ରଚଳନ ସପକ୍ଷରେ ଯୁକ୍ତକରି କଟକ ଡ଼ିବେଟିଂ ସୋସାଇଟିରେ ବକ୍ତୃତା ପ୍ରସଙ୍ଗରେ କହିଥିଲେ - ‘‘ଯେବେ ଉତ୍କଳରେ ବଙ୍ଗଭାଷା ପ୍ରଚଳିତ ହୁଏ, ତେବେ ବଙ୍ଗଦେଶର ପୁସ୍ତକମାନ ଏଠାରେ ଚଳିବ ଏବଂ ଏଠା ଲୋକେ ଅନାୟସରେ ଉତ୍ତମ ପୁସ୍ତକମାନ ପାଇପାରିବେ’’ । ସେ ପୁଣି ଦୃଷ୍ଟାନ୍ତ ଦେଇଥିଲେ ‘‘ଏହି ତିନି ମାସ ମଧ୍ୟରେ ପ୍ରାୟ ୩୦୦ ଖଣ୍ଡ ବଙ୍ଗଳା ପୁସ୍ତକ ମୁଦ୍ରିତ ହୋଇଅଛି । କିନ୍ତୁ ଉତ୍କଳରେ ତିନିଚାରିଖଣ୍ଡରୁ ଅଧିକ ପୁସ୍ତକମୁଦ୍ରିତ ହୋଇନାହିଁ । ଏଥିରୁ ପ୍ରମାଣିତ ହେଉଅଛି ଉତ୍କଳଭାଷା କଦାପି ଉନ୍ନତ ହୋଇ ନ ପାରେ ।’’ ଏହି ସମୟରେ କଲିକତାରୁ ପ୍ରକାଶିତ ‘‘ଇଣ୍ଡିଆନ୍ ମିରାର୍’’ ଭଳି ଶକ୍ତିଶାଳୀ ସମ୍ବାଦପତ୍ରମାନ ଏଭଳି ଯୁକ୍ତିର ପୋଷକତା କରୁଥିଲେ । ଏହି ସମୟରେ ‘‘ଓଡ଼ିଆ ସ୍ୱତନ୍ତ୍ର ଭାଷାନ୍ୱୟ’’ ବୋଲି ଗୋଟିଏ ପୁସ୍ତକ ବଙ୍ଗୀୟମାନଙ୍କ ମଧ୍ୟରେ ଖୁବ୍ ପ୍ରଚାରିତ ହୋଇଥିଲା । କିନ୍ତୁ ଜିନ୍ ବିମ୍‌ସଙ୍କ ଭଳି ବହୁ ଭାଷାଭିଜ୍ଞ ପାଶ୍ଚାତ୍ୟ ପଣ୍ଡିତମାନେ ଏଭଳି ଯୁକ୍ତିର ଅସାରତା ସହଜେ ବୁଝି ପାରିଥିଲେ । ସେମାନେ ଏହାର ବିରୋଧ କରିଥିଲେ । ଓଡ଼ିଶାରେ ମଧ୍ୟ ଏହି ଆନ୍ଦୋଳନ ବିରୋଧରେ ଜନମତ ସଂଗଠିତ ହୋଇଥିଲା । କଟକର କୃତବିଦ୍ୟ ସାଂବାଦିକ ଗୌରୀଶଙ୍କର ରାୟ, ଓଡ଼ିଆ ଗଦ୍ୟର ପିତା ମନୀଷୀ ଫକୀରମୋହନ ସେନାପତି ଆଦି ଏ ଦିଗରେ ନେତୃତ୍ୱ ନେଇଥିଲେ । ଜନମତ ଜାଗ୍ରତ କରିବାକୁ, ବଙ୍ଗୀୟମାନଙ୍କ ଯୁକ୍ତିର ଅସାରତା ପ୍ରମାଣ କରିବାକୁ ଗୌରୀଶଙ୍କର କଟକରୁ ‘‘ଉତ୍କଳଦୀପିକା’’ ଓ ଫକୀରମୋହନ ବାଲେଶ୍ୱରରୁ ‘‘ସଂବାଦ ବାହିକା’’ ସାମୟିକ ପତ୍ର ପ୍ରକାଶ କରିଥିଲେ ।

ଏହି ସମୟରେ ରେଭେନ୍‌ସା ସାହେବ ଓଡ଼ିଶାର କମିସନର ଥିଲେ । ୧୮୬୬ ମସିହାରେ ଉତ୍କଳରେ ଯେଉଁ ଭୟାବହ ଜନକ୍ଷୟ ଘଟିଲା, ତାହା ବଙ୍ଗୀୟ କର୍ମଚାରୀମାନଙ୍କର କୁପରାମର୍ଶରେ ଚାଳିତ ସରକାରଙ୍କ ଅସାବଧନତାରୁ ଘଟିଲା ବୋଲି ହୃଦୟଙ୍ଗମ କରି ଅନୁତାପ କରୁଥିଲେ । ଓଡ଼ିଶାର ଶାସନକୁ ସୁସଂଗଠିତ ଓ ଜନପ୍ରିୟ କରିବାକୁ ସେ ସବୁପ୍ରକାର ଉଦ୍ୟମ କରୁଥିଲେ । ଓଡ଼ିଆ ଭାଷା ସପକ୍ଷରେ ଜନସାଧାରଣଙ୍କ ଦାବୀ ସେ ଭଲଭାବରେ ବୁଝିପାରିଥିଲେ । ତାଙ୍କରି ସମର୍ଥନରେ ଓଡ଼ିଶାରେ ଶିକ୍ଷା ଓ ଶାସନ କ୍ଷେତ୍ରରେ ଓଡ଼ିଆ ଭାଷା ବିନିଯୋଗରେ କ୍ଷେତ୍ର ପରିଷ୍କାର ହୋଇ ଯାଇଥିଲା । ଓଡ଼ିଶାର ଶିକ୍ଷା ବିଭାଗରେ ସେ ନବ୍ୟଶିକ୍ଷିତ ଓଡ଼ିଆମାନଙ୍କୁ ଅବସ୍ଥାପିତ କରିଥିଲେ । ଓଡ଼ିଶାର ଆଧୁନିକ ଶିକ୍ଷାର ପ୍ରସାର ଲାଗି ସ୍କୁଲ, କଲେଜ ସ୍ଥାପନା, ଓଡ଼ିଆଭାଷାରେ ପାଠ୍ୟପୁସ୍ତକ ରଚନା, ଇତିହାସ ଓ ସାହତ୍ୟ ଆଦିର ସଂକଳନ ଲାଗି ଆବଶ୍ୟକୀୟ ସରକାରୀ ସାହାଯ୍ୟ ସେ ଦେଇଥିଲେ । ଫଳରେ ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶପଥ ସୁଗମ ହୋଇଥିଲା ।

ନୂଆ ସାହିତ୍ୟିକ ସଂଗଠନ

ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଆଧୁନିକ ଓଡ଼ିଆ ସାହିତ୍ୟ ଏହାର ପୃଷ୍ଠଭୂମିରେ ଥିବା ବିରାଟ ପ୍ରାଚୀନ ସାହିତ୍ୟଠାରୁ ଯେ କେବଳ ଭିନ୍ନ ହୋଇ ପଡ଼ିଲା ତାହା ନୁହେଁ, ତାର ପରିପୋଷଣ ପାଇଁ ନୂତନ ସାଂସ୍କୃତିକ ସଂସ୍ଥାପନ ଗଢ଼ି ଉଠିଲା । ପ୍ରାଚୀନ ସାହିତ୍ୟ ରାଜାନୁଗ୍ରହରେ ସମୃଦ୍ଧ ହୋଇ ଦରବାରର ରସିକଗୋଷ୍ଠୀଙ୍କ ମନୋରଞ୍ଜନ କରୁଥିଲା । ରାଜାମାନଙ୍କଠାରୁ ଭତ୍ତା ଓ ବୃତ୍ତିବାଡ଼ି ଭୋଗକରି କବିମାନେ ଜୀବନଧାରଣ କରୁଥିଲେ । ପ୍ରାଚୀନସାହିତ୍ୟର ପ୍ରସାର ପାଇଁ କୌଣସି ପ୍ରକାର ବ୍ୟବସାୟମୂଳକ ସଂଗଠନ ନ ଥିଲା । ଏସବୁ ତାଳପତ୍ର ପୋଥିରେ ଲେଖାହୋଇ ପ୍ରଚାରିତ ହେଉଥିଲା । ଆପଣାର ଅବସର ସମୟ ଦେଇ କବିତାମୋଦୀ ଓ ଧର୍ମୋତ୍ସାହୀ ଲୋକେ ଏହା କରୁଥିଲେ । ସେତେବେଳେ ସାହିତ୍ୟ ଆଲୋଚନା ଏକ ପ୍ରକାର ସାମାଜିକ ଅନୁଷ୍ଠାନ ଥିଲା । ପାଲାବାଲା ଓ ଗାଉଣୀମାନେ ସମବେତ ଜନତା ଆଗରେ ଗୀତିମୟ ପ୍ରାଚୀନ ସାହିତ୍ୟକୁ ଗାନ କରି ଶୁଣାଉଥିଲେ । ଆଧୁନିକ ସାହିତ୍ୟ ବ୍ୟକ୍ତି ପ୍ରଚେଷ୍ଟାର ଫଳ । ମୁଦ୍ରାଯନ୍ତ୍ର ଫଳରେ ଶତସହସ୍ର ସଂଖ୍ୟାରେ ବହିସବୁ ପ୍ରକାଶିତ ହେଲା । ଶିକ୍ଷିତ ବଧ୍ୟବିତ୍ତମାନଙ୍କ ଆର୍ଥିକ ପୃଷ୍ଠପୋଷକତା ଏଥିଲାଗି ଆବଶ୍ୟକ ହୋଇପଡ଼ିଲା । ଏହି ନୂତନ ପରିସ୍ଥିତିରେ ନେତୃତ୍ୱ କରିବା ପାଇଁ ସହରମାନଙ୍କରେ ବିଭିନ୍ନ ଉଦ୍ଦେଶ୍ୟରେ ସାହିତ୍ୟିକ ଓ ସାଂସ୍କୃତିକ ସଂଘମାନ ଗଠିତ ହୋଇଥିଲେ । ଏଠାରେ ଧର୍ମ, ସାହିତ୍ୟ, ରାଜନୀତି ପ୍ରଭୃତି ଆଧୁନିକ ଚିନ୍ତାଧାରାର ସମସ୍ତ ବିଭାଗରେ ପ୍ରବନ୍ଧପାଠ ହେଉଥିଲା, ତର୍କ ଓ ଆଲୋଚନା ସଭାମାନ ବସୁଥିଲା । ଏମାନଙ୍କ ମୁଖପତ୍ର ରୂପେ ସାମୟିକ ପତ୍ରମାନ ପ୍ରକାଶ ପାଇଥିଲା । ଏମାନଙ୍କ ରୁଚି ଅନୁସାରେ ସ୍ୱତନ୍ତ୍ର ପ୍ରକାଶନ ସମିତିମାନ ସ୍ଥାପିତ ହୋଇଥିଲା । ପ୍ରକୃତରେ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାରମ୍ଭିକ ଯୁଗର ଇତିହାସ ହେଉଛି ଏହି ଭାବରେ ସ୍ଥାପିତ ସଙ୍ଘ ଓ ସାମୟିକ ପତ୍ରମାନଙ୍କର ଇତିହାସ ।

ସାହିତ୍ୟିକ ସଙ୍ଘ

ଏ ଯୁଗରେ ସାନବଡ଼ ବହୁତ ସାଂସ୍କୃତିକ ସଭାମାନ ସ୍ଥାପିତ ହୋଇଥିଲା । ଏଗୁଡ଼ିକର ଉଦ୍ଦେଶ୍ୟ ଥିଲା ବହୁମୁଖୀ । ଧର୍ମ, ସାହିତ୍ୟ, ନୀତି କୁଳାଚାର ଆଦି ସବୁ ବିଷୟରେ ଏମାନେ ନୂଆ ବିଚାର ପ୍ରକଟ କରୁଥିଲେ । ଏଗୁଡ଼ିକର ସୁସଂବନ୍ଧ ଇତିହାସ ସଂକଳନର ଯଥାର୍ଥ ଉଦ୍ୟମ ଏପର୍ଯ୍ୟନ୍ତ ହୋଇ ନାହିଁ । ଏବେ ଯଥାସମ୍ଭବ ଅନୁମାନ କରାଯାଏ, କବିସୂର୍ଯ୍ୟ ବଳଦେବ ରଥଙ୍କ ସ୍ଥାପିତ ଜଳନ୍ତରର ‘‘ଉତ୍କଳାଚାର ସଭା’’ ଏଭଳି ଏକ ପ୍ରାଥମିକ ଅନୁଷ୍ଠାନ । ଗତ ଶତକରେ କବିସୂର୍ଯ୍ୟ ବଳଦେବ ରଥ ଦକ୍ଷିଣ ଓଡ଼ିଶାର ଜଣେ ଶ୍ରେଷ୍ଠ ପୁରୁଷ ଥିଲେ । ସେ କେତେଗୁଡ଼ିଏ ଦେଶୀରାଜ୍ୟର ମନ୍ତ୍ରୀତ୍ୱ ଗ୍ରହଣ କରିଥିଲେ ଏବଂ ବହୁ ସାଧାରଣ କାମ ସହିତ ଜଡ଼ିତ ଥିଲେ । କବିସୂର୍ଯ୍ୟ ପ୍ରାଚୀନ ରୀତିରେ କବିତା ରଚନା କରିଥିଲେ ମଧ୍ୟ ସେ ବହୁପରିମାଣରେ ଆଧୁନିକ ରୁଚିର ପରିପୋଷକ ଥିଲେ । କବିସୂର୍ଯ୍ୟଙ୍କ ଦ୍ୱାରା ଜଳନ୍ତରରେ ସ୍ଥାପିତ ଏହି ‘‘ଉତ୍କଳାଚାର ସଭା’’ ର କ୍ରିୟାକଳାପ ବିଷୟରେ ବର୍ତ୍ତମାନ ବିଶେଷ କିଛି ଜଣାଯାଏ ନାହିଁ । ତେବେ ଅନୁମାନ କରାଯାଏ, ସେ ଯୁଗରେ ଏକ ସାହିତ୍ୟିକ ଓ ସାଂସ୍କୃତିକ ସଭାରୂପେ ଏହା ଏକ ବିଶିଷ୍ଟସ୍ଥାନ ଅଧିକାର କରିଥିବ-। ସେ ଯୁଗରେ ଜାଗ୍ରତ ଜନମତର ପ୍ରତିନିଧିତ୍ୱ କରିଥିବ ।

ତତ୍କାଳୀନ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଦ୍ୱାରା କଟକରେ ୧୮୬୯ ଖ୍ର: ଅ: ରେ ‘‘ଉତ୍କଳୋଲ୍ଲାସିନୀ ସଭା’’ ନାମରେ ଗୋଟିଏ ଅନୁଷ୍ଠାନ ସ୍ଥାପିତ ହୋଇଥିଲା । ଆଧୁନିକ ଭାବଧାରାର ପ୍ରଚାର ପାଇଁ ଏହି ସମୟରେ ‘କଟକ ସୋସାଇଟି’ ନାମରେ ଗୋଟିଏ ଅନୁଷ୍ଠାନ ସ୍ଥାପିତ ହୋଇଥିଲା । ପୁରୀ ଓ ଖୋର୍ଦ୍ଧାରେ ଏହାର ଶାଖାମାନ ଗଠିତ ହୋଇଥିଲା । ଏହି ଅନୁଷ୍ଠାନ ପକ୍ଷରୁ ‘‘ଉତ୍କଳ ହିତୈଷିଣୀ’’ ନାମରେ ଗୋଟିଏ ସାମୟିକପତ୍ର ପ୍ରକାଶିତ ହୋଇଥିଲା । ବିଶେଷ ଭାବରେ ଆଧୁନିକ ସାହିତ୍ୟର ଆଲୋଚନା ପାଇଁ ‘‘କଟକଯୁବ ଜନ ସାହିତ୍ୟ ସଙ୍ଘ’ (Cuttack Youngman's Literary association) ନାମକ ଗୋଟିଏ ଅନୁଷ୍ଠାନ ଦେଖାଦେଇଥିଲା । ଓଡ଼ିଆ ସାହିତ୍ୟ ଓ ଭାଷାର ଉନ୍ନତି ପାଇଁ ‘ଉତ୍କଳ ଭାଷୋଦ୍ଦୀପନୀ ସଭା’ ନାମରେ ଆଉ ଗୋଟିଏ ସଭା ସ୍ଥାପିତ ହୋଇ ପ୍ରକାଶିତ ଓ ଅପ୍ରକାଶିତ ଓଡ଼ିଆ ପୁସ୍ତକର ତାଲିକା ପ୍ରସ୍ତୁତ କରିବା, ସ୍କୁଲମାନଙ୍କ ଲାଗି ପାଠ୍ୟପୁସ୍ତକ ପ୍ରଣୟନ କରିବା ଆଦିକୁ ତାର ଲକ୍ଷ୍ୟ ରୂପେ ଗ୍ରହଣ କରିଥିଲା । କଟକ ପ୍ରିଣ୍ଟିଂ କମ୍ପାନୀ, ପୁରାଣ ପ୍ରକାଶିକା କମ୍ପାନୀ ଆଦି ପ୍ରକାଶକ ସଙ୍ଘମାନ ସ୍ଥାପିତ ହୋଇ ଓଡ଼ିଆ ମୁଦ୍ରାଯନ୍ତ୍ରର ବିକାଶ ଓ ପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରକାଶ ଆଦି ଲାଗି ଉଦ୍ୟମ କରିଥିଲେ ।

 

ଶୈଳ ଓ ସୀମନ୍ତ

ଓଡ଼ିଆ ସାହିତ୍ୟର ଉପଯୁକ୍ତ ଅନୁଶୀଳନ, ଆଧୁନିକ ଓଡ଼ିଆ ଲେଖକମାନଙ୍କ ମଧ୍ୟରେ ଭାବର ବିନିମୟ ଓ ଆଧୁନିକ ସାହିତ୍ୟକୁ ଜନପ୍ରିୟ କରିବା ଉଦ୍ଦେଶ୍ୟରେ ୧୯୦୪ ଖ୍ରୀ: ଅ: ରେ ପ୍ରଥମେ ‘‘ ଉତ୍କଳ ସାହିତ୍ୟ ସମାଜ’’ ଗଠିତ ହୋଇଥିଲା । ଏହାର ପୁରୋଧା ଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ଆଦିନିର୍ମାତା ଭକ୍ତକବି ମଧୁସୂଦନ ରାଓ । ସେ ସମୟରେ ମୟୂରଭଞ୍ଜର ନବ୍ୟଶିକ୍ଷିତ ସଂସ୍କୃତି ପ୍ରେମୀ ଉଦାରମନା ମହାରାଜ ରାମଚନ୍ଦ୍ର ଭଞ୍ଜ ଏହି ସାହିତ୍ୟ ସମାଜ ଓ ତାହା ପରିଚାଳନାରେ ଏକ ପୁସ୍ତକାଗାର ପାଇଁ କଟକ ନଗରରେ ଏକ ସୁନ୍ଦର ସୌଧ ନିର୍ମାଣ କରି ଦେଇଥିଲେ । ବହୁଦିନ ଧରି ଅନୁଷ୍ଠାନ ଓଡ଼ିଆ ଲେଖକ ସମାଜକୁ ନେତୃତ୍ୱ ଦେଇଆସିଅଛି ।

 

ବିଶେଷ ଭାବରେ ପ୍ରାଚୀନ ଓଡ଼ିଆ ସାହିତ୍ୟର ଅନୁଶୀଳନ, ପାଣ୍ଡୁଲିପି ସଂଗ୍ରହ ଓ ପ୍ରକାଶକୁ ମୂଳ ଲକ୍ଷ୍ୟ ରୂପେ ଗ୍ରହଣକରି ‘‘ପ୍ରାଚୀସମିତି’’ ଆତ୍ମପ୍ରକାଶ କରିଥିଲା । ପ୍ରବୀଣ ଅଧ୍ୟାପକ ଆର୍ତ୍ତବଲ୍ଲଭମହାନ୍ତି, ସ୍ୱର୍ଗତଃ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଚୌଧୁରୀ ଆଦିଙ୍କ ନେତୃତ୍ୱରେ ଓଡ଼ିଆ ସାହିତ୍ୟକୁ ଏହି ଅନୁଷ୍ଠାନ ବହୁଭାବରେ ସମୃଦ୍ଧ କରିଛି । ବହୁ ସଂଖ୍ୟକ ପ୍ରାଚୀନ ଗ୍ରନ୍ଥ ଏହି ଅନୁଷ୍ଠାନ ଦ୍ୱାରା ବୈଜ୍ଞାନିକ ଭାବରେ ସମ୍ପାଦିତ ହୋଇ ପ୍ରକାଶ ପାଇଛି । ଓଡ଼ିଆ ସାହିତ୍ୟର ବଳିଷ୍ଠ ଐତିହ୍ୟ ଏହି ସମିତିର ଉଦ୍‌ଯୋଗ ବଳରେ ବର୍ତ୍ତମାନ ଆଲୋକକୁ ଆସିଅଛି ।

 

ଏହିଭଳି ଆଉ ଯେତେଗୁଡ଼ିଏ ଅନୁଷ୍ଠାନ ଓଡ଼ିଆ ସାହିତ୍ୟର ସମୃଦ୍ଧି ପାଇଁ ଉଦ୍ୟମ କରିଛନ୍ତି ସେମାନଙ୍କ ମଧ୍ୟରେ ‘ଓଡ଼ିଆ ସାହିତ୍ୟ ପ୍ରଚାର ସଙ୍ଘ’, ‘କୋଶଳ କଳାମଣ୍ଡଳ’, ‘ଓଡ଼ିଆ ଲେଖକ ସହଯୋଗ ସମିତି’ ଆଦି ବିଶେଷ ଉଲ୍ଲେଖଯୋଗ୍ୟ । ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସଂପାଦକତ୍ୱରେ ପ୍ରାୟ ୨୮ବର୍ଷ ତଳେ କଟକରେ ‘‘ଓଡ଼ିଆ ସାହିତ୍ୟ ପ୍ରଚାର ସଙ୍ଘ’’ ଗଢ଼ା ଯାଇଥିଲା । ଏହି ସଙ୍ଘର ଉଦ୍ଦେଶ୍ୟ ନିମ୍ନ ପ୍ରକାରେ ସ୍ଥିର ହୋଇଥିଲା - (କ) ପ୍ରକାଶଯୋଗ୍ୟ ନୂତନ ଓ ପୁରାତନ ଓଡ଼ିଆ ପୁସ୍ତକର ସଂଗ୍ରହ ଓ ମୁଦ୍ରଣ, (ଖ) ଅନ୍ୟାନ୍ୟ ଉପଯୋଗୀ ଗ୍ରନ୍ଥମାନଙ୍କର ଅନୁବାଦ, (ଗ) ପ୍ରାଚୀନ କୀର୍ତ୍ତିମାନଙ୍କର ତଥ୍ୟ ଅନ୍ୱେଷଣ, (ଘ) ଇତିହାସ ସଂଗ୍ରହ, (ଙ) ବୀରଜୀବନୀ ପ୍ରଚାର ଓ (ଚ) ବିଜ୍ଞାନ, ନୀତି ଓ ଧର୍ମ ସମ୍ବନ୍ଧୀୟ ପୁସ୍ତକର ପ୍ରଚାର । ଏହି ସଙ୍ଘ ବର୍ତ୍ତମାନ କାର୍ଯ୍ୟ କରୁନାହିଁ । ଏହାର ଅତୀତ କାର୍ଯ୍ୟାବଳୀରୁ ମନେହୁଏ, ଏହା ଉପଯୁକ୍ତ ବ୍ୟକ୍ତିଙ୍କ ଦ୍ୱାରା ସଂଗଠିତ ହୋଇଥିଲା । ଏହି ସଙ୍ଘଦ୍ୱାରା ଇଂରେଜୀ, ବଙ୍ଗଳା ଓ ମହାରାଷ୍ଟ୍ରୀ ସାହିତ୍ୟରୁ ଧର୍ମ ଓ ସଂସ୍କୃତି ସମ୍ବନ୍ଧୀୟ କେତେକ ବିଖ୍ୟାତ ପୁସ୍ତକମାନଙ୍କ ଓଡ଼ିଆ ଅନୁବାଦ ପ୍ରକାଶ ପାଇଛି । ଦେଶବିଦେଶର ବହୁ ଐତିହାସିକ ବୀରପୁରୁଷମାନଙ୍କର ଜୀବନୀମାନ ଓଡ଼ିଆରେ ପ୍ରକାଶିତ ହୋଇଅଛି ।

 

କୋଶଳ ‘କଳାମଣ୍ଡଳ’ ପାଟଣାରାଜ୍ୟର ମହାରାଜାଙ୍କ ପୃଷ୍ଠପୋଷକତାରେ ସ୍ଥାପିତ ହୋଇଥିଲା । ଏହା ପକ୍ଷରୁ ଇଂରେଜୀରେ ଏକ ଐତିହାସିକ ଗବେଷଣା ପତ୍ରିକା କିଛିଦିନ ଲାଗି ପ୍ରକାଶିତ ହୋଇଥିଲା । ଓଡ଼ିଆରେ ‘ଚତୁରଙ୍ଗ’ ନାମକ ଏକ ଉଚ୍ଚ ଦରରେ ସାହିତ୍ୟିକ ପତ୍ରିକା ଦେଶର ବିଶିଷ୍ଟ ସାହିତ୍ୟିକମାନଙ୍କ ସହଯୋଗରେ ପ୍ରକାଶିତ ହୋଇଥିଲା ।

 

ଓଡ଼ିଆ ‘‘ଲେଖକ ସହଯୋଗ ସମିତି’’ ଓଡ଼ିଶାର ସମବାୟ ବିଭାଗର ସହକାରୀ ସଂପାଦକ ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ପଣ୍ଡାଙ୍କ ପରିକଳ୍ପନାରେ ସଂଗଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଓଡ଼ିଆ ଭାଷା ତଥା ସାହିତ୍ୟର ସମୃଦ୍ଧି ସଙ୍ଗେ ସଙ୍ଗେ ଲେଖକ ଲେଖିକାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସହଯୋଗୀ ହେବାକୁ ଉତ୍ସାହିତ କରିବା । ଅଠର ବର୍ଷରୁ ଉର୍ଦ୍ଧ୍ୱ ଓଡ଼ିଆ ଲେଖକ ଲେଖିକାମାନେ ଏହାର ସଭ୍ୟଶ୍ରେଶୀଭୁକ୍ତ ହେବାର ସ୍ଥିର ହୋଇଥିଲା । ପ୍ରଥମେ ଏହି ସମିତିର ମୂଳଧନ ମାତ୍ର ଦଶ ହଜାର ଟଙ୍କା ରଖାଯାଇଥିଲା । ଏହି ସମିତି ତରଫରୁ ‘‘ଉଦୟ’’ ନାମରେ ଗୋଟିଏ ଉଚ୍ଚଦରର ଗଳ୍ପ ଓ କବିତାର ପତ୍ରିକା ବ୍ୟତୀତ, କେତେକ ଉଲ୍ଲେଖଯୋଗ୍ୟ ମୌଳିକ ସାହିତ୍ୟ ଗ୍ରନ୍ଥ ମଧ୍ୟ ପ୍ରକାଶିତ ହୋଇଥିଲା ।

 

‘‘କଳିଙ୍ଗ ଭାରତୀ’’ ନାମରେ ଗୋଟିଏ ଅନୁଷ୍ଠାନ ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ଜନପ୍ରିୟ କରିବାକୁ ଶ୍ରୀଯୁକ୍ତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରୁଅଛି । ଶ୍ରୀଯୁକ୍ତ ହରେକୃଷ୍ଣ ମହତାବଙ୍କ ପୃଷ୍ଠପୋଷକତାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ‘‘ଝଙ୍କାର’’ ନାମକ ଗୋଟିଏ ମାସିକପତ୍ର ଜରିଆରେ ଓଡ଼ିଆ ସାହିତ୍ୟର ସମୃଦ୍ଧି ପାଇଁ କାର୍ଯ୍ୟ କରୁଅଛି ।

 

ବ୍ୟକ୍ତିଗତ ଉଦ୍ୟମରେ ଯେଉଁ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ଓଡ଼ିଆ ସାହିତ୍ୟର ସମୃଦ୍ଧିରେ ସାହାଯ୍ୟ କରିଛି, ସେଥିମଧ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କର ‘‘ଓଡ଼ିଆ ଭାଷାତତ୍ତ୍ୱ’’ ଓ ସ୍ୱର୍ଗୀୟ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଙ୍କଳିତ ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’’ ପ୍ରଣୟନ ଉଲ୍ଲେଖଯୋଗ୍ୟ । ଆଧୁନିକ ଭାରତୀୟ ଭାଷାମାନଙ୍କରେ ଭାଷାତାତ୍ତ୍ୱିକ ଗବେଷଣାର ଶୈଶବରେ ସ୍ୱର୍ଗତଃ ନନ୍ଦ ଶର୍ମାଙ୍କ ବହୁବର୍ଷ ସାଧନା-ସିଦ୍ଧ ବିରାଟ ଗ୍ରନ୍ଥ ନିଶ୍ଚୟ ସ୍ୱତନ୍ତ୍ର ମୂଲ୍ୟରେ ଗୃହୀତ ହେବ-। ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’’ ଗୋଟିଏ ବହୁ ଦିନର ସାଧନା ଲବଧ୍ ଗ୍ରନ୍ଥ । ଏହାର ସଙ୍କଳୟିତା ସ୍ୱର୍ଗତଃ ଗୋପାଳଚନ୍ଦ୍ର ପ୍ରହରାଜ ଏଥିଲାଗି ୧୯୧୯ ଖ୍ରୀ: ଅ: ରେ କାର୍ଯ୍ୟାରମ୍ଭ କରି, ୧୯୨୭ ଖ୍ରୀ: ଅ: ରେ ଏହି ବିରାଟ ଗ୍ରନ୍ଥର ପାଣ୍ଡୁଲିପି କାର୍ଯ୍ୟ ସମାପ୍ତ କରିଥିଲେ । ୧୯୩୧ ଖ୍ରୀ: ଅ: ରେ ଏହା ୭ଟି ଖଣ୍ଡରେ ପ୍ରକାଶିତ ହୋଇଥିଲା । ପ୍ରଥମେ ଏଥିରେ ୧,୮୪,୦୦୦ ( ଏକ ଲକ୍ଷ ଚୌରାଶି ହଜାର ) ଶବ୍ଦକୁ ସ୍ଥାନ ଦିଆଯାଇଥିଲା । ପରେ ଏଥିରେ ଆଉ କେତେ ହଜାର ଶବ୍ଦ ଯୋଗ କରିବାର ପରିକଳ୍ପନା କରାଯାଇଥିଲା । ପ୍ରାଚୀନ ଓଡ଼ିଆ ସାହିତ୍ୟ ଏବଂ ବର୍ତ୍ତମାନ ଆଞ୍ଚଳିକ ଶବ୍ଦ ସମ୍ଭାରର ଏକତ୍ର ସଞ୍ଚୟନ ଲାଗି ଏହି ବିରାଟ ଉଦ୍ୟମ ଯେ କୌଣସି ଭାରତୀୟ ସାହିତ୍ୟରେ ଆଦର୍ଶ ସ୍ଥାନୀୟ ।

 

ଓଡ଼ିଆ ସାହିତ୍ୟର ଯଥାର୍ଥ ଅନୁଶୀଳନ ଓ ଉପାଧ୍ୟୁତ୍ତର ଶିକ୍ଷା ପାଇଁ ପ୍ରଥମେ କଲିକତା ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏବେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ବିଶ୍ୱଭାରତୀ ଗବେଷଣା ବିଭାଗ ତରଫରୁ ଏଥିଲାଗି ଉଦ୍ୟମ କରାଯାଉଅଛି । ବିଶ୍ୱଭାରତୀ ପକ୍ଷରୁ ଅଧ୍ୟାପକ କୁଞ୍ଜବିହାରୀ ଦାଶଙ୍କ ଦ୍ୱାରା ଓଡ଼ିଆ ଲୋକସାହିତ୍ୟର ସଂଗ୍ରହ, ସଂକଳନ ଓ ଆଲୋଚନା ଆଧୁନିକ ଓଡ଼ିଆ ସାହିତ୍ୟକୁ ଗୋଟିଏ ନୂତନ ଭିତ୍ତି ଯୋଗାଇଅଛି । ଏ ଦିଗରେ ସ୍ୱର୍ଗତଃ ଗୋପାଳଚନ୍ଦ୍ର ପ୍ରହରାଜ ଏବଂ ଭାରତୀୟ ଲୋକଗୀତ ସଂଗ୍ରାହକ ଶ୍ରୀଯୁକ୍ତ ଦେବେନ୍ଦ୍ର ସତ୍ୟାର୍ଥୀଙ୍କ ପ୍ରରୋଚନାରେ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଅବଶ୍ୟ କାର୍ଯ୍ୟାରମ୍ଭ କରିଥିଲେ । ବର୍ତ୍ତମାନ ଅଧ୍ୟାପକ କୁଞ୍ଜବିହାରୀ ଦାଶଙ୍କ ସଂଗୃହୀତ ୬୦,୦୦୦ (ଷାଠିଏ ହଜାର) ଲୋକଗୀତ ‘‘ପଲ୍ଲୀଗୀତି ସଞ୍ଚୟନ’’ ନାମରେ ପ୍ରଥମ ଭାଗରେ ପ୍ରକାଶିତ ହୋଇଅଛି । ଶତାଧିକ ଲୋକାହାଣୀ ମଧ୍ୟ ସେ ସଂଗ୍ରହ କରିଛନ୍ତି । ଏହାଦ୍ୱାରା ଏକ ବିରାଟ କାମର ଶୁଭ ଦିଆ ଯାଇଅଛି ମାତ୍ର ।

 

ବିରାଟ ପ୍ରାଚୀନ ସାହିତ୍ୟର ଭିତ୍ତି ଉପରେ, ଏବେ ବିପୁଳାୟତନ ଆଧୁନିକ ଓଡ଼ିଆ ସାହିତ୍ୟର ସୌଧ ଗଢ଼ି ଉଠୁଅଛି । ଏହାର ଯଥାର୍ଥ ପରିଶୀଳନ ଓ ମୂଲ୍ୟାଙ୍କନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଅଛି । ମାତ୍ର ଯାହା ହୋଇଛି ତାହା ଆଦୌ ଯଥେଷ୍ଟ ନୁହେଁ । ଏହି ଉଦ୍ୟମର ସଫଳତା ବହୁ ଗବେଷକ ପଣ୍ଡିତମାନଙ୍କର ବହୁଦିନବ୍ୟାପୀ ସାଧନା, ଅଭିନିବେଶ ତଥା ରାଜ୍ୟ ପକ୍ଷରୁ ଏଥିଲାଗି ଉପଯୁକ୍ତ ପୃଷ୍ଠପୋଷକତା ଉପରେ ନିର୍ଭର କରୁଅଛି । ଉପଯୁକ୍ତ ଭାବରେ ଏହି ଉଦ୍ୟମ ପରିଚାଳିତ ହେଲେ ଆଧୁନିକ ଜଗତରେ ଦୁଇକୋଟି ସଂଖ୍ୟକ ଗୋଟିଏ ବିକାଶଶୀଳ ମାନବ‘ଗୋଷ୍ଠୀର ଆଶା ଆକାଂକ୍ଷା ଆଜିର ଓଡ଼ିଆ ସାହିତ୍ୟ ପୂରଣ କରିପାରିବ । ସ୍ୱାଧୀନ ଓ ଭବିଷ୍ୟତରେ ସମୃଦ୍ଧ ଭାରତବର୍ଷର ସାଂସ୍କୃତିକ ସଂଗଠନକୁ ବଳିଷ୍ଠ କରିବା ଲାଗି ଓଡ଼ିଶା ଉପଯୁକ୍ତ ଅଂଶ ଗ୍ରହଣ କରି ପାରିବ । ସଂଘବଦ୍ଧ ଭାବରେ ଓ ସାଂଗଠିନିକ ଉପାୟରେ ସାହିତ୍ୟର ଉନ୍ନତି ପାଇଁ ଗଠିତ ଅନୁଷ୍ଠାନମାନ ଏବେ ଇତିହାସର ବସ୍ତୁ ।

 

ସାମୟିକ ପତ୍ର

 

ବସ୍ତୁତଃ ଆଧୁନିକ ସାହିତ୍ୟର ଜନ୍ମ ସାହିତ୍ୟର ଜନ୍ମ ଏକ ପ୍ରକାର ସାମୟିକ ପତ୍ରମାନଙ୍କ ପୃଷ୍ଠାରେ ହୋଇଅଛି । ପ୍ରଥମେ ଏହି ସାମୟିକ ପତ୍ରଗୁଡ଼ିକ ବିଶୁଦ୍ଧ ସାହିତ୍ୟ ପ୍ରଚାର ଉଦ୍ଦଶ୍ୟରେ ପ୍ରକାଶିତ ହୋଇ ନ ଥିଲା । ଏହାର ମୂଳରେ ଧର୍ମ, ସମାଜ ସଂସ୍କାର ଓ ଶାସନନୀତି ସମ୍ବନ୍ଧୀୟ ଭାବଧାରା କାର୍ଯ୍ୟ କରୁଥିଲା । ଖ୍ରୀଷ୍ଟିୟାନ ମିସନାରୀମାନେ ଧର୍ମପ୍ରଚାର ଲାଗି ପ୍ରଥମେ ସଂଗଠିତ ଭାବରେ ଓଡ଼ିଆ ସାମୟିକ ପତ୍ରମାନ ପ୍ରକାଶ କରିଥିଲେ ହେଁ, ପ୍ରଥମ ଓଡ଼ିଆ ସାମୟିକ ପତ୍ରର ପ୍ରତିଷ୍ଠାତା ଜଣେ ସ୍ୱନାମଧନ୍ୟ ଓଡ଼ିଆ ସାଧୁ ସାଧୁସୁନ୍ଦର ଦାସ । ଓଡ଼ିଆରେ ଯେତେବେଳେ କୌଣସି ମୁଦ୍ରାଯନ୍ତ୍ର ସ୍ଥାପିତ ହୋଇ ନ ଥିଲା, ସେତେବେଳେ ଏହି ସାଧୁ ‘‘କୁଜିବର ପତ୍ରିକା’’ ନାମରେ ପତ୍ରିକାଟିଏ ତାଳପତ୍ରରେ ପ୍ରଚାର କରୁଥିଲେ । ପରେ ଏହା କାଗଜରେ ଲେଖା ହୋଇ ପ୍ରଚାରିତ ହୋଇଥିଲା । ସମସ୍ତ ଚିନ୍ତାଶୀଳ ଲୋକମାନଙ୍କ ମଧ୍ୟରେ ଏହାର ପ୍ରଚାର ଅତ୍ୟନ୍ତ ସଂଗଠିତ ଭାବେ କରାଯାଉଥିଲା । ଏହି ପତ୍ରିକାର ଆରମ୍ଭ ସମୟ ସଠିକ ଭାବରେ ଜଣାଯାଉ ନ ଥିଲେ ହେଁ ମରହଟ୍ଟାମାନଙ୍କ ଓଡ଼ିଶା ରାଜୁତି କାଳରୁ ଏହା ପ୍ରକାଶ ପାଇଥିଲା ବୋଲି ଅନୁମିତ ହୁଏ-। ଉପନିଷଦ ଓ ବେଦାନ୍ତର ଭାବଧାରା ଏଥିରେ ଆଲୋଚିତ ହେଉଥିଲା । ସମାଜ ସଂସ୍କାର ଲାଗି ଆହ୍ୱାନ ଦିଆ ଯାଉଥିଲା । ଖ୍ରୀଷ୍ଟଧର୍ମ ପ୍ରଚାରିତ ହେବା ପରେ ତାର ଦାର୍ଶନିକ ଭିତ୍ତିର ଅସାରତା ବିଷୟରେ ଯୁକ୍ତିଯୁକ୍ତ ଆଲୋଚନା ଏଥିରେ ହେଉଥିଲା । ଓଡ଼ିଶାକୁ ଆସିଥିବା ମିସ୍‌ନାରୀମାନଙ୍କ ଦୃଷ୍ଟି ଏହି ପତ୍ରିକା ଆକର୍ଷଣ କରିପାରିଥିଲା । ଏହି ପତ୍ରିକାର ପ୍ରବନ୍ଧଗୁଡ଼ିକର ଅଂଶମାନ ଅନୁବାଦ କରି ସେମାନେ ଲଣ୍ଡନ ପଠାଉଥିଲେ ଓ ତାହା ବାପ୍‌ଟିଷ୍ଟ ମିସ୍‌ନାରୀ ରିପୋର୍ଟ ଓ ଜର୍ନାଲମାନଙ୍କରେ ପ୍ରକାଶ ପାଉଥିଲା । ମୁଦ୍ରାଯନ୍ତ୍ର ପ୍ରତିଯୋଗିତା ଫଳରେ, ପରିବର୍ତ୍ତିତ ପରିସ୍ଥିତିରେ ଉପଯୁକ୍ତ ସଂଗଠନ ଅଭାବରୁ ଏହା ତିଷ୍ଠି ନ ପାରି, ୧୮୩୮ ଖ୍ରୀ: ଅ: ରେ ବନ୍ଦ ହୋଇଯାଇଥିଲା ।

 

ଖ୍ରୀଷ୍ଟିୟାନ୍ ମିସ୍‌ନାରୀମାନେ ପ୍ରଥମେ ଓଡ଼ିଆରେ ପ୍ରେସ୍ ସ୍ଥାପନା କରି, ଓଡ଼ିଆ ବାଇବେଲ୍ ଓ ଖ୍ରୀଷ୍ଟଧର୍ମ ସମ୍ବନ୍ଧରେ ଓଡ଼ିଆ ପତ୍ରିକା ପ୍ରକାଶ ପାଇଁ ଉଦ୍ୟମ କରିଥିଲେ । ଏମାନଙ୍କ ଦ୍ୱାରା ୧୮୪୯ ଖ୍ରୀ: ଅ: ରେ ‘‘ଜ୍ଞାନାରୁଣ’’, ୧୮୬୧ ଖ୍ରୀ: ଅ: ରେ ‘‘ଅରୁଣୋଦୟ’’ ଆଦି ପତ୍ରିକା ପ୍ରକାଶିତ ହୋଇଥିଲା । ଅନେକ ସମୟରେ ଏ ଗୁଡ଼ିକ ଇଂରେଜୀ ଓ ଓଡ଼ିଆ ଦୁଇଭାଷାରେ ପ୍ରକାଶ ପାଉଥିଲା । ନାନା କାରଣୀରୁ ଏଭଳି ପତ୍ରିକାମାନ ଜନପ୍ରିୟ ହୋଇ ନ ପାରି ଅକାଳରେ ନିଜର ଅସ୍ତିତ୍ୱ ହରାଇଥିଲେ ।

 

ଅଚିରେ ଓଡ଼ିଶାରେ ସାମୟିକ ପତ୍ରର ପ୍ରଚାର ପାଇଁ ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇଥିଲା-। ଓଡ଼ିଆ ବଙ୍ଗଳା ଭାଷା ବିଷୟକ ସଂଘର୍ଷ ଏହି ସମୟରେ ସାମ୍ବାଦିକତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା । ଏହି ସଙ୍କଟଜନକ ପରିସ୍ଥିତିରେ ଦେଶର ସେବା କରିବା ପାଇଁ ସଂକଳ୍ପ ନେଇ କର୍ମବୀର ଗୌରୀଶଙ୍କର ରାୟ କଟକରୁ ୧୮୬୬ ଖ୍ରୀ: ଅ: ରେ ‘‘ଉତ୍କଳ ଦୀପିକା’’ ଓ ଫକୀରମୋହନ ସେନାପତି ବାଲେଶ୍ୱରରୁ ୧୮୬୮ ଖ୍ରୀ: ଅ: ରେ ‘‘ସମ୍ବାଦ ବାହିକା’’ ପ୍ରକାଶ କରିଥିଲେ । ଏହି ଦୁଇ ପତ୍ରିକା ମଧ୍ୟରୁ ‘‘ଉତ୍କଳ ଦୀପିକା’’ ଦୀର୍ଘ ସମୟ ଧରି ପ୍ରକାଶିତ ହୋଇ ଓଡ଼ିଶାର ସାଂସ୍କୃତିକ ଜୀବନରେ ହୃତ୍‌ପିଣ୍ଡଭଳି କାମ କରିଥିଲା ।

 

ଆଧୁନିକ ଶିକ୍ଷାର କ୍ରମବିକାଶ, ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର କ୍ରମବିସ୍ତାର ହେତୁ ବହୁ ସାହିତ୍ୟିକ ପତ୍ରପତ୍ରିକାର ପୃଷ୍ଠପୋଷକତାର ଅଭାବ ଘଟି ନ ଥିଲା । ୧୮୭୩ ଖ୍ରୀ: ଅ: ରେ ବାଲେଶ୍ୱରରୁ ପ୍ରକାଶିତ ‘‘ଉତ୍କଳ ଦର୍ପଣ’’ ସଂପୂର୍ଣ୍ଣ ସାହିତ୍ୟିକ ଲକ୍ଷ୍ୟ ପୋଷଣ କରିଥିଲା । ଏହା ପଛରେ ନବ୍ୟଶିକ୍ଷିତ ରାଜା ବୈକୁଣ୍ଠନାଥ ଦେ ବାହାଦୁରଙ୍କ ପୋଷକତା ଓ ଉତ୍ସାହ ପୁରାମାତ୍ରାରେ ଥିଲା । ଓଡ଼ିଆ ସାହିତ୍ୟର ତିନି ଆଦିନିର୍ମାତା ଫକୀରମୋହନ, ରାଧାନାଥ ଓ ମଧୁସୂଦନ ଆଦିଙ୍କ ରଚନାମାନ ଏଥିରେ ପ୍ରକାଶିତ ହୋଇଥିଲା ।

 

ଆଧୁନିକ ସାହିତ୍ୟ ଯେତେବେଳେ ବହୁଭାବରେ ରଚିତ ଓ ପ୍ରକାଶିତ ହୋଇଥିଲା, ସେତେବେଳେ ପ୍ରାଚୀନପନ୍ଥୀମାନଙ୍କ ମଧ୍ୟରେ ତାର ସ୍ୱାଭାବିକ ପ୍ରତିକ୍ରିୟା ଦେଖାଦେଇଥିଲା । ଏହି ପ୍ରାଚୀନ ଓ ନବୀନ ସାହିତ୍ୟ ଦ୍ୱନ୍ଦ୍ୱ ଦେଶର ସାଂସ୍କୃତିକ ପରିମଣ୍ଡଳରେ ଏକ ବିଶେଷ ଆଲୋଡ଼ନ ସୃଷ୍ଟି କରିଥିଲା । ଏହାକୁ କେନ୍ଦ୍ର କରି ଦୁଇ ସ୍ୱତନ୍ତ୍ର ସାମୟିକ ପତ୍ର ଗୋଷ୍ଠୀ ଦେଖା ଦେଇଥିଲା । ଗତ ଶତକର ଶେଷପାଦରେ ପ୍ରକାଶିତ ‘‘ବିଜୁଳି ’’, ‘‘ଇନ୍ଦ୍ରଧନୁ’’ ଆଦିର ଏହାହିଁ ହେଉଛି ଭିତ୍ତିଭୂମି ।

 

ପାଶ୍ଚାତ୍ୟ ଶିକ୍ଷାଦ୍ୱାରା ନୂତନ ଆଲୋକପ୍ରାପ୍ତ କେତେକ ଦେଶୀରାଜ୍ୟର ନରପତିମାନଙ୍କ ପୃଷ୍ଠପୋଷକତାରେ ଅନେକ ଉଚ୍ଚଦରର ସାହିତ୍ୟପତ୍ର ଆତ୍ମପ୍ରକାଶ କରିଥିଲା । ଏ ଦିଗରେ ମୟୂରଭଞ୍ଜର ଆଦର୍ଶ ନରପତି ରାମଚନ୍ଦ୍ରଭଞ୍ଜ ଓ ବାମଣ୍ଡାର ସାର୍ ସୁଢ଼ଳ ଦେବଙ୍କ ନାମ ଉଲ୍ଲେଖଯୋଗ୍ୟ । ଏମାନଙ୍କ ଉଦ୍ୟମରେ ମୟୂରଭଞ୍ଜରୁ ‘ମୟୂରଭଞ୍ଜ’ (୧୮୭୯) ଓ ‘ଉତ୍କଳପ୍ରଭା’ (୧୮୯୧), ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ଆଦି ପ୍ରକାଶିତ ହୋଇଥିଲା । ସାହିତ୍ୟିକମାନଙ୍କର ବ୍ୟକ୍ତିଗତ ଉଦ୍ୟମରେ ଯେଉଁ ସାହିତ୍ୟପତ୍ରମାନ ପ୍ରକାଶିତ ହୋଇଥିଲା; ତାହା ମଧ୍ୟରେ ବ୍ରଜସୁନ୍ଦର ଦାସଙ୍କ ‘‘ମୁକୁର’’ ଓ ବିଶ୍ୱନାଥ କରଙ୍କ ସମ୍ପାଦିତ ‘‘ଉତ୍କଳ ସାହିତ୍ୟ ପ୍ରଧାନ । ୧୮୯୬ ଖ୍ରୀ: ଅ: ରୁ ପ୍ରଥମେ ପ୍ରକାଶିତ ହୋଇ ପ୍ରାୟ ଦୀର୍ଘ ଚାଳିଶବର୍ଷ ଧରି ଓଡ଼ିଆ ସାହିତ୍ୟରେ ସର୍ବଶ୍ରେଷ୍ଠ ପତ୍ରିକା ସ୍ଥାନ ‘‘ଉତ୍କଳ ସାହିତ୍ୟ’’ ଅଧିକାର କରିଆସିଥିଲା । ଆଧୁନିକ ଓଡ଼ିଆ ସାହିତ୍ୟର ବିକାଶ ଓ ଅଭିବୃଦ୍ଧିର ଇତିହାସ ଏହି ‘‘ଉତ୍କଳ ସାହିତ୍ୟ’’ ପତ୍ରିକାର ଏକ ପ୍ରକାର ଇତିହାସ କହିଲେ ଅତିରଞ୍ଜନ ହେବ ନାହିଁ ।

 

ଗଦ୍ୟର ବିକାଶ

 

ଏହି ପରିବର୍ତ୍ତନ ଯୁଗ ଭିତରେ ସମାଜ ସହିତ ସାହିତ୍ୟର ଏକ ନୂତନ ସଂପର୍କ ଗଢ଼ି ଉଠିଲା । ଆଗ ଯୁଗରେ ବାସ୍ତବ ଜୀବନ ସହିତ ସାହିତ୍ୟର ସଂଯୋଗ ଥିଲା ଅତି କ୍ଷୀଣ । ଜାତୀୟ ଜୀବନର ସୁଖ ଦୁଃଖ ପ୍ରତି ବିଶେଷ ଅବିହିତ ନ ହୋଇ କବି ନିଜର ବୀଣାତନ୍ତ୍ରୀର ସ୍ୱରଝଙ୍କାର ଘେନି ତନ୍ମୟ ଥିଲେ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଧର୍ମଜିଜ୍ଞାସା ପୂରି ରହିଥିଲା । ଏହି ଧର୍ମଜିଜ୍ଞାସାକୁ ବାଦ୍ ଦେଲେ ସାହିତ୍ୟ ଆଗରେ ଅନ୍ୟ ଦିଗ ଥିଲା ପାରମ୍ପରିକ ରସ ଦୃଷ୍ଟି । କିନ୍ତୁ ଆଧୁନିକ ସାହିତ୍ୟ କୌଣସି ସୀମିତ ପରିସର ମଧ୍ୟରେ ଆବଦ୍ଧ ନୁହେଁ । ପ୍ରଥମରୁ ଏହା ଜୀବନର ବିପୁଳ ବିସ୍ତାର ସହିତ ସମତାଳରେ ଗତି କରିବାକୁ ଆରମ୍ଭ କରିଅଛି । ଏଥିଲାଗି ବାଣୀକୁ କାବ୍ୟର କୃତ୍ରିମ ପଥରୁ ମୁକ୍ତ ହେବାକୁ ହୋଇଅଛି । ସାଧାରଣ ଜୀବନରେ ବିନିଯୁକ୍ତ ଗଦ୍ୟ ସାହିତ୍ୟର ସ୍ୱାଭାବିକ ମାଧ୍ୟମ ହୋଇ ପଡ଼ିଅଛି ।

 

ସାହିତ୍ୟର ଇତିହାସ ଦୃଷ୍ଟିରୁ ଦେଖିଲେ, ପ୍ରାଚୀନ ଓଡ଼ିଆ ସାହିତ୍ୟ ଗଦ୍ୟହୀନ ନୁହେଁ । ଭୁବନେଶ୍ୱର ମନ୍ଦିରରେ ଗଙ୍ଗବଂଶର ରାଜା ନରସିଂହଦେବଙ୍କ ତ୍ରୟୋଦଶ ଶତକରେ ଶିଳାଲେଖ ଓଡ଼ିଆ ଗଦ୍ୟରେ ଲେଖା । ଏହାପରେ ଷୋଡ଼ଶ ଶତକ ମଧ୍ୟରେ ଅନେକ ଗୁଡ଼ିଏ ତାମ୍ରଶାସନ ଓ ଦାନପତ୍ର ଆଦିର ଗଦ୍ୟ ପୁରୀ ମନ୍ଦିରରୁ ମିଳେ । ପୁରୀ ଦେଉଳରେ ରକ୍ଷିତ ମାଦଳାପାଞ୍ଜି ପ୍ରାଚୀନ ଓଡ଼ିଆ ଗଦ୍ୟର ଅନ୍ୟତମ ଦୃଷ୍ଟାନ୍ତ । ଏହା ବ୍ୟତୀତ ଷୋଡ଼ଶ ଶତକରେ କବି ବଳରାମ ଦାସ ଓ ଜଗନ୍ନାଥ ଦାସ ଯଥାକ୍ରମେ ତାଙ୍କର ବ୍ରହ୍ମଗୀତା ଓ ତୁଣାଭିଣା ଆଦି ଦାର୍ଶନିକ କୃତିରେ ପଦ୍ୟ ସହିତ ସମାନ ଭାବରେ ଗଦ୍ୟର ବ୍ୟବହାର କରିଅଛନ୍ତି । ବତ୍ରିଶ ସିଂହାସନ କଥା, ସୋମନାଥ ବ୍ରତକଥା ଭଳି ଅନେକ ବ୍ରତକଥା ଏବଂ ଅଷ୍ଟାଦଶ ଶତକର ଓଡ଼ିଆ କବି ବ୍ରଜନାଥ ବଡ଼ଜେନାଙ୍କର ‘‘ଚତୁର ବିନୋଦ’’ ରେ ପ୍ରାଚୀନ ଓଡ଼ିଆ ଗଦ୍ୟର ସ୍ପଷ୍ଟ ପ୍ରକାଶ ଦେଖିବାକୁ ମିଳେ ।

 

ଆଧୁନିକ ଗଦ୍ୟସାହିତ୍ୟ କିନ୍ତୁ ପ୍ରାଚୀନ ଗଦ୍ୟର ଧାରା ଉପରେ ସଂପୂର୍ଣ୍ଣ ବିକଶିତ ହୋଇନାହିଁ । ଏଥିଲାଗି ପ୍ରେରଣା ଅନେକାଂଶରେ ଇଂରେଜୀ ଓ କେତେକାଂଶରେ ସଂସ୍କୃତ ସାହିତ୍ୟ ଯୋଗାଇଅଛି । ଆଧୁନିକ ଓଡ଼ିଆ ଗଦ୍ୟ ଲେଖିବାକୁ ପ୍ରଥମେ ପାଦ୍ରିମାନେ ପ୍ରୟାସ କରିଥିଲେ । କିନ୍ତୁ ଗଦ୍ୟର ସ୍ୱାଭାବିକ ସ୍ପୂର୍ତ୍ତି ଏଥିରେ ଘଟି ନ ଥିଲା । ଏହାର ବାକ୍ୟଗଠନ ଭଙ୍ଗୀ ଏକାନ୍ତ ଅପ୍ରାକୃତିକ ଓ ହାସ୍ୟୋଦ୍ଦୀପକ ଥିଲା । ପୁଣି ସଂସ୍କୃତର ଆଦର୍ଶରେ ଓଡ଼ିଆ ଗଦ୍ୟ ରଚନାର ଯେଉଁ ପ୍ରୟାସ ହୋଇଥିଲା ତାହା ବି ପୂର୍ଣ୍ଣତା ପ୍ରାପ୍ତ ହୋଇ ନ ଥିଲା । ବହୁ କ୍ଳିଷ୍ଟ ସମାସଯୁକ୍ତ ପଦଦ୍ୱାରା ଏହି ଗଦ୍ୟର ଗତି ଅତି ମନ୍ଥର ଥିଲା । ଆଧୁନିକ ଭାବଧାରାର ବାହନ ହେବାକୁ ଏ ଗଦ୍ୟ ସମର୍ଥ ନଥିଲା । ଏହି ଦୁଇ ଧାରାରେ ଗଦ୍ୟ ଲେଖା ରୀତିର ବିଫଳତା ଉପରେ ଶିକ୍ଷିତ ଓ ଆଧୁନିକ ରୁଚିସମ୍ପନ୍ନ ନାଗରିକମାନଙ୍କର ବଚନ ବିନ୍ୟାସର ଭିତ୍ତିରେ ଆଧୁନିକ ଗଦ୍ୟ ବିକସିତ ହୋଇଥିଲା । ଉନବିଂଶ ଶତକର ଶେଷପାଦରେ ଗୌରୀଶଙ୍କରଙ୍କର ସାମ୍ବାଦିକ ଭାଷା, ରାଧାନାଥ ଓ ମଧୁସୂଦନଙ୍କ ପ୍ରବନ୍ଧ ଓ ଫକୀରମୋହନଙ୍କ କଥାସାହିତ୍ୟ ଭିତରେ ଆଧୁନିକ ଓଡ଼ିଆ ଗଦ୍ୟ ପ୍ରକୃତ ରୂପରେ ଆତ୍ମପ୍ରକାଶ କଲା । ଏହା ହିଁ ଓଡ଼ିଆ ସାହିତ୍ୟରେ ଯଥାର୍ଥରେ ନୂତନ ଯୁଗର ଭିତ୍ତି ସ୍ଥାପନ କଲା ।

 

ଆଧୁନିକ ଓଡ଼ିଆ କାବ୍ୟଧାରା

 

ଆଧୁନିକ ଓଡ଼ିଆ କାବ୍ୟର ପ୍ରଥମ ଓ ଶ୍ରେଷ୍ଠ ପ୍ରତିଭା ରାଧାନାଥଙ୍କ ଅବ୍ୟବହିତ ପୂର୍ବରୁ କବିସୂର୍ଯ୍ୟ ବଳଦେବ ରଥ ‘‘ଚନ୍ଦ୍ରକଳା’’ କାବ୍ୟ ରଚନା କରିଥିଲେ । ୧୮୬୦ ଖ୍ରୀ: ଅ: ମଧ୍ୟରେ ଲେଖା କବିସୂର୍ଯ୍ୟଙ୍କର ଏହି କାବ୍ୟର ରଚନାକାଳଠାରୁ ରାଧାନାଥଙ୍କ ପ୍ରଥମକାବ୍ୟ ‘‘କେଦାରଗୌରୀ’’ ର ରଚନାକାଳ ମଧ୍ୟରେ ୨୦ବର୍ଷରୁ ଅଧିକ ତଫାତ୍ ହେବ ନାହିଁ । ଐତିହାସିକ ବିବେଚନା ଦୃଷ୍ଟିରୁ ଏହା ଖୁବ୍ ବଡ଼ ପାର୍ଥକ୍ୟ ନୁହେଁ । କିନ୍ତୁ ଉଭୟ କାବ୍ୟର ପ୍ରକୃତିକୁ ଲକ୍ଷ୍ୟକଲେ ଦୁଇକବି ଦୁଇଟି ସ୍ୱତନ୍ତ୍ର ଜଗତରେ ବାସ କରୁଥିବାଭଳି ମନେ ହୁଏ । ପ୍ରଣୟ ହିଁ ରାଧାନାଥଙ୍କ ‘‘କେଦାରଗୌରୀ’’ ଓ କବିସୂର୍ଯ୍ୟଙ୍କ ‘‘ଚନ୍ଦ୍ରକଳା’’ ଉଭୟର ପ୍ରଧାନ ଉପଜୀବ୍ୟ । କିନ୍ତୁ ଉଭୟର ନିର୍ମାଣ କୌଶଳ ଭିନ୍ନ, ଭାବସମ୍ପଦ, ବର୍ଣ୍ଣନା, ଭାଷାପ୍ରୟୋଗ, ଛନ୍ଦଯାଜନା ଆହୁରି ସ୍ୱତନ୍ତ୍ର । ଅଷ୍ଟାଦଶ ଶତକର କବି ଉପେନ୍ଦ୍ରଭଞ୍ଜଙ୍କଠାରୁ ଓଡ଼ିଆ କାବ୍ୟରଚନାର ଯେଉଁ ଧାରା ଚଳି ଆସିଥିଲା, କବିସୂର୍ଯ୍ୟଙ୍କ ‘‘ଚନ୍ଦ୍ରକଳା’’ ତାହାର ଶେଷ ନିଦର୍ଶନ । ସଂସ୍କୃତ ଆଳଙ୍କାରିକମାନଙ୍କର ଅନୁଶାସନରେ ଚରିତ୍ରଗୁଡ଼ିକ ଗଢ଼ା; ପରମ୍ପରାର ନିବନ୍ଧନରେ ଏହାର କାହାଣୀ ଓ ବର୍ଣ୍ଣନା ବୈଚତ୍ର୍ୟହୀନ । ଛନ୍ଦରେ ସଙ୍ଗୀତର ମୂର୍ଚ୍ଛନା ଅତୁଟ ଥିଲେ ହେଁ କ୍ଳିଷ୍ଟତା, ଶବ୍ଦାଳଙ୍କାରର ଗୁରୁତା, ଅର୍ଥାଳଙ୍କାଳରେ ଅତିରଞ୍ଜନର ବହୁଳତା ଏହାକୁ ସବୁପ୍ରକାର ସ୍ୱାଭାବିକ ସୌନ୍ଦର୍ଯ୍ୟରୁ ବଞ୍ଚିତ କରିଛି ।

 

ଅନ୍ୟପକ୍ଷରେ ରାଧାନାଥଙ୍କ କାବ୍ୟ ‘କେଦାରଗୌରୀ’ର କାହାଣୀ ଗତାନୁଗତିକ ଭାବରେ ଗୃହୀତ ଜଣେ ରାଜକୁମାର ଓ ଜଣେ ରାଜକୁମାରୀଙ୍କର ପ୍ରେମ କାହାଣୀ ନୁହେଁ । ରୋମୀୟ କବି ଓଭିଡ଼(Ovid)ଙ୍କ ମେଟାମୋରଫସିସ୍‌ (Metamorphosis)ର ପିରାମସ୍‌ ଓ ଥିସ୍‌ବି Piramus & Thysbe ଆଖ୍ୟାୟିକା ଏହାର ଅବଲମ୍ୱନ ହେଲେ ହେଁ ଓଡ଼ିଶାର କୈମ୍ୱଦନ୍ତିକ ବ୍ୟାଖ୍ୟା, ପୌରାଣିକ ପରିବେଶ ଓ ପ୍ରକୃତିକ ପୀଠିକା ହିଁ ଏହାର ଆଧାର । କାବ୍ୟଟିର ସଂକ୍ଷିପ୍ତ କଥାବସ୍ତୁ ଏହିପରି । ଓଡ଼ିଶାର ପ୍ରାଚୀନ ନଗର ଭୁବନେଶ୍ୱରରେ କେଦାର ଓ ଗୌରୀ ନାମରେ ଦୁଇଜଣ କିଶୋର କିଶୋରୀ ଦୁଇଟି ପଡ଼ୋଶୀ ପରିବାରରେ ବାସ କରୁଥିଲେ । ଉଭୟ ପରସ୍ପରର ପ୍ରେମପାଶରେ ଆବଦ୍ଧ ହୋଇ, ଦୁଇ ପରିବାର ମଧ୍ୟରେ ବ୍ୟବଧାନ ଥିବା କାନ୍ଥର ଗୋଟିଏ ରନ୍ଧ୍ରର ଦୁଇପାଖରେ ବସି ଆଖିର ଲୁହରେ ନିଜନିଜର ପ୍ରେମ ନିବେଦନ କରୁଥିଲେ । ଥରେ ପ୍ରେମର ସନ୍ନ୍ୟାସୀ ସନ୍ନ୍ୟାସିନୀ ହେବାର ପଣ ଘେନି ଲୋକାଳୟ ଛାଡ଼ି ଗୋଟିଏ ନିର୍ଜନ ଗୋପନ ସ୍ଥାନକୁ ମିଳନ ପାଇଁ ଦୁହେଁ ଯାତ୍ରା କଲେ ।ଗୌରୀ ପ୍ରଥମେ ସଙ୍କେତ ସ୍ଥଳରେ ପହଞ୍ଚି ଗୋଟିଏ ମହାବଳବାଘର ଶବ୍ଦଶୁଣିଲା । ଆତ୍ମରକ୍ଷା ପାଇଁ ନିକଟବର୍ତ୍ତୀ ଗୋଟିଏ ଗୁମ୍ଫାରେ ଆଶ୍ରୟ ନେବାକୁ ଯିବାବେଳେ ତା’ର ଉତ୍ତରୀୟଟି ଖସିପଡ଼ିଲା । ଉତ୍ତରୀୟଟିକୁ ରକ୍ତାକ୍ତମୁଖରେ ଚିରି ଦେଇ ବାଘ ବାହାରିଗଲା । କେଦାର ଏହି ରକ୍ତାକ୍ତ ଉତ୍ତରୀୟଟିକୁ ଦେଖି ଗୌରୀ ବ୍ୟାଘ୍ରର ଆହାର ହୋଇଛି ଭାବି, ନିଜର ଶାଣିତ କୃପାଣରେ ଆତ୍ମହତ୍ୟା କଲା । ଗୌରୀ ଆସି ମୃତ ପ୍ରେମିକର ଛାତିରୁ ଖଡ୍‌ଗ ଉଠାଇ ସେହିଠାରେ ଆତ୍ମହତ୍ୟା କଲା । ସେ ସମୟର ଉତ୍କଳ ନରେଶ ଲଲାଟେନ୍ଦୁ କେଶରୀ ପାରିଧିରେ ଆସି ଏହି ମୃତ ଯୁଗଳଙ୍କର ଶବସତ୍କାର କରି, ଏହିସ୍ଥାନରେ ସେମାନଙ୍କ ସ୍ମୃତିରକ୍ଷା ଲାଗି କେଦାରଗୌରୀ ମନ୍ଦିର ନିର୍ମାଣ କଲେ । ଦେଶବିଦେଶର ପୌରାଣିକ କାହାଣୀକୁ ଓଡ଼ିଶାର ପ୍ରାକୃତିକ ପରିବେଶ ଓ ପୌରାଣିକ କୈମ୍ୱଦନ୍ତିକ ଆଖ୍ୟାନର ଅନୁରୂପ କରି କାବ୍ୟ ରଚନାରେ ସେ ଅତୀବ ଦକ୍ଷ ଥିଲେ । ଏହି ‘‘କେଦାରଗୌରୀ’’ କାବ୍ୟ ସହିତ ‘‘ଚନ୍ଦ୍ରଭାଗା’, ‘ଉଷା’, ‘ନନ୍ଦିକେଶରୀ’ ଆଦି କାବ୍ୟର ଗଠନଶିଳ୍ପ ପ୍ରାୟ ସମାନ । ଏ ଗୁଡ଼ିକ କବିବର ରାଧାନାଥଙ୍କର ଅନାବଦ୍ୟ ରୋମାଣ୍ଟିକ କାବ୍ୟ । ଏହିସବୁ କାବ୍ୟ ଗୁଡ଼ିକ ଉପରେ ବାଇରନ୍‌ଙ୍କ କଥାକାବ୍ୟ (Verstalee) ଗୁଡ଼ିକର ପ୍ରଭାବ ସମାଲୋଚକର ଦୃଷ୍ଟି ଏଡ଼ାଇ ପାରେ ନାହିଁ । ‘‘କେଦାର ଗୌରୀ’’ ପଛରେ Pyramus ଓ Thysbe ଆଖ୍ୟାୟିକା ଥିଲା ଭଳି ତାଙ୍କର ‘‘ଚନ୍ଦ୍ରଭାଗା’’ କାବ୍ୟରେ ଡାଫନେ ଏବଂ ଆପୋଲୋଙ୍କ ଆଖ୍ୟାନ ଓ ‘‘ଉଷା’’ କାବ୍ୟରେ Atalanta's race ଅବଲମ୍ୱନ ହୋଇଅଛି । ‘‘ନନ୍ଦିକିଶୋରୀ’’ କାବ୍ୟ ଉପରେ ବାଇରନ୍‌ଙ୍କ (Lord Byron) ସିଜ୍‌ ଅଫ କୋରିନ୍‌ନ୍ଥ (Stige of Corinth)ର ପ୍ରଭାବ ସ୍ପଷ୍ଟ । ଏ ସବୁ ରାଧାନାଥଙ୍କ କାବ୍ୟ ପ୍ରତିଭାର ଗୋଟିଏ ଅଂଶ । ଅପର ଅଂଶଟି ସଂପୂର୍ଣ୍ଣରୂପେ ଭାରତୀୟ ପୁରାଣ ଓ ଇତିହାସକୁ ଅନୁସରଣ କରିଅଛି । ‘‘ବେଣୀସଂହାର’’, ‘‘ଦଶରଥ ବିୟୋଗ’’, ‘‘ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ’’, ‘‘ବାଣହରଣ’’ ଆଦି ରାମାୟଣ ମହାଭାରତର ଆଖ୍ୟାନ ଅବଲମ୍ୱନରେ ରଚିତ କାବ୍ୟ ଗୁଡ଼ିକ ତାହାର ନିଦର୍ଶନ ।

 

ଅସଂପୂର୍ଣ୍ଣ ହୋଇ ବି ‘‘ମହାଯାତ୍ରା’’ ରାଧାନାଥଙ୍କର ଶ୍ରେଷ୍ଠ ମହାକାବ୍ୟ । ମହାଭାରତରେ ଯୁଧିଷ୍ଠିର ଆଦି ପଞ୍ଚପାଣ୍ଡବଙ୍କର ମହାପ୍ରୟାଣ ହିଁ ଏହାର ଆଖ୍ୟାନବସ୍ତୁ । କିନ୍ତୁ କାବ୍ୟର ଅବଲମ୍ୱନ ପୁରାଣ ନୁହେଁ, ଇତିହାସ । ଏହାର ଗଠନକ୍ରମ ଓ ପରିକଳ୍ପନା ଉପରେ ମିଲଟନଙ୍କ Paradise Lost ର ପ୍ରଭାବ ସ୍ପଷ୍ଟ । ମିଲଟନ୍‌ଙ୍କ ଦେବଦୂତ ଭଳି ଅଗ୍ନିଙ୍କ ଦ୍ୱାରା ଦତ୍ତ ଦିବ୍ୟାଞ୍ଜନ ବଳରେ ଯୁଧିଷ୍ଠିର ଭବିଷ୍ୟତ ଭାରତର ଅଧଃପତନର ଚିତ୍ରଦେଖି ଅଶ୍ରୁପାତ କରିଅଛନ୍ତି-। ‘‘ମହାଯାତ୍ରା’’ କାବ୍ୟର ଆଉ ଏକ ଦିଗ ହେଉଛି, ପୁରାଣପ୍ରସିଦ୍ଧ ଭାରତବର୍ଷର ଐତିହାସିକ ଯାତ୍ରାର ବର୍ଣ୍ଣନା ସହିତ ତାହାର ନଦନଦୀ, ଅରଣ୍ୟ ପର୍ବତ, ତୀର୍ଥନଗର, ଭିନ୍ନଭିନ୍ନ ଜାତି ଓ ଅଞ୍ଚଳର ଅଧିବାସୀମାନଙ୍କର ଜୀବନ୍ତ ଚିତ୍ର । ରାଧାନାଥ ଥିଲେ ପ୍ରକୃତିର କବି । ସମଗ୍ର ଭାରତବର୍ଷର ଏବଂ ବିଶେଷଭାବେ ଓଡ଼ିଆର ବୈଚତ୍ର୍ୟପୂର୍ଣ୍ଣ ପ୍ରକୃତିର ଆଲେଖ୍ୟ ମନୋରମ ଭାଷା ଶିଳ୍ପରେ ଶିଳ୍ପୀର ତୁଳିରେ ଅଙ୍କିତ ଦୃଶ୍ୟପଟ ଭଳି ଜୀବନ୍ତ ଓ ବିଶଦ ଭାବରେ ଅଙ୍କନ କରିଯାଇଛନ୍ତି-। କାବ୍ୟଲୋକର ଅପୂର୍ବ ସୁଷମା ଘେନି ଓଡ଼ିଶାର ମନୋରମ ପ୍ରାକୃତିକ ହ୍ରଦ ଚିଲିକା ରାଧାନାଥଙ୍କ ‘‘ଚିଲିକା’’ କାବ୍ୟରେ ଆତ୍ମପ୍ରକାଶ କରିଅଛି । ଜାତୀୟ ସମ୍ମାନର ପ୍ରାଣ ପ୍ରତିଷ୍ଠା ଲାଗି ରାଧାନାଥ ଯେ ଲେଖନୀ ଧାରଣ କରିଥିଲେ, ଏହା ଦେଶର ଇତିହାସ ଓ ଭୂଗୋଳର କାବ୍ୟିକ ବ୍ୟାଖ୍ୟା ଭିତରେ କେବଳ ଫୁଟି ଉଠିନାହିଁ, ଦେଶର ବାସ୍ତବ ସମାଜର ସ୍ୱରୂପ ବିଶ୍ଳେଷଣ ଭିତରେ ଫୁଟି ଉଠିଅଛି । ବିଦେଶୀ ଶାସନର ପ୍ରଶଂସା ଭାଜନ ହେବାଲାଗି ନୀଚ ଉଦ୍ୟମ କରୁଥିବା ସେ ସମୟରେ ଦେଶୀରାଜ୍ୟର ରାଜା, ଜମିଦାର, ଶାସକ ଓ ଉପାଧିଧାରୀ ଇଂରେଜୀ ଶିକ୍ଷିତ ଅଭିମାନୀ ବ୍ୟକ୍ତିମାନଙ୍କୁ ରାଧାନାଥଙ୍କ ବିଦ୍ରୁପଶାଣିତ ଲେଖନୀ ‘‘ଦରବାର’’ କାବ୍ୟରେ ବିକ୍ଷତ କରିଅଛି ।

 

ରାଧାନାଥଙ୍କ କାବ୍ୟପ୍ରତିଭା ଓଡ଼ିଆ ଛାନ୍ଦ ଓ ଶବ୍ଦ ଯୋଜନାରେ ବି ନୂତନ ଦିଗଦର୍ଶନ ଦେଇଥିଲା । ପ୍ରାଚୀନ ଓଡ଼ିଆ କାବ୍ୟ ସଙ୍ଗୀତମୟ ଥିଲା । ବିଭିନ୍ନ ପ୍ରକାର ରାଗରାଗିଣୀର ଏତେ ବୈଚତ୍ର୍ୟପୂର୍ଣ୍ଣ ପ୍ରୟୋଗ ଏଥିରେ କରାଯାଇଛି ଯେ, ତାହା ଏ ଯୁଗରେ ବିସ୍ମୟଜନକ ମନେ ହୋଇଥାଏ । କିନ୍ତୁ ନିପୁଣ ଶିଳ୍ପୀ ରାଧାନାଥ ଆଧୁନିକ ଜୀବନର ଗତିଛନ୍ଦ ପ୍ରତି ସଚେତନ ଥିଲେ । ସେ ଭଲଭାବରେ ବୁଝିଥିଲେ ଯେ, ଖଣ୍ଡିତ ଅବସର ଭିତରେ ଏ ଯୁଗର କାବ୍ୟ ପାଠକ ପକ୍ଷରେ ଆୟାସ ସାଧ୍ୟ ସ୍ୱରନିପୁଣତା ହାସଲ କରି ଦୀର୍ଘ ଶ୍ୱାସ ବ୍ୟୟରେ କାବ୍ୟରୁ ସଙ୍ଗୀତ ରସ ଉପଭୋଗ କରିବା ସମ୍ଭବ ନୁହେଁ । ଅଧିକନ୍ତୁ ପ୍ରାଚୀନ କାବ୍ୟ ଜଣେ ନିପୁଣ ଗାୟକଙ୍କ କଣ୍ଠରୁ ବହୁ ସଂଖ୍ୟକ ଶ୍ରୋତାଙ୍କ ଚିତ୍ତ ବିନୋଦନ ଲାଗି ଅଭିପ୍ରେତ ଥିଲା । ଆଧୁନିକ କାବ୍ୟ ନିରୋଳାରେ ଏକୁଟିଆ ପାଠକର ଚିତ୍ତ ବିନୋଦନର ସାଧନ । ଏହିସବୁ କଥା ଦୃଷ୍ଟିରେ ରଖି ରାଧାନାଥ ତାଙ୍କ ଛାନ୍ଦକୁ ସଙ୍ଗୀତର ଜଟିଳ ସ୍ୱର ବିନ୍ୟାସରୁ ମୁକ୍ତକରି ସରଳ ଓ ସାଧାରଣ କରିବାକୁ ଉଦ୍ୟମ କରିଅଛନ୍ତି । ତଥାପି ସଙ୍ଗୀତ ପ୍ରାଣ ଜାତିର କାବ୍ୟରୁ ସଙ୍ଗୀତକୁ ଏକାବେଳକେ ନିର୍ବାସିତ କରିବାକୁ ରାଧାନାଥ ପ୍ରଥମେ ସାହସ କରି ନ ଥିଲେ । ସ୍ୱର ସାଧନାରେ ଅନିପୁଣ କଣ୍ଠରେ ପାଠକ ନିଜେ ନିଜେ ଯେଉଁ ସଙ୍ଗୀତ ଉପଭୋଗ କରି ପାରିବ, ସେ ତାହା ପରିବେଷଣ କରିଥିଲେ । ପ୍ରାଚୀନ ଓଡ଼ିଆରେ ବ୍ୟବହୃତ ଅପେକ୍ଷାକୃତ ସରଳ ଛନ୍ଦ - ନଟବାଣୀ, ଚକ୍ରକେଳୀ, ଖଣ୍ଡକୁମ୍ଭକାମୋଦୀ ଓ ବଙ୍ଗଳାଶ୍ରୀ ଆଦିର ବିନିଯୋଗ ସେ କରିଅଛନ୍ତି । ଅମିତ୍ରାକ୍ଷର ଛାନ୍ଦ ମଧ୍ୟ ରାଧାନାଥ ପ୍ରଥମେ ଓଡ଼ିଆ କାବ୍ୟରେ ସଫଳ ପ୍ରୟୋଗ କରିଥିଲେ । ‘ମହାଯାତ୍ରା’ ଏହି ଅମିତ୍ରାକ୍ଷର ଛାନ୍ଦରେ ଲେଖା । ପ୍ରଥମେ ରାଧାନାଥ ଲାଳିତ୍ୟପୂର୍ଣ୍ଣ ସଂସ୍କୃତ ଶବ୍ଦମାନ କାବ୍ୟରେ ଅଧିକ ପରିମାଣରେ ବ୍ୟବହାର କରିଥିଲେ ହେଁ ଲୌକିକ ପ୍ରୟୋଗ ଓ ଶବ୍ଦ ସମ୍ଭାରର ଯଥାର୍ଥ ବିନିଯୋଗ କରିବାରେ ହେଳା କରି ନାହାନ୍ତି । ‘ଦରବାର’ କାବ୍ୟ ଏହାର ନିଦର୍ଶନ ।

 

ରାଧାନାଥ ଯେଉଁ କାବ୍ୟସୌଧର ମୂଳଦୁଆ ଦେଇଗଲେ, ତାହା ସେ ସମୟରେ ବହୁ ଶକ୍ତିଶାଳୀ ଲେଖନୀଦ୍ୱାରା ସମୃଦ୍ଧ ହୋଇଥିଲେ ହେଁ ଏଠାରେ ଦୁଇଟି କାବ୍ୟ ପ୍ରତିଭା କତା ବିଶେଷ ଉଲ୍ଳେଖଯୋଗ୍ୟ । ସ୍ୱର୍ଗତ ଗଙ୍ଗାଧର ମେହେର ରାଧାନାଥଙ୍କୁ ଆଦର୍ଶରୂପେ ଗ୍ରହଣ କରିଥିଲେ ହେଁ ତାଙ୍କ ପ୍ରତିଭାର ମୌଳିକତା ଅନସ୍ୱୀକାର୍ଯ୍ୟ । ପ୍ରାଚୀନ ପୁରାଣ, କାବ୍ୟ, ଆଖ୍ୟାୟିକା ଆଦି ତାଙ୍କ କାବ୍ୟର ଉପାଦାନ ଥିଲା । ତାଙ୍କର ‘‘କୀଚକ ବଧ’’, ‘‘ଇନ୍ଦୁମତୀ’’ ପଦ୍ମ ପୁରାଣର ଆଖ୍ୟାନ ଉପରେ ରଚିତ । ତାଙ୍କର ଅସମ୍ପୂର୍ଣ୍ଣ କାବ୍ୟ ‘‘ପଦ୍ମିନୀ’’ ଟଡ଼ଙ୍କ ରାଜସ୍ଥାନ ଇତିହାସର ଆଧାର ଉପରେ ପରିକଳ୍ପିତ ହୋଇଥିଲା । ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ ‘‘ତପସ୍ୱିନୀ’’ ଉପରେ ଭବଭୂତିଙ୍କର ଉତ୍ତର ରାମ ଚରିତର ପ୍ରଚ୍ଛନ୍ନ ପ୍ରଭାବ ଥିଲେ ହେଁ ବନବାସିନୀ ସୀତାଙ୍କ ଚରିତ୍ର କଳ୍ପନାରେ ତାଙ୍କର ସ୍ୱାତନ୍ତ୍ର୍ୟ ଓ ମୌଳିକତା ସ୍ପଷ୍ଟ । ତାଙ୍କର ଅନ୍ୟତମ ଶ୍ରେଷ୍ଠକାବ୍ୟ ‘‘ପ୍ରଣୟ-ବଲ୍ଲରୀ’’ କାଳି ଦାସଙ୍କ ଶକୁନ୍ତଳାର ଭବାନ୍ତର ବା ଭାଷାନ୍ତର ନୁହେଁ । କାଳିଦାସଙ୍କ ଅନୁସରଣରେ ହେଲେ ବି ଗୋଟିଏ ମୌଳିକ ରଚନା ଭଳି ଏହା ମନୋରମ । ଗୋଟିଏ ହାତୀର ପଦାଙ୍କ ଅନୁସରଣରେ ଆଉ ଗୋଟିଏ ହାତୀର ଗତି ସୁନ୍ଦର ଦିଶେ ନାହିଁ ଅଥଚ ସେହି ମାର୍ଗରେ ଗୋଟିଏ ମରାଳର ନୈସର୍ଗିକ ଗତି ଅଧିକ ଦର୍ଶନୀୟ ହୋଇଥାଏ - ଏହି ଆଦର୍ଶ ଦୃଷ୍ଟିରେ ରଖିଥିବା କଥା କବି ଏହି କାବ୍ୟର ମୁଖବନ୍ଧରେ ପ୍ରକାଶ କରିଥିଲେ । ତାହା ସେ ଯଥାର୍ଥରେ ପାଳନ କରିଅଛନ୍ତି ।

 

ମେହେରଙ୍କ ପ୍ରକୃତି ବର୍ଣ୍ଣନାରେ ମଧ୍ୟ ରାଧାନାଥଙ୍କଠାରୁ ସ୍ୱାତନ୍ତ୍ର୍ୟ ଦେଖିବାକୁ ମିଳେ । କେବଳ ଉତ୍କଳ ଲକ୍ଷ୍ମୀଙ୍କୁ ବାଦ୍‌ ଦେଲେ, ତାଙ୍କର ଅନ୍ୟ କାବ୍ୟମାନଙ୍କରେ ପ୍ରକୃତି ବର୍ଣ୍ଣନା ଭୂଗୋଳଧର୍ମୀ ନୁହେଁ । ଏଥିରେ ବ୍ୟକ୍ତିତ୍ୱର ପ୍ରକାଶ ଅଧିକ । ପ୍ରକୃତିକୁ ସଖା ସୋଦର, ଦୁଃଖରେ ସଂବେଦନଶୀଳ, ସୁଖରେ ଉନ୍ମାଦକର ରୂପେ ମନୋନୟ ଓ ମନୋଜ୍ଞ ଅଭିବ୍ୟକ୍ତି, ଦେବାପାଇଁ ମେହେରଙ୍କ ଲେଖନୀ ନିପୁଣ । ଓଡ଼ିଆକାବ୍ୟ ପାଶ୍ଚାତ୍ୟରୁ ଆହରଣ କରିବା ବିଷୟରେ ଗଙ୍ଗାଧରଙ୍କର ପ୍ରତିକୂଳ ମତ ନ ଥିଲା । କିନ୍ତୁ ଉଦ୍ଦେଶ୍ୟହୀନ ଭାବେ ଅଯଥା ଅନୁକରଣର ସେ ବିରୋଧୀ ଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମଣ୍ଡନ କଳାକୁ ଆଧୁନିକ କାବ୍ୟରେ ପ୍ରତିଷ୍ଠା କରିବା ତାଙ୍କର ଅନ୍ୟତମ ଲକ୍ଷ୍ୟ ଥିଲା । ଏହା ୧୯୧୫ ଖ୍ରୀ:ଅ: ରଚିତ ‘‘ଉତ୍କଳଭାରତୀଙ୍କ ଉକ୍ତି’’ ନାମକ ଗୋଟିଏ କବିତାରେ କବି ଏହିଭାବେ ପ୍ରକାଶ କରିଥିଲେ–

 

‘‘ପାଇଥିଲେ ଦିଅବିଲାତି ପ୍ରସୂନ

ଥାଏ ଯଦି ତହିଁ କିଛି ସୌରଭ,

ସୌରଭ ନ ଥିଲେକାନ୍ତିରେ ନିଊନ

ନ ଥିଲେ ବଢ଼ିବ ସିନା ଗୌରବ ।

ମସ୍ତକେ ମୋ ଟୋପିନ ଦେବ ବାବାରେ

ନ କାଢ଼ିବ ମୋର କରୁ କଙ୍କଣ

ସିନ୍ଦୁର ବିନ୍ଦୁ ମୋଭାଲେ ଲେଖିବାରେ

ନିରନ୍ତର ଯେହ୍ନେ ଥିବ ସ୍ମରଣ ।’’

ରାଧାନାଥଙ୍କୁ କାବ୍ୟର ଗୁରୁରୂପେ ଗ୍ରହଣ କରି ଶ୍ରୀଯୁକ୍ତ କବିଶେଖର ଚିନ୍ତାମଣି ମହାନ୍ତି ସବୁଠାରୁ ବେଶୀ ସଂଖ୍ୟକ କାବ୍ୟ ରଚନା କରିଥିଲେ । ଇତିହାସର କାହାଣୀ, ପୁରାଣର ଆଖ୍ୟାୟିକା ପ୍ରକୃତିର ପୀଠିକା ହିଁ ତାଙ୍କ କାବ୍ୟର ଆଧାର । ତାଙ୍କର ଐତିହାସିକ କାବ୍ୟଗୁଡ଼ିକର ଆଦର୍ଶ ସମ୍ୱନ୍ଧରେ ସେ ଲେଖିଥିଲେ - ‘‘ଇତିହାସ ସଙ୍ଗରେ କଳ୍ପନା ନ ମିଶିଲେ କାବ୍ୟ ହୁଏ ନାହିଁ; ସୁତରାଂ କଳ୍ପନାର ସୁଦ୍ଧା ଯଥେଷ୍ଟ ସାହାଯ୍ୟ ମୁଁ ନେଇଅଛି । ମାତ୍ର ସେଥିପାଇଁ ଇତିହାସର ସତ୍ୟତା କ୍ଷୁର୍ଣ୍ଣ ହୋଇନାହିଁ, କିମ୍ୱା ଇତିହାସର ପ୍ରାଣହାନି ଘଟିନାହିଁ ।’’ (ମୁଖବନ୍ଧ-ମୁକୁନ୍ଦଦେବ) ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ଚରିତ ଅବଲମ୍ୱନରେ କାବ୍ୟ ଲେଖିବା ବେଳେ ଐତିହାସିକମାନଙ୍କର ଦୃଷ୍ଟିକୁ ଆସି ନ ଥିବା ମାଦଳାପାଞ୍ଜି ଭଳି ପ୍ରାଚୀନ ଉପାଦାନର ସାହାଯ୍ୟ ସେ ନେଇଥିଲେ । ଇତିହାସର ଅନୁମାନ ଦ୍ୱାରା ସମ୍ଭବପର, ଅଥଚ ତଥ୍ୟଦ୍ୱାରା ଅପ୍ରମାଣିତ ଏଭଳି ବହୁ ଘଟଣା ସେ ତାଙ୍କର ଐତିହାସିକ କାବ୍ୟମାନଙ୍କରେ ସଂଯୋଜିତ କରି ଅଛନ୍ତି । ଇତିହାସରେ ଗୁପ୍ତସମ୍ରାଟ ବିକ୍ରମାଦିତ୍ୟ ଓ ସେହି ସମୟର ଉତ୍କଳ ଅଧିପତି ଯଜାତିକେଶରୀଙ୍କର କୌଣସି ସମ୍ୱନ୍ଧ ବର୍ଣ୍ଣିତ ହୋଇ ନଥିଲେ ମଧ୍ୟ, କବି ତାଙ୍କର ବିକ୍ରମାଦିତ୍ୟ କାବ୍ୟରେ ଉଭୟଙ୍କ ସଖ୍ୟ ଓ ତୀର୍ଥ ଦର୍ଶନ ଉଦ୍ଦେଶ୍ୟରେ ବିକ୍ରମାଦିତ୍ୟଙ୍କ ଉତ୍କଳ ଆଗମନ ପ୍ରସଙ୍ଗ ବର୍ଣ୍ଣନା କରିଅଛନ୍ତି । ପୌରାଣିକ ଚରିତ୍ର ଗୁଡ଼ିକର ମହତ୍ତ୍ୱ ଫୁଟାଇବା ଲାଗି ସେ ଅନେକଗୁଡ଼ିଏ ପୌରାଣିକ କାବ୍ୟ ରଚନା କରିଅଛନ୍ତି । ‘‘ସୁଭଦ୍ରା’’, ‘‘ଶିଶୁପାଳବଧ’’, ‘‘ସପ୍ତରଥୀ’’, ‘‘ସପ୍ତସତୀ’’, ‘‘ଆର୍ଯ୍ୟବାଳା’’ ଆଦି ଏଇ ଧରଣର ପ୍ରଧାନ କାବ୍ୟ । ପ୍ରକୃତି ବର୍ଣ୍ଣନାକୁ ଅବଲମ୍ୱନ କରି ସେ ‘‘ଧରାକୋଟ ଦର୍ଶନ’’, ‘‘ସୁରଙ୍ଗୀ କାବ୍ୟ’’, ‘‘ଘୁମୁଷର କାବ୍ୟ’’, ‘ମହେନ୍ଦ୍ର’, ‘ମେଘାସନ’ ଆଦି ରଚନା କରାଯାଇ ଅଛନ୍ତି । ରାଧାନାଥଙ୍କଦ୍ୱାରା ପ୍ରବର୍ତ୍ତିତ ଅମିତ୍ରାକ୍ଷର ଛାନ୍ଦ କବିଶେଖର ବହୁ ପରିମାଣରେ କାବ୍ୟରେ ବ୍ୟବହାର କରିଯାଇଛନ୍ତି । ଓଡ଼ିଆ କାବ୍ୟ ଜଗତରେ ଚିନ୍ତାମଣିଙ୍କ ଲେଖନୀର ବିଚରଣ କ୍ଷେତ୍ର ବହୁ ବିସ୍ତୃତ ସତ୍ୟ କିନ୍ତୁ ସୁଷମା ସୃଷ୍ଟିରେ ଏହା ରାଧାନାଥ ବା ମେହେରଙ୍କ ମନୋହାରିତ୍ୱ ହାସଲ କରି ପାରିନାହିଁ ।

ସତ୍ୟବାଦୀ ଯୁଗ ଆରମ୍ଭରେ ଓଡ଼ିଆ କାବ୍ୟଧାରରେ ନୂତନ ଶୈଳୀର ପ୍ରବର୍ତ୍ତନ ଓ ନୂତନ ଭାବସମ୍ପଦର ବିନିଯୋଗ କରାଯାଇଥିଲା । ପ୍ରାଚୀନ ଉତ୍କଳରେ ଗଣତନ୍ତ୍ରର ଆଦର୍ଶ କିପରି ପ୍ରଚଳିତ ଥିଲା, ତାହା ଆଲୋକକୁ ଆଣିବା ଲାଗି, ସତ୍ୟବାଦୀଯୁଗର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ‘‘ଧର୍ମପଦ’’ କାବ୍ୟ ରଚନା କରିଥିଲେ । ଏହାର ସଂକ୍ଷିପ୍ତ କଥା ହେଉଛି ଏହିପରି । କୋଣାର୍କର ସୂର୍ଯ୍ୟମନ୍ଦିର ଗଢ଼ିବା ପାଇଁ ବିଶୁ ମହାରଣାର ନେତୃତ୍ୱରେ ଲାଙ୍ଗୁଳା ନରସିଂହ ଦେବ ୧୨ଶହ ବଢ଼େଇ ନିଯୁକ୍ତି କରିଥିଲେ । ସର୍ତ୍ତ ଥିଲା- ଏମାନେ ବାରବର୍ଷରେ ମନ୍ଦିର ନିର୍ମାଣ ଶେଷ କରିବେ । ବାରବର୍ଷ ପୂର୍ଣ୍ଣହେବାର ଦିନକ ପୂର୍ବର ମନ୍ଦିରର ଚୂଡ଼ା ମାରିବାକୁ ଭାଳେଣି ପଡ଼ିଲା । ଏହି ସମୟରେ ବିଶୁ ମହାରଣାର ବାରବର୍ଷର ପୁଅ ଧରମା ବାପାଙ୍କୁ ଦେଖିବା ଲାଗି ମନ୍ଦିର ନିର୍ମାଣ ସ୍ଥାନର ପହଞ୍ଚିଲା । ସେ ମନ୍ଦିରର ଚୂଡ଼ା ମାରିବାକୁ ସକ୍ଷମ ହେଲା । ଏହା ଜଣାପଡ଼ିଥିଲେ ରାଜା ୧୨ଶହ ବଢ଼େଇଙ୍କର ମୁଣ୍ଡକାଟି ଥାଆନ୍ତେ । ଏହି କଥା ଭାବନା ପଡ଼ିବାବେଳେ ‘‘ଧରମା’’ ଚନ୍ଦ୍ରଭାଗା ନଦୀରେ ଆତ୍ମବିସର୍ଜନ ଲାଗି ଇଚ୍ଛା ପ୍ରକାଶ କଲା । ପୁଅଠାରୁ ୧୨ଶ ବଢ଼େଇଙ୍କୁ ବଡ଼ ମନେକରି ବିଶୁ ଏଥିରେ ବାଧା ଦେଇ ନ ଥିଲେ । ପ୍ରାଚୀନ ଉତ୍କଳର ସଂସ୍କୃତିଧାରାରେ ମାନବିକତା, ସ୍ୱଦେଶପ୍ରୀତି, ସାମ୍ୟ ଓ ମୈତ୍ରୀର ଭାବନା ଯେଉଁଠାରେ ଲୁକ୍‌କାୟିତ ଥିଲା, ତାହାକୁ ଆଲୋକକୁ ଆଣିବା ଏ ଯୁଗରେ ସାହିତ୍ୟର ପ୍ରଧାନ ଲକ୍ଷ୍ୟ ଥିଲା ।

ଏହି ଆଦର୍ଶରେ ବ୍ରତୀ ହୋଇ ଗୋପବନ୍ଧୁଙ୍କ ଅନ୍ୟତମ ଅନ୍ତରଙ୍ଗ ସହକର୍ମୀ ପଣ୍ଡିତ ନୀଳକଣ୍ଠ ଦାସ ସୁପ୍ରସିଦ୍ଧ ‘‘କୋଣାର୍କେ’’ କାବ୍ୟ ରଚନା କରିଥିଲେ । ପ୍ରକୃତରେ ‘‘ରାମଚଣ୍ଡୀଠାରେ ରାତି ଓ ସକାଳ ’’ ଏବଂ ‘‘ମାୟାଦେବୀ’’ ନାମକ ଦୁଇଟି ଖଣ୍ଡକାବ୍ୟ ‘‘କୋଣାର୍କେ’’ରେ ପ୍ରକାଶିତ । ପ୍ରଥମ ଅଂଶରେ ସ୍ୱାଧୀନ ନରପତିମାନଙ୍କ ଶାସିତ ସ୍ୱାଧୀନ ଉତ୍କଳର ଏକ ମନୋଜ୍ଞ ଚିତ୍ର ଦେବାର ଉଦ୍ୟମ ହୋଇଅଛି । ଦ୍ୱିତୀୟ ଅଂଶରେ ଉତ୍କଳର ରାଜକୁମାର ନରସିଂହଙ୍କର ଜଣେ ଦରିଦ୍ର ସାମନ୍ତକନ୍ୟା ମାୟାଦେବୀଙ୍କ ସହ ପ୍ରେମକାହାଣୀ ଗୋଟିଏ ଭାଟଠାରୁ କବି ଯେପରି ଶୁଣିଥିଲେ ତାହା ବର୍ଣ୍ଣନା କରିଅଛନ୍ତି । ଏଠାରେ ଏହି ପ୍ରଣୟଚିତ୍ରରେ ଏକ ସ୍ୱତନ୍ତ୍ର ଶୁଚିତା, ପୌରୁଷ ଓ ଦୃଢ଼ତାର ମୁଦ୍ରା ସ୍ପଷ୍ଟ । ‘‘କୋଣାର୍କେ’’ କାବ୍ୟଟିରେ ପ୍ରାଚୀନ ଉତ୍କଳର ଶାସନ, ବାସ୍ତୁକଳା, ମନ୍ଦିର, ନଗର, ଯୁଦ୍ଧ, ନୌଯାତ୍ରା ଆଦିର ଏପରି ଜୀବନ୍ତ ବର୍ଣ୍ଣନା କବି ବାଢ଼ିଛନ୍ତି ଯେ ତାହା ପରାଧୀନ ଓଡ଼ିଶାରେ ସ୍ୱାଧୀନତା ଓ ସ୍ୱଦେଶପ୍ରୀତିର ବୀଜମନ୍ତ୍ରରୂପେ ପ୍ରତିଷ୍ଠିତ ହୋଇପାରିଥିଲା ।

ଆଗେ ଯେପରି କବି ମାତ୍ରେ ଦୀର୍ଘ କାବ୍ୟ ରଚନାରେ ହାତ ଦେଉଥିଲେ, ବର୍ତ୍ତମାନ ସେପରି ଦେଖାଯାଏ ନାହିଁ । ଆଧୁନିକ ସାହିତ୍ୟରେ କ୍ଷୁଦ୍ରକବିତାର ରାଜୁତି ଚାଲିଛି । ଅପେକ୍ଷାକୃତ ଅଳ୍ପ ସଂଖ୍ୟକ ହେଲେ ହେଁ ବର୍ତ୍ତମାନ ପ୍ରତିଷ୍ଠିତ କବିମାନଙ୍କ ମଧ୍ୟରୁ ଯେଉଁମାନେ କାବ୍ୟ ରଚନାରେ ହାତ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଡ଼ା: ମାୟାଧର ମାନସିଂଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ପ୍ରାଚୀନ କିମ୍ୱଦନ୍ତୀ ଓ ଲୋକକାହାଣୀ ଅବଲମ୍ୱନରେ ରଚିତ ତାଙ୍କର ‘ସାଧବଝିଅ’ ଭଳି କାବ୍ୟ ବା ‘ପୂଜାରିଣୀ’ ଭଳି ଗୀତିନାଟ୍ୟ ବ୍ୟତୀତ ‘‘ଜେମା’’, ‘‘କମଳାୟନ’’ ଆଦି ପ୍ରବନ୍ଧକାବ୍ୟଗୁଡ଼ିକ ଆଧୁନିକ ଉପନ୍ୟାସ ଭଳି ସମାଜଜୀବନର ବାସ୍ତବ ଉପାଦାନରେ ରଚିତ । ‘ଜେମା’ କାବ୍ୟର ମୁଖବନ୍ଦରେ କବି କହିଛନ୍ତି - ‘‘ପ୍ରାଚୀନ ଓଡ଼ିଆ ରୀତିରେ କାଳ୍ପନିକ ନାୟକ ନାୟିକାଙ୍କୁ ନେଇ କାବ୍ୟ ନ ଲେଖି, ଆମ ସମାଜର ଚାକ୍ଷୁସ ଘଟଣାକୁ ଅବଲମ୍ୱନ କରି କାବ୍ୟ କିପରି ଲେଖାଯାଇପାରେ ‘ଜେମା’ କାବ୍ୟଟି ତାହାରି ଏକ ପରୀକ୍ଷା ।’’କବି ଏହି ପରୀକ୍ଷାରେ ବହୁପରିମାଣରେ ସଫଳ ହୋଇଛନ୍ତି । ଜଣେ ନିରକ୍ଷରା ପଲ୍ଲୀବାସିନୀ ବାଳିକାର ମର୍ମକାହାଣୀକୁ ଏହି କାବ୍ୟରେ ପ୍ରାଚୀନ ଓଡ଼ିଆ କାବ୍ୟର ବୈଚିତ୍ର୍ୟପୂର୍ଣ୍ଣ ଛନ୍ଦ ଓ ସାଧାରଣ ଲୌକିକ ଭାଷା ପ୍ରୟୋଗରେ ଯେପରି ଭାବରେ ରୂପ ଦେଇଅଛନ୍ତି, ତାହା ଅତ୍ୟନ୍ତ ମନୋଜ୍ଞ ହୋଇଅଛି ।

ବର୍ତ୍ତମାନ ସମଗ୍ର ବିଶ୍ୱର ରାଜନୈତିକ ଓ ସାମାଜିକ ଭୂମିକାରେ ଭାରତର ଶିକ୍ଷିତ ମଧ୍ୟବିତ୍ତ ପରିବାର ଗୁଡ଼ିକର ଭାଗ୍ୟ ଯେଉଁ ପରିବର୍ତ୍ତନ ଭିତର ଦେଇ ଗତି କରୁଅଛି, ଏମାନଙ୍କ ମନରେ ଯେଉଁ ସମସ୍ୟା ଓ ସମାଧାନ ସବୁ ଦେଖା ଦେଉଅଛି, ତାହାରି ଭିତ୍ତିରେ ତାଙ୍କର ‘କମଳାୟନ’ କାବ୍ୟ ପରିକଳ୍ପିତ । ଏହାର ଭୂମିକାରେ କବି ସ୍ପଷ୍ଟଭାବରେ ଉଲ୍ଲେଖ କରିଛନ୍ତି ‘‘ମୁଁ ଯେଉଁଯୁଗରେ ଜନ୍ମ ଗ୍ରହଣ କରିଛି, ସେହି ଯୁଗର ଓ ଯେଉଁ ଜୀବନ ପ୍ରବାହସଙ୍ଗେ ମୋର ଚାକ୍ଷୁଷ ପରିଚୟ ଘଟିଛି; ତାର ପ୍ରତୀକ ସ୍ୱରୂପ ଏକ କାବ୍ୟ ଲେଖିବାର କଳ୍ପନା ବହୁବର୍ଷଧରି ମୁଁ କରିଆସିଅଛି । ତେଣୁ ମୁଁ ଏହି ‘କମଳାୟନ’ କାବ୍ୟକୁ ନୂତନ ଉପାଦାନରେ ରଚନା କରି ପାଠକମାନଙ୍କ ସମ୍ମୁଖରେ ପରିବେଷଣ କରୁଅଛି । ଏହାର ନାୟକ ନାୟିକା ଆମରି ପରି ଦୁଃଖକଷ୍ଟ ଭୋଗୀ ସାମାଜିକ ମନୁଷ୍ୟ । କଠୋର ଜୀବନ ସଂଗ୍ରାମ, ବାଧାବିଘ୍ନ ଭିତର ଦେଇ କିନ୍ତୁ ଫୁଟି ଉଠିଛି ତାଙ୍କ ଭିତରେ ପ୍ରୀତି, ମୈତ୍ରୀ, ସଖ୍ୟ-ଯେମିତି ହୋଇଥାଏ ଏ ଜଗତରେ ଓ ହେବା ଉଚିତ । ସମସ୍ତ ଘାତ ପ୍ରତିଘାତ ଭିତରେ ସେମାନେ କିନ୍ତୁ ଯାହା ସତ୍ୟ ବୋଲି ସ୍ଥିର କରିଛନ୍ତି ତାହାହିଁ କରିଚାଲିଛନ୍ତି । ତାଙ୍କର ସମସ୍ୟା ଆଜିକାଲିର ପ୍ରତ୍ୟେକ ତରୁଣ ତରୁଣୀର ସମସ୍ୟା । ତାଙ୍କର ସମାଧାନ ହୁଏତ ଆମର ସମାଧାନ ବି ହୋଇପାରେ ।’’ ଏହି ଆଦର୍ଶ କାବ୍ୟଟିରେ କିପରି ପ୍ରତିଫଳିତ ହୋଇଛି, ତାହା ତାର କଥାବସ୍ତୁର ସଂକ୍ଷିପ୍ତ ସୂଚନାରୁ ସ୍ଫଷ୍ଟ ହେବ । କାବ୍ୟର ନାୟକ କମଳ ଲୋଚନ ମହାପାତ୍ର ଜଣେ ଦରିଦ୍ର ଶିକ୍ଷକର ପୁତ୍ର । ଉଚ୍ଚଇଂରେଜୀ ବିଦ୍ୟାଳୟରେ ପଢୁଥିବାବେଳେ ଗୋଟିଏ ଦୁର୍ଭିକ୍ଷ ପ୍ରପୀଡ଼ିତ ପଲ୍ଲୀକୁ ସେବା ଲାଗି ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ନିକଟ ସଂପର୍କରେ ସେ ଆସିଅଛି । ପରାଧୀନ ଦୁଃସ୍ଥ ଦେଶମାତୃକାର ଭବିଷ୍ୟତ ଚିନ୍ତା ତା ମନରେ ଦେଶସେବା ଓ ମାନବପ୍ରୀତିର ବୀଜ ରୋପଣ କରିଅଛି । କଲେଜଶିକ୍ଷା ସମୟରେ ଜଣେ ଅଧ୍ୟାପକଙ୍କ କନ୍ୟା କରୁଣାର ପ୍ରଣୟ କମଳ ଲାଭ କରିଛି । କରୁଣା ସନ୍ତ୍ରାସବାଦର ସମର୍ଥନ କରୁଥିଲା । କମଳର କଟକ କଲେଜ ଶିକ୍ଷା ଶେଷ ନ ହେଉଣୁ କରୁଣା ଉଚ୍ଚଶିକ୍ଷା ଲାଗି କଲିକତା ଯାଇ, ସେଠରେ ଗୋଟିଏ ସନ୍ତ୍ରାସବାଦୀ କର୍ଯ୍ୟରେ ଲିପ୍ତ ରହି ୧୦ବର୍ଷ ଲାଗି ବନ୍ଦିନୀ ହୋଇଅଛି । ଇତିମଧ୍ୟରେ ଜୀବନର ନାନା ଉତ୍‌ଥାନ ପତନ ମଧ୍ୟରେ ଗତି କରି କମଳ ୧୯୩୧ ସତ୍ୟାଗ୍ରହରେ ଯୋଗଦାନ କରିଅଛି । ଗୋଟିଏ ସତ୍ୟାଗ୍ରହୀ କେମ୍ପରେ ସେବିକା ଭାବରେ ଆଗତା କରୁଣା ସହିତ ସତ୍ୟାଗ୍ରହୀ ପୀଡ଼ିତ କମଳର ମିଳନ ହୋଇଅଛି । ୧୯୩୬ ଖ୍ରୀ: ଅ:ରେ ଯେତେବେଳେ କଂଗ୍ରେସ ଶାସନରେ ପ୍ରତିଷ୍ଠିତ ହୋଇଛି, ସେତେବେଳେ ତ୍ୟାଗଶୀଳ କଂଗ୍ରେସ ଭିତରେ ନାନ ପ୍ରକାର ଅସାଧୁତା ପ୍ରବେଶ କରିଅଛି । ଏହା କମଳକୁ ବିବ୍ରତ କରିବାରୁ ସେ ଦଳ ତ୍ୟାଗ କରିଛି । ଏହାପରେ କରୁଣା ସହିତ ଗୋଟିଏ ସମ୍ୱାଦପତ୍ରର ପ୍ରତିନିଧି ଭାବରେ ସେ ଆମେରିକା ଯାତ୍ରା କରିଛି । ଏଠାରେ ବିଶ୍ୱଭାବଧାରାରେ ଉଦ୍‌ବୁଦ୍ଧ କମଳ ଦ୍ୱିତୀୟ ମହାଯୁଦ୍ଧ ସମୟରେ ଭାରତୀୟ କଂଗ୍ରେସର ଅସହଯୋଗ ନୀତିକୁ ସଂପୂର୍ଣ୍ଣ ସମର୍ଥନ କରିପାରି ନାହିଁ । ସସ୍ତ୍ରୀକ ସେ ଯୁଦ୍ଧଆହତମାନଙ୍କ ସେବାରେ ଆତ୍ମ ନିୟୋଗ କରିଅଛି । ଏହାପରେ ଏହି ଦମ୍ପତି ମାନବସେବାର ଆଦର୍ଶ ଘେନି ଦେଶକୁ ଫେରିଆସି, ଗୋଟାଏ ଅନୁନ୍ନତ ପଲ୍ଲୀକୁ କେନ୍ଦ୍ରକରି ପଲ୍ଲୀସଂଗଠନ କେନ୍ଦ୍ର ସ୍ଥାପନ କରିଛନ୍ତି । ଏହାର ଉପରେ କରୁଣା କଲୋନି ଗଢ଼ି ଉଠିଅଛି । ଏହାର ପ୍ରତିଷ୍ଠା ଦମ୍ପତିକୁ ବିଶ୍ୱମୟ ଖ୍ୟାତି ଆଣି ଦେଇଛି । ଏହିଠାରେ ମାନବସେବା ଲାଗି ସେମାନଙ୍କର ସମୁଦାୟ ସମ୍ପତ୍ତି ଓ ସାମର୍ଥ୍ୟର ସଫଳ ବନିଯୋଗ କରି ଏହି ତ୍ୟାଗଶୀଳ ଦମ୍ପତି ଜୀବନର ଶେଷନିଶ୍ୱାସ ତ୍ୟାଗ କରିଅଛନ୍ତି ।

ପ୍ରଗତିଶୀଳ ସାହିତ୍ୟର ଯୁଗସ୍ରଷ୍ଟା ସଚ୍ଚିଦାନନ୍ଦ ରାଉତରାୟଙ୍କ ଲେଖନୀ ବର୍ତ୍ତମାନ ଓଡ଼ିଆ କାବ୍ୟଧାରକୁ ସଂପୂର୍ଣ୍ଣ ଭିନ୍ନମୁଖୀ କରିଅଛି । ୧୯୩୯ ଖ୍ରୀ: ଅ: ରେ ଓଡ଼ିଶା ଗଡ଼ଜାତ ଆନ୍ଦୋଳନର ସହିଦ୍‌ ବାଜି ରାଉତ ନାମକ ଜଣେ ନିରକ୍ଷର ଗାଉଁଲି ନାଉରୀ ବାଳକର ଚିତା ସମ୍ମୁଖରେ ଦଣ୍ଡାୟମାନ କବିଙ୍କ ମନରେ ଯେଉଁ ଭାବନା ଉଦିତ ହୋଇଥିଲା, ତାହା ‘‘ବାଜି ରାଉତ’’ କାବ୍ୟରେ ଅଭିବ୍ୟକ୍ତ ଲଭିଅଛି । ଏ ଶତାବ୍ଦୀରେ ସାମ୍ୟ ଓ ସ୍ୱାଧିନତା ଭିତରେ ଦେଶର ସାଧାରଣ ମନୁଷ୍ୟଙ୍କ ମନରେ ଯେଉଁ ନୂତନ ବୈପ୍ଳବିକ ଭାବନା ଦେଖା ଦେଇଛି, ତାହାର ଜୀବନ୍ତ ପ୍ରଭାବ ଏହି କାବ୍ୟରେ ସ୍ପଷ୍ଟ । ପୁଣି ଭାରତର ଶାନ୍ତ ସୁପ୍ତ ପଲ୍ଲୀ କ୍ରୋଡ଼ରେ ଯେଉଁ ନୂତନ ଯାନ୍ତ୍ରିକ ନାଗରିକତା, ଏବଂ ଦ୍ୱନ୍ଦ୍ୱଚପଳ ଓ ଚେତନଶୀଳ ଜୀବନର ଅଭ୍ୟୁଦୟ ହେଉଛି -ତାର ନବ ଜନ୍ମର ଭୂମିକା ତାଙ୍କର ‘‘ଭାନୁମତୀର ଦେଶ’’ କାବ୍ୟରେ ରୂପ ଲାଭ କରିଅଛି । ଏହି ବାକ୍ୟର ନାୟକ ତରଙ୍ଗ ଚାହିଁଛି ନଗରର ସମସ୍ତ କୋଳାହଳ, କ୍ଷୁବ୍‌ଧତାରୁ ଦୂରରେ ରହି ଆଧୁନିକ ଜୀବନର ସଂଘାତ ବର୍ଜିତ ପଲ୍ଲୀଜୀବନଯାପନ କରିବାକୁ । କିନ୍ତୁ କାବ୍ୟର ନାୟିକା ନଗରବର୍ଦ୍ଧିତା ବିନତା ଏଥିରେ ରାଜି ହୋଇ ପାରିନାହିଁ । ଆଧୁନିକ ଜୀବନର ସ୍ୱାଚ୍ଛନ୍ଦ୍ୟ ଓ ସଂଗ୍ରାମ ଉଭୟ ତାର କାମ୍ୟ । ବର୍ତ୍ତମାନର ଜୀବନ ସଂଗ୍ରାମରେ ପରାଜୟ କ୍ଲାନ୍ତ ପଲ୍ଲୀମୁଖୀ ନାୟକକୁ ବିନତା ଜବାବ ଦେଇଅଛି–

 

ଜଗତ ମୋର ଭିନ୍ନ

ମୋ ଜଗତର ଧୂସର ମାନଚିତ୍ର

ତମେ ବୋଧହୁଏ ଦେଖିନ ।

କର୍ମ ତତ୍ପର, ସ୍ରୋତ ଚଞ୍ଚଳ, ଅଗ୍ରଗାମୀ

ଜୀବନର ଉଚ୍ଛ୍ୱାସଇ

ମୋ ଜଗତର ପ୍ରାଣଶକ୍ତି ।

ବିଚ୍ଛିନ୍ନ ବାନପ୍ରସ୍ଥ ଜୀବନର

ଶାନ୍ତିର ପରିକଳ୍ପନା

କିମ୍ୱା ଅତୀତର ମୃତ ଜଠର ଭିତରକୁ

କ୍ଳାନ୍ତିର ନେତିତ୍ୱରେ ପଳାଇ ଯିବାର

ବୃଥା ଚେଷ୍ଟାରେ

ମୁଁ ସାର୍ଥକତାର ଧାରଣା କରିପାରେ ନା ।

ବଂଧୁ

ପ୍ରତିକ୍ରିୟାର ନିର୍ଜୀବ ଜ୍ୟାମିତିର ଛକ

ମୋ ମନର ତୀବ୍ର ସୂର୍ଯ୍ୟାଗ୍ନିରେ

ଦଗ୍‌ଧ ଭସ୍ମୀଭୂତ ।’’

ଅଧ୍ୟାପକ କୁଞ୍ଜବିହାରୀ ଦାଶ ଇତିହାସ ଓ କିମ୍ୱଦନ୍ତୀ ଅବଲମ୍ୱନରେ ସ୍ୱଦେଶପ୍ରୀତି ଓ ମାନବିକତା ଭିତ୍ତିରେ ‘‘ପାଷାଣ ଚରଣେ ରକ୍ତ’’, ‘‘ଚାରଣିକା’’, ‘‘ବାଗ୍ରା’’, ‘‘ଡୁଡୁମା’’ ଆଦି କାବ୍ୟ ଲେଖି ଅଛନ୍ତି । ଓଡ଼ିଶାର ବନ୍ୟା ଓ ମହାମାରୀର ଚିତ୍ର ତାଙ୍କର ‘‘କଙ୍କାଳର ଲୁହ’’ କାବ୍ୟରେ ଚିତ୍ରିତ ହୋଇଅଛି । ଏହି କାବ୍ୟ ଗୁଡ଼ିକ ବେଶ୍‌ ଜନପ୍ରିୟ ରଚନା ବର୍ତ୍ତମାନ ରାଜନୈତିକ ତଥା ସାମାଜିକ ଭୂମିକାରେ ତାଙ୍କର ପରିକଳ୍ପିତ ‘‘ମାଟି ଓ ଲାଠି’’ କାବ୍ୟର କିୟଦଂଶ ପ୍ରକାଶିତ ହୋଇଛି । ଆଧୁନିକ ନାରୀର ସାମାଜିକ ଭୂମିକା ଓ ମନସ୍ତତ୍ୱ ଭିତ୍ତିରେ ସୁପରିଚିତ କବି ରାଧାମୋହନ ଗଡ଼ନାୟକ ‘‘ନୂତନ ଦ୍ରୌପଦୀ’’ କାବ୍ୟର ପରିକଳ୍ପନା କରିଅଛନ୍ତି ।

ଦୀର୍ଘ କବିତା ବା କାବ୍ୟ ରଚନା କରିବା ଅପେକ୍ଷା ଗୋଟିଏ ନିଃଶ୍ୱାସରେ ପଢ଼ିଯିବାଭଳି ଖଣ୍ଡ କବିତା ରଚନାର ପ୍ରବୃତ୍ତି ବର୍ତ୍ତମାନ ଅଧିକ ପରିମାଣରେ ଦେଖା ଦେଇଅଛି । ଖଣ୍ଡକବିତା ରଚନାର ଆଦ୍ୟ ବିକାଶ ରାଧାନାଥ ଯୁଗରେ ହିଁ ହୋଇଥିଲା । ବ୍ୟାସକବି ଫକୀରମୋହନ ସେନାପତି, ଭକ୍ତକବି ମଧୁସୂଦନ ଓ ଗଙ୍ଗାଧର ଆଦି ଏଥିରେ ଅଗ୍ରଣୀ ଥିଲେ । ଦେଶର ପୁନର୍ଜାଗୃତି ଆଧ୍ୟାତ୍ମିକତା, ପ୍ରକୃତି ଏମାନଙ୍କ ଖଣ୍ଡକବିତାର ମୁଖ୍ୟ ଉପାଦାନ ଥିଲା । ଏହି ଖଣ୍ଡକବିତା ଗୁଡ଼ିକ ଥିଲା ମନୋନୟ ବା ବ୍ୟକ୍ତିନିଷ୍ଠ ଗୀତି କବିତା । ଓଡ଼ିଆ ଗୀତି କବିମାନଙ୍କ ମଧ୍ୟରେ ପଲ୍ଲୀକବି ନନ୍ଦକିଶୋରଙ୍କ ପ୍ରତିଭା ଅନସ୍ୱୀକାର୍ଯ୍ୟ । ସେ ପ୍ରଥମେ ଓଡ଼ିଆ କବିତାକୁ ଏକାନ୍ତ ପଲ୍ଲୀମୁଖୀ କରିବାକୁ ସଫଳ ଉଦ୍ୟମ କରିଥିଲେ । କବି ପଦ୍ମଚରଣ, ପଣ୍ଡିତ ଗୋଦାବରୀଶ, କୁନ୍ତଳାକୁମାରୀ ଆଦି ଗାନ୍ଧିଜୀ ଓ ଗୋପାବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ଗୀତି କବିତାରେ ନୂତନ ସ୍ୱଦେଶପ୍ରେମ ଓ ମାନବପ୍ରୀତି ଫୁଟାଇଥିଲେ । ସବୁଜ ଯୁଗର କବି କାଳିନ୍ଦୀଚରଣ, ବୈକୁଣ୍ଠନାଥ ଆଦିଙ୍କ କବିତାରେ ଓଡ଼ିଆ ଖଣ୍ଡକବିତାର ଛନ୍ଦ, ଭାବ, ପ୍ରକାଶ ଶୈଳୀ ଆଦି ସବୁଥିରେ ବୈଚତ୍ର୍ୟ ଓ ନୂତନତ୍ୱ ଦେଖିବାକୁ ମିଳିଥିଲା । ଆଧୁନିକ ଜଗତର ଶ୍ରେଷ୍ଠ ଗୀତିକବି ରବୀନ୍ଦ୍ରନାଥଙ୍କ ପ୍ରଭାବ ଏମାନଙ୍କ ରଚନାରେ ପ୍ରତିଫଳିତ ହୋଇଥିଲା । ଡା: ମାୟାଧର ମାନସିଂହଙ୍କ ପ୍ରେମମୂଳକ ଗୀତି କବିତା ଗୁଡ଼ିକ ବ୍ୟତୀତ କବି ରାଧାମୋହନ ଗଡ଼ନାୟକ, ଅନନ୍ତ ପଟ୍ଟନାୟକ, ବିନୋଦ ନାୟକ ଓ ଅଧ୍ୟାପକ କୁଞ୍ଜବିହାରୀ ଦାସ ଆଦିଙ୍କ ଖଣ୍ଡକବିତା ଗୁଡ଼ିକରେ ଆଧୁନିକ ଭାବଧାରର ବିଭିନ୍ନ ଦିଗ ପ୍ରତିଫଳିତ ହୋଇଅଛି । ଏମାନେ ସମସ୍ତେ ସେମାନଙ୍କ ରଚନାରେ ବିଶିଷ୍ଟ ଶିଳ୍ପ ନୈପୁଣ୍ୟର ପରିଚୟ ଦେଇଅଛନ୍ତି ।

ଆଧୁନିକ ଓଡ଼ିଆ କବିତାର ଭାବସମ୍ପଦ ଓ ଅଭିବ୍ୟକ୍ତି ଏତେ ବ୍ୟାପକ ଓ ବୈଚିତ୍ର୍ୟପୂର୍ଣ୍ଣ ଯେ ଏକ କ୍ଷୁଦ୍ର ପରିସର ମଧ୍ୟରେ ତାର ପୂର୍ଣ୍ଣ ପରିଚୟ ଦେବା ଅସମ୍ଭବ । ପୟାର ଛନ୍ଦ, କଥାଛନ୍ଦ, ମୁକ୍ତଛନ୍ଦ ଗଦ୍ୟ ଛନ୍ଦ ଆଦିର ସରଳ ଓ ସ୍ୱାଭାବିକ ପ୍ରକାଶ ସୌନ୍ଦର୍ଯ୍ୟ ବର୍ତ୍ତମାନ କବିତାର ଅଭିବ୍ୟକ୍ତିରେ ନୂତନତା ଆଣିଅଛି । ବର୍ତ୍ତମାନ ଚିନ୍ତାଧାରାର ଜଟିଳ ଓ ବିସ୍ତୃତ ଭାବସମ୍ପଦକୁ ପ୍ରକାଶ କରିବା ପାଇଁ ନୂଆ ନୂଆ ପ୍ରତୀକ, ଶବ୍ଦସମ୍ଭାର ଓ ରୂପକର ଉଦ୍ଭାବନ କବିର ଲେଖନୀକୁ ଶକ୍ତିଶାଳୀ କରିଅଛି । ଏସବୁ ସତ୍ତ୍ୱେ ଆଧୁନିକ କବିତା ପ୍ରାଚୀନ ଓଡ଼ିଆ କବିତା ଭଳି ବହୁଳଭାବରେ ଜନତାର ସାଧାରଣ ସମ୍ପତ୍ତି ହୋଇପାରିନାହିଁ । ଶିକ୍ଷିତ ଓ ଆଧୁନିକ ଚିନ୍ତାଧାରା ସହିତ ସଂଶ୍ଳିଷ୍ଟ ମୁଷ୍ଟିମେୟ ବ୍ୟକ୍ତିଙ୍କ ଭିତରେ ଏହାର ପ୍ରଚାର ସୀମିତ । ଆଧୁନିକ ଜୀବନ ସହିତ କାବ୍ୟର ଏହା ଏକ ଅସଂଗତି-। ଓଡ଼ିଆ କବିମାନେ ଆଜିକାଲି ଏକଥା ଯେ ଚିନ୍ତା କରିନାହାନ୍ତି ତାହା ନୁହେଁ, ତେବେ ଏ ଦିଗରେ କୌଣସି ପ୍ରକାର ସିଦ୍ଧିର ସମ୍ଭାବନା ଏବେ ବି ଦେଖା ଦେଇନାହିଁ ।

 

(୩)

 

ଓଡ଼ିଆ ନାଟ୍ୟ ସାହିତ୍ୟ

ଆଧୁନିକ ଅର୍ଥରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ନାଟକର ବିକାଶ ଦେଖିବାକୁ ମିଳେ ନାହିଁ । ତେବେ ପୁରାଣପାଠର କଳାରେ ନାଟକର ମୂଳସ୍ରୋତ ଯେ ଲୁଚି ରହିଥିଲା, ସେଥିରେ ସନ୍ଦେହ ନାହିଁ । ଓଡ଼ିଶାର ପୁରପଲ୍ଲୀରେ ପୁରାଣପାଠର ବହୁଳ ପ୍ରଚାର ଭିତରେ ନାନାପ୍ରକାର ଲୋକନାଟ୍ୟ; ଲୀଳା ରାହାସ ବା ରାସ ଆଦିର ବିକାଶ ଘଟିଥିଲା । ଓଡ଼ିଆ ସାହିତ୍ୟରେ କାବ୍ୟ ରଚନାର ବିକାଶ ସହିତ ପାଲା, ଦାସକାଠିଆ ଆଦି ପଲ୍ଲୀ ଅନୁଷ୍ଠାନମାନଙ୍କର ବିକାଶ ହୋଇଥିବା ସମ୍ଭବ । ମଧ୍ୟଯୁଗର ଓଡ଼ିଆ ସାହିତ୍ୟରେ ବୈଶ୍ୟ ସଦାଶିବ ଦାସଙ୍କର ରାମଲୀଳା ଓ କବିସୂର୍ଯ୍ୟଙ୍କର ‘‘ଚମ୍ପୂ’’ର ନାଟକୀୟତା ବିଶେଷ ପରିଚିତ । ଆଧୁନିକ କାଳରେ ଏହି ପ୍ରାଚୀନ ଧାରାର ଶେଷ ନିଦର୍ଶନ ବାବାଜୀ ଶ୍ରୀବୈଷ୍ଣବ ଚରଣ ଦାସଙ୍କର ‘ମାନଭଞ୍ଜନ’, ‘ବାଲ୍ୟଲୀଳା’, ‘ବ୍ରଜଲୀଳା’ ଆଦି ରାଧାକୃଷ୍ଣ ବିଷୟକ ଗୀତିନାଟ୍ୟ ଗୁଡ଼ିକ ଆଜି ପର୍ଯ୍ୟନ୍ତ ବି ସାଧାରଣ ଗାଁ ଗହଳରେ ଜନପ୍ରିୟ ହୋଇରହିଅଛି ।

 

ଏହି ପ୍ରାଚୀନ ଧାରା ଉପରେ ବିକଶିତ ନ ହୋଇ ଆଧୁନିକ ଓଡ଼ିଆ ନାଟକ ସଂସ୍କୃତ ଓ ଇଂରେଜୀ ନାଟ୍ୟରୀତିର ଆଦର୍ଶରେ ବିକଶିତ ହୋଇଥିଲା । ସ୍ୱର୍ଗୀୟ ରାମଶଙ୍କର ରାୟ ପ୍ରଥମ ଓଡ଼ିଆ ନାଟକ ଲେଖକ । ତାଙ୍କର ପ୍ରଥମ ନାଟକ ‘କାଞ୍ଚକାବେରୀ ବା ପଦ୍ମାବତୀ’ ୧୮୮୦ ଖ୍ରୀ: ଅ:ରେ ରଚିତ ହୋଇଥିଲା । ରାମଶଙ୍କର ତାଙ୍କ ନାଟକରେ ଇଂରେଜୀ Act ଅର୍ତରେ ଅଭିନୟ ଓ scene ଅର୍ଥରେ ଦୃଶ୍ୟ ଶବ୍ଦ ପ୍ରୟୋଗ କରିଥିଲେ । ଏବେ ଅଭିନୟ ସ୍ଥାନରେ ‘ଅଙ୍କ’ ଶବ୍ଦ ପ୍ରଚଳିତ । ରାମଶଙ୍କରଙ୍କର ପ୍ରାଥମିକ ନାଟକ ଗୁଡ଼ିକରେ ସଂଳାପ ସବୁସ୍ଥାନରେ ଗଦ୍ୟ ନୁହେଁ । ସେ ବହୁସ୍ଥାନରେ ଅମିତ୍ରାକ୍ଷର ଚାନ୍ଦର କବିତାରେ ପାତ୍ରମାନଙ୍କୁ କଥୋପକଥନ କରାଇଅଛନ୍ତି । ସାଧାରଣତଃ ନାଟକ ମଧ୍ୟରେ ଯେଉଁଠି ପ୍ରକୃତି, ନାରୀରୂପ ବର୍ଣ୍ଣନା, ଯୁଦ୍ଧ ଓ ସୈନ୍ୟମାନଙ୍କ ବର୍ଣ୍ଣନା, ରାଜପୁରୁଷ ଆଦିଙ୍କର ଗୌରବ ଓ ଯଶ ଆଦିର ବର୍ଣ୍ଣନା, ଦେବତାମାନଙ୍କର ରୂପଗୁଣ ମହିମା ପ୍ରଭୃତି ବର୍ଣ୍ଣନା କରିବା ଆବଶ୍ୟକ ହୋଇଅଛି, ସେଠାରେ ରାମଶଙ୍କର ଗଦ୍ୟ ସ୍ଥାନରେ ପଦ୍ୟର ବ୍ୟବହାର କରିଅଛନ୍ତି । କିନ୍ତୁ ବାସ୍ତବତା ଯେ ନାଟକର ଉପାଦାନ ଏବଂ ବାସ୍ତବ ଜୀବନରେ ସଂଳାପର ଭାଷା ଯେ ପଦ୍ୟ ନୁହେଁ ଗଦ୍ୟ, ଏକଥା ପରିଶେଷକୁ ରାମଶଙ୍କର ବୁଝି ପାରିଥିଲେ । ୧୯୧୭ ଖ୍ରୀ: ଅ:ରେ ରଚିତ ତାଙ୍କର ଶେଷ ନାଟକ ‘‘ରାମାଭିଷେକ’’ରେ ସର୍ବତ୍ର ସଂଳାପରେ ପଦ୍ୟର ବ୍ୟବହାର ହୋଇଅଛି । ଏହାଦ୍ୱାରା ନାଟକୀୟ ସ୍ୱାଭାବିକତା ରକ୍ଷିତ ହୋଇଅଛି ।

 

ରାମଶଙ୍କର ବିଭିନ୍ନ ସ୍ଥାନରେ ‘ନାଟକ’, ‘ପ୍ରହସନ’, ‘ଯାତ୍ରା’, ‘ଗୀତିନାଟ୍ୟ’, ପଦମାନ ଉଲ୍ଲେଖ କରିଅଛନ୍ତି । ସବୁ ସ୍ଥଳରେ ନାଟକ, ପ୍ରହସନ ଓ ଗୀତିନାଟ୍ୟର ସ୍ୱତନ୍ତ୍ର ପ୍ରକୃତ ସହଜରେ ଲକ୍ଷ୍ୟ କରି ହେଉଥିଲେହେଁ ଯାତ୍ରାର ବୈଶିଷ୍ଟ୍ୟ ସ୍ପଷ୍ଟ ନୁହେଁ । ନାଟ୍ୟମଞ୍ଚର ବିନା ଦୃଶ୍ୟସଜ୍ଜାରେ ମୁକ୍ତ ଆକାଶ ତଳେ ଗାଁ ଗହଳରେ ଯେଉଁ ଅଭିନୟ ହୁଏ ତାହା ସାଧାରଣତଃ ‘‘ଯାତ୍ରା’’ ନାମରେ ପରିଚିତ । ରାମଶଙ୍କର ଯାହାକୁ ‘‘ଯାତ୍ରା’’ ବୋଲି ଅଭିହିତ କରିଅଛନ୍ତି ସେଥିରେ ମଧ୍ୟ ଦୃଶ୍ୟସଜ୍ଜାର ଇଙ୍ଗିତ ଦେଇଅଛନ୍ତି । ସେ ମୋଟରେ ୧୦ଟି ନାଟକ, ୨ଟି ପ୍ରହସନ, ଗୋଟିଏ ଯାତ୍ରା ଓ ଗୋଟିଏ ଗୀତନାଟ୍ୟ ରଚନା କରିଅଛନ୍ତି । ସେ ସମୟର ଧର୍ମ ଓ ସମାଜସଂସ୍କାର ଭାବନା ମୁଖ୍ୟତଃ ରାମଶଙ୍କରଙ୍କର ଏହି ରଚନା ବଳୀରେ ପ୍ରକାଶ ପାଇଅଛି । ଇତିହାସ ଓ ପୁରାଣ କାହାଣୀର ଅବଲମ୍ୱନରେ ମଧ୍ୟ ସେ ନାଟକ ରଚନା କରିଅଛନ୍ତି । ତାଙ୍କର ଐତିହାସିକ ନାଟକ ‘‘କାଞ୍ଚିକାବେରୀ’’ ଓ ପୌରାଣିକ ନାଟକ ‘‘ରାମାଭିଷେକ’’ ଏହାର ନିଦର୍ଶନ । ନାଟକ ରଚନାରେ ନିଜର ଆଦର୍ଶ ସମ୍ୱନ୍ଧରେ ନିଜ ଗ୍ରନ୍ଥାବଳୀର ମୁଖବନ୍ଧରେ ରାମଶଙ୍କର ଉଲ୍ଲେଖ କରିଅଛନ୍ତି ‘‘ସତ୍‌ଶିକ୍ଷା’’ ଦେବା ମୋର ପ୍ରଧାନ ଉଦ୍ଦେଶ୍ୟ ଥିବାରୁ ବେଦ, ସ୍ମୃତି ତଥା ରାମାୟଣ, ମହାଭାରତ, ଭାଗବତ, ଚୈତନ୍ୟ ଚରିତାମୃତ, ଗୀତଗୋବିନ୍ଦ ଓ ଇତିହାସାଦି ପାଠକରି ଦେଶଲୋକଙ୍କ ଆଗରେ ତହିଁର ସ୍ୱାଦୁ ନାଟକାକାରରେ ବାଢ଼ିଅଛି ।’’

 

ରାମଶଙ୍କରଙ୍କର ସମସାମୟିକ ଭାବରେ ଗତ ଶତକର ଶେଷଭାଗରେ ବହୁ ଲେଖକ ନାଟକ ରଚନାରେ ହାତ ଦେଇଥିଲେ । ଆଧୁନିକ ନାଟକର ବିକାଶ ସ୍ଥାୟୀ ରଙ୍ଗମଞ୍ଚ ଅଭାବରେ ବିଶେଷ ଭାବରେ ବାଧାପ୍ରାପ୍ତ ହୋଇଥିଲା । ରାମଶଙ୍କର କଟକ ସହରରେ ଗୋଟିଏ ସ୍ଥାୟୀ ରଙ୍ଗମଞ୍ଚ ସ୍ଥାପନା ପାଇଁ ଉଦ୍ୟମ କରି ସଫଳ ହୋଇ ନ ଥିଲେ । ଏହି ସମୟରେ ଅନ୍ୟାନ୍ୟ ନାଟ୍ୟକାରମାନଙ୍କ ମଧ୍ୟରେ ଜଗମୋହନ ଲାଲା ଓ ଭିକାରିଚରଣ ପଟ୍ଟନାୟକ ଆଦିଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ଭିକାରିଚରଣ ପୌରାଣିକ ଓ ଐତିହାସିକ ଉଭୟ ଶ୍ରେଣୀର ନାଟକ ରଚନା କରିଥିଲେ । ଏଥିରେ ପୌରାଣିକ ସୀତାଙ୍କର ଚରିତ୍ରକୁ ଯେପରି ଆଧୁନିକ ରୁଚିରେ ସେ ଚିତ୍ରଣ କରିଥିଲେ, ତାହା ସେ ସମୟରେ ଯଥେଷ୍ଟ ‘‘ଚମତ୍କୀସୃଷ୍ଟି’’, କରିଥିଲା । ସେ ସୀତା ବିବାହ ପରେ ‘‘ବସନ୍ତଲତିକା’’, ‘‘ହରିଶ୍ଚଚନ୍ଦ୍ର’’, ‘‘ଦୁର୍ଗାଶବରୀ’’ ଆଦି ନାଟକ ରଚନା କରିଥିଲେ । ପୌରାଣିକ ନାଟକ ବ୍ୟତୀତ ଐତିହାସିକ ନାଟକ ଗୁଡ଼ିକ ଜନପ୍ରିୟ କରିବା ଲାଗି ସେ ଉଦ୍ୟମ କରିଥିଲେ । ଏହା ତାଙ୍କର ନାଟକମାନଙ୍କର ମୁଖବନ୍ଧରୁ ସୁଚିତ ହୁଏ । ଏଥିରେ ଇତିହାସଗତ ସତ୍ୟତା, ବାସ୍ତବତା ଓ ସ୍ୱଦେଶପ୍ରେମ ପ୍ରତି ତାଙ୍କର ଦୃଷ୍ଟି ଅଧିକ ଥିଲା ।

 

ନାଟକ ରଚନାର ନିପୁଣତା ସତ୍ୟବାଦୀଯୁଗରେ ପଣ୍ଡିତ ଗୋଦାବରୀଶ ମିଶ୍ର ଦେଖାଇଥିଲେ । ଗୋଦାବରୀଶଙ୍କ ସୁପ୍ରସିଦ୍ଧ ନାଟକ ‘‘ପୁରୁଷୋତ୍ତମଦେବ’’ ୧୯୧୭ ଖ୍ରୀ; ଅ:ରେ ପ୍ରକାଶିତ ହୋଇଥିଲା । ଐତିହାସିକ ତଥ୍ୟାବଳୀକୁ ସୃଜନଶୀଳ କଳ୍ପନା ସାହାଯ୍ୟରେ ସାହିତ୍ୟିକ ରୂପଦେବାରେ ଅଦ୍ୱିତୀୟ ଦୃଷ୍ଟି ଓଡ଼ିଆ ନାଟ୍ୟସାହିତ୍ୟର ଆଗରେ ଏହା ଉପସ୍ଥାପିତ କରିଅଛି । ସ୍ୱାଭାବିକ ଗଦ୍ୟଭାଷାରେ ଏହାର ସଂଳାପ ସଂଯୋଜିତ ହୋଇଅଛି । ତେବେ ସ୍ଥାନେ ସ୍ଥାନେ ରାଜା ପୁରୁଷୋତ୍ତମ ଦେବଙ୍କ ସ୍ୱଗତ ଭାବନା ଗୁଡ଼ିକ ବେଶୀ ଦୀର୍ଘ ହୋଇଥିବାରୁ ସେଥିରେ ନାଟକୀୟ ସୌନ୍ଦର୍ଯ୍ୟର ହାନି ଘଟିଅଛି । ତାହା ନୁହେଁଲେ ନାଟକ ଭାବରେ ଏହା ଉଚ୍ଚକୋଟିର ଲେଖା । ନାୟକ ପୁରୁଷୋତ୍ତମଦେବଙ୍କ ମାନସିକ ଦ୍ୱନ୍ଦ୍ୱଭିତରେ ନାଟକୀୟ ଦ୍ୱନ୍ଦ ଅତି ହୃଦୟଗ୍ରାହୀ ରୂପେ ଏଥିରେ ଫୁଟିଅଛି । ସର୍ବୋପରି ସତ୍ୟବାଦୀଯୁଗରେ ଜାତୀୟତାର ଯେଉଁ ମହାବନ୍ୟା ଖେଳିଯାଇଥିଲା, ତାହାର ସ୍ୱାକ୍ଷର ଏଥିରେ ସ୍ପଷ୍ଟ । ସେଥିଲାଗି ନାଟକଟି ଏତେ ଜନପ୍ରିୟ ।

 

ସତ୍ୟବାଦୀ ଯୁଗ ପରେ ସବୁଜ ଯୁଗର ଯେଉଁ ଲେଖକମାନେ ଉପନ୍ୟାସ, କବିତା, ନିବନ୍ଧ, ଆଦି ସାହିତ୍ୟର ସମସ୍ତ ବିଭାଗରେ ନୂଆ ନୂଆ ପରୀକ୍ଷା ଓ ସୃଷ୍ଟିର ପ୍ରୟାସୀ ଥିଲେ, ସେମାନେ ନାଟକ ରଚନାରେ ମଧ୍ୟ ମନୋନିବେଶ କରିଥିଲେ । କବି ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀଚରଣ, ମାୟାଧର ଓ ହରିଶ୍ଚନ୍ଦ୍ର ବଡ଼ାଇ ଆଦିଙ୍କ ଲେଖନୀ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଅନେକ ଗୁଡ଼ିଏ ଉତ୍କୃଷ୍ଟ ନାଟକର ସମୃଦ୍ଧ କରିଅଛି । ଏମାନଙ୍କ ନାଟକ ଗୁଡ଼ିକର ରଚନାରୀତି ସହିତ ଭାବଧାରାର ମଧ୍ର ବିଶେଷ ସ୍ୱାତନ୍ତ୍ର୍ୟ ଦେଖିବାକୁ ମିଳେ । କୌଣସି ନା କୌଣସି ଆଦର୍ଶ ବିଶେଷର ବାହାନ ରୂପେ ଏ ଯୁଗର ନାଟକ ଗୁଡ଼ିକ ପରିକଳ୍ପିତ । ଏହି ଆଦର୍ଶର ସ୍ୱରୂପ ଅନେକ ସମୟରେ ନାଟକର ଆରମ୍ଭସ୍ଥ ଦୀର୍ଘ ମୁଖବନ୍ଧରେ ସ୍ପଷ୍ଟ କରି ଦିଆ ହୋଇଥାଏ । ପ୍ରେମ, ସମାଜ ଚିତ୍ର, ଜାତୀୟ ଓ ଆନ୍ତର୍ଜାତୀୟ ଭାବଧାରାମାନ ଏଗୁଡ଼ିକରେ ପ୍ରଧାନ ଉପାଦାନ ରୂପେ ଗୃହୀତ । ସବୁଜ ସାହିତ୍ୟ ସମିତି ଦ୍ୱାରା ୧୯୩୨ ଖ୍ରୀ: ଅ: ରେ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବଡ଼ାଲଙ୍କ ରଚିତ ‘‘ଦେଶରଡ଼ାକ’’ ନାମକ ନାଟକ ପ୍ରକାଶିତ ହୋଇଥିଲା । ଜାତୀୟତା ଓ ଆନ୍ତର୍ଜାତୀୟତାର ବ୍ୟାଖ୍ୟା କରି ଏହି ନାଟକର ମୁଖବନ୍ଧରେ ସେ ଲେଖିଥିଲେ ‘‘ସମ୍ପ୍ରତି ଆମ ଦେଶରେ ଜାତୀୟତାର ଯେଉଁ ଆତ୍ମବୋଧ ଜାଗି ଉଠିଛି, ତାର ପ୍ରଧାନ ଦୁଇଟି ଧାରା ଉପରେ ‘ଦେଶର ଡ଼ାକ’ ନାଟକଟିର ମନସ୍ତତ୍ୱଭିତ୍ତି ସ୍ଥାପିତ । ପ୍ରଥମ ଧାରା, ସ୍ୱଦେଶର ଉନ୍ନତି; ବୃହତ୍ତର ଜଗତର ପ୍ରୟୋଜନ ସମ୍ୱନ୍ଧରେ ସଂପୂର୍ଣ୍ଣ ଉଦାସୀନ । ଦ୍ୱିତୀୟ ଧାରା ସ୍ୱଦେଶକୁ ବୃହତ୍ତର ଜଗତର ଅଂଶ ବୋଲି ଜାଣି ସମଗ୍ର ପ୍ରଗତି ସକାଶେ ଅଂଶର ପ୍ରଗତି କାମନା କରେ ଏବଂ ତାର ଫଳ ସ୍ୱରୂପ ନାନା ଦେଶର ନାନ ଜାତିର ଯେଉଁ ସ୍ୱାର୍ଥ ସଂଘାତ ଅବଶ୍ୟମ୍ଭାବୀ, ତାର ସନ୍ତୋଷଜନକ ସମନ୍ୱୟ ସାଧନ ମଧ୍ୟ କରିପାରେ ।’’ ଆଧୁନିକ ସମାଜରେ ତରୁଣ ତରୁଣୀଙ୍କ ପ୍ରେମ ଓ ବିବାହର ଆଦର୍ଶ ବିଷୟରେ ଲେଖା ବୈକୁଣ୍ଠନାଥଙ୍କ ‘‘ମୁକ୍ତିପଥେ’’ ବା ମାୟାଧର ମାନସିଂଙ୍କ ‘‘ନଷ୍ଟନୀଡ଼’’ ନାରୀପୁରୁଷର ସମାନତା, ପ୍ରାଚୀନ ପନ୍ଥାର ଅସାରତା ଓ ବର୍ତ୍ତବାନ ସମାଜର ଅସଙ୍ଗତି ଉପରେ ସ୍ପଷ୍ଟ ଆଲୋକପାତ କରିଅଛି ।

 

ବର୍ତ୍ତମାନ ଓଡ଼ିଆ ସାହିତ୍ୟର ଅନିର୍ଦ୍ଦିଷ୍ଟ ପାଠକମାନଙ୍କ ପାଇଁ ଉଦ୍ଦେଶ୍ୟକରି ଉଚ୍ଚକୋଟୀର ନାଟକମାନ ସମୟ ସମୟରେ ପ୍ରତିଭାବନ୍‌ ଓ ପ୍ରତିଷ୍ଠିତ ଲେଖକମାନଙ୍କ ଦ୍ୱାରା ଲେଖା ଯାଉଥିଲେ ମଧ୍ୟ ମୁଖ୍ୟତଃ ରଙ୍ଗମଞ୍ଚକୁ କେନ୍ଦ୍ରକରି ନାଟକମାନ ରଚିତ ହେଉଛି । ଏହି କେତେବର୍ଷ ମଧ୍ୟରେ ଓଡ଼ିଶାର ସାନବଡ଼ କତିପୟ ସହରକୁ କେନ୍ଦ୍ରକରି ବ୍ୟକ୍ତିଗତ ପ୍ରଚେଷ୍ଟା ଓ ଯୌଥ ଅନୁଷ୍ଠାନମାନଙ୍କ ଦ୍ୱାରା ବ୍ୟବସାୟୀ ରଙ୍ଗମଞ୍ଚ ଓ ଥିଏଟର ଦଳମାଳ ଗଠିତ ହୋଇଛି । କଟକ ଓ ପୁରୀରେ ସ୍ଥାୟୀ ରଙ୍ଗମଞ୍ଚ ପ୍ରତିଷ୍ଠିତ ହୋଇଅଛି । ଏହିସବୁ ରଙ୍ଗମଞ୍ଚମାନଙ୍କ ପାଇଁ ଯେଉଁ ନାଟକମାନ ରଚିତ ହେଉଛି, ସେ ଗୁଡ଼ିକୁ ବିଶିଷ୍ଟ ଅଭିନେତା ଓ ନାଟକ ନିର୍ଦ୍ଦେଶକମାନଙ୍କର ରୁଚି, ଜନପ୍ରିୟତା ଓ ଆର୍ଥିକ ଲାଭାଲାଭ ବିଚାରରେ ମାଲିକମାନଙ୍କ ନିର୍ଦ୍ଦେଶ ପ୍ରଭାବିତ କରୁଅଛି । ତେଣୁ କେତେକ ଏଭଳି ରଚନାରେ ସାହିତ୍ୟିକ ଉଦ୍ଦେଶ୍ୟ ମୁଖ୍ୟ ହୋଇ ରହୁନାହିଁ । ଏହି ଧରଣ ନାଟକର ରଙ୍ଗମଞ୍ଚ ଅଭିନୟ ନ ଦେଖି, କେହି ଯଦି ନୀରବ ପାଠକ ହେବାକୁ ଯାଏ, ତେବେ ତାକୁ ବହୁ ସମୟରେ ହତାଶ ହେବାକୁ ହୁଏ । ରଙ୍ଗମଞ୍ଚ ଲାଗି ଉପଯୋଗୀ ଏଭଳି ନାଟକ ଲେଖକମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଅଶ୍ୱିନୀକୁମାର ଘୋଷଙ୍କ ନାମ ବିଶେଷ ଉଲ୍ଲେଖ ଯୋଗ୍ୟ । ଏହା ବ୍ୟତୀତ ସାହିତ୍ୟିକ ମହଲରେ ଅପରିଚିତ ଅଥଚ ରଙ୍ଗମଞ୍ଚ ଜଗତରେ ବିଶେଷ ଆଦୃତ, ବହୁ ନାଟକ ଲେଖକଙ୍କର ଆବିର୍ଭାବ ବର୍ତ୍ତମାନ ହୋଇଅଛି । ରଙ୍ଗମଞ୍ଚରେ ଜନପ୍ରିୟତା ସଙ୍ଗେ ସଙ୍ଗେ ବ୍ୟବସାୟୀ ପ୍ରକାଶକମାନେ ଏମାନଙ୍କ ନାଟକଗୁଡ଼ିକୁ ପ୍ରକାଶ କରୁଛନ୍ତି । ବଜାରରେ ତାର କାଟ୍‌ତି ବି ହେଉଛି । ଏହି ପ୍ରକାରେ ବହୁ ସଂଖ୍ୟକ ନାଟକ ବର୍ତ୍ତମାନ ପାଠକମାନଙ୍କ ହାତକୁ ଆସୁଅଛି ।

 

ବିଶେଷ ଭାବେ ରଙ୍ଗମଞ୍ଚ ପାଇଁ ଲେଖା ହେଲେହେଁ କାଳୀଚରଣଙ୍କ ନାଟକ ଗୁଡ଼ିକୁ ଉନ୍ନତ ରୁଚିର ପରିଚାୟକ । ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ସେ ପ୍ରଥମେ ପ୍ରାଚୀନ ଓଡ଼ିଆ କବି ଓ ଐତିହାସିକ ପୁରୁଷମାନଙ୍କର ଜୀବନୀକୁ ନାଟ୍ୟରୂପ ଦେବାକୁ ଉଦ୍ୟମ କରିଥିଲେ । ଏଥିରେ ସଫଳତା ତାଙ୍କୁ ବିଶେଷ ଜନପ୍ରିୟ କରିଅଛି । ଏହାପରେ ସେ ସାମାଜିକ ନାଟକ ରଚନାରେ ହାତ ଦେଇଥିଲେ । ଏ ଯୁଗର ଦାରିଦ୍ର୍ୟ, ଦୁର୍ଭିକ୍ଷ, ସାମନ୍ତ ଓ ପୁଞ୍ଜିପତିମାନଙ୍କର ଶୋଷଣରେ ଶ୍ରମିକ ଓ ସାଧାରଣ ଜନତାର ଭାଗ୍ୟ, ବୈପ୍ଳବିକ ଜନଜାଗୃତି ଆଦି ଆମ ଜାତୀୟ ଜୀବନ ଅସଙ୍ଗତି ଓ ଗୌରବର ଚିତ୍ର ତାଙ୍କ ଲେଖନୀରେ ଫୁଟିଅଛି । ଏହି ଦୃଷ୍ଟିରୁ ତାଙ୍କର ‘‘ଭାତ’’, ‘‘ରକ୍ତମାଟି’’ ଆଦି ସାମାଜିକ ନାଟକ ଗୁଡ଼ିକ ରଙ୍ଗମଞ୍ଚରେ ଯେ କେବଳ ମାସ ମାସ ଧରି ଦର୍ଶକମାନଙ୍କୁ ମୁଗ୍‌ଧ କରି ପାରିଥିଲା ତାହା ନୁହେଁ, ପାଠକ ମହଲରେ ବି ଆଦର ଲାଭ କରିଅଛି । କାଳୀଚରଣଙ୍କ ଆଦର୍ଶ କେତେକ ତରୁଣ ନାଟ୍ୟକାରଙ୍କୁ ମଧ୍ୟ ପ୍ରଭାବିତ କରିଅଛି । ଗୋଟିଏ ବିଶିଷ୍ଟ ସାହିତ୍ୟିକ କଳାରୂପେ ଓଡ଼ିଆ ନାଟକର ମାନ ଯେଉଁ କେତେକ ନିପୁଣ ଲେଖନୀ ଦ୍ୱାରା ଅକ୍ଷୁର୍ଣ୍ଣ ରହିଅଛି, ସେମାନଙ୍କ ମଧ୍ୟରେ ଶ୍ରୀ ରାମଚନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ ବେଣୀମାଧବ ପାଢ଼ି ଲକ୍ଷ୍ମୀଧର ନାୟକ, କାଳି ପ୍ରସନ୍ନ କବି ଆଦିଙ୍କ ନାମ ଉଲ୍ଲେଖ ଯୋଗ୍ୟ ।

 

ନାଟକଭଳି ଏକାଙ୍କିକା ରଚନାରେ ମଧ୍ୟ ଏବେ ବିକାଶ ଦେଖା ଦେଇଅଛି । ବିଭିନ୍ନ ସ୍ଥଳରେ ବିଚିତ୍ରାନୁଷ୍ଠାନ ଆଦିରେ ଏଗୁଡ଼ିକର ଅଭିନୟ, ଏବଂ ବେତାରରେ ଏ ଗୁଡ଼ିକର ପ୍ରଚାର କରାଯାଉଥିଲେ ହେଁ ମାସିକ ପତ୍ରମାନଙ୍କ ପୃଷ୍ଠାରେ ଏକାଙ୍କିକାର ବିଶେଷ ପ୍ରସାର ଦେଖିବାକୁ ମିଳେ । ଅନେକ ସମୟରେ କ୍ଷୁଦ୍ରଗଳ୍ପ ଭଳି ଏଗୁଡ଼ିକ ଜନପ୍ରିୟ । ନବୀନ ଓ ପ୍ରବୀଣ ବହୁ ଲେଖକ ଏକାଙ୍କିକା ରଚନାରେ ମନୋନିବେଶ କରିଅଛନ୍ତି । ଏମାନଙ୍କ ମଦ୍ୟରେ ଅଧ୍ୟାପକ ପ୍ରାଣବଂଧୁକର ଓ ବେତାର ଶିଳ୍ପୀ ଯତନ୍‌ ଦାସଙ୍କ ନାମ ଉଲ୍ଲେଖଯୋଗ୍ୟ ।

 

ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟ ଓ ରଙ୍ଗମଞ୍ଚ କ୍ରମବିକାଶ ପଥରେ ଗତି କରୁଥିଲେହେଁ, ଆଶାନୁରୂପ ଭାବରେ ଏହାର ପ୍ରସାର ଓ ସଂଗଠନ ହୋଇପାରି ନାହିଁ । ବର୍ତ୍ତମାନ ରଙ୍ଗମଞ୍ଚ ମୁଷ୍ଟିମେୟ ନଗର ସୀମା ଡେଇଁ ଅସଂଖ୍ୟ ସାଧାରଣ ଜନତାର ଆନନ୍ଦ ଓ ଶିକ୍ଷା ବିଧାନ କରିବାକୁ ସକ୍ଷମ ହୋଇପାରିନାହିଁ । ତଥାପି ଆମ ଦେଶର ରଙ୍ଗମଞ୍ଚ ଏକାଧାରରେ ଦେବାଳୟ ଓ ବିଦ୍ୟାଳୟର ସ୍ଥାନ ଯେ ଦିନେ ହାସଲ କରିବ - ଏ ବିଶ୍ୱାସ ଆଜି ଦୃଢ ହୋଇ ଉଠୁଅଛି ।

 

(୪)

 

କଥା ସାହିତ୍ୟ

 

ଆଧୁନିକ ଓଡ଼ିଆ କଥା ସାହିତ୍ୟ ପ୍ରାଚୀନ ଭାରତୀୟ କଥାସାହିତ୍ୟ ବା ଲୋକକଥାର ଧାରା ଉପରେ ବିକଶିତ ନୁହେଁ । ଏହାର ବିକାଶ ମୂଳରେ ପାଶ୍ଚାତ୍ୟ ସାହିତ୍ୟର ପ୍ରେରଣା ସ୍ପଷ୍ଟ । ଗତ ଶତକର ଶେଷପାଦରେ ଆଧୁନିକ ଓଡ଼ିଆ କାବ୍ୟ ନାଟକ ସହିତ ଉପନ୍ୟାସ ଗଳ୍ପ ଆଦି ରଚନାପାଇଁ ଯେଯୁଗର ଲେଖକମାନେ ଉଦ୍ୟମ କରିଥିଲେ । କବିବର ରାଧାନାଥ ରାୟ ଓ ଭକ୍ତକବି ମଧୁସୂଦନ ପ୍ରଭୃତି ପ୍ରଥମେ ଇଂରେଜୀରୁ ଉପନ୍ୟାସ ଗଳ୍ପ ଆଦି ଓଡ଼ିଆରେ ଅନୁବାଦ କରିଥିଲେ । କିନ୍ତୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ପ୍ରକୃତ ବିକାଶ ଓଡ଼ିଆ କଥାସାହିତ୍ୟର ପିତା ଫକୀରମୋହନଙ୍କ ଲେଖନୀରେ ଘଟିଥିଲା । ତାଙ୍କର ଗଳ୍ପ ଉପନ୍ୟାସଗୁଡ଼ିକ ପ୍ରକାଶିତ ହେବା ପୂର୍ବରୁ ଓଡ଼ିଆ ଭାଷାରେ ଯେଉଁ ଅଳ୍ପ କେତୋଟି ଉପନ୍ୟାସ ପ୍ରକାଶିତ ହୋଇଥିଲା - ତାହା ଓଡ଼ିଆ କତାସାହିତ୍ୟର ଗଠନାବସ୍ଥା ସୂଚିତ କରେ ।

 

ପ୍ରଥମ ଓଡ଼ିଆ ଉପନ୍ୟାସ ‘‘ପଦ୍ମମାଳୀ’’ ୧୮୮୮ ଖ୍ରୀ: ଅ:ରେ ସ୍ୱର୍ଗୀୟ ରମେଶଚନ୍ଦ୍ର ସରକାରଙ୍କ ଦ୍ୱାରା ରଚିତ ହୋଇଥିଲା । ଏହାପରେ ସ୍ୱର୍ଗୀୟ ରାମଶଙ୍କର ରାୟଦ୍ୱାରା ୧୮୯୧ ଖ୍ରୀ: ଅ:ରେ ରଚିତ ‘‘ଦିବାସିନୀ’’ ଦ୍ୱିତୀୟ ଉଲ୍ଲେଖଯୋଗ୍ୟ ଉପନ୍ୟାସ ।

 

ପଦ୍ମମାଳୀ ନାମକ ଜଣେ ସୁନ୍ଦରୀ ଯୁବତୀ ଲାଗି ନୀଳଗିରି ଓ ପାଞ୍ଚଗଡ଼ ନାମକ ଓଡ଼ିଶାର ଦୁଇଟି ଦେଶୀରାଜ୍ୟର ସାମନ୍ତ ଶାସକମାନଙ୍କର କଳହ ଓ ସଂଘର୍ଷକୁ କେନ୍ଦ୍ରକରି ‘‘ପଦ୍ମମାଳୀ’’ ଉପନ୍ୟାସ ରଚିତ । ଏହି ଉପନ୍ୟାସର କଥାଭାଗ ବାସ୍ତବ ଐତିହାସିକ ଘଟଣା ଉପରେ ପ୍ରତିଷ୍ଠିତ ବୋଲି ଲେଖକ ପ୍ରକାଶ କରିଛନ୍ତି । ଏହାର ଗଳ୍ପାଂଶରେ ନାନା ପ୍ରକାର ଜଟିଳତା ଆରୋପଦ୍ୱାରା କାହାଣୀ ବୈଚିତ୍ର୍ୟମୟ ହୋଇ ପାରିଛି । ସେ ସମୟରେ ଅନ୍ଧବିଶ୍ୱାସ, ସମାଜରେ କୁସଂସ୍କାର ଆଦିର ଚିତ୍ର ସ୍ଫଷ୍ଟଭାବରେ ଫୁଟିଅଛି । ଲେଖକ ନାୟକ ଦୁର୍ଯ୍ୟୋଧନକୁ ଖଳ, ଦୁଷ୍ପ୍ରକୃତି ଓ ନିର୍ଦ୍ଦୟରୂପେ ଚିତ୍ର କରିଅଛନ୍ତି । ନାରୀ ଚରିତ୍ର ଚିତ୍ରଣରେ ଲେଖକ କୌଣସି ପ୍ରକାର ନିପୁଣତା ଦେଖାଇ ନାହାନ୍ତି । ବିଶେଷତଃ ଏଥିର ସଂଳାପ ମୋଟେ ସ୍ୱାଭାବିକ ନୁହେଁ । ନାରୀ ମୁଖର ଭାଷା ବିଷୟରେ ଲେଖକ ମୋଟେ ସଚେତନ ନୁହନ୍ତି ।

 

ରାମଶଙ୍କରଙ୍କର ‘ବିବାସିନୀ’ ଗୋଟିଏ ଐତିହାସିକ ଉପନ୍ୟାସ । ମହାରାଷ୍ଟ୍ର ଶାସନର ପତନଯୁଗରେ ଓଡ଼ିଶାର ଦୁର୍ଦ୍ଦଶା ଏଥିରେ ବର୍ଣ୍ଣିତ ହୋଇଅଛି । ଯେଉଁ ଓଡ଼ିଆ ପାଇକ ଓ ସର୍ଦ୍ଦାରମାନଙ୍କୁ ମରହଟ୍ଟାମାନେ ଦସ୍ୟୁ ବୋଲି ପ୍ରଚାର କରି ଶାସନ କରୁଥିଲେ, ସେମାନଙ୍କର ମାନବିକତା, ଦୁର୍ଭିକ୍ଷ ଓ ମହାମାରୀରେ ଲୋକଙ୍କୁ ସାହଯ୍ୟଦାନ ଆଦି ବିଶଦଭାବରେ ଏଥିରେ ବର୍ଣ୍ଣିତ ହୋଇଛି । ଏଥିରେ ଲେଖକଙ୍କର ଆଦର୍ଶବାଦୀ ଦୃଷ୍ଟିକୋଣ ସ୍ପଷ୍ଟ । ସତ୍ୟର ଜୟ ଓ ଅଧର୍ମର କ୍ଷୟ ଏହାର ମୂଳକଥା । ଆପଣାର ଦୁଷ୍କର୍ମ ପାଇଁ ଏହି ଉପନ୍ୟାସର ବିଭିନ୍ନ ପାତ୍ର ମରହଟ୍ଟା ସୁବାଦାର, ସୁବାଦାରଙ୍କ ପ୍ରିୟପାତ୍ର ରାଧାଗୋବିନ୍ଦ ଚୋଧୁରୀ, ଅତ୍ୟାଚାରୀ ଗୋବର୍ଦ୍ଧନ ଦାସ ଆଦି ସମସ୍ତେ ଉପଯୁକ୍ତ ଶାସ୍ତି ପାଇଛନ୍ତି । କିନ୍ତୁ ସମଗ୍ର ଭାବରେ ମଣିଷର ସତ୍‌ ପ୍ରକୃତି ଉପରୁ ଲେଖକ ଆସ୍ଥା ହରାଇ ନାହାନ୍ତି । ପରିବେଶ ହିଁ ମଣିଷକୁ ଅସାଧୁ କରେ । ଏହି ବିସ୍ତୃତ ଆଦର୍ଶବାଦ ତଥା ମାନବିକତାର ଦୃଷ୍ଟିକୋଣ ବ୍ୟତୀତ ବର୍ତ୍ତମାନ ଉପରେ ଅସନ୍ତୋଷ ଓ ଅତୀତର ପ୍ରଶଂସା ଭିତରେ ଲେଖକଙ୍କଠାରେ ସ୍ୱଚ୍ଛନ୍ଦତାବାଦ (Romanticism)ର ପ୍ରକାଶ ଦେଖିବାକୁ ମିଳେ । ଔପନ୍ୟାସିକ କଳାଦୃଷ୍ଟିରୁ ‘‘ବିବାସିନୀ’’ ‘ପଦ୍ମମାଳୀ’ ଠାରୁ ଉଚ୍ଚଦରର ହେଲେ ହେଁ ଏହା ଆଦର୍ଶ ସ୍ଥାନୀୟ ହୋଇ ପାରିନାହିଁ ।

 

ଓଡ଼ିଆ କଥାସାହିତ୍ୟର ପିତା ଫକୀରମୋହନ ସେନାପତି ଓଡ଼ିଆ ଉପନ୍ୟାସରେ ସ୍ୱର୍ଣ୍ଣଯୁଗ ଆଣିଥିଲେ । ଉତ୍କଳ ସାହିତ୍ୟ ପତ୍ରିକାରେ ‘‘ଧୂର୍ଜଟି’’ ଛଦ୍ମ ନାମରେ ତାଙ୍କର ପ୍ରଥମ ଉପନ୍ୟାସ ‘‘ଛ’’ ମାଣ ଆଠଗୁଣ୍ଠ’’ ପ୍ରକାଶିତ ହୋଇଥିଲା । ୧୯୦୧ ଖ୍ରୀ: ଅ:ରେ ତାହା ପୁସ୍ତକାକାରରେ ମୁଦ୍ରିତ ହୋଇଥିଲା । ଏହି ଉପନ୍ୟାସର ନାୟକ ରାମଚନ୍ଦ୍ର ମଙ୍ଗରାଜ ଜଣେ ଭୂମିଲୋଭୀ ଓ ଅତ୍ୟାଚାରୀ ଜମିଦାର । ଭଗିଆ ଓ ଶରିଆ ନାମରେ ଗୋଟିଏ ସରଳ ତନ୍ତୀ ପରିବାର ଏହାଙ୍କର ଭୂମିଲୋଭର ଶିକାର ହୋଇ କିପରି ସେମାନଙ୍କ ସମ୍ୱଳ ‘‘ଛଅ ମାଣ ଆଠଗୁଣ୍ଠ’’ ଜମି ହରାଇଥିଲେ ତାହା ଏଥିରେ ବର୍ଣ୍ଣିତ ହୋଇଛି । ଏହି ଉପନ୍ୟାସର ପରିଣତି ଅତି କରୁଣ ହୋଇଅଛି । ଇଂରେଜ ଔପନ୍ୟାସିକ ଡିକେନସଙ୍କ ଭଳି ଫକୀରମୋହନ ସେନାପତି ବିଚାର ଅଦାଲତ, ପୋଲିସ ଅନୁସନ୍ଧାନ ଆଦିର ବର୍ଣ୍ଣନା ଦେବାରେ ଅତି ନିପୁଣତା ଦେଖାଇଛନ୍ତି । ‘‘ଛ’ମାଣ ଆଠଗୁଣ୍ଠ’’ ପ୍ରକାଶ ପାଇବାର ଦୀର୍ଘ ବ୍ୟବଧାନ ପରେ ଫକୀର ମୋହନଙ୍କର ‘‘ମାମୁଁ’’ ନାମକ ଗୋଟିଏ ପାରିବାରିକ ଉପନ୍ୟାସ ପ୍ରକାଶିତ ହୋଇଥିଲା । ଏଥିର ମୁଖ୍ୟ ଚରିତ୍ର ମାମୁଁ ନଟବର ଜଣେ ବିଶ୍ୱାସଘାତକ ଓ କୁଚକ୍ରୀ । ତାଙ୍କର ଅପ୍ରାପ୍ତବୟସ୍କ ଭଣଜା ଉତ୍ତରାଧିକାର ସୂତ୍ରରେ ବିପୁଳ ଭୂସମ୍ପତ୍ତିର ମାଲିକ ଥିଲେ । ନଟବର ଏହି ସମ୍ପତ୍ତିର ତତ୍ତ୍ୱାବଧାନ କରୁ କରୁ ଅସଦ୍‌ ଉପାୟରେ ତାହା ହସ୍ତଗତ କରିବା ଲାଗି ଉଦ୍ୟମ କରିଥିଲେ । ‘‘ଛ’ମାଣ ଆଠଗୁଣ୍ଠ’’ର ରାମଚନ୍ଦ୍ର ମଙ୍ଗରାଜ ଚରିତ୍ର ସହିତ ‘‘ମାମୁଁ’’ ନଟବର ଚରିତ୍ରର ଅନେକ ସାମ୍ୟ ଦେଖାଯାଏ । ଉଭୟ କ୍ଷେତ୍ରରେ ଏମାନେ ନୀଚସ୍ତରରୁ ଉଠି ବିତ୍ତଶାଳୀ ହୋଇଅଛନ୍ତି । ନିଜ ନିଜର ବିବେକର ନିର୍ଦ୍ଦେଶକୁ ଅସ୍ୱୀକାର କରି ସବୁପ୍ରକାର ଅସାଧୁ କାର୍ଯ୍ୟରେ ଲିପ୍ତ ହୋଇଛନ୍ତି । ରାମଚନ୍ଦ୍ରଙ୍କ କୁମନ୍ତ୍ରଣାରେ ତାଙ୍କର ରକ୍ଷିତା ସ୍ତ୍ରୀ ଚମ୍ପା ଯେପରି ସାହାଯ୍ୟ କରିଛି, ନଟବରଙ୍କୁ ସେହିପରି ତାଙ୍କର ସ୍ତ୍ରୀ ଚିତ୍ରା ସାହାଯ୍ୟ କରିଅଛି । ‘‘ମାମୁଁ’’ ପରେ ଫକୀର ମୋହନ ‘‘ଲଚ୍ଛମା’’ ନାମରେ ଗୋଟିଏ ଐତିହାସିକ ଉପନ୍ୟାସ ରଚନା କରିଥିଲେ । ମରହଟ୍ଟା ଶାସନରେ ଓଡ଼ିଶାର ଦୁର୍ଦ୍ଦଶା ଏବଂ ମରହଟ୍ଟାଶକ୍ତି ସହିତ ବଙ୍ଗର ପଠାଣ ଶାସକ ଆଲିବର୍ଦ୍ଧି ଖାଁଙ୍କ ସଂଘର୍ଷ ହିଁ ଏହି ଉପନ୍ୟାସର ଭିତ୍ତି ଭୂମି । ୧୯୧୫ ଖ୍ରୀ: ଅ:ରେ ପ୍ରକାଶିତ ‘‘ପ୍ରାୟଶ୍ଚିତ’’ ଫକୀରମୋହନଙ୍କର ଶେଷ ଉପନ୍ୟାସ । ଏ ଉପନ୍ୟାସର ନାୟକ ଗୋବିନ୍ଦଚନ୍ଦ୍ର ଜଣେ ଶିକ୍ଷିତ ଓ ସଂସ୍କାରପ୍ରେମୀ ଉଚ୍ଚମନା ବ୍ୟକ୍ତି । ଅନ୍ୟ ଉପନ୍ୟାସ ଗୁଡ଼ିକରେ ଫକୀର ମୋହନ ତାଙ୍କର ପାପମତି ଚରିତ୍ର ଗୁଡ଼ିକୁ ଦଣ୍ଡଭୋଗାଇ ଅଛନ୍ତି । କିନ୍ତୁ ଏଥିରେ ଗୋବିନ୍ଦଚନ୍ଦ୍ର ତାଙ୍କର ଭାବପ୍ରବଣତା ଓ ସରଳ ବିଶ୍ୱାସ ପାଇଁ ବନ୍ଧୁମାନଙ୍କଦ୍ୱାରା ପ୍ରତାରିତ ହୋଇ ପ୍ରାୟଶ୍ଚିତ ଭୋଗ କରିଅଛନ୍ତି ।

 

ସମଗ୍ର ଭାବରେ ବିଚାର କଲେ ଫକୀର ମୋହନ ହିଁ ବାସ୍ତବତାକୁ ଭିତ୍ତି କରି ଉପନ୍ୟାସ ରଚନା କରିଅଛନ୍ତି । ଜୀବନ ଓ ସମାଜର ସ୍ୱାଭାବିକ ବାସ୍ତବଚିତ୍ର, ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଚରିତ୍ରର ମନୋବୈଜ୍ଞାନିକ ବିଶ୍ଳେଷଣ, ସୁଧାରବାଦୀ ଓ ବିପ୍ଳବବାଦୀ ମନୋବୃତ୍ତିର ଏକତ୍ର ସମାବେଶ ଲାଗି ଉଦ୍ୟମ କରି ସେ ସଫଳ ହୋଇଅଛନ୍ତି । ବ୍ୟକ୍ତିସର୍ବସ୍ୱ ଅହଂବାଦୀ ମଣିଷର ଦୁର୍ବଳତାର ଦିଗକୁ ସେ ସ୍ପଷ୍ଟ କରିଦେଇଛନ୍ତି । ଏଭଳି ବ୍ୟକ୍ତି ସମାଜର ନୀତିନିୟମକୁ ଉପହାସ କରି ସମାଜକୁ ଅନ୍ଧ ବୋଲି ମନେ କରନ୍ତି । କିନ୍ତୁ ଫଳରେ ନିଜେ ହିଁ ସବୁପ୍ରକାର ଉପହାସକର କାର୍ଯ୍ୟ କରିବସନ୍ତି । ସମାଜରେ ବାଞ୍ଛିତ ହିତ ସାଧନ କରିବା ଦୂରେ ଥାଉ, ନିଜେ ବୃଥାରେ ଚରମ ଦୁର୍ଦ୍ଦଶା ବରଣ କରିବସନ୍ତି ।

 

ଫକୀରମୋହନ ସମାଜର ବସ୍ତବତା ଓ ଆଦର୍ଶବାଦୀ ପରମ୍ପରାର ବ୍ୟର୍ଥତା ବିଷୟରେ ଆଂଶିକ ସଚେତନ ଥିଲେ ବି ଆଦର୍ଶବାଦର ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ହୋଇ ପାରି ନ ଥିଲେ । ତାଙ୍କର ଚରିତ୍ରଗୁଡ଼ିକୁ କୁକର୍ମ ଲାଗି ଉପଯୁକ୍ତ ପରିଣାମ ସେ ଭୋଗାଇଛନ୍ତି । ତେବେ ଫକୀର ମୋହନଙ୍କ ବିଶେଷତ୍ୱ ହେଉଛି, ଏହି ପରିମାଣର ଚିତ୍ର ସମାଜର ବାସ୍ତବ ଘଟଣାରାଶିର ସମାବେଶ ଭିତରେ ବାଢିଛନ୍ତି ।

 

ସମୁଦାୟ ସମାଜର ଚିତ୍ର ଫକୀରମୋହନଙ୍କ ଉପନ୍ୟାସମାନଙ୍କରେ ଫୁଟିଅଛି । ଜମିଦାର ଓ ସାମନ୍ତ, ପାଶ୍ଚାତ୍ୟ ଶିକ୍ଷିତ ଶିକ୍ଷାଭିମାନୀ, ମୁର୍ଖ ସାଧାରଣ ପଲ୍ଲୀବାସୀ ନରନାରୀଙ୍କୁ ତାଙ୍କର କଥା-ସାହିତ୍ୟରେ ସମାନ ସ୍ଥାନ ଦେଇଅଛନ୍ତି । ଉଚ୍ଚସ୍ତରର ବ୍ୟକ୍ତିମାନଙ୍କୁ ସ୍ୱଚ୍ଛାଚାରୀ, ଅହଂକାରୀ କୂଟବୁଦ୍ଧି ଭାବରେ ଚିତ୍ର କଲାବେଳେ, ସାଧାରଣ ପଲ୍ଲୀବାସୀ ଦରିଦ୍ର ଜନସାଧାରଣଙ୍କର ଉଚ୍ଚସାମାଜିକତା, ବିଶ୍ୱାସ ପରାୟଣତା, ଧର୍ମବିଶ୍ୱାସ ଆଦିର ଜୀବନ୍ତ ଛବି ସେ ଅଙ୍କନ କରି ଯାଇଛନ୍ତି ।

 

ଗଠନରୀତି ଦୃଷ୍ଟିରୁ ଦେଖିଲେ ଫକୀରମୋହନଙ୍କ ଉପନ୍ୟାସ ଗୁଡ଼ିକ ଚରିତ୍ର କୈନ୍ଦ୍ରିକ । ତାଙ୍କ ଉପନ୍ୟାସର ଗଳ୍ପାଂଶ ଅତି ସାଧାରଣ ଓ ସଂକ୍ଷିପ୍ତ । କେବଳ ବିଷୟଚିତ୍ର ବା ପ୍ଲଟକୁ ଭିତ୍ତିକରି ତାଙ୍କର କୌଣସି ଉପନ୍ୟାସ ଗଢି ଉଠି ନାହିଁ । ଫକୀରମୋହନଙ୍କ ଉପନ୍ୟାସ ଗୁଡ଼ିକ ପଢିବା ପରେ ପାଠକ ମନରେ ଗଳ୍ପ ଅପେକ୍ଷା ଚରିତ୍ର ଗୁଡ଼ିକ ହିଁ ଅତି ଜୀବନ୍ତ ହୋଇ ଦେଖା ଦିଅନ୍ତି । ପ୍ରତ୍ୟେକ ଚରିତ୍ରର ନିପୁଣ ଓ ନିଖୁଣ ଚିତ୍ର ଭିତରେ ସେ ଉପନ୍ୟାସରେ ଦେଶକାଳ ପାତ୍ରର ଆଲେଖ୍ୟ ସ୍ପଷ୍ଟକରି ଥୋଇଛନ୍ତି । ଏଥିଲାଗି ଗଳ୍ପର ପୂର୍ଣ୍ଣତା ପାଇଁ ଆବଶ୍ୟକ ନ ଥିବା ଭଳି ବହୁ ଚରିତ୍ରର ସମାବେଶ ତାଙ୍କୁ କରିବାକୁ ହୋଇଅଛି । ଫକୀରମୋହନଙ୍କ ବର୍ଣ୍ଣନା ସବୁବେଳେ ସ୍ପଷ୍ଟ, ସରଳ ଏବଂ ସ୍ୱାଭାବିକ ହୋଇ ବି ଅଭିବ୍ୟଞ୍ଜନାପୂର୍ଣ୍ଣ । ତାଙ୍କର ପର୍ଯ୍ୟବେକ୍ଷଣ ସୂକ୍ଷ୍ମ ଓ ଗଭୀର । ରଚନା ବ୍ୟଙ୍ଗରସାଣିତ । କାହାରି ମନରେ ଆଘାତ ନ ଦେଇ ଏହା ପାଠକଙ୍କୁ ହସାଏ ଏବଂ ବର୍ଣ୍ଣନୀୟ ବସ୍ତୁପ୍ରତି ତାର ସହଜଦୃଷ୍ଟି ଆକର୍ଷଣ କରେ । ଭାଷା ପ୍ରୟୋଗ ଦିଗରୁ ଫକୀରମୋହନଙ୍କ ଲେଖନୀ ଓଡ଼ିଆ ଗଦ୍ୟରେ ନୂତନ ଯୁଗ ସୃଷ୍ଟି କରିଅଛି । ସରଳ ସ୍ୱଚ୍ଛ ପ୍ରକାଶଭଙ୍ଗି, ଗ୍ରାମ୍ୟ ଓ ଲୌକିକ ଭାଷାର ରୁଚିମନ୍ତ ପ୍ରୟୋଗ ତାଙ୍କର ବୈଶିଷ୍ଟ୍ୟ । ତାଙ୍କର ଭାଷା ଏପରି ଛନ୍ଦମୟ ଓ ଗତିଶୀଳ ଯେ ତାହା କୌଣସି ଅବସ୍ଥାରେ ପାଠକ ମନରେ ଅବସାଦ ଆଣେ ନାହିଁ ।

 

ଯୁଗସ୍ରଷ୍ଟା ଫକୀରମୋହନ ଯେତେବେଳେ ରଚନା ଆରମ୍ଭ କଲେ ସେତେବେଳକୁ ଓଡ଼ିଆ ଗଦ୍ୟର ପୂର୍ଣ୍ଣବିକାଶ ଘଟିନାହିଁ । କଥା - ସାହିତ୍ୟର ଜନ୍ମ ହୋଇଛି କିନ୍ତୁ ବିକାଶ ଓ ପ୍ରତିଷ୍ଟା ହୋଇନାହିଁ । କିନ୍ତୁ ଏପରି ମହାନ୍‌ ପ୍ରତିଭା ଘେନି ଫକୀରମୋହନଙ୍କ ଅଭ୍ୟୁଦୟ ହେଲା ଯେ, ସେ ଓଡ଼ିଆ ଗଦ୍ୟକୁ ନବଜୀବନ ଦେଇ ଗଲେ । କଥା ସାହିତ୍ୟର ମନୋରମ ବିପୁଳାୟତନ ସୌଧର ଭିତ୍ତି ଦୃଢ଼ କରିଗଲେ । ଫକୀରମୋହନ ମାତ୍ର ୪ଟି ଉପନ୍ୟାସ ଓ ୨୦ଟି ଗଳ୍ପ ଲେଖି ଯାଇଥିଲେ ହେଁ ହିନ୍ଦି କଥା-ସମ୍ରାଟ ପ୍ରେମଚାନ୍ଦଙ୍କ ଭଳି ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ଥାନ ଏବେ ବି ଅନତିକ୍ରମ୍ୟ ହୋଇ ରହିଅଛି ।

 

ଫକୀରମୋହନଙ୍କୁ ଆଦର୍ଶ ରୂପେ ଗ୍ରହଣ କରି, ତାଙ୍କ ଅନୁସରଣରେ ସ୍ୱର୍ଗତଃ ନନ୍ଦକିଶୋର ବଳ, ଚିନ୍ତାମଣି ମହାନ୍ତି ଆଦି ଉପନ୍ୟାସ ଓ ଗଳ୍ପ ଲେଖିବାକୁ ଉଦ୍ୟମ କରିଥିଲେ । ଏମାନଙ୍କ ରଚନାରେ କୌଣସି ବିଶେଷ ନୂତନ ଧାରାର ସନ୍ଧାନ ମିଳି ନ ଥିଲା । ଏ ଦିଗରେ ନୂତନ ଦିଗଦର୍ଶନ ଦେଲେ ଶ୍ରୀମତୀ କୁନ୍ତଳାକୁମାରୀ ସାବତ । ନୂତନ ଆଦର୍ଶ ଓ ଶକ୍ତିଶାଳୀ ଲେଖନୀ ନେଇ ସେ ଓଡ଼ିଆ ଉପନ୍ୟାସ ଜଗତରେ ଆବିର୍ଭୂତା ହେଲେ । ତାଙ୍କର ‘‘ଭ୍ରାନ୍ତି’’, ‘‘କାଳିବୋହୂ’’, ‘‘ପରଶମଣି’’, ‘‘ନଅତୁଣ୍ଡୀ’’ ଏବଂ ‘‘ରଘୁ ଅରକ୍ଷିତ’’ ଆଦି ଉପନ୍ୟାସ ଗୁଡ଼ିକ ସେ ସମୟରେ ବିଶେଷ ଆଦୃତ ହୋଇଥିଲା ।ଫକୀରମୋହନଙ୍କ ଉପନ୍ୟାସରେ ଧନୀ ଜମିଦାର ସାମନ୍ତ ଏବଂ ପୁରପଲ୍ଲୀର ଦରିଦ୍ର ଜନସାଧାରଣଙ୍କର ବିଶଦ ଚିତ୍ର ଦେଖିବାକୁ ମିଳେ । କିନ୍ତୁ ଯେତେ ମନ୍ଥର ଗତିରେ ହେଉନା କାହିଁକି ଫକୀରମୋହନଙ୍କ ସମାଜ କ୍ରମପରିବର୍ତ୍ତନ ପଥରେ ଗତି କରୁଥିଲା । ଫକୀରମୋହନଙ୍କଠାରୁ କୁନ୍ତଳାକୁମାରୀଙ୍କ ପର୍ଯ୍ୟନ୍ତ ପ୍ରାୟ ୧୦ଟି ବର୍ଷର ବ୍ୟବଧାନ ମଧ୍ୟରେ ଆମ ସମାଜର ଗୋଟିଏ ବିଶେଷ ଗୋଷ୍ଠୀ ପ୍ରଧାନ ହୋଇ ଉଠୁଥିଲା । ଏହା ହେଉଛି ନୂତନ ଇଂରେଜୀ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ । ଏହି ଶ୍ରେଣୀରୁ ଶିକ୍ଷକ, କିରାଣୀ, ଡାକ୍ତର ଓ ଓକିଲ ଆଦିଙ୍କ ସୃଷ୍ଟି । ଏମାନଙ୍କୁ କୁନ୍ତଳାକୁମାରୀ ପ୍ରଥମେ ଓଡ଼ିଆ ଉପନ୍ୟାସରେ ପ୍ରତିଷ୍ଟା ଦେଲେ । କିନ୍ତୁ ଅକାଳରେ କୁନ୍ତଳାକୁମାରୀଙ୍କର ଦେହାନ୍ତ ହୋଇଯିବାରୁ ଏହି ପ୍ରତିଭାବାନ୍‌ ଲେଖନୀର ପରିଣତ ରୂପ ଦେଖିବାକୁ ମିଳିଲା ନାହିଁ ।

 

କୁନ୍ତଳାକୁମାରୀଙ୍କ ସମସାମୟିକ ଭାବେ ବା କିଞ୍ଚିତ ପରେ ଯେଉଁମାନଙ୍କର ଓଡ଼ିଆ କଥା-ସାହିତ୍ୟରେ ଉଦୟ ହୋଇଥିଲା, ସେମାନଙ୍କ ଲେଖନୀ ଏବେ ବି ସଚଳ । ଏମାନଙ୍କ ଉପରେ ସେ ସମୟରେ ଗାନ୍ଧିଜୀଙ୍କ ଆଦର୍ଶରେ ପରିଚାଳିତ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଯଥେଷ୍ଟ ପ୍ରଭାବ ପଡ଼ିଥିଲା । ଶାସକ ଓ ଧନୀକ ଗୋଷ୍ଠୀଙ୍କ ହୃଦୟ ପରିବର୍ତ୍ତନ, ପଲ୍ଲୀର ସାଧାରଣ ଜନତାଙ୍କ ସାମାଜିକ ଚେତନା ଓ ସଂଗଠନକୁ ଭିତ୍ତି କରି ଏମାନ ଉପନ୍ୟାସ ରଚନାରେ ବ୍ରତୀ ହୋଇଥିଲେ । ଏହି ଆଦର୍ଶରେ ୧୯୩୧ ଖ୍ରୀ: ଅ:ରେ ରଚିତ କାଳିନ୍ଦୀଚରଣଙ୍କ ଉପନ୍ୟାସ ‘‘ମାଟିର ମଣିଷ’’ ବିଶେଷ ଜନପ୍ରିୟ ହୋଇ ପାରିଥିଲା । ଏହା ବ୍ୟତୀତ ସେ ‘ଅମରଚିତା’, ‘ମୁକ୍ତାଗଡ଼ର କ୍ଷୁଧା’ ଆଦି ଉଲ୍ଲେଖଯୋଗ୍ୟ ଉପନ୍ୟାସ ରଚନା କରିଥିଲେ । ‘ମାଟିର ମଣିଷ’ ରଚନାର ଷୋହଳବର୍ଷ ପରେ ତାଙ୍କର ‘‘ଲୁହାର ମଣିଷ’’ ଉପନ୍ୟାସ ପ୍ରକାଶିତ ହୋଇଛି । ‘‘ମାଟିର ମଣିଷ’’ ନାୟକ ବରଜୁ ଚରିତ୍ରରେ ୧୯୩୬ ଖ୍ରୀ:ଅ:ର କଂଗ୍ରେସ ଶାସନ ଓ ୧୯୪୨ ଖ୍ରୀ: ଅ:ର ବିପ୍ଳବର ଭୂମିକାକୁ ଚିତ୍ରିତ କରାଯାଇଅଛି । ଏଥିରେ ଶାସକ ଗୋଷ୍ଠୀର ହୃଦୟ ପରିବର୍ତ୍ତନ ନୁହେଁ, ସାଧାରଣ ଜନତାର ସାମାଜିକ ଚେତନା ସଂଗଠନ ଓ ଦେଶର ଭାଗ୍ୟକୁ ବଦଳାଇବା ପାଇଁ ବୈପ୍ଳବିକ ଉଦ୍ୟମ ଭିତରେ ଲେଖକ ଆମ ଦେଶର ଭବିଷ୍ୟତ କଳନା କରିବାକୁ ଅଗ୍ରସର ହୋଇଅଛନ୍ତି । ଏହା ବର୍ତ୍ତମାନ ଔପନ୍ୟାସିକଙ୍କ ଆଗରେ ଏକ ନୂତନ ଆଦର୍ଶ ଉପସ୍ଥାପିତ କରିଅଛି । ଏହି ଆଦର୍ଶ ଉପରେ ମାର୍କସ୍‌ବାଦର ପ୍ରଭାବ ସ୍ପଷ୍ଟ ।

 

ବର୍ତ୍ତମାନ ସମାଜରେ ଦୁଃଖ ଦୁର୍ଦ୍ଦଶାର ବ୍ୟାଖ୍ୟା ଆଉ ଏକ ଦୃଷ୍ଟିକୋଣରୁ ବି ହେଉଅଛି-। ଏ ଦୁର୍ଦ୍ଦଶାର କାରଣ ଏବର ଆର୍ଥିକ ଅବ୍ୟବସ୍ଥା ଓ ଉତ୍କଟ ଶ୍ରେଣୀ ବିଭେଦ ଭିତରେ ଅନୁସନ୍ଧାନ ନ କରି, ଏମାନେ ଶିକ୍ଷିତ ଓ ଅଶିକ୍ଷିତ ଭେଦରେ କରି ଥାଆନ୍ତି । ଏହି ମତର ସମର୍ଥକ ସୁପରିଚିତ ଔପନ୍ୟାସିକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, ତାଙ୍କର ‘ହିଡ଼ମାଟି’ ଉପନ୍ୟାସର ଆଦ୍ୟଲେଖରେ ପ୍ରକାଶ କରିଛନ୍ତି - ‘‘ଶିକ୍ଷିତ ଅଭିଜାତ ଗୋଷ୍ଠୀ କେବଳ ଗରିବ ଅଶିକ୍ଷିତଙ୍କ ଦାନା ଶୋଷଣ କରନ୍ତି ନାହିଁ - ସେମାନେ ତାଙ୍କୁ ପ୍ରତିବଦଳରେ ଯାହା ଦିଅନ୍ତି, ତାହା ଆହୁରି ନିର୍ମମ । ଦିନ ଆସିବ ଏହାର ପ୍ରତିକ୍ରିୟା ହେବ । ନିଶ୍ଚୟ ହେବ । ହୁଏତ ଶିକ୍ଷିତ ଶୋଷକ ଓ ଅଶିକ୍ଷିତ ଉତ୍ପାଦକଙ୍କ ଭିତରେ ଏକ ସଂଘର୍ଷ ହୋଇପାରେ ।’’ ଏଠାରେ ବିଶେଷ ଭାବରେ ଲକ୍ଷ୍ୟ କରିବାର କଥା ସବୁ ଶିକ୍ଷିତଙ୍କୁ ଅଭିଜାତ କହିବା ଭୁଲ । ସବୁ ଅଭିଜାତଙ୍କୁ ଶିକ୍ଷିତ କହିବା ଆହୁରି ଭୁଲ । ପୁଣି ଏଠାରେ ଯେଉଁ ସଂଘର୍ଷର ସୂଚନା ଦିଆ ଯାଇଅଛି, ତାହା ଯେ କେବଳ ଶିକ୍ଷିତ ଏବଂ ସମାଜ ସଚେତନ ଶ୍ରମଜୀବୀଙ୍କ ନେତୃତ୍ୱ ବିନା ଅସମ୍ଭବ ଏହା ଭୁଲି ଗଲେ ଲେଖକଙ୍କ ସମାଜ ଚେତନାକୁ ବିକାରଗ୍ରସ୍ତ କହିବାକୁ ହେବ ।

 

ଗୋଟିଏଦିଗରେ ସାମାଜିକ ଅବସ୍ଥା ଓ ରାଜନୈତିକ ଚେତନା ଆଦିକୁ କେନ୍ଦ୍ରକରି ଉପନ୍ୟାସ ରଚିତ ହେଉଥିବା ବେଳେ, ଅନ୍ୟ ଦିଗରେ ଗଭୀର ମନସ୍ତାତ୍ତ୍ୱିକ ଅନୁସନ୍ଧିତ୍ସାର ଅବଲମ୍ୱନରେ ଉପନ୍ୟାସ ରଚନା ପ୍ରବୃତ୍ତି ବର୍ତ୍ତମାନ ଦେଖାଯାଇଅଛି । ନିତ୍ୟାନନ୍ଦ ମହାପାତ୍ରଙ୍କ ‘‘ଜୀଅନ୍ତା ମଣିଷ’’ କାହ୍ନୁଚରଣଙ୍କର ‘‘ଅଦେଖା ହାତ’’, ‘‘ପରକୀୟା’’, ତୁଣ୍ଡବାଇଦ’’, ଗୋପୀନାଥ ମହାନ୍ତିଙ୍କର ‘‘ରାହୁର ଛାୟା’’ ଆଦି ଉପନ୍ୟାସ ଏହାର ନିଦର୍ଶନ । ଓଡ଼ିଆ କଥା-ସାହିତ୍ୟକୁ ଏବର ଲେଖକମାନଙ୍କ ମଧ୍ୟରେ କାହ୍ନୁଚରଣ ମହାନ୍ତିଙ୍କ ଦାନ ପ୍ରଚୁର । ସେ ମନସ୍ତତ୍ୱ, ଜାତୀୟଜାଗୃତି, ସାମାଜିକ ଚେତନା ଓ ଐତିହାସିକ ଘଟଣା ଅବଲମ୍ୱନରେ ପ୍ରାୟ୨୫ ଖଣ୍ଡ ଉପନ୍ୟାସ ରଚନା କରିଅଛନ୍ତି । ତାଙ୍କର ଐତିହାସିକ ଉପନ୍ୟାସ ‘‘ବାଲିରାଜା’’ ଓ ‘‘ହା ଅନ୍ନ’’ ଏବଂ ସାମଜିକ ଉପନ୍ୟାସ ‘‘ଶାସ୍ତି’’ ଅତ୍ୟନ୍ତ ଜନପ୍ରିୟ । ସେ ଆଧୁନିକ ନୃତତ୍ତ୍ୱ ଓ ପ୍ରତ୍ନତତ୍ତ୍ୱର ଦୃଷ୍ଟିକୋଣରୁ ମାନବିକ ବିକାଶ ଧାରାର ଏକ ସମଗ୍ର ପରିଚୟ ଦେବାଲାଗି ଗୋଟିଏ ବିରାଟ ଉପନ୍ୟାସ ରଚନାରେ ହାତ ଦେଇଛନ୍ତି । ଏହାର ପ୍ରଥମଭାଗ ‘‘ଶର୍ବରୀ’’ ନାମରେ ନିକଟରେ ପ୍ରକାଶିତ ହୋଇଅଛି ।

 

ବର୍ତ୍ତମାନ ଓଡ଼ିଶାର ଅଧିବାସୀଙ୍କ ମଧ୍ୟରେ ପ୍ରାୟ ଏକ ଚତୁର୍ଥାଂଶ ଆଦିବାସୀ । ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଲେଖନୀ ଧାରଣ କରିବା ପୂର୍ବରୁ ଏମାନଙ୍କ ବିଚିତ୍ର ସାମାଜିକ ଜୀବନର ଚିତ୍ରରୁ ଓଡ଼ିଆ କଥା-ସାହିତ୍ୟ ବଞ୍ଚିତ ଥିଲା । ସେ ପ୍ରଥମେ ଏମାନଙ୍କ ଭାଷା, ସାମାଜିକ ଚାଲିଚଳନ ଗଭୀର ଭାବରେ ଅଧ୍ୟୟନ କରିଥିଲେ । ତାଙ୍କର ବିପୁଳାୟତନ ଉପନ୍ୟାସ ‘‘ଅମୃତର ସନ୍ତାନ’’, ‘‘ଦାଦିବୁଢା’’, ‘‘ପରଜା’’ ଆଦିରେ କନ୍ଧ ପରଜା ପ୍ରଭୃତି ଆଦିବାସୀଙ୍କ ସମାଜ, ତାର ସମସ୍ୟା ଓ ସମାଧାନର ଚିତ୍ର ଅତି ଉଚ୍ଚକୋଟୀର । ଭାରତୀୟ ଜନତାର ଯେଉଁ ଅଂଶ ଏପର୍ଯ୍ୟନ୍ତ ଏକ ପ୍ରକାର ଅନାବିଷ୍କୃତ ରହିଅଛି, ତାହାକୁ ଆଲୋକକୁ ଆଣିବାଳାଗି ଏହା ନୂତନ ଦିଗଦର୍ଶନ ଦେଇଛି । ବହୁ ପ୍ରବୀଣ ଓ ପ୍ରତିଭାବାନ୍‌ ଲେଖକଙ୍କ ସାଧନାକ୍ରମେ ଓଡ଼ିଆ କଥା-ସାହିତ୍ୟରେ ଆଧୁନିକ ଜୀବନର ବିଭିନ୍ନ ଦିଗ କ୍ରମଶଃ ସ୍ଫଷ୍ଟ ହୋଇଉଠୁଅଛି । ଏମାନଙ୍କ ମଧ୍ୟରେ ପଣ୍ଡିତ ଗୋଦାବରୀଶ ମିଶ୍ର, ରାମଚନ୍ଦ୍ର ଆଚାର୍ଯ୍ୟ, ଗୋଦାବରୀଶ ମହାପାତ୍ର, ହରେକୃଷ୍ଣ ମହାତାବ୍‌, ରାଜକିଶୋର ପଟ୍ଟନାୟକ, କମଳାକାନ୍ତ ଦାଶ, ଚନ୍ଦ୍ରମଣି ଦାସ, ଅନନ୍ତ ପ୍ରସାଦ ପଣ୍ଡା ଓ ଲକ୍ଷ୍ମୀନାରାୟଣ ମହାନ୍ତି ଆଦିଙ୍କ ନାମ ଉଲ୍ଲେଖ ଯୋଗ୍ୟ ।

 

ଉପନ୍ୟାସ ଭଳି କ୍ଷୁଦ୍ରଗଳ୍ପର ମଧ୍ୟ ବିକାଶ ହୋଇଚାଲିଅଛି । ବର୍ତ୍ତମାନ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଯେତେ ପ୍ରକାର ପରୀକ୍ଷା ହୋଇଛି, ଏବଂ ଭାବଧାରା ଅଭିବ୍ୟକ୍ତି ଲଭିଛି, ତାହା ବଡ଼ ଧରଣର ଉପନ୍ୟାସ କାବ୍ୟ ବା ନାଟକରେ ହୋଇଛି ବୋଲି ମନେ ହୁଏ ନାହିଁ । ଆଜକୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବେ ଫକୀର ମୋହନ ହିଁ ପ୍ରଥମେ ଗଳ୍ପ ଲେଖିବାକୁ ଆରମ୍ଭ କରିଥିଲେ । ନିଜ ସମାଜର ବାସ୍ତବ ଚିତ୍ର ଅବଲମ୍ୱନରେ ସେ ଗଳ୍ପ ଲେଖିଥିଲେ । ଲୋକଶିକ୍ଷା ତାଙ୍କ ଗଳ୍ପର ପ୍ରଧାନ ଲକ୍ଷ୍ୟ ଥିଲା । ସେ ଗୋଟିଏ ଗଳ୍ପରେ ଲେଖିଥିଲେ- ‘‘ପୁରାଣବୋଲ, କି ଉପନ୍ୟାସ ବୋଲ, କି ଗଳ୍ପବୋଲ, ଲୋକଶିକ୍ଷା ଲାଗି କବିମାନେ ଏହିପରି ଲେଖିଯାଇଛନ୍ତି’’ (ଗଳ୍ପସ୍ୱଳ୍ପ, ୨ୟଭାଗ ପୃ:୬)-। ଫକୀର ମୋହନଙ୍କ ପ୍ରଥମ ଗଳ୍ପ ‘ରେବତୀ’, କିମ୍ୱା ‘ପାଠୋଈ ବୋହୂ’, ‘ପଟେଣ୍ଟ ମେଡ଼ିସିନ୍‌’, ‘ମାଧମହାନ୍ତିଙ୍କ କନ୍ୟାସୁନା’ ଆଦି ଗଳ୍ପଗୁଡ଼ିକ ସଂସ୍କାର-ମୂଳକ । ‘ରାଣ୍ଡିପୁଅ ଅନନ୍ତା’, ‘ବିରେଇ ବିଶାଳ’, ‘ଡାକ ମୁନ୍‌ସୀ’ ଆଦି ଗଳ୍ପରେ ମାନବିକତା ଓ ସାମାଜିକ ବାସ୍ତବତାର ନିପୁଣ ଅଭିବ୍ୟକ୍ତ ଘଟିଛି । ତାଙ୍କର ‘କାଳିକାପ୍ରସାଦ ଖୋରାପ୍‌’, ‘କମଳା ପ୍ରସାଦ୍‌ ଗୋରାପ୍‌’, ‘ବାଲେଶ୍ୱରୀ ପଙ୍ଗାଲୁଣ’, ଆଦିରେ ଇଂରେଜମାନଙ୍କ ଆଗମନ ପୂର୍ବରୁ ଓଡ଼ିଶାର ନୌବାଣିଜ୍ୟ, ଓ ଲବଣଶିଳ୍ପ ଆଦିର ଐତିହାସିକ ଚିତ୍ର ଜୀବନ୍ତ ହୋଇ ରହିଅଛି । ‘ମୌନାମୋନୀ’, ‘ଧୂଳିଆବାବା’ ଆଦିରେ ଧର୍ମନାମରେ ଭଣ୍ଡତା, ‘ଅଜାନାତି’ ଭଳି ଗଳ୍ପରେ ପ୍ରାଚୀନ ଓ ଆଧୁନିକ ଭାବଧାରାର ଦ୍ୱନ୍ଦ୍ୱ ଏବଂ ‘ପୁନର୍ମୂଷିକୋଭବ’ ଭଳି ଗଳ୍ପରେ ମାନବଚରିତ୍ରର ସାଧାରଣ ଦୁର୍ବଳତା ଦିଗ ପ୍ରତି ଫକୀରମୋହନ ଆଲୋକପାତ କରିଅଛନ୍ତି ।

 

ଫକୀରମୋହନ ଓଡ଼ିଆ କ୍ଷୁଦ୍ର ଗଳ୍ପର ଯେଉଁ ବଳିଷ୍ଠ ଭିତ୍ତି ସ୍ଥାପନ କରିଯାଇଥିଲେ, ତାହାଙ୍କର ପରବର୍ତ୍ତୀ ବହୁ ଲେଖକଙ୍କ ସାଧନାରେ ତାହା ବିକଶିତ ହୋଇଅଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସ୍ୱର୍ଗତଃ ଦିବ୍ୟସିଂହ ପାଣିଗ୍ରାହୀ ଆଦି ଲେଖକମାନେ ନିଜ ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟର ମୁଦ୍ରା ଓଡ଼ିଆ କ୍ଷୁଦ୍ର ଗଳ୍ପରେ ରଖିଯାଇଅଛନ୍ତି । ବର୍ତ୍ତମାନ ଯେଉଁ ମାନେ ଓଡ଼ିଆ କଥା ସାହିତ୍ୟରେ ପ୍ରତିଷ୍ଠିତ, ସେମାନଙ୍କ ବ୍ୟତୀତ ବହୁ ନୂତନ ଓ ଶକ୍ତିଶାଳୀ ଲେଖକ ନାନାଭାବରେ କ୍ଷୁଦ୍ରଗଳ୍ପର ଭଣ୍ଡାରକୁ ସମୃଦ୍ଧ କରୁଅଛନ୍ତି । ଦେଶ ବିଦେଶର ବହୁ ପ୍ରଖ୍ୟାତ କଥାକାରଙ୍କର ଗଳ୍ପଉପନ୍ୟାସ ଆଦି ଓଡ଼ିଆରେ ଅନୁବାଦ ହୋଇ ପ୍ରକାଶିତ ହେଉଅଛି । ଭାରତୀୟ ଲେଖକମାନଙ୍କ ମଧ୍ୟରୁ ପ୍ରେମଚନ୍ଦ ଓ ରବୀନ୍ଦ୍ର ନାଥ ପାଶ୍ଚାତ୍ୟ ଲେଖକମାନଙ୍କ ମଧ୍ୟରୁ ମୋପାସାଁ, ଚେଖଭ, ଗର୍କୀ ଆଦିଙ୍କ ଗଳ୍ପର ସ୍ୱତନ୍ତ୍ର ସଂସ୍କରଣମାନ ଓଡ଼ିଆରେ ପ୍ରକାଶିତ ହୋଇଛି । ସମ୍ୱାଦପତ୍ର, ସାମୟିକ ପତ୍ରମାନଙ୍କରେ କ୍ଷୁଦ୍ରଗଳ୍ପର ଲୋକପ୍ରିୟତା, କ୍ଷୁଦ୍ର ଗଳ୍ପ ଲାଗି ସ୍ୱତନ୍ତ୍ର ପତ୍ରିକା ପ୍ରକାଶ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି । ଏହା ଓଡ଼ିଆ କ୍ଷୁଦ୍ର ଗଳ୍ପର ଉନ୍ନତ ଭବିଷ୍ୟତର ସୂଚନା ଦିଏ ।

 

ପ୍ରବନ୍ଧ, ସମାଲୋଚନା ଓ ସାଧାରଣ ଗଦ୍ୟ ସାହିତ୍ୟ

 

ଆଧୁନିକ ଜୀବନ ସହ ତର୍କର ସମ୍ୱନ୍ଧ ବେଶୀ । ତର୍କ ହିଁ ପ୍ରବନ୍ଧର ମୂଳ ଉପାଦାନ । ଏଥିଲାଗି ଆଧୁନିକ ସାହିତ୍ୟରେ ପ୍ରବନ୍ଧ ଏକ ମୁଖ୍ୟସ୍ଥାନ ଅଧିକାର କରିଅଛି । କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଏକତ୍ର ବିଚାର ବିମର୍ଶ ପ୍ରକାଶର ଧାରା ପ୍ରାଚୀନ ସାହିତ୍ୟରେ ପ୍ରଚଳିତ ଥିଲା । ବିଶିଷ୍ଟ ବିଚାର ଧାରା ପ୍ରକାଶର ଏକ ମାଧ୍ୟମ ବିଶେଷ ରୂପେ ପ୍ରବନ୍ଧର ବୀଜ ସେଥିରେ ଖୋଜା ଯାଇପାରେ । କିନ୍ତୁ ଆଧୁନିକ ପ୍ରବନ୍ଧର ବିକାଶ ଆଧୁନିକ ଗଦ୍ୟର ବିକାଶ ଧାରା ସହିତ ଜଡ଼ିତ । ଗତ ଶତକର ଶେଷ ପାଦପରେ ଓଡ଼ିଆରେ ପତ୍ରପତ୍ରିକାର କ୍ରମପ୍ରସାର ଯେତେବେଳେ ଦେଖାଗଲା, ସେତେବେଳେ ସେଗୁଡ଼ିକର ପୃଷ୍ଠାରେ ଆଧୁନିକ ଭାବଧାରାର ବାହନ ରୂପେ ଓଡ଼ିଆ ପ୍ରବନ୍ଧ-ସାହିତ୍ୟ ଆତ୍ମପ୍ରକାଶ କଲା । କର୍ମଯୋଗୀ ଗୌରୀଶଙ୍କର, ଫକୀରମୋହନ, ରାଧାନାଥ ଓ ମଧୁସୂଦନ ଆଦି ଏଯୁଗର ଲେଖକ ଓ ସାମ୍ୱାଦିକମାନେ ନୂଆ ପ୍ରବନ୍ଧ ରଚନାରେ ହାତ ଦେଲେ । ଇଂରେଜୀ ସାହିତ୍ୟରେ ଏଲିଜାବେଥ ଯୁଗଠାରୁ ଆରମ୍ଭ କରି ଭିକ୍‌ଟୋରିଆ ଯୁଗ ପର୍ଯ୍ୟନ୍ତ ପ୍ରବନ୍ଧ ରଚନାର ଯେଉଁସବୁ ରୀତି ଦେଖା ଯାଉଥିଲା, ଯେତେ ଅଳ୍ପରେ ହେଉନା କାହିଁକି ସେ ସମସ୍ତର ପ୍ରୟୋଗ ଓଡ଼ିଆ ପ୍ରବନ୍ଧରେ ଏ ଯୁଗର ଲେଖକମାନେ କରିଥିଲେ ।

 

ଏହି ସମୟର ଯୁଗୋପଯୋଗୀ ଭାବଧାରାକୁ ରୂପ ଦେଇ ଗୌରୀଶଙ୍କର ଯେଉଁ ପ୍ରବନ୍ଧସବୁ ରଚନା କରିଥିଲେ, ତାହା ଏପର୍ଯ୍ୟନ୍ତ ତାଙ୍କଦ୍ୱାରା ସଂପାଦିତ ‘‘ଉତ୍କଳ ଦୀପିକା’’ର ପୃଷ୍ଠାରେ ରହିଛି । କବିବର ରାଧାନାଥ ରାୟ ଓଡ଼ିଆ କାବ୍ୟକବିତା ରଚନାରେ ଅଭିନିବିଷ୍ଟ ହୋଇଥିଲେ ହେଁ ପ୍ରଥମେ ପ୍ରବନ୍ଧ ରଚନାରେ ହାତ ଦେଇଥିଲେ । ତାଙ୍କର ବ୍ୟକ୍ତିଗତ ପ୍ରବନ୍ଧ ‘ବିବେକୀ’ କିମ୍ୱା ଭ୍ରମଣ ବୃତ୍ତାନ୍ତ ‘‘ଭ୍ରମଣକାରୀର ପତ୍ର’’ ଏଯୁଗର ଉତ୍କୃଷ୍ଟ ଗଦ୍ୟ ରଚନା । ରାଧାନାଥ ଜଣେ ଶ୍ରେଷ୍ଠ ଭାବୁକ ଓ ଚିନ୍ତାଶୀଳ ବ୍ୟକ୍ତି ଥିଲେ । ତାଙ୍କ ସମାଜର ରୀତି ନୀତି, ନବ୍ୟ ଶିକ୍ଷିତ ବ୍ୟକ୍ତିମାନଙ୍କର ଚରିତ୍ର ଓ ଶିକ୍ଷାଭିମାନ ଏ ସବୁ ତାଙ୍କ ମନରେ ଯେପରି ରେଖାପାତ କରିଥିଲା; ବ୍ୟକ୍ତି ଚରିତ୍ରର ଶୁଦ୍ଧତା ଓ ଶୁଚିତା ବିଷୟରେ ଯେଉଁସବୁ ଭାବନା ତାଙ୍କର ଆଦର୍ଶବାଦୀ କବିଚିତ୍ତକୁ ଆଲୋଡ଼ିତ କରିଥିଲା, ତାହା ତାଙ୍କ କବିତାଠାରୁ ଏହି ପ୍ରବନ୍ଧରେ ଅଧିକ ଜୀବନ୍ତ ଭାବରେ ଅଭିବ୍ୟକ୍ତ ଲଭିଛି । ‘‘ବିବେକୀ’’ ପ୍ରବନ୍ଧ ଏ ଯୁଗର ଜଣେ ଶ୍ରେଷ୍ଠ ବ୍ୟକ୍ତିଙ୍କର ପ୍ରତ୍ୟକ୍ଷ ଦର୍ଶନ ଓ ଅନୁଭୂତିର ଫଳ । ଏଥିଲାଗି ଏହା ଏତେ ଉଚ୍ଚକୋଟୀର ରଚନା । କଳ୍ପନାବିଳାସ ଓ କବିତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ଏହି ପ୍ରବନ୍ଧଟିକୁ ଅତି ମନୋରମ କରିଛି । ଆପଣା ବକ୍ତବ୍ୟ ଓ ମନ୍ତବ୍ୟକୁ ବଳିଷ୍ଠ କରିବା ପାଇଁ ଅନେକ ସମୟରେଐତିହାସିକ ପୁରୁଷମାନଙ୍କର ମନର ବଳ, କର୍ତ୍ତବ୍ୟ ନିଷ୍ଠା ଆଦି ସଦ୍‌ଗୁଣାବଳୀର ଦୃଷ୍ଟାନ୍ତମାନ ଦେଇଛନ୍ତି । ଏଥିରେ ପ୍ରତ୍ୟକ୍ଷ ବର୍ଣ୍ଣନା ରୀତି ଗ୍ରହଣ କରାଯାଇଥିଲେ ମଧ୍ୟ ଅନେକ ସମୟରେ ‘‘ସୁଭଗମନ୍ୟ ବ୍ୟକ୍ତି’’. ‘‘ମିଥ୍ୟାବନ୍ଧୁ’’, ‘‘ଜନୈକବ୍ୟକ୍ତି’’ ଆଦିଙ୍କ ଉକ୍ତିରୂପେ ଅପ୍ରତ୍ୟକ୍ଷ ବର୍ଣ୍ଣନା ଶୈଳୀ ଅବଲମ୍ୱିତ ହୋଇଅଛି

 

ରାଧାନାଥଙ୍କ ସମସାମୟିକ ଭକ୍ତକବି ମଧୁସୂଦନ ରାଓ ବର୍ଣ୍ଣନା ମୂଳକ, ଚିନ୍ତାମୂଳକ ଓ ଐତିହାସିକ ପ୍ରବନ୍ଧ, ଜୀବନୀ ଓ ସାହିତ୍ୟ ସମାଲୋଚନା ଆଦି ରଚନା କରିବାରେ ନିପୁଣ ଥିଲେ । ତାଙ୍କର ପ୍ରବନ୍ଧର ସଂଗ୍ରହ ‘‘ପ୍ରବନ୍ଧମାଳା’’ ଗତଶତକର ଶେଷ ଆଡ଼କୁ ପ୍ରକାଶିତ ହୋଇଥିଲା । ବିଦ୍ୟାଳୟମାନଙ୍କରେ ପାଠ୍ୟ ପୁସ୍ତକରୂପେ ତାହା ବହୁ ପ୍ରଚାରିତ ହୋଇଥିଲା । ମଧୁସୂଦନଙ୍କ ପ୍ରବନ୍ଧର ଶିଳ୍ପଚାତୁରୀ ଅପେକ୍ଷା, ବିଶୁଦ୍ଧ ଓ ମାର୍ଜିତ ଭାଷା ବିନ୍ୟାସ, ପାଣ୍ଡିତ୍ୟପୂର୍ଣ୍ଣତଥ୍ୟ ପରିବେଷଣ ପ୍ରତି ଅଧିକ ସଚେତନ ଥିଲେ ।

 

ରାଧାନାଥ ଓ ମଧୁସୂଦନଙ୍କ ପରେ ଓଡ଼ିଆ ପ୍ରବନ୍ଧ କ୍ଷେତ୍ରରେ ଶ୍ରୀଯୁକ୍ତ ବିଶ୍ୱନାଥ କର, ଚିନ୍ତାମଣି ମହାନ୍ତି ଆଦି ଦେଖା ଦେଇଥିଲେ । ପ୍ରବନ୍ଧ ରଚନାରେ ବିଶ୍ୱନାଥ କରଙ୍କର ଏକାନ୍ତ ନିଷ୍ଠା ଥିଲା । ବ୍ରାହ୍ମ ଧର୍ମାବଲମ୍ୱୀ ଉଦାରପନ୍ଥୀ ବିଶ୍ୱନାଥ କାର୍ଲାଇଲ୍‌, ବାର୍କ ଆଦିଙ୍କର ଦରଦୀ ପାଠକ ଥିଲେ । ତାଙ୍କର ରଚିତ ପ୍ରବନ୍ଧ ଗୁଡ଼ିକର ସଂଗ୍ରହ ‘‘ବିବିଧ ପ୍ରବନ୍ଧ’’ ନାମରେ ପ୍ରକାଶିତ ହୋଇଅଛି । ଏଥିରେ ଧର୍ମ, ନୈତିକତା, ସାମାଜିକ ରୀତିନୀତି ଆଦି ବିଷୟରେ ଉଚ୍ଚଭାବଧାରାମାନ ପ୍ରକଟିତ ହୋଇଅଛି । କବି ଶେଖର ଚିନ୍ତାମଣି ମହାନ୍ତି ବହୁ ଭ୍ରମଣ-କାହାଣୀ,ବୈଷୟିକ ପ୍ରବନ୍ଧ, ଅନୁଭୂତିମୂଳକ ବ୍ୟକ୍ତିଗତ ପ୍ରବନ୍ଧଦ୍ୱାରା ଓଡ଼ିଆ ନିବନ୍ଧ ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି ।

 

ଇଂରେଜୀରେ ଯେଉଁ ଧରଣର ପ୍ରବନ୍ଧକୁ (Personal essay)ବା ବ୍ୟକ୍ତିକ ପ୍ରବନ୍ଧ କହନ୍ତି, ସେଇ ଧରଣର ଉତ୍କୃଷ୍ଟ ରଚନା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଲେଖନୀରୁ ପ୍ରଥମେ ଦେଖିବାକୁ ମିଳିଲା । ‘‘ନନାଙ୍କ ବସ୍ତାନି’’, ‘‘ବାଇମହାନ୍ତି ପାଞ୍ଜି’’ ଓ ‘‘ଭାଗବତ ଟୁଙ୍ଗିରେ ସନ୍ଧ୍ୟା’’ ଆଦି ପ୍ରବନ୍ଧ ଗ୍ରନ୍ଥ ଏହାର ନିଦର୍ଶନ । ଏହି ପ୍ରବନ୍ଧ ଗୁଡ଼ିକର ଉପାଦାନ ଅତି ସାଧାରଣ । କିନ୍ତୁ ଅସାଧାରଣ ରଚନା ପଟୁତା ଏଥିର ବିଶେଷତ୍ୱ । ପ୍ରବନ୍ଧକାରଙ୍କ ବ୍ୟକ୍ତିତ୍ୱ ଓ ମୌଳିକ ଚିନ୍ତା ଏ ଗୁଡ଼ିକ ଅତିଉଚ୍ଚସ୍ତରକୁ ଉନ୍ନୀତ କରିଅଛି । ପ୍ରବନ୍ଧର ଭାଷାନିର୍ମାଣରେ ପ୍ରହରାଜ ନିପୁଣ ଶିଳ୍ପୀ । ସାଧାରଣ ଓଡ଼ିଆ ଗ୍ରାମ୍ୟଶବ୍ଦ, କଥିତ ପ୍ରୟୋଗ, ଢଗଢମାଳି ଆଦିର ବିପୁଳ ଜାନପଦ ସମ୍ପଦରେ ପ୍ରହରାଜ ସାହିତ୍ୟର ଗନ୍ତାଘରକୁ ସମୃଦ୍ଧ କରି ଯାଇଅଛନ୍ତି । ତାଙ୍କର ଏହି ପ୍ରବନ୍ଧ ଗୁଡ଼ିକ ଆବେଗମୟ ଭାଷା ଓ ନିବିଡ଼ ଅନୁଭୂତିର ରସରେ ରସାଳ । ଆପଣାର ସମସାମୟିକ ସମାଜର ବିଭିନ୍ନ ସ୍ତରର ଜୀବନରେ ଯେଉଁ ଦୁର୍ଦ୍ଦଶା, ଅଭାବ ଓ ଅସଙ୍ଗତ ସେ ଦେଖିବାକୁ ପାଇଛନ୍ତି ଏବଂ ସେ ସମ୍ୱନ୍ଧରେ ଯାହା ଅନୁଭବ କରିଛନ୍ତି, ତାହାହିଁ ତାଙ୍କର ପ୍ରବନ୍ଧ ଗୁଡ଼ିକରେ ଅଭିବ୍ୟକ୍ତ ହୋଇଅଛି । ବ୍ୟଙ୍ଗ ଓ ବିଦ୍ରୂପ ପ୍ରହରାଜଙ୍କ ରଚନାର ଏକ ବୈଶିଷ୍ଟ୍ୟ ।

 

ସ୍ୱର୍ଗତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସମସାମୟିକ ଲେଖକମାନଙ୍କ ମଧ୍ୟରୁ ଯେଉଁମାନେ ଓଡ଼ିଆ ପ୍ରବନ୍ଧ-ସାହିତ୍ୟକୁ ବିଶେଷଭାବରେ ସମୃଦ୍ଧ କରି ଯାଇଅଛନ୍ତି, ସେମାନଙ୍କ ମଧ୍ୟରେ ଜଳନ୍ଧର ଦେବ ଓ ଶଶିଭୂଷଣ ରାୟଙ୍କ ନାମ ଉଲ୍ଲେଖଯୋଗ୍ୟ । ଉଭୟେ ସାହିତ୍ୟ ସମାଲୋଚନା, ଭ୍ରମଣ କାହାଣୀ, ସାଂସ୍କୃତିକ ଓ ବୈଷୟିକ ପ୍ରବନ୍ଧମାନ ରଚନା କରି ଯାଇଅଛନ୍ତି । ବିଶେଷଭାବେ ଶଶିଭୂଷଣଙ୍କ ପ୍ରକୃତି-ଚିତ୍ରଣ-ମୂଳକ ପ୍ରବନ୍ଧ ଗୁଡ଼ିକ ଗୀତିଧର୍ମୀ ଓ କାବ୍ୟିକ । ତାଙ୍କର ‘‘ଉତ୍କଳ ୠତୁଚିତ୍ର’’ ଓ ‘‘ଦାକ୍ଷିଣାତ୍ୟ ଭ୍ରମଣ’’ ଏହି ଦୃଷ୍ଟିରେ ବିଶେଷ ସଫଳ ଓ ଜନପ୍ରିୟ ରଚନା ।

 

ବର୍ତ୍ତମାନ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ବହୁ ନିପୁଣ ଲେଖନୀଦ୍ଵାରା ପୃଷ୍ଟ । ଗୋଟିଏ ଦିଗରେ ବିଶୁଦ୍ଧ ସାହିତ୍ୟିକ କଳାରୂପେ ପ୍ରବନ୍ଧର ଯେପରି ବିକାଶ ଦେଖାଦେଇଛି, ସେହିପରି ଅନ୍ୟଦିଗରେ ବିଭିନ୍ନ ଚିନ୍ତାଧାରର ବାହନ ରୂପେ ପ୍ରବନ୍ଧ ଆତ୍ମପ୍ରକାଶ କରିଅଛି । ଦର୍ଶନ, ରାଜନୀତି, ସମାଜନୀତି ଆଦିର ଆଲେଚନା ପ୍ରବନ୍ଧର ଅଙ୍ଗ ହୋଇପଡ଼ିଅଛି । ନୂତନ ଜାତୀୟତା ଓ ମାନବିକତା ଭିତ୍ତିରେ ସତ୍ୟବାଦୀଯୁଗର ପ୍ରବନ୍ଧ ସାହିତ୍ୟର ବିକାଶ ହୋଇଥିଲା । ପଣ୍ଡିତ ନୀଳକଣ୍ଠ ଦାସ ଏହିଯୁଗର ଆତ୍ମପ୍ରକାଶ କରିଥିଲେ ମଧ୍ୟ, ଧର୍ମ, ଦର୍ଶନ ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ତାଙ୍କର ପ୍ରବୀଣ ଲେଖନୀ ଏବେ ବି ଆଲୋକପାତ କରିଚାଲିଅଛି । ସେ ଉଦଚ୍ଚଦରର ସାହିତ୍ୟ ସମାଲୋଚନା ବି କରିଅଛନ୍ତି । ତାଙ୍କ ଲେଖା ‘‘ସଂସ୍କୃତ ଓ ସଂସ୍କୃତି’’ ‘‘ଓଡ଼ିଆ ସାହିତ୍ୟର କ୍ରମପରିମାଣ’’ ଏହାର ନିଦର୍ଶନ । ଅତି ଗଭୀର ଓ ଜଟିଳ ଭାବବସ୍ତୁକୁ ସରଳଭାବରେ ପ୍ରକାଶ କରିବା ତାଙ୍କର ବିଶେଷତ୍ୱ-। ତାଙ୍କ ଭାଷାର ପ୍ରବାହ ଅତି ସ୍ୱଚ୍ଛନ୍ଦ ଓ ଅଭିବ୍ୟକ୍ତି ସ୍ୱାଭାବିକ ।

 

ସୁପରିଚିତ ବହୁ ପ୍ରବନ୍ଧକାରଙ୍କ ମଧ୍ୟରେ ଡା. ବ୍ରଜବିହାରୀ ମହାନ୍ତି, ଅଧ୍ୟାପକ ବିପିନ ବିହାରୀ ରାୟ, ରତ୍ନାକର ପତି ଆଦିଙ୍କର ନାମ ଉଲେଖଯୋଗ୍ୟ । ଶ୍ରୀଯୁକ୍ତ କାଳନ୍ଦୀଚରଣ ପାଣିଗ୍ରାହୀ, ଡ଼ା. ମାୟାଧର ମାନସିଂ ପ୍ରଭୃତି ବର୍ତ୍ତମାନର ବିଶିଷ୍ଠ ସାହିତ୍ୟିକମାନେ ବିଭିନ୍ନ ଭାବରେ ପ୍ରବନ୍ଧ ରଚନାରେ ହାତ ଦେଇଅଛନ୍ତି । କାଳିନ୍ଦୀଚରଣଙ୍କ ପ୍ରବନ୍ଧର ଭାଷା ବ୍ୟଞ୍ଜନାପୂର୍ଣ୍ଣ ଓ ଭାବ ଗମ୍ଭୀର । ମୌଳିକ ଚିନ୍ତା, ସଂଯତ ଭାବରେ ସାମାଜିକ ଅସଙ୍ଗିତ ଉପରେ ବ୍ୟଙ୍ଗ ଓ ଭବିଷ୍ୟ ପ୍ରତି ଗଠନାତ୍ମକ ଦୃଷ୍ଟିକୋଣ ଲାଗି ଅନେକ ସମୟରେ ତାଙ୍କ ପ୍ରବନ୍ଧ ଗୁଡ଼ିକ ଏବର ଓଡ଼ିଆ ପାଠକଙ୍କଠାରେ ସ୍ୱତନ୍ତ୍ର ମୂଲ୍ୟରେ ଗୃହୀତ ହୁଏ । ଡା. ମାନସିଂହଙ୍କ ଭାଷା ଅତି ଲାବଣ୍ୟମୟ ଓ ମଧୁର । ତାଙ୍କର ଚିନ୍ତାପ୍ରବାହରେ ସାଧାରଣ ଜୀବନର ସୁଖ ଦୁଃଖ, ପ୍ରେମ ବିବାହ ଆଦି ଏପରି ରସାଳ ଭାବରେ ଧରା ଦେଇଅଛି ଯେ, ତାହା ତରୁଣ ପାଠକ ଗୋଷ୍ଠୀର ଖୁବ୍ ପ୍ରିୟ

 

ଜୀବନ, ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ନାନା ଭାବରେ ରଚିତ ପ୍ରବନ୍ଧମାନ ବର୍ତ୍ତମାନ ସାମୟିକ ପତ୍ରମାନଙ୍କର ପୃଷ୍ଠାମାନଙ୍କରେ ଆତ୍ମପ୍ରକାଶ କରୁଅଛି । ବିଭିନ୍ନ ଲେଖକମାନଙ୍କର ପ୍ରବନ୍ଧସଂଗ୍ରହମାନ ପ୍ରତିବର୍ଷ ପ୍ରକାଶିତ ହେଉଅଛି । ପ୍ରବନ୍ଧକାରମାନଙ୍କଠାରୁ ଅଧୁନିକ ପାଠକ ଯେପରି ବହୁମୁଖୀ ରଚନାମାନ ଆଶା କରୁଛି, ତାହା ପାଇବାକୁ ଏପର୍ଯ୍ୟନ୍ତ ସମର୍ଥ ହୋଇନାହିଁ । ତେବେ ବର୍ତ୍ତମାନ ଓଡ଼ିଆ ପ୍ରବନ୍ଧ-ସାହିତ୍ୟର ଗତିକୁ ଲକ୍ଷ୍ୟ କଲେ, ଅଦୂର ଭବିଷ୍ୟତରେ ଯେ ତାହା ସମ୍ଭବ ହେବ ଏ ବିଶ୍ୱାସ ଉଜ୍ଜ୍ୱଳ ହୋଇଉଠେ ।

 

ସମାଲୋଚନା

 

ରସ ଓ ଅଳଙ୍କାର ବିଚାର ଦୃଷ୍ଟିରୁ ପ୍ରାଚୀନ ସଂସ୍କୃତି ସାହିତ୍ୟ, ଅଥବା ବିଶ୍ଳେଷଣାତ୍ମକ ଆଲୋଚନା ଦୁଷ୍ଟିରୁ ଆଧୁନିକ ପାଶ୍ଚାତ୍ୟ ସାହିତ୍ୟରେ ସାହିତ୍ୟ ସମୀକ୍ଷାର ଯେଉଁ ଭଳି ବିକାଶ ଦେଖାଯାଏ, ଆଧୁନିକ ଓଡ଼ିଆ ସାହିତ୍ୟରେ ସେ ଭଳି ବିକାଶ ଘଟିନାହିଁ । ସ୍ୱତନ୍ତ୍ର ଭାବରେ ବିଚାର କରି ଦେଖିଲେ ଓଡ଼ିଆ ସମାଲୋଚନା ସାହିତ୍ୟ ଏବେ ବି ଶୈଶବାବସ୍ଥା ଅତିକ୍ରମ କରିନାହିଁ । ସଂସ୍କୃତ ଓ ଇଂରେଜୀ ସାହିତ୍ୟର ଦୃଷ୍ଟାନ୍ତରେ ପ୍ରଥମେ ଓଡ଼ିଆରେ ସାହିତ୍ୟ ସମୀକ୍ଷା ଆରମ୍ଭ କାରଯାଇଥିଲା । ତଥାପି ଓଡ଼ିଆ ସମାଲୋଚନା ବିକାଶର ଟିକିଏ ସ୍ୱତନ୍ତ୍ର ଇତିହାସ ଅଛି । ପ୍ରଥମେ ଯେତେବେଳେ ଓଡ଼ିଆରେ ଆଧୁନିକ କାବ୍ୟକବିତା ଲେଖାଗଲା, ପ୍ରାଚୀନ ସାହତ୍ୟର ସ୍ତାବକମାନେ ତାର ବିରୋଧ କରିଥିଲେ । ଅନ୍ୟପକ୍ଷରେ ଆଧୁନିକ ରୁଚିସମ୍ପନ୍ନ ଲୋକେ ଏହି ନୂତନ ସାହିତ୍ୟକୁ ସ୍ୱାଗତ କରିଥିଲେ । ବସ୍ତୁତଃ ପ୍ରାଚୀନ ଆଧୁନିକ, ଏହି ଦ୍ୱନ୍ଦ୍ୱ ଭିତରେ ଓଡ଼ିଆରେ ସାହିତ୍ୟ ସମୀକ୍ଷା ସୂତ୍ରପାତ ହୋଇଥିଲା । ଆଧୁନିକ ସାହିତ୍ୟର ବିରୋଧକାରୀମାନେ ପ୍ରାଚୀନ ସାହିତ୍ୟର ନଜରରେ ଏଥିରେ ଅଳଙ୍କାର ପ୍ରୟୋଗ, ଛନ୍ଦଯୋଜନା ଆଦି ଦିଗରେ ତ୍ରୁଟି ବିଚ୍ୟୁତିକୁ ବଡ଼ କରି ଦେଖାଉଥିଲେ । ଏହାର ସମର୍ଥକମାନଙ୍କଠାରୁ ବି ଅନେକ ସମୟରେ ପ୍ରକୃତ ସମାଲୋଚନା ମିଳୁ ନ ଥିଲା । ଅନେକ ସମୟରେ ସେମାନ ସମାଲୋଚନା ନାମରେ ଆପଣାର ପ୍ରିୟ ଲେଖକମାନଙ୍କ ଲେଖା ଉପରେ କେବଳ ଉଚ୍ଛ୍ୱାସଭାର ପ୍ରଶସ୍ତି ବାକ୍ୟ ଢାଳି ଦେଉଥଲେ ।

 

ଓଡ଼ିଆରେ ସାହିତ୍ୟ ସମୀକ୍ଷାର ଉନ୍ମେଷକାଳରେ ଭକ୍ତକବି ମଧୁସୂଦନ ରାଓ ହିଁ ପ୍ରଥମ ଦିଗ୍‌ଦର୍ଶନ ଦେଇଥିଲେ। ସେ କବିବର ରାଧାନାଥଙ୍କ ମହାଯାତ୍ରା କାବ୍ୟର ସମାଲୋଚନା କରିବାକୁ ଯାଇ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ବିଚାରଧାରାରୁ ଅହରଣର ସ୍ପଷ୍ଟ ଇଙ୍ଗିତ ଦେଇଥିଲେ । ଏହାପରେ ଓଡ଼ିଆ ସାହିତ୍ୟର ପ୍ରକୃତି ଓ ଐତିହାସିକ ବିକଶକ୍ରମ ପ୍ରତି ସମାଚକମାନଙ୍କର ଦୃଷ୍ଟି ପଡ଼ିଥିଲା । ଚତୁର୍ଦ୍ଦଶ ଶତକର ଓଡ଼ିଆ କବି ସାରଳା ଦାସଙ୍କ ମହାଭାରତର ସମାଲୋଚନା ‘‘ଶ୍ରୀଭାରତଦର୍ପଣ’’ ଗ୍ରନ୍ଥ ରଚନା କରି ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଅସାଧାରଣ ପାଣ୍ଡିତ୍ୟ ଓ ପୁରୋଦୃଷ୍ଟିର ପରିଚୟ ଦେଲେ । ଏହିଭଳି ଭାବରେ ଓଡ଼ିଆରେ ସମାଲୋଚନାର ବିକାଶ ଦେଖା ଦେଲା । ପ୍ରାଚୀନ ତଥା ଆଧୁନିକ କବି ଓ ସାହିତ୍ୟିକଙ୍କର ଜୀବନୀ ବିଷୟରେ ତଥ୍ୟ ସଂଗ୍ରହ, ଇତିହାସ ଓ ସମାଜ ସଂପର୍କ ଦୃଷ୍ଟିରୁ, ତଥା ରସ ଓ ରଚନା ସୌନ୍ଦର୍ଯ୍ୟ ଦିଗରୁ ସେମାନଙ୍କ ରଚନାବଳୀର ମୂଲ୍ୟାଙ୍କନ ଆଦିରେ ସମାଲୋଚକମାନେ ଗଭୀର ମନନଶୀଳତାର ପରିଚୟ ଦେଲେ । ବହୁ ଏକନିଷ୍ଠ ସମାଲୋଚକମାନଙ୍କ ମଧ୍ୟରେ ଏହି ଶତାଦ୍ଦୀର ଆରମ୍ଭରେ ଓଡ଼ିଆ ସମାଲୋଚନା ସାହିତ୍ୟକୁ ଯେଉଁମାନେ ନାନାଭାବରେ ସମୃଦ୍ଧ କରିଯାଇଅଛନ୍ତି, ସେମାନଙ୍କ ମଧ୍ୟରେ ସ୍ୱର୍ଗତଃ ତାରିଣୀ ରଥ, ବିଜୟଚନ୍ଦ୍ର ମଜୁମ୍‌ଦାର, ଲକ୍ଷ୍ମୀକାନ୍ତ ଚୌଧୁରୀ, ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଆଦିଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ ।

 

ବର୍ତ୍ତମାନ ସମାଲୋଚକମାନଙ୍କ ମଧ୍ୟରେ, ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ଓଡ଼ିଆ ସାହିତ୍ୟ ଅଲୋଚନାରେ ସାରାଜୀବନ ଅତିବାହିତ କରିଛନ୍ତି ।ଭାରତବର୍ଷର ସାଂସ୍କୃତିକ ଇତିହାସକୁ ଓଡ଼ିଆ ସାହିତ୍ୟର ଦାନ କେତେ ମହତ୍ ତାହା ପଣ୍ଡିତ ନୀଳକଣ୍ଠ ଦାସ ନାନାଭାବରେ ବିଶ୍ଳେଷଣ କରି ଦେଖାଇ ଦେଇଛନ୍ତି । ଅଧ୍ୟାପକ ଗିରିଜାଶଙ୍କର ରାୟ ପାଶ୍ଚାତ୍ୟ ସମାଲୋଚନା ରୀତିର ସମର୍ଥକ । ସେ ‘‘ଓଡ଼ିଆ ନାଟ୍ୟକଳା’’ ଓ ‘‘ଓଡ଼ିଆ ରଚନା ବିଚାର’’ ଆଦି ଗ୍ରନ୍ଥମାନ ପ୍ରଣୟନ କରି ଓଡ଼ିଆ ସମାଲୋଚନା ସାହିତ୍ୟକୁ ସମୃଦ୍ଧ କରି ଅଛନ୍ତି । ଏହା ବ୍ୟତୀତ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ଡା. ମାନସିଂହ ଆଦି ଲେଖକମାନଙ୍କର ବଳିଷ୍ଠ ଲେଖନୀ ବିଭିନ୍ନ ଭାବରେ ଓଡ଼ିଆ ସାହିତ୍ୟର ମୂଲ୍ୟାଙ୍କନ ଲାଗି ତପ୍ନର । ପଣ୍ଡିତ ବିନାୟକ ମିଶ୍ର ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ଓଡ଼ିଆ ସାହିତ୍ୟର ବିଧିବଦ୍ଧ ଇତିହାସ ରଚନା ଲାଗି ପ୍ରାଥମିକ ଉଦ୍ୟମ କରିଛନ୍ତି ।

 

ଡକ୍ଟର କୁଞ୍ଜବିହାରୀ ଦାସଙ୍କର ‘‘ଓଡ଼ିଆ ଲୋକଗୀତ ଓ କାହାଣୀ’’ ଗ୍ରନ୍ଥ ପରିକଳ୍ପନାରେ, ମନନରେ, ଗଭୀର ତଥ୍ୟାନୁଶୀଳନରେ, ଶାଣିତ ସତ୍ୟାନୁସନ୍ଧାନରେ ପୁଣି ମନୋରମ ରମ୍ୟ ରଚନାରେ ସମାଲୋଚନାର ଆଦର୍ଶ କିପରି ହେବା ଉଚିତ–ତାହାର ସୁନ୍ଦର ନିଦର୍ଶନ । ଏହି ଗ୍ରନ୍ଥଟିକୁ ସମ୍ମୁଖରେ ରଖି ପରିମାଣ ଦିଗରୁ ଯେତେ ଅଳ୍ପ ହେଉ ନା କାହିଁକି, ପରିଣାମ ଦିଗରୁ ଏକ ଉଜ୍ଜ୍ୱଳ ଭବିଷ୍ୟତର କଳ୍ପନା କରାଯାଇପାରେ ।

Image

 

କାଳର ବିବର୍ତ୍ତନ ଧାରାରେ ଫକୀରମୋହନ

 

ବୁଢ଼ୀମା କାହାଣୀ ପେଡ଼ିରେ ହୁଏତ ଜଗତର ପରିଚୟ ଥିଲା କଳ୍ପନାର ଜମ୍ବୁଦୀପ । ଏହାର ପରିକ୍ରମା ଲାଗି ଲୋଡ଼ାଥିଲା କାଳ୍ପନିକ ମନ ପବନ କଠାଉ । କିନ୍ତୁ ଆଧୁନିକ ଜଗତ ବିଷୟରେ ରୁଦ୍ଧଘରେ ବସି କଳ୍ପନା କରିବାର କିଛି ନାହିଁ । ମନଯାନ ଭଳି ଦ୍ରୁତ ବ୍ୟୋମଯାନରେ ଏହାର ଏକ ପାର୍ଶ୍ୱରୁ ଅପର ପର୍ଶ୍ୱକୁ ଉଡ଼ିଯିବା ଆଜି ଏକ ଦୈନନ୍ଦିନ ଘଟଣା। ଏଥିଲାଗି ଜଣେ ଐତିହାସିକ କହିଛନ୍ତି- ‘‘ଆମେ ଯେଉଁ ପୃଥିବୀକୁ ଜାଣୁ ତାହା ଅତି ବିଶାଳ, କିନ୍ତୁ ଯେଉଁ ପୃଥିବୀକୁ ସ୍ପର୍ଶ କରୁ ତାହା ଅତି କ୍ଷୁଦ୍ର (୧) ।’’ ପୃଥିବୀର ଏହି କ୍ଷୁଦ୍ରତା ଆଜି ଆମର ଚିନ୍ତା ଓ ଭାବନାରେ ଏକ ବିଶ୍ୱଭାବ ଆଣି ଦେଇଅଛି । ଆଧୁନିକ ସାହିତ୍ୟ ଏହି ଚିନ୍ତାର ବାହକ । ସେଥିଲାଗି ଏ ଯୁଗର କୌଣସି ସାହିତ୍ୟିକଙ୍କର ମନର ପରିସର କଳନା କରିବାକୁ ହେଲେ, ସମୁଦାୟ ବିଶ୍ଵର ଇତିହାସ ଓ ସଭ୍ୟତାର ଭୂମିକାରେ ତାହାର ବିଚାର ଓ ବିଶ୍ଳେଷଣ ପ୍ରୟୋଜନ ।

 

ଶୈଳ ଓ ସୀମନ୍ତ

ଫକୀରମୋହନ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ଆଦ୍ୟ ନିର୍ମାତା । ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧରୁ ବିଂଶଶତକର ପ୍ରଥମ ପାଦ ମଧ୍ୟରେ ତାଙ୍କର ଜୀବନକାଳ ପ୍ରସାରିତ (୧୮୪୩ ଖ୍ରୀ: ଅ: - ୧୯୧୮) । ଫକୀରମୋହନଙ୍କ ଜୀବନୀ, କାର୍ଯ୍ୟ ଓ ମାନସଲୋକକୁ ବୁଝିବାକୁ ହେଲେ, କେବଳ ଏ ଦେଶର ଚତୁଃସୀମା ମଧ୍ୟରେ ଦୃଷ୍ଟି ଆବଦ୍ଧ କରି ରଖିଲେ ଚଳିବ ନାହିଁ । ସମଗ୍ର ଊନବିଂଶ ଶତାବ୍ଦୀର ପୃଥିବୀ, ତାର ସଭ୍ୟତା, ସଙ୍କଟ ଓ ଚିନ୍ତାଧାରା ପ୍ରତି ଦୃଷ୍ଟିପାତ କରିବାକୁ ହେବ । ଫକୀରମୋହନଙ୍କ ସାହିତ୍ୟର ପ୍ରତ୍ୟକ୍ଷ ଆଲୋଚନାରେ ହୁଏତ ଏହା କେତେକ ପରିମାଣରେ ଅବାନ୍ତର ମନେ ହୋଇପାରେ । କିନ୍ତୁ ତାଙ୍କର ସମୟ ଓ ଚିନ୍ତାଧାରାକୁ ବୁଝିବା ଲାଗି ଏହା ଅତ୍ୟନ୍ତ ପ୍ରୟୋଜନୀୟ ।

 

ପାଞ୍ଚ ବିପ୍ଳବର ନୂତନ ପୃଥିବୀ

 

ଓଡ଼ିଶାର ଏକ ପଲ୍ଲୀଗାଆଁରେ ୧୮୪୩ ଖ୍ରୀଷ୍ଟାବ୍ଦରେ ଫକୀରମୋହନଙ୍କ ଜନ୍ମ । ସେ ଯେଉଁ ସମାଜରେ ଜନ୍ମଲାଭ କରିଥିଲେ, ତାହାର ସଂପୂର୍ଣ୍ଣ ଅଗୋଚରରେ ସାତ ସମୁଦ୍ର ଆର ପାରିରେ ଏକ ନୂଆ ପୃଥିବୀର ଚେହେରା ଫୁଟି ଉଠୁଥିଲା । ଇଉରୋପ ଓ ଆମେରିକାର ବୈଜ୍ଞାନିକ, ବଣିକ ଓ ଚିନ୍ତାନାୟକମାନେ ଥିଲେ ତାହାର ନିର୍ମାତା । ସେତେବେଳେ ହୁଏତ ଏହି ଦୁଇ ଭିନ୍ନ ସମାଜର ସଂପର୍କ କଳନା କରିବା କଠିନ ଥିଲା । କିନ୍ତୁ ସାତ ସମୁଦ୍ରର ସହସ୍ର ତରଙ୍ଗ ଅନ୍ତରାଳର ଏହି ନୂତନ ପୃଥିବୀ ପ୍ରାଚୀନ ପୃଥିବୀକୁ କବର ଦେଲା । ଏହାର ନବୀନ ଭାବଧାରା ବିଶ୍ୱମୟ ହୋଇଉଠିଲା । ଚିନ୍ତା ଓ ଚରିତ୍ରରେ ଫକୀରମୋହନଙ୍କ ସାହିତ୍ୟ ଏକ ନୂତନ ପୃଥିବୀଠାରେ ଅସୀମ ଭାବରେ ଋଣୀ ।

 

ଏହି ନୂତନ ପୃଥିବୀର ବିକାଶ ମୂଳରେ ଐତିହାସିକଙ୍କ ମତରେ ପାଞ୍ଚଗୋଟି ବିପ୍ଳବର ଭୂମିକା ବିଦ୍ୟମାନ । ୧୭୫୦ ଖ୍ରୀ: ଅ:ରୁ ୧୮୫୦ - ଶହେବର୍ଷ ମଧ୍ୟରେ ପ୍ରାଚୀନ ଦୁନିଆ ଏ ବିପ୍ଳବଗୁଡ଼ିକର ସଂଘାତରେ ପରିବର୍ତ୍ତିତ ରୂପ ଲାଭ କରିଥିଲା । ଆମେରିକାର ବିପ୍ଳବରେ (୧୭୭୫ -୧୭୮୩) ଆଧୁନିକ ଦୁନିଆର ବୈପ୍ଳବିକ ଭୂମିକା ଆରମ୍ଭ ହେଲା । ସର୍ବପ୍ରଥମେ ଏହା ସାଧାରଣ ମାନବର ଅଧିକାର ସାବ୍ୟସ୍ତ କଲା । ରାଜା ବିହୁନେ ରାଜ୍ୟ ସମ୍ଭବ - ଏହି ନୂଆ ଧାରଣା ଆମେରିକାର ସାଧାରଣତନ୍ତ୍ର ପୃଥିବୀକୁ ଦେଲା । ଏହା ପରେ ଫରାସୀ ବିପ୍ଳବ ସାମନ୍ତବାଦୀ ସ୍ୱେଚ୍ଛାଚାର ଶାସନ ବିରୋଧରେ ସଂଗଠିତ ଗଣ ଶକ୍ତିର ବିଜୟ ପତାକା ଉଡ଼ାଇଲା (୧୭୮୯ -୧୮୧୫) । ଏହାର ପତାକା ତଳେ ସାମ୍ୟ, ମୈତ୍ରୀ ଓ ସ୍ୱାଧୀନତାର ଯେଉଁ ମହାବାଣୀ ପ୍ରଥମେ ଉଦ୍‌ଘୋଷିତ ହୋଇଥିଲା, ତାହା କେବଳ ଇଉରୋପକୁ ନୂତନ ଚେତନା, ଚିନ୍ତା ଓ ଶକ୍ତିରେ ସମୃଦ୍ଧ ନକରି ସମଗ୍ର ବିଶ୍ୱକୁ ପ୍ରଭାବିତ କଲା । ଏହି ଦୁଇ ବିପ୍ଳବର ପଦାଙ୍କ ଅନୁସରଣ କରି ଦେଖାଦେଲା ସାମ୍ରାଜ୍ୟବାଦ୍‌ ବିରୋଧୀ ଲାଟିନ ଆମେରିକା ବିପ୍ଳବ (୧୮୦୦ - ୨୫) । ଏହା ବ୍ୟତୀତ ଯେଉଁ ଦୁଇଟି ବିପ୍ଳବର ଆଲୋଡ଼ନ ପ୍ରାଚୀନ ପୃଥିବୀକୁ ନୂତନ କଳେବର ଦେଲା, ତାହା ହେଉଛି ପ୍ରଥମତଃ ମେଧା ବିପ୍ଳବ (intellectual revolution) ଓ ଦ୍ୱିତୀୟତଃ ଶିଳ୍ପବିପ୍ଳବ । ଏହି ଦୁଇ ବିପ୍ଳବର ନିର୍ଦ୍ଦିଷ୍ଟ କାଳ ନିର୍ଣ୍ଣୟ କଠିନ । ଅଷ୍ଟାଦଶ ଶତକର ମଧ୍ୟଭାଗରୁ ଆରମ୍ଭ କରି ସମୁଦାୟ ଊନବିଂଶ ଶତକ ମଧ୍ୟରେ ଏହା ସମଗ୍ର ପାଶ୍ଚାତ୍ୟ ଜୀବନ ଉପରେ ପ୍ରଭାବ ବିସ୍ତାର କରି ଚାଲିଥିଲା । ଆଜି ବି ବିଶ୍ୱର କୋଣେ କୋଣେ ଏହି ପ୍ରଭାବର ସୀମାରେଖା ବିସ୍ତାରିତ ହୋଇ ଚାଲିଅଛି । ମେଧା ବିପ୍ଳବ ପ୍ରଥମେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବୈଜ୍ଞାନିକ ଚିନ୍ତାର ଅନୁପ୍ରବେଶ କରାଇଲା; ଧର୍ମ, ରାଜନୀତି, ଶିକ୍ଷା, ବାଣିଜ୍ୟ ଆଦି ସବୁଠାରେ ବହୁ ନୂତନ ପ୍ରଶ୍ନ, ନୂତନ କୌତୂହଳ ଜଗାଇ ଦେଲା । ଅନ୍ଧ ଅନୁସରଣ ଓ ସହଜ ବିଶ୍ୱାସ ମୂଳରେ ଏହା କୁଠାରାଘାତ କଲା । ମେଧା ବିପ୍ଳବ ଫଳରେ ଯେଉଁ ଚିନ୍ତାଶକ୍ତି ଜାଗ୍ରତ ହେଲା, ଶିଳ୍ପ ବିପ୍ଲବରେ ତାହା କର୍ମଶକ୍ତିରେ ରୂପାନ୍ତରିତ ହେଲା । ଯନ୍ତ୍ର ମାନବର ହସ୍ତକୁ ଶକ୍ତଶାଳୀ କଲା । ପୃଥିବୀମୟ ବାଣିଜ୍ୟ ଦେଖା ଦେଲା । ଅନ୍ୟପକ୍ଷରେ ଗ୍ରାମର ଦୈନ୍ୟ ନିକଟରେ ନଗରର ସମୃଦ୍ଧି, ଅର୍ଥଶକ୍ତି ସମ୍ମୁଖରେ ଦାରିଦ୍ର୍ୟର ନିପୀଡ଼ନ- ପୃଥିବୀର ମୁଖକୁ ବହୁପରିମାଣରେ କୁତ୍ସିତ କରିଦେଲା ।

 

ଭାରତରେ ଇଂରେଜ ସାମ୍ରାଜ୍ୟବାଦ

 

ଫକୀରମୋହନଙ୍କୁ ଜନ୍ମବେଳକୁ ନୂଆ ଶକ୍ତି ଓ ସଭ୍ୟତା ଘେନି ଇଂରେଜମାନେ ଆମଦେଶକୁ କରାୟତ୍ତ କରିସାରିଥାଆନ୍ତି । ଇଂଲଣ୍ଡର ଯନ୍ତ୍ରଶାଳାର ପଣ୍ୟଭୂମୀ ରୂପେ ଏଦେଶ ରୂପାନ୍ତରିତ ହେବାର କରୁଣ ଦୃଶ୍ୟ ତାଙ୍କର ଆଖି ଆଗରେ ଅଭିନୀତ ହେଉଥାଏ । ସେ ସମୟରେ ଏକ ସମୃଦ୍ଧ ବାଣିଜ୍ୟିକ ନଗର ବାଲେଶ୍ୱରର ଶ୍ମଶାନୀଭବନ ଫକୀରମୋହନଙ୍କ ଆଖିଆଗ ଘଟଣା-। କ୍ରମଶଃ ଏହାର ସାଗରଗାମୀ ଗୋରାପ (ପୋତ) ସବୁ ସଲିଳ ସମାଧି ଲଭିଲା, ବସ୍ତ୍ର ଓ ଲବଣ ଶିଳ୍ପ ବିଧ୍ୱସ୍ତ ହେଲା ।

 

ଅର୍ଥନୈତିକ ଇତିହାସ ସାକ୍ଷୀ ଦିଏ, ଅଷ୍ଟଦଶ ଶତକ ପର୍ଯ୍ୟନ୍ତ ଭାରତ ଥିଲା ଏକ ରପ୍ତାନୀକାରୀ ଦେଶ । ଏହାର ରପ୍ତାନୀର ଅଧକାଂଶ ଭାଗ ପୁଣି ଥିଲା ତିଆରିମାଲ । କିନ୍ତୁ ଊନବିଂଶ ଶତକ ବେଳକୁ ଭାରତ ଏକ ଆମଦାନୀକରୀ ଦେଶରେ ପରିଣତ ହେଲା । ଯଦି ବା ଏଠାରୁ କିଛି ରପ୍ତାନୀ ହେଉଥିଲା, ତେବେ ସେଥିରେ ପଣ୍ୟସମ୍ଭାର ବ୍ୟତୀତ କୌଣସି ତିଆରିମାଲ୍‌ ନ ଥିଲା । ବିଲାତି କାରଖାନାର ପରିପୋଷଣ ଲାଗି ଭାରତକୁ କଞ୍ଚାମାଲର ଅସୀମ ଭଣ୍ଡାର ଓ ତିଆରିମାଲର ମୁକ୍ତ ବଜାର ରୂପେ ପରିଣତ କରିବାକୁ ଇଂରେଜମାନେ ପ୍ରତିନିୟତ ଯତ୍ନଶୀଳ ଥିଲେ । ସେଥିଲାଗି ଏଠି ତନ୍ତିଙ୍କ ଆଙ୍ଗୁଳି କଟା ହେଉଥିଲା, ବାଡ଼ି ପନ୍ଦାଡ଼ରୁ ଲୁଣମାରି ଖାଇବାକୁ ନିଷେଧ ହେଉଥିଲା । ଏଥିରେ ଇଂରେଜମାନ କିପରି ସଫଳ ହେଲେ, ତାର ପ୍ରମାଣ ଦିଏ ବିଲାତର ରପ୍ତାନୀ ତାଲିକା । ୧୭୫୦ ଖ୍ରୀ:ଅ:ରେ ବିଲାତର ସମୁଦାୟ ରସ୍ତାନୀ ଦ୍ରବ୍ୟର ୩୨ ଭାଗରୁ ଭାଗେ ମାତ୍ର ଭାରତକୁ ଆସୁଥିଲା, ମାତ୍ର ୧୮୫୦ ବେଳକୁ ଆଠଭାଗରୁ ଭାଗେ ଆସିବାକୁ ଲାଗିଲା (୨) ।

Image

 

ଭାରତୀୟ ସମାଜର ରୂପାନ୍ତର ଓ ଫକୀରମୋହନଙ୍କ ସାହିତ୍ୟରେ ତାର ସଙ୍କେତ

 

ବିଲାତର ଆର୍ଥିକ ସମ୍ରାଜ୍ୟବାଦର ସଂଗଠନ ଭିତରେ ଏ ଦେଶରେ ଗୁରୁତର ସମାଜିକ ପରିବର୍ତ୍ତନ ଦେଖାଦେଲା । ଶିଳ୍ପ ଓ ବାଣିଜ୍ୟରେ ଯେଉଁମାନେ ନିଯୁକ୍ତ ଥିଲେ, ସେମାନେ ସମସ୍ତେ ଆସି ଗ୍ରାମର କୃଷିକ୍ଷେତ୍ରରେ ‘ଭିଡ଼’ କଲେ । ପଲ୍ଲୀଜୀବନରେ ଏତେବେଳେ ସବୁଠାରୁ ଯେଉଁ ବଡ଼ ପରିବର୍ତ୍ତନ ଦେଖା ଦେଲା, ତାହା ହେଉଛି - କୃଷିନର୍ଭର-ଗ୍ରାମ୍ୟ ଜୀବନ ସହିତ ବୃହତ୍ତର ପୃଥିବୀର ଆନ୍ତର୍ଜାତୀୟ ବାଣିଜ୍ୟର ଯୋଗାଯୋଗ । ଭାତ ସାଙ୍ଗକୁ ଲୁଣ ଟିକକ ଲାଗି ବି ଗାଆଁର ଚଷାକୁ ବିଲାତର ବଜାର ଉପରେ ନିର୍ଭର କରିବାକୁ ପଡ଼ିଲା । ଏହା ପୂର୍ବରୁ ଗାଆଁର ଦୈନନ୍ଦିନ ଜୀବନ ଉପରେ ନଗଦ ଟଙ୍କାର ବିଶେଷ ମୂଲ୍ୟ ନ ଥିଲା । ଏବେ ନଗଦ ଟଙ୍କାରେ କିଣାବିକା ବ୍ୟାପକ ହେଲା । ଏଥି ସଙ୍ଗେ ପୁଣି କୃଷକର ଜମି ସହିତ ପୂର୍ବ ସଂପର୍କ ରହିଲା ନାହିଁ । ଏ ପର୍ଯ୍ୟନ୍ତ ଜମି ଉପରେ ଆଜିକାଲି ଭଳି କୌଣସି ଆର୍ଥିକ ମୂଲ୍ୟ ଉଭବ ହୋଇ ନ ଥିଲା । ଜମି ତୁଳନାରେ ଚାଷୀଙ୍କ ସଂଖ୍ୟା ଅଳ୍ପ ଥିବାରୁ ଏହା ସମ୍ଭବ ଥିଲା । ଏତେବେଳେ ଚାଷୀର ଜମିରୁ ଉଚ୍ଛେଦ ହେବାର କୌଣସି ପ୍ରଶ୍ନ ନ ଥିଲା (୩) । ପୁର୍ବର ବୁନିୟାଦ ସାମନ୍ତମାନଙ୍କଠାରେ ଭୂସ୍ଵାମିତ୍ୱର କୌଣସି ଅର୍ଥ ନ ଥିଲା । ଇଂରେଜମାନଙ୍କ ଅମଳରେ ନୂତନ ପ୍ରକାର ଭୂସ୍ୱାମୀ ଗଢ଼ି ଉଠିଲେ । ପୂର୍ବର ବୁନିୟାଦ ସାମନ୍ତଶ୍ରେଣୀ ସ୍ଥାନରେ ଇଂରେଜଙ୍କ ପାଖଲୋକ, ଘରୋଇ ଚାକର ବାକର ଓ ଅମଲା କିରାଣୀମାନେ ଦେଖା ଦେଲେ । ଏମାନଙ୍କ ଆର୍ଥିକ ଚେତନା, ପୁଣି ଜମି ଉପରେ ଶିଳ୍ପବାଣିଜ୍ୟ କ୍ଷେତ୍ରରୁ କର୍ମଚ୍ୟୁତମାନଙ୍କର ଆଖି ଜମିର ମୂଲ୍ୟ ବଢ଼ାଇ ଦେଲା । ବଜାରର ପଣ୍ୟ ଭଳି ଏହାର କଣାବିକା ଆରମ୍ଭ ହେଲା । ଆର୍ଥିକ ବଜାରର ଏକ ବଡ଼ ଦୁର୍ଗୁଣ ‘ଅନିଶ୍ଚୟତା’ । ଏଥିରୁ ସଞ୍ଚୟ ମନୋବୃତ୍ତି ଦେଖାଦେଲା । ସଞ୍ଚୟ ମନୋବୃତ୍ତି ଓ ଉତ୍କଟ ଭୂମିଲୋଭ ଏହି ନୂତନ ଭୂସ୍ୱାମୀ ତଥା ଅପେକ୍ଷାକୃତ ବିତ୍ତବାନ୍‌ମାନଙ୍କୁ ଏକ ପ୍ରକାର ପାଗଳ କରିଦେଲା । ଭୂମିକୁ କେନ୍ଦ୍ର କରି ନାନା ପ୍ରକାର ଶଠତା ଓ ନୀଚତା ଦେଖାଦେଲା । ଏହି ଭୂମିକା ଫକୀରମୋହନଙ୍କ ‘ମାମୁଁ’, ‘ଛ ମାଣ ଆଠଗୁଣ୍ଠ’ ଭଳି ଉପନ୍ୟାସରେ ଅତି ସ୍ପଷ୍ଟ

 

ଶାସନରେ ଓ ବାଣିଜ୍ୟରେ ସାହାଯ୍ୟ କରିବାକୁ ଇଂରେଜମାନେ ଏ ଦେଶରେ ଏକ ପ୍ରକାର ଶିକ୍ଷିତଶ୍ରେଣୀ ସୃଷ୍ଟି କରିଥିଲେ । ଏମାନେ ପ୍ରଥମେ ପାଶ୍ଚାତ୍ୟ ସଭ୍ୟତାର ବାହାର ଚାକ୍‌ଚକ୍ୟରେ ବିଶେଷ ମୁଗ୍‌ଧ ହୋଇଥିଲେ । ସେମାନଙ୍କର ପୋଷାକ ପରିଚ୍ଛଦ, କ୍ଲବ୍ ଜୀବନ, ମଦ୍ୟପାନ ଆଦି ବିଳାସିତା ଏମାନଙ୍କର ପରମ ଆଦରର ବସ୍ତୁ ଥିଲା । ଅମଲା ଶ୍ରେଣୀ ବ୍ରିଟିଶର ପ୍ରଭୃତ୍ୱ ଏ ଦେଶରେ ଜାହିର କରୁଥିଲେ । ନବଗଠିତ ବଣିକଶ୍ରେଣୀ ଏ ଦେଶରୁ ପଣ୍ୟ ସଂଗ୍ରହରେ ଇଂରେଜ ବଣିକମାନଙ୍କୁ ସାହାଯ୍ୟ କରୁଥିଲେ । ଇଂରେଜ ବଣିକଙ୍କ ସ୍ୱାର୍ଥ ସହିତ ଏମାନଙ୍କ ସ୍ୱାର୍ଥ ଜଡ଼ିତ ଥିଲା-। ଏଥିଲାଗି ଅତୀତ ଭାରତର ବଣିକ ଶ୍ରେଣୀଙ୍କଠାରୁ ଏମାନଙ୍କ ଭୁମିକା ଥିଲା ସଂପୂର୍ଣ୍ଣ ଭିନ୍ନ । ପ୍ରାଚୀନ ବଣିକ ଶ୍ରେଣୀ ଏ ଦେଶର ଜୀବନବାହୀ ନାଡ଼ୀ ସ୍ୱରୂପ ଥିଲେ । ଦେଶ ବିଦେଶରେ ବଜାରର ପୂର୍ବାଭାସ ଗ୍ରହଣ କରି ଏମାନେ ଉପ୍ତାଦନ ଓ ବଣ୍ଟନ ନିୟନ୍ତ୍ରଣ କରୁଥିଲେ । ପଲ୍ଲୀ ଓ ନଗର ଭିତରେ ଏମାନେ ଥିଲେ ସଂଯୋଜକ । ଏମାନେ ପୁଣି ସାତ ସମୁଦ୍ରର ତରଙ୍ଗ ଲଙ୍ଘି ଏ ଦେଶର ବଳକା ଶିଳ୍ପସମ୍ଭାର ବିଦେଶକୁ ଘେନି ଯାଉଥିଲେ; ସେଠାରୁ ସମ୍ପଦ ଏଠାକୁ ବହି ଆଣୁଥିଲେ । ଏମାନଙ୍କ ଉଦ୍‌ଯୋଗ ବଳରେ ଦେଶର ଲକ୍ଷ ଲକ୍ଷ ଶିଳ୍ପୀ, ନାବିକ ଓ ଶ୍ରମିକ ଜୀବନ ଧାରଣ କରୁଥଲେ, ଆପଣା କୌଳିକବୃତ୍ତିର ଉନ୍ନତି ସାଧନ କରୁଥିଲେ । ଏଇମାନଙ୍କ ଅର୍ଥ ବଳରେ ରାଜା ବାଦଶାହମାନଙ୍କର ସେନା ଗଢ଼ା ଯାଉଥିଲା, ଅଭିଯାନ ଚାଲୁଥିଲା । ଏ ଦେଶର ଧର୍ମ, ସଂସ୍କୃତି ଓ ସଭ୍ୟତାର ସୂର୍ଯ୍ୟାଲୋକରେ ସମୁଦାୟ ପ୍ରାଚ୍ୟ ଭୂଖଣ୍ଡକୁ ଆଲୋକିତ କରିଥଲେ ଏମାନଙ୍କର ପୂର୍ବପୁରୁଷଗଣ । କିନ୍ତୁ ନବୀନ ବଣିକ ଶ୍ରେଣୀର ଏଭଳି କିଛି ଐତିହ୍ୟ ବା ଗୌରବ ନ ଥିଲା । ଇଂରେଜ ବଣିକଙ୍କ ପାର୍ଶ୍ୱଚର ସାଜି ଏମାନେ ଆପଣା ସ୍ୱାର୍ଥ ଚରିତାର୍ଥ କରୁଥଲେ । ପଲ୍ଲୀର ନିରିହ ଚଷାକୁ ଠକି ଭଣ୍ଡି ଜଳୌକା ବୃତ୍ତିରେ ଆପେ ଫୁଲୁଥିଲେ । ଇଂରେଜ ପଡ଼ିଦାତାଙ୍କ ଲାଗି ଦରକାର ହେଲେ ଅର୍ଥର ମାହ ଦେଖାଇ ଦେଶର ଦରିଦ୍ର ଜନସାଧାରଣଙ୍କ ମୁଖର ଗ୍ରାସ ହରି ନେବାକୁ ବି ତିଳେ ହେଲେ କୁଣ୍ଠା ବୋଧ କରୁ ନ ଥିଲେ । ଇଂରେଜଙ୍କ ଗଢ଼ା କଲିକତା ଭଳି ନୂତନ ନଗର ଗୁଡ଼ିକ ଥିଲା, ଏହି ଅମଲା ଓ ବଣିକମାନଙ୍କର ଚରାଭୂଇଁ । ତେଣୁ ଏ ଭୂମିକା ପ୍ରତ୍ୟକ୍ଷ ଭାବରେ ଫକୀରମୋହନଙ୍କ ସାହିତ୍ୟରେ ବିଶେଷ ସ୍ଥାନ ଅଧିକାର କରି ନ ଥିଲେ ହେଁ ତାଙ୍କର ‘ସଭ୍ୟ ଜନିଦାର’ ଭଳି ଗଳ୍ପରେ ଏହାର ସଙ୍କେତ ସ୍ପଷ୍ଟ (୪) ।

 

ଊନବିଂଶ ଶତକର ଜାତୀୟତାବାଦ

 

ପୃଥିବୀର ‘ପାଞ୍ଚ ବିପ୍ଳବ’ ଭିତରେ ଗଣତନ୍ତ୍ର ଓ ଜାତୀୟତାର ଯେଉଁ ବୀଜ ପୋତା ହୋଇଥିଲା, ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ତାହାର ଭୂୟୋବିକାଶ ଦେଖା ଦେଲା । ସମଗ୍ର ଇଉରୋପରେ, ତଥା ଏସିଆ ଖଣ୍ଡରେ ଏହାର ପ୍ରଭାବ ଅନୁଭୂତ ହେଲା । ୧୮୭୦-୭୧ ଖ୍ରୀଷ୍ଟାବ୍ଦ ପୃଥିବୀର ଇତିହାସରେ ଅତ୍ୟନ୍ତ ସ୍ମରଣୀୟ । ଏହିବର୍ଷ ଐକ୍ୟ ଓ ସ୍ୱାଧୀନତା ଲାଗି ଇଟାଲିର ବହୁଦିନର ସଂଗ୍ରାମ ସଫଳ ହେଲା । ଜର୍ମାନ ସାମ୍ରାଜ୍ୟର ଏକନ୍ତ୍ରିକରଣ ସଂପୂର୍ଣ୍ଣ ହେଲା । ଫରାସୀ ଦେଶରେ ତୃତୀୟ ସାଧାରଣତନ୍ତ୍ର ପ୍ରତିଷ୍ଠା ଦ୍ୱାରା ଫରାସୀ ବପ୍ଳବର ଚରମ ଆକାଂକ୍ଷା ପୂରଣ ହେଲା । ଜାପାନ ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ଆଧୁନିକ ଜଗତ ସହିତ ସମାନ ଭାବରେ ତାଳ ପକାଇ ଚାଲିବାକୁ ଉଦ୍ୟମ କଲା ଓ ଏହି ଉଦ୍ୟମର ଫଳ ସ୍ୱରୂପ ମଧ୍ୟଯୁଗୀୟ ସ୍ୱେଚ୍ଛାଚାରୀ ସାମନ୍ତ ଶାସନର ଅକର୍ମଣ୍ୟ ବୋଝ ଚିରଦିନ ଲାଗି ସେଠାରୁ ଲୋପ ପାଇଲା । ବିଲାତ ମଧ୍ୟ ଏତେବେଳକୁ ସଂସ୍କାର ଯୁଗରେ (Age of Reform) ପଦାର୍ପଣ କରି ଜାତୀୟ ଆକାଂକ୍ଷାର ପୂରଣ ମାର୍ଗରେ ଦୃଢ଼ ପାଦରେ ଗତି କରୁଥିଲା ।

 

ଉନବିଂଶ ଶତକର ଶେଷପାଦରେ ବିଶ୍ୱମୟ ପ୍ରସାରିତ ଏହି ଜାତୀୟତା ମହାମନ୍ତ୍ରର ସ୍ପର୍ଶ ଭାରତବର୍ଷରେ ବି ଅନଭୂତ ହୋଇଥଲା । ବ୍ରାହ୍ମଧର୍ମକୁ କେନ୍ଦ୍ରକରି ସଂସ୍କାର ଓ ନବଚେତନାର ପ୍ରବଳ ପ୍ରୟାସ ସତେବେଳେ ବଙ୍ଗଦେଶରେ ଆତ୍ମପ୍ରକାଶ କରିଥିଲା । ଏହି ନବ ଚେତନା ଉତ୍ତର ପଶ୍ଚିମ ଭାରତରେ ଆର୍ଯ୍ୟସମାଜ (ପ୍ରତିଷ୍ଠା -୧୮୭୫) ନେତୃତ୍ୱରେ ପ୍ରକାଶ ପାଇଥିଲା । ୧୮୬୯ ଖ୍ରୀ:ଅ:ରେ ସୁଏଜ୍‌ କେନାଲ ଖୋଳିବା ଦ୍ୱାରା ଇଂରେଜମାନଙ୍କ ବାଣିଜ୍ୟ ବିନିମୟଠାରୁ ଭାରତ ଓ ଇଉରୋପ ମଧ୍ୟରେ ଭାବ ବିନିମୟ ଅଧିକ ସୁଗମ ହେଲା । ଇଉରୋପର ସ୍ଵାଧୀନ ଚିନ୍ତା ପ୍ରଭାବରେ ଶିକ୍ଷିତ ଭାରତୀୟଙ୍କ ମନରେ ଜାତୀୟତା ସ୍ୱାଧୀନତା ଓ ଆତ୍ମସମ୍ମାନର ଭାବନା ପ୍ରବଳ ହୋଇଉଠିଲା । ଭାରତର ଏହି ନବ ଜାଗ୍ରତ ଜାତୀୟ ଆକାଂକ୍ଷାକୁ ସମ୍ମାନ ଦେଖାଇବାକୁ ଇଂରେଜ ରାଷ୍ଟ୍ରନୀତିଜ୍ଞମାନଙ୍କର ମଧ୍ୟ ସର୍ବଦା କୁଣ୍ଠା ନ ଥିଲା (୫) । ୧୮୭୮ ଖ୍ରୀ:ଅ:ର ଭର୍ଣ୍ଣାକୁଲାର ପ୍ରେସ୍‌ ଆକ୍ଟ, ୧୮୮୩ ଖ୍ରୀ:ଅ:ର ଇଲବାର୍ଟ ବିଲ୍‌, ରିପନଙ୍କ ଲୋକାଲ୍‌ ସେଲ୍‌ଫ ଗଭାର୍ଣ୍ଣମେଣ୍ଟ (୧୮୮୩-୮୪); ଭାରତୀୟ କାଉନ୍‌ସିଲ୍‌ ଆଇନ ପ୍ରଭୃତି ଏହାର ନିଦର୍ଶନ ।

 

ଦେଶମୟ ଜାତୀୟତାର ମହାପ୍ଳାବନରୁ ଓଡ଼ିଶା ବି ଦୂରରେ ନ ଥିଲା । ଜାତୀୟ ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ‘ଦୀପିକା’ ଓ ‘ସମ୍ବାଦ ବାହିକା’ ଆଦି ପତ୍ର ପତ୍ରିକା ପ୍ରକାଶିତ ହୋଇଥିଲା । ଗୌରୀଶଙ୍କର ଓ ଫକୀରମୋହନ ପ୍ରଭୃତି ସଂଗଠନ ଆରମ୍ଭ କରିଥିଲେ । ଏହି ସମୟରେ ନେସ୍‌ନାଲ ସୋସାଇଟି ନାମକ ସାଧାରଣ ଅନୁଷ୍ଠାନ ବାଲେଶ୍ୱରରେ ସ୍ଥାପିତ ହୋଇଥିଲା । ଏହାର ପ୍ରତିନିଧି ରୂପେ ଭାରତୀୟ କଂଗ୍ରେସର ୧୮୯୮ ଖ୍ରୀଷ୍ଟାବ୍ଦର ମାନ୍ଦ୍ରାଜ ଅଧିବେଶନରେ ଫକୀରମୋହନ ଯୋଗ ଦେଇଥିଲେ । ଏହାର କିଞ୍ଚିତ ପରେ ବ୍ରହ୍ମପୁରରେ ଜାତୀୟ ସମ୍ମିଳନୀ (୧୯୦୨) ଓ କଟକରେ ଉତ୍କଳ ସମ୍ମିଳନୀ (୧୯୦୩) ପ୍ରଭୃତି ଆତ୍ମପ୍ରକାଶ କରିଥିଲା ।

Image

 

ଜାତୀୟତା ଓ ମାବନପ୍ରେମର ଭୂମିକାରେ ଫକୀରମୋହନ

 

ଦେଶ ବିଦେଶର ଏହି ସମସ୍ତ ଘଟଣାବଳିରୁ ବିଚ୍ଛିନ୍ନ ଭାବରେ ଫକୀରମୋହନଙ୍କ ଚିନ୍ତାଧାରା ଓ କାର୍ଯ୍ୟବଳିର ବଚାର କରିବା ସମ୍ଭବ ନୁହେଁ । ବରଂ ଏ ଉଭୟ ମଧ୍ୟରେ ସଂପର୍କ ଅତି ନିବିଡ । ପୃଥିବୀର ଇତିହାସରେ ସ୍ମରଣୀୟ ୧୮୭୦ ଖ୍ରୀଷ୍ଟାବ୍ଦ ମଧ୍ୟ ଫକୀରମୋହନଙ୍କ ଜୀବନରେ ଏକ ସ୍ମରଣୀୟ ବର୍ଷ । ଏହିବର୍ଷ ତାଙ୍କ ଜୀବନର ପ୍ରଥମ ପର୍ବ ଶେଷ ହେଲୋ । ସେ ଶିକ୍ଷକତା ଛାଡ଼ି ଗଡ଼ଜାତ ଶାସନ ବିଭାଗରେ ପ୍ରବେଶ କଲେ । ତାଙ୍କର ସାହିତ୍ୟ ଉପରେ ଗଡ଼ଜାତ ଶାସନ କାଳରେ ଲବ୍‌ଧ ଅଭିଜ୍ଞତା ଓ ଅନୁଭୂତି ରାଜିର ପ୍ରଭାବ ପ୍ରଚୁର । ଜୀବନର ଏହି ନୂଆ ଅଧ୍ୟାୟରେ ଯେତେବେଳେ ଫକୀରମୋହନ ପ୍ରବେଶ କଲେ, ସେତେବେଳେ ମନେହୁଏ ସେ ଯେପରି ମୁଷ୍ଟିମେୟ ଛାତ୍ରଙ୍କ ଶିକ୍ଷକତା ଛାଡ଼ି ସମୁଦାୟ ଓଡ଼ିଆ ଜାତିର, ତଥା ଅଧଃପତିତ ମାନବଗୋଷ୍ଠୀର ଶିକ୍ଷକତା କରିବାକୁ ପ୍ରସ୍ତୁତି ପଥରେ ପାଦ ଦେଲେ ।

 

ଶିକ୍ଷକ, ସମ୍ବାଦିକ, ରାଜନୀତିଜ୍ଞ ବା ସାହିତ୍ୟିକ ଆଦି ସବୁ ଅବସ୍ଥାରେ ଫକୀରମୋହନଙ୍କ ଭିତରେ ଯେଉଁ ଭାବନା ଅତି ସ୍ପଷ୍ଟଭାବରେ କାମ କରୁଥୁଲା, ତାହା ହେଉଛି–ଗଭୀର ସ୍ୱଦେଶପ୍ରୀତି ଓ ଉଦାର ମାନବ-ପ୍ରେମ । କୌଣସି ପ୍ରକାର କୁସଂସ୍କାର ବା ସଂପ୍ରଦାୟିକ ଭେଦନୀତିର ସେ ଏକାନ୍ତ ବିରୋଧୀ ଥିଲେ । ତରୁଣ ବୟସରେ ବ୍ରାହ୍ମଧର୍ମ୍ମର ନୀତି ପ୍ରତି ତାଙ୍କର ଗଭୀର ଆସ୍ଥା ଥିଲେ ହେଁ, ସମ୍ପ୍ରଦାୟଗତ ବ୍ୟଭିଚାର ଦେଖି ସେଥିରୁ ସେ ଦୂରରେ ରହିଥିଲେ । ଅଧିକନ୍ତୁ ଅନ୍ତରର ମୁକ୍ତ ମାନବିକତା ତାଙ୍କୁ ପୃଥିବୀର ବିଶିଷ୍ଟ ଧର୍ମ୍ମ ଗୁଡ଼ିକର ଅନ୍ତର୍ନିହିତ ଉଦାର ଆଦର୍ଶ ଆଡ଼କୁ ଆକୃଷ୍ଟ କରିଥିଲା । ଫକୀରମୋହନଙ୍କ ଜୀବନର ଏକାନ୍ତ ପ୍ରିୟ ସ୍ଥଳ ଶାନ୍ତିକାନନରେ ଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ଉପାସନା ମଣ୍ଡପର ଫଳକ ଗୁଡ଼ିକ ଏବେ ବି ଏହାର ସ୍ପଷ୍ଟ ସୂଚନା ଦିଏ । ତାଙ୍କ ଜୀବନରେ ସମସ୍ତ କାର୍ଯ୍ୟ ମୂଳରେ ଥିଲା ସ୍ୱଦେଶ-ପ୍ରୀତି ଓ ମାନବ-ପ୍ରେମ । ସେଥିଲାଗି ନଅଙ୍କ ଦୁର୍ଭିକ୍ଷ ବେଳେ ଦେଖୁଁ ଋଷିପ୍ରାଣ ଫକୀରମୋହନ ଲୋକ ରକ୍ଷାର କୌଣସି ଉପାୟ ନ ଦେଖି ‘‘ପୂର୍ବାହ୍ନ ନଅଘଣ୍ଟା ସମୟରେ ସ୍ନାନ କରି ଖଣ୍ଡିଏ କମ୍ବଳାସନ କାଖରେ ଯାକି ଏକାକୀ ଧାନ ବିଲକୁ ଯାଉଥିଲେ । ବିଲ ମଧ୍ୟରେ ଆସନ ପାରି ବସି, ଈଶ୍ୱରଙ୍କଠାରେ ଲୋକଙ୍କ ରକ୍ଷା ସକାଶେ ପ୍ରାର୍ଥନା କରୁଥିଲେ’’ (୬) । ସେ ଏ ଦେଶର ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ବିକାଶ ଲାଗି ସଂଗଠନ ଗଢ଼ି, ସାମ୍ବାଦିକତା ଆରମ୍ଭ କରିଥିଲେ । ଏଇ ପ୍ରେରଣାରେ ଗଡ଼ଜାତର ଶାସନ କାଳରେ ଆପଣାର ସୀମାବଦ୍ଧ ଶକ୍ତି ଭିତରେ ସେ ଶିକ୍ଷା ଓ ସୁଶାସନ ପ୍ରବର୍ତ୍ତନର ପ୍ରୟାସ କରିଥିଲେ । ଏ ସବୁ ସତ୍ତ୍ୱେ ସେ ଭଲରୂପେ ବୁଝିଥିଲେ, ବ୍ୟକ୍ତିଗତ ଉଦ୍ୟମରେ ଏ ଦେଶର ଦୁଃଖ ଦୁର୍ଦ୍ଦଶାର ଆଶୁ ପ୍ରତିକାର ହେବା ସମ୍ଭବ ନୁହେଁ । ଦେଶ ବିଦେଶରେ ବିଭିନ୍ନ ଜାତିମାନଙ୍କର ପ୍ରଗତିର ଧାରା ପ୍ରତି ଲକ୍ଷ୍ୟ କରି ସେ ସ୍ଥିର କରିଥିଲେ, ଜାତିର ବିକାଶ ଦୁଇଟି ବିଷୟ ଉପରେ ନିର୍ଭର କରେ–ପ୍ରଥମତଃ ଶିକ୍ଷା ଓ ଦ୍ୱିତୀୟତଃ ସ୍ଵଦେଶ-ପ୍ରେମ । ଜାତୀୟ ସାହିତ୍ୟର ଉନ୍ନତି ଓ ପ୍ରସାର ବିନା ଏଥିରୁ କୌଣସିଟି ସମ୍ଭବ ନହେଁ ।ତେଣୁ ସେ ଓଡ଼ିଆ ସାହିତ୍ୟକୁ ଆପଣାର ଚରମ ସାଧନାର ବସ୍ତୁ ରୂପେ ଗ୍ରହଣ କରିଥିଲେ । ଗୋଟିଏ ବକୃତା ପ୍ରସଙ୍ଗରେ ଏହି ଆଦର୍ଶ ସ୍ପଷ୍ଟ ଭାଷାରେ ପ୍ରକାଶ କରି ସେ କହିଥିଲେ - ‘‘ଯେଉଁ ଲୋକ ମାତୃଭାଷା ଚର୍ଚ୍ଚା ଏବଂ ଉନ୍ନତି ସାଧନର ବିମୁଖ ତାହାଙ୍କ ମନରେ ସ୍ଵଦେଶ-ପ୍ରୀତି, ସ୍ୱଜାତି-ପ୍ରୀତିର ବିରଳ ସଞ୍ଚାର ବୋଲି ନିଶ୍ଚୟ ରୂପେ ବୋଲାଯାଇପାରେ । ସ୍ୱଦେଶ ସୁଜାତି ଅର୍ଥ ସ୍ୱଦେଶ ଭାଷା, ଅର୍ଥାତ୍‌ ଭାଷାର ନାମାନୁସାରେ ଦେଶର ଏବଂ ଜାତିର ନାମକରଣ ହୋଇଥାଏ । ଭାଷା ବା ଦେଶର ଉନ୍ନତିକାମୀମାନଙ୍କ ପକ୍ଷରେ ଉଭୟ ପ୍ରତି ପ୍ରୀତି ପ୍ରୟୋଜନୀୟ (୭) ।’’

 

ବହୁ ସଂଖ୍ୟକ କାବ୍ୟ କବିତା, ଗଳ୍ପ ଉପନ୍ୟାସ, ପ୍ରବନ୍ଧରେ ଫକୀରମୋହନଙ୍କ ସ୍ୱଦେଶ ପ୍ରେମୀ ମନର ପ୍ରତିଫଳନ ସ୍ପଷ୍ଟ । ପୃଥିବୀରେ ଯେଉଁ କୋଣରେ ଆଦର୍ଶ ଦେଶପ୍ରେମର ନିଦର୍ଶନ ଦେଖୁଥଲେ, ସେଥିପ୍ରତି ଏ ଦେଶ ବାସୀଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ସେ ଆକୁଳ ଆଗ୍ରହ ପ୍ରକାଶ କରୁଥିଲେ । ତାଙ୍କର ଦୁଇଟି କବିତାରେ ଜାପାନର ଶିକ୍ଷା-ପ୍ରୀତି ଓ ଦେଶପ୍ରେମର ଦୃଷ୍ଟାନ୍ତ ଦେଇଥିଲେ -

 

‘‘ହେବା ହୀନିମାନ ମରଣ ସମାନଜ୍ଞାନ କି ନ କର ଭାଇ ।

ଜ୍ଞାନ ସାହସରେ କି ହୋଇ ନ ପାରେ ଜାପାନକୁ ଦେଖ ଯାଇ ।’’ (୮-କ)

 

‘‘ହେ ଜାପାନ । ଦେଶପ୍ରେମ ଦିଅ ଶିକ୍ଷା ଦାନ

ନ ଭୁଲ ଭାରତବର୍ଷ ବୁଦ୍ଧ ଜନ୍ମସ୍ଥାନ ।’’ (୮-ଖ)

 

‘‘ଜୀବନ ସଂଗ୍ରାମ କାଳ ଉପସ୍ଥିତ । ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷା ନାହିଁ’’–ଏହାହିଁ ଥିଲା ଫକୀରମୋହନଙ୍କୁ ଏ ଦେଶ ପ୍ରତି ମହାନ୍‌ ବାଣୀ (୯)-। ଗୋଟିଏ କୋଣରେ ବସି ନ ରହି ପୃଥିବୀର ପ୍ରଗତି ସ୍ରୋତରେ ଏ ଜାତି ନିର୍ଭୟରେ ଆପଣାକୁ ଭସାଇ ଦେଉ–ଏହା ଥିଲା ତାଙ୍କର ଅନ୍ତରର ଆକାଂକ୍ଷା । ଗୋଟିଏ କବିତାରେ ସେ ପ୍ରକାଶ କରିଥିଲେ–

‘‘ନ ଜାଣେ ମାନବ ଜାତି ଭୂତ, ଭବିଷ୍ୟତ

ନ ଜାଣେ ସେ ପୂର୍ଣ୍ଣ ରୂପେ ବର୍ତ୍ତମାନ ତତ୍ତ୍ୱ

ଭୀଷଣ ପ୍ରବାହ ନିଏ ଭସାଇ ଜୀବନେ

ସାଧ୍ୟ କି ତୁମର ସ୍ଥିର ରହିପାର କ୍ଷଣେ !

ରଖି ଉଚ୍ଚତମ ସ୍ଥାନେ ଲକ୍ଷ୍ୟ ଆହେ ଭାଇ

ଅନନ୍ତ ପ୍ରବାହେ ଦିଅ ଜୀବନ ଭସାଇ ।’’ (୮-ଗ)

 

ସମକାଳୀନ ପୃଥିବୀର ପରିସ୍ଥିତି ତଥା କାଳର ବିବର୍ତ୍ତନ ଧାରାରେ ବିଚାର କଲେ ମନେହୁଏ, ଫକୀରମୋହନ ଥିଲେ ଆପଣା ଯୁଗର ଜଣେ ଅଗ୍ରଗାମୀ ଚିନ୍ତାନାୟକ ଓ ଆଦର୍ଶ ମାନବିକତାର ପୂର୍ଣ୍ଣପ୍ରାଣ ଉପାସକ । ଏ ଦେଶରେ ସେ ଥିଲେ ନବଯୁଗର ବାର୍ତ୍ତାବହ । ଗଭୀର ନୈରାଶ୍ୟ ଭିତରେ ସେ ସର୍ବଦା ନବ ନବ ଆଶା ଓ ସମ୍ଭାବନାର ଚିତ୍ର ଅଙ୍କନ କରି ଯାଇଅଛନ୍ତି ।ଯୁଗେ ଯୁଗେ ମାନବ ପ୍ରତିଭା ପୃଥିବୀର କୋଣେ କୋଣେ ଯେଉଁ ଆଲୋକ ଜାଳିଆସିଅଛି, ସେଥିରୁ ଜ୍ୟୋତି ଆହରଣ କରି ଆପଣା ଦେଶର ମୁଖ ପ୍ରାଣ ସମୃଦ୍ଧ ଓ ଆଲୋକୋଜ୍ଜଳ କରିବା ଥିଲା ଫକୀରମୋହନଙ୍କ ମହାନ୍‌ ଜୀବନର ଏକମାନ୍ତ୍ର ପଣ । ମାନବାତ୍ମାର ରୂପକାର କୌଣସି ପ୍ରକୃତ ସାହିତ୍ୟ ସାଧକ ସମ୍ମୁଖରେ ଏ ଆଦର୍ଶ କେବେ ମଳିନ ହେବାର ନୁହେଁ ।

 

ସହାୟକ ଗ୍ରନ୍ଥର ସୂଚନା

 

(୧)

World History by Carlton J.H. Hayes and others. New York - 1932. Macmillan Company. Part XII, chap. XLIX. Page 851. ପୃଥିବୀ ଇତିହାସ ସମ୍ବନ୍ଧୀୟ ଅନ୍ୟାନ୍ୟ ତଥ୍ୟ ଏହି ଗ୍ରନ୍ଥରୁ ଗୃହୀତ

(୨)

Articles on India - by Karl Marx. (ବଙ୍କିମ ମାନସ (ବଙ୍ଗଳା) ଅରବିନ୍ଦ ପୋଦ୍ଧାର - ଇଣ୍ଡିୟାନା ଲିମିଟେଡ଼, କଲିକତା-। ପ୍ରଥମ ସଂସ୍କରଣ ୧୯୫୧ - ପୃ: ୩ର ଉଦ୍ଧୃତିରୁ ଗୃହୀତ । )

(୩)

ଓଡ଼ିଶାର ଇତିହାସ- ହରେକୃଷ୍ଣ ମହତାବ, କଟକ ୧୮୫୮ । ୧୦ମ ଖ: ୫ମ ପରିଚ୍ଛେଦ, ପୃ: ୩୨୮ ।

(୪)

ଗଳ୍ପ ସଳ୍ପ -ପ୍ରଥମ ଭାଗ, ଫକୀରମୋହନ ସେନାପତି । ୪ର୍ଥ ସଂସ୍କରଣ କଟକ - ୧୯୪୬ - ପୃ: ୧୦୪ (ସଭ୍ୟ ଜମିଦାର)

(୫)

History of India by K.A. Nilakantha Sastri. Part, III, Chap. VI - 5. Page 305-6

(୬)

ଆତ୍ମଜୀବନ ଚରିତ - ଫକୀରମୋହନ ସେନାପତି, ୧ମ ସଂସ୍କରଣ ପୃ: ୩୫ ।

(୭)

ଅଭିଭାଷଣ - ଅଧ୍ୟାପକ ବଂଶୀଧର ମହାନ୍ତିଙ୍କ ସମ୍ପାଦିତ ପୃ: ୫୭-୫୮

 

(କଟକ ଆଲୋଚନା ସଭାରେ ଚତୁର୍ଥ ବାର୍ଷିକ ଅଧିବେଶନରେ ଫକୀରମୋହନଙ୍କ ପ୍ରଦତ୍ତ ଅଭିଭାଷଣ ।)

(୮)

ଅବସର ବାସରେ -ଫକୀରମୋହନ ସେନାପତି,ତୃତୀୟ ସଂସ୍କରଣ -୧୯୩୫ (କ) ‘ଲାଗ ଲାଗ’ ପୃ: ୨୩୪ । (ଖ)‘ଜାପାନ’ ପୃ: ୨୪୭ । (ଗ) ‘ଅଜ୍ଞେୟଜୀବନ ଗତି’ ପୃ: ୨୩୩ ।

(୯)

ଛ ମାଣ ଆଠଗୁଣ୍ଠ - ଫକୀରମୋହନ ସେନାପତି, ୬ଷ୍ଠ ସଂସ୍କରଣ- କଟକ- ୧୯୪୮ ପୃ: ୪୭ ।

 

ନିବନ୍ଧ ସାହିତ୍ୟ

 

ଆଧୁନିକ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଭଳି ‘ନିବନ୍ଧ’ ବି ପଶ୍ଚିମରୁ ଆମଦାନୀ ହୋଇଛି-। ତେଣୁ ତାର ପରମ୍ପରା, ପରିସର ଓ ପ୍ରକାଶକ୍ରମ ଆଲୋଚନାରେ ପ୍ରଥମରୁ ପଶ୍ଚିମମୁଖୀ ନ ହୋଇ ଗତ୍ୟନ୍ତର ନାହିଁ । ପଶ୍ଚିମ ଦେଶରେ ‘‘ଏସେ’’ ର ଜନ୍ମକାଳ ଅତି ନିର୍ଦ୍ଦିଷ୍ଟ । ୧୫୮୦ ଖ୍ରୀ: ଅ: ରେ ଜଣେ ଫରାସୀ-ଲେଖକ ନିଜର ଅଦ୍ଭୁତ ବ୍ୟକ୍ତିଗତ ଅନୁଭୂତିକୁ ରୂପ ଦେଇ ଖଣ୍ଡିତ ରଚନାବିଶିଷ୍ଟ ଗୋଟିଏ ଗ୍ରନ୍ଥ ପ୍ରକାଶ କଲେ, ନାମ ରଖିଲେ, ‘Essais,’ ଯଥାସମ୍ଭବ ଆକ୍ଷରିକ ଅର୍ଥ ‘ପ୍ରଚେଷ୍ଟା’ । ଗତ ଚାରି ଶହ ବର୍ଷ ମଧ୍ୟରେ ଏ ପ୍ରଚେଷ୍ଟା ଏକ ସୁବିକଶିତ ସାହିତ୍ୟ ଶିଳ୍ପରୂପେ ବିଶ୍ୱମୟ ପ୍ରସାର ଲାଭ କରିଛି ।

 

କୌଣସି କଳା ସଜ୍ଞ-ସର୍ବସ୍ୱ ହୋଇ ପାରେ ନାହିଁ । ତାହାର ସ୍ୱରୂପ କେବଳ ଉପଲବ୍‌ଧିରେ ଧରାଦିଏ । ତଥାପି ସଂଜ୍ଞାରେ କଳାର ସ୍ୱରୂପ ଆଙ୍କିବାକୁ ସବୁ ସମୟରେ ସମାଲୋଚକମାନେ ଉଦ୍ୟମ କରିଥାନ୍ତି । ପ୍ରବନ୍ଧ ବିଷୟରେ କୁହାଯାଇଛି ‘‘ମୂଳତଃ ଅସଂପୂର୍ଣ୍ଣ ହେଲେହେଁ, ବିଷୟବିଶେଷ ଉପରେ ଏକ ବିଶିଷ୍ଟ ରୀତିବଦ୍ଧ ନାତିଦୀର୍ଘ ରଚନା ।’’ ଯଦି ସାହିତ୍ୟିକ ନିବନ୍ଧର ଏହା ଏକ ସାଧାରଣ ପରିଚୟ ହୁଏ, ତେବେ ମୂଳରୁ ଦେଖିବାର କଥା ଏହା ଦୀର୍ଘତା ଓ ବିଷୟ ବିନ୍ୟାସ ଦିଗରୁ ଏକ ସୀମାର ଅପେକ୍ଷା ରଖେ । କାରଣ ନିବନ୍ଧର କଳେବର ଯଦି ଦୀର୍ଘ, ବିଷୟବସ୍ତୁ ବ୍ୟାପକ ଓ ବିଶଦ ହୁଏ, ତେବେ ତାହା ନିବନ୍ଧ ବା ‘ଏସେ’ ନ ହୋଇ ହୁଏ ପ୍ରବନ୍ଧ ବା dissertion ବା treatise । ଦ୍ୱିତୀୟରେ ଲକ୍ଷ୍ୟ କରିବାର କଥା ଏହା ଏକ ଅସଂପୂର୍ଣ୍ଣ ରଚନା, ଅସଂଲଗ୍ନ ଭାବାବେଶ ବା ଖଣ୍ଡିତ ଭାବାବେଶର ଅବିନ୍ୟସ୍ତ ଅଭିବ୍ୟକ୍ତି ।

 

ନିବନ୍ଧ ବିଷୟରେ ବଡ଼ ବଡ଼ ପାଶ୍ଚାତ୍ୟ ବିବନ୍ଧ ଲେଖକଙ୍କ ଅନୁଭୂତି ବଡ଼ ବିଚିତ୍ର । ଇଂରେଜ ପ୍ରାବନ୍ଧିକ କ୍ରେବ୍‌ କହିଥିଲେ, ‘‘ନିବନ୍ଧ ଏକ ଜନପ୍ରିୟ ରଚନା । ଯେଉଁ ଲେଖକଙ୍କର ସୂକ୍ଷ୍ମଜ୍ଞାନ ବା ବ୍ୟାପକ ଅନୁସନ୍ଧିତ୍ସା ପାଇଁ ସ୍ପୃହା ବା କ୍ଷମତା ନାହିଁ, ଆଉ ଯେଉଁ ପାଠମମାନଙ୍କର ଲଘୁଭାବରେ ନାନା ବିଷୟରେ ବୈଚିତ୍ର୍ୟପୂର୍ଣ୍ଣ ରଚନାମାନ ଉପଭୋଗ ଏକାନ୍ତ ଅଭିଳାଷ, ସେମାନଙ୍କ ଲାଗି ଏହା ଖୁବ୍‌ ଉପଯୋଗୀ ।’’ କିନ୍ତୁ ନିବନ୍ଧରେ ଯେଉଁମାନଙ୍କର ନିବିଷ୍ଟତା ଅଧିକ, ସେମାନେ ଏ ମତକୁ ଗ୍ରହଣ କରନ୍ତି ନାହିଁ, ନିବନ୍ଧ ତଥା ନିବନ୍ଧକାରକୁ ଏପରି ଏକ ସଂକୁଚିତ ଦୃଷ୍ଟିରେ ଦେଖନ୍ତି ନାହିଁ । ବିଶ୍ୱବିଶ୍ରୂତ ଫରାସୀ ନିବନ୍ଧକାର ସିତ୍‌ ବ୍ୟେଭ ( Sainte Beuve ) ନିଜର-ଅନୁଭୂତି ବର୍ଣ୍ଣନା କରି କହିଛନ୍ତି-‘‘ନିବନ୍ଧ ଏକ ଆମୋଦଦାୟକ ସାହିତ୍ୟିକ ଅଭିବ୍ୟକ୍ତିର ମାଧ୍ୟମ ସତ, କିନ୍ତୁ ଏହାର ରଚନା ବଡ଼ କଠିନ । ଅତ୍ୟନ୍ତ ଘନୀଭୂତ ଓ ସଂଶ୍ଳିଷ୍ଟ ଭାବନାଶକ୍ତି ଲେଖକର ଲୋଡ଼ା, ଆହୁରି ଲୋଡ଼ା ଅଳ୍ପ ପରିସର ଭିତରେ ବ୍ୟାପକ ବିଷୟବସ୍ତୁ ସମାବେଶର କ୍ଷମତା । ଆପଣା ବିଷୟ ଉପରେ ଯାହାର ଦକ୍ଷତା ଅଖଣ୍ଡ, ସେଇ କେବଳ ନିବନ୍ଧ ରଚନା ପାଇଁ ସମର୍ଥ ।’’

 

ଆଧୁନିକ ନିବନ୍ଧ କଳା ଆଧୁନିକ ନଗରଜୀବନ ପରି ସମୃଦ୍ଧ, ବିଚିତ୍ର ଓ ରହସ୍ୟାବୃତ । ବହୁ ଜନ, ବହୁ ଦୃଶ୍ୟ, ବହୁ ସମସ୍ୟାର ବହୁ ସମାଧାନରେ ଆଧୁନିକ ନଗରଜୀବନ ଯେପରି ଚିର ଚଞ୍ଚଳ; ବହୁ ଭାବ, ବହୁ ଅନୁଭବ, ବହୁ ରୂପ, ବହୁ ସଜ୍ଜା ଓ ସଙ୍କେତରେ ଆଧୁନିକ ନିବନ୍ଧ ସେଇପରି ଗତିଧର୍ମୀ । ଏ କ୍ଷେତ୍ରରେ ସାର୍ଥକ ସୃଷ୍ଟି ବିଶେଷ ପ୍ରତିଭାର ଅପେକ୍ଷା ରଖେ । ଏଥିଲାଗି ବିଷୟବସ୍ତୁ ଲେଖକ ଅତି ସାଧାରଣ ଜୀବନ ଓ ଅନୁଭୂତିର ସଂଗ୍ରହ କଲେ ହେଁ ଆଧୁନିକ ମାଷ୍ଟାର ପ୍ଳେନାର ଭଳି ତାର ସଂଯୋଜନା ଏକ ନିର୍ଦ୍ଦିଷ୍ଟ ବ୍ଲୁପ୍ରିଣ୍ଟ୍‌ ବା ସୁପରିକଳ୍ପିତ ନକ୍‌ସାରେ କରିବାକୁ ହୁଏ-। କାରଣ ସଜ୍ଜାରେ ସମୃଦ୍ଧ ନ ହେଲେ ନିବନ୍ଧ ଆଶାତୀତ ଭାବରେ ମାମୁଲି ହୋଇପଡ଼େ । ତାର ମହତ୍ତ୍ୱ ଖଣ୍ଡିତ ହୁଏ । ଅଧିକନ୍ତୁ ଲେଖକକୁ ଏଥିରେ ଆପଣା ବ୍ୟକ୍ତିତ୍ୱର ସଞ୍ଚାର କରେଇବାକୁ ପଡ଼େ-। ତା ନୋହିଲେ ତାର ଶିଳ୍ପସ୍ୱାତନ୍ତ୍ର୍ୟ ଖଣ୍ଡିତ ହୁଏ । ପୁଣି ଏ ବ୍ୟକ୍ତିତ୍ୱ ସକଳର ହୃଦ୍ୟ ଓ ଗ୍ରାହ୍ୟ ହେବା ବାଞ୍ଚ୍ଥନୀୟ । ନିବନ୍ଧର ଭାବ ମୌଳିକ ଓ ଅଭିନବ ହେବା ଉଚିତ । ରଚନା ପରିପାଟୀରେ ପାଠକକୁ ମୁଗ୍‌ଧ କରିବା ଲାଗି, ଶବ୍ଦ ଚୟନରେ ଦକ୍ଷତା ଓ ରୂପକଳ୍ପ ବ୍ୟଞ୍ଜନାରେ ନିପୁଣତା ଥିବା ଆବଶ୍ୟକ-

 

ଗୋଟିଏ ବିଶେଷ ପ୍ରବୃତ୍ତିରେ ସାହିତ୍ୟିକ ନିବନ୍ଧ, ଲିରିକ ବା ଗୀତ କବିତାର ସମକକ୍ଷ ହେବାକୁ ସ୍ପର୍ଦ୍ଧା କରିପାରେ । ତାହା ହେଉଛି ଆବେଗ-ପ୍ରବଣତା । ଅନ୍ତରର ଆବେଗରୁ ହିଁ ଗୀତ କବିତାର ଜନ୍ମ । ସୁବିନ୍ୟସ୍ତ ଓ ମନୋରମ କଳ୍ପନାର ତୁଳିରେ ଚିତିତ୍ର ଲେଖକର ହୃଦ୍‌ଗତ ଅନୁଭୂତି ହିଁ ନିବନ୍ଧ । ଏହା ପରିଜ୍ଞାତ ଜ୍ଞାନର ଆହରଣ ତଥା ଏକତ୍ର ସଞ୍ଚୟନ ମାତ୍ର ନୁହେଁ, ରଚକର ସୃଜନଶୀଳ ମନରେ ସଂଜାତ ଭାବନାରାଶିର ସମାବେଶରେ କଳ୍ପିତ ଏକ ସାହିତ୍ୟିକ ସୃଷ୍ଟି ।

 

ପୂର୍ବେ ଖୋଲାଖୋଲି ଭାବରେ କେବଳ ବ୍ୟଙ୍ଗ ଓ ବିଦ୍ରୂପ ପାଇଁ ସ୍ୱତନ୍ତ୍ର ଭାବରେ ସାହିତ୍ୟିକ ନିବନ୍ଧ ରଚିତ ହେଉଥିଲା । କିନ୍ତୁ ଆଜି ଅନେକ ପରିମାଣରେ ସେ ଶୈଳୀ ପ୍ରତ୍ୟାଖ୍ୟାତ-। ଆଧୁନିକ ନିବନ୍ଧକାରମାନେ କେବଳ କେତୋଟି ପ୍ରଚ୍ଛନ୍ନ ସୂଚନା ଓ ସୁପରିକଳ୍ପିତ ବ୍ୟଞ୍ଜନା ସାହାଯ୍ୟରେ ବ୍ୟଙ୍ଗରସ ସୃଷ୍ଟି କରିଥାଆନ୍ତି ।

 

ସାହିତ୍ୟିକ ନିବନ୍ଧର ରୂପ ରଚନା ତିନୋଟି ପ୍ରକ୍ରିୟାରେ ହୋଇ ପାରେ । ପ୍ରଥମତଃ ଏକ ସୁପରିକଳ୍ପିତ କଙ୍କାଳକୁ ଭିତ୍ତି କରି ଏହା ରଚିତ ହୋଇପାରେ । ବିକ୍ଷିପ୍ତ ମନର ଖଣ୍ଡିତ ଭାବାବେଗକୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଏକକ ରୂପେ ଅଭିବ୍ୟକ୍ତ କରିବା ନିବନ୍ଧ ରଚନାର ଦ୍ୱିତୀୟ ଶୈଳୀ । ତୃତୀୟରେ ସଂଳାପ ବା ପତ୍ର ବିନିମୟ ମାଧ୍ୟମ ଏଥିଲାଗି ଗ୍ରହଣ କରାଯାଇ ପାରେ । ଓଡ଼ିଆରେ ‘ପ୍ରେମର ନିୟତି’ , ‘ମିନତି’ ଓ ‘ଅଭିଯୋଗ’ ଆଦି ଏଇ ଶେଷୋକ୍ତ ଶ୍ରେଣୀ ଅନ୍ତର୍ଗତ ।

 

ପରିଶେଷରେ ଲକ୍ଷ୍ୟ କରିବାର କଥା, ଗୀତ-କବିତାରେ ଯେପରି ଗୋଟିଏ ଗୋଟିଏ ଅଖଣ୍ଡ ଭାବନା ବା କ୍ଷୁଦ୍ର ଗଳ୍ପରେ ଯେପରି ଗୋଟିଏ ଅଖଣ୍ଡ ଘଟଣାର ସମାବେଶ କରାଯାଇଥାଏ-ସାହିତ୍ୟିକ ନିବନ୍ଧରେ ସେହିପରି ଏକ ରଜ୍ଜୁରେ ନିବନ୍ଧ ଭାବରାଶିର ପରିବେଷଣ କରାଯାଇଥାଏ । ସର୍ବତ୍ର ଏଥିରେ ଏକ ସଂଯୁକ୍ତ ଭାବନା କାର୍ଯ୍ୟ କରୁଥାଏ ।

 

ଏଇ ଆଲୋଚନାରୁ ସ୍ପଷ୍ଟ ହେବ, ସାହିତ୍ୟିକ ନିବନ୍ଧ ରଚନା ପାଇଁ ଲୋଡ଼ା, ଏକାଧାରରେ କବିର ଅନୁଭବ, ଗବେଷକର ଅନୁସନ୍ଧିତ୍ସା, ଔପନ୍ୟାସିକ ଆଉ ଗାଳ୍ପିକର ବାସ୍ତବ ଅଧ୍ୟୟନ ତଥା ଆହରଣ-ଦକ୍ଷତା । ନିବନ୍ଧ ରଚନା ପାଇଁ ଏବେ ସକଳ ସ୍ତରର ସାହିତ୍ୟିକମାନେ ପ୍ରୟାସୀ । ସେଥିଲାଗି ଏଥି ସହିତ ପୃଥିବୀ ବିଖ୍ୟାତ କବି, ଔପନ୍ୟାସିକ ଆଉ ଚିନ୍ତାନାୟକମାନଙ୍କ ନାମ ଜଡ଼ିତ ।

 

ନିବନ୍ଧର ପରିଚୟ ଆହୁରି ସ୍ପଷ୍ଟ ହେବ, ଯଦି ତାର ଇତିହାସର କିଞ୍ଚିତ ସୂଚନା ଦିଆଯାଏ-। କିନ୍ତୁ ଆଧୁନିକ ମନ କେବଳ ଇତିହାସ ଅନୁସନ୍ଧାନ ନ କରି ପୂର୍ବତନ ଇତିହାସର ଅନ୍ଧକାର ଭେଦ କରିବାକୁ ଉଦ୍ୟମ କରେ । ପଶ୍ଚିମ ଦେଶରେ ନିବନ୍ଧର ଇତିହାସ ଆଲୋଚନା ପ୍ରସଙ୍ଗରେ ଅନେକେ ତାର ପୂର୍ବତନ ଇତିହାସ ଆଲୋଚନା ବି କରିଛନ୍ତି । ସେମାନେ କହନ୍ତି, ଖ୍ରୀଷ୍ଟପୂର୍ବ ଯୁଗର ସିସେରୋ (Cicero), ସେନେକା (Seneca) ଙ୍କ ଭଳି ରୋମାନ୍‌ ଲେଖକ, ଖ୍ରୀଷ୍ଟ ପ୍ରଥମ ଶତକର ଗ୍ରୀକ ଲେଖକ ପ୍ଲୁଟାର୍ଚ୍ଚ (Plutarch) ଆଦି ହେଉଛନ୍ତି ପ୍ରଥମ ନିବନ୍ଧ ଲେଖକ-। ବିଶେଷତଃ ପ୍ଲୁଟାର୍ଚ୍ଚଙ୍କ ‘‘ମୋରାଲିଆ’’ (Moralia)ରେ ସେମାନେ ନିବନ୍ଧର ଲକ୍ଷଣ ଲକ୍ଷ୍ୟ କରନ୍ତି । ଏଥିରେ ଲେଖକଙ୍କ ମନ୍ତବ୍ୟ ସୁସଂବନ୍ଧିତ, ବ୍ୟକ୍ତିତ୍ୱ ପ୍ରକଟିତ; ବିଷୟବସ୍ତୁ ବହୁ ପ୍ରାଚୀନ ଐତିହାସିକ ଓ ପୌରାଣିକ ଘଟଣାବଳିର ଦୃଷ୍ଟାନ୍ତସହ ସୁପରିବେଶିତ ; ରଚନା ଶୈଳୀରେ ସଂଳାପର ଲିଖିତ ରୂପ ବିଦ୍ୟମାନ । ଯେମିତି ଆମର ଉପନିଷଦରେ ଋଷି ଓ ଶିଷ୍ୟ ମଣ୍ଡଳୀଙ୍କ କଥୋପକଥନର ସାର ସଂଗ୍ରହ ମିଳେ ଏ ସବୁ ବହୁ ପରିମାଣରେ ସେଇପରି ।

 

ଏବେ ଦେଖିବା ଇତିହାସ । ପ୍ରଥମ ସ୍ରଷ୍ଟା ଷୋଡ଼ଶ ଶତକର ଫରାସୀ ଲେଖକ ମଁଣାନ୍ୟ (Montaigne) । ସେ ଅବଶ୍ୟ ପ୍ରାଚୀନ ଲେଖକ ସେନେକା ଓ ପ୍ଲୁଟାର୍ଚ୍ଚ ଆଦିଙ୍କଠାରେ ବହୁ ଭାବରେ ଋଣୀ । ତାଙ୍କ ଲେଖାରେ ବିନା ତର୍କରେ ପ୍ରତିଷ୍ଠିତ ଆଦର୍ଶକୁ ଗ୍ରହଣ କରିନେବା, ତଥା ସନ୍ଦେହବାଦୀ ଦୃଷ୍ଟିରେ ଆପଣା ଯୁକ୍ତିରେ ବିଶ୍ୱାସ; ରଖିବା-ଏ ଦ୍ୱୈତ ଭୂମିକା ବିଦ୍ୟମାନ । ଏଥିରେ ଚିନ୍ତା, ଅନୁଭୂତି ଆଉ ଆବେଗରେ ଏକତ୍ର ସମାବେଶ ଘଟିଛି । ଭାବ ସନ୍ନିବେଶ ପ୍ରତି ସେ ଅଧିକ ମନୋଯୋଗୀ । ଶୈଳୀରେ ଗତି ଅଛି ସତ, କିନ୍ତୁ ତାହା ବୃତ୍ତାନୁବୃତ୍ତିକ ଅଗ୍ରଗତି । ନିବନ୍ଧଗୁଡ଼ିକର ଶୀର୍ଷକ ବା ନାମକରଣ ବିଷୟାନୁସାରୀ । ଗୋଟିଏ କଥାରେ କହିଲେ, ଆଧୁନିକ ନିବନ୍ଧର ପିତା ମଁଣାନ୍ୟ ଜଣେ ନିପୁଣ ସଂଳାପୀ, ଦକ୍ଷ ବ୍ୟାଖ୍ୟାକୁଶଳୀ, ଉପଯୁକ୍ତ ଶବ୍ଦ ଯୋଜନାରେ ଜଣେ ସମର୍ଥ କଳାକାରର ପରିଚୟ ଦେଇଛନ୍ତି । ଏହାଙ୍କ ରଚନା ସବୁ ଇଂରେଜୀରେ ଅନୁଦିତ ହେବା ପୂର୍ବରୁ ଇଂରେଜୀ ନିବନ୍ଧର ପିତା ‘ବେକନ୍‌’ ଉଦ୍ୟମ ଆରମ୍ଭ କରିଥିଲେ ହେଁ, ସେ ଏହାଙ୍କଠାରୁ ବିଶେଷଭାବରେ ଋଣୀ ।

 

ପ୍ରକୃତରେ ଶିଳ୍ପ ବିପ୍ଳବ ପରେ ଇଉରୋପୀୟ ସାହିତ୍ୟରେ ଗଦ୍ୟର ପ୍ରତିଷ୍ଠା ଓ ପ୍ରସାର ଘଟିଲା । ବହୁଲ ଭାବରେ ସାମୟିକ ପତ୍ରଗୁଡ଼ିକର ପ୍ରଚାର ଦେଖା ଦେଲା । ଏଥିରେ ନିବନ୍ଧର ହିଁ ଯଥାର୍ଥରେ ରାଜ୍ୟ ବିସ୍ତାର ଘଟିଲା । ଆଧୁନିକ ଜୀବନ, ସମାଜ, ତାର ଆଦର୍ଶ ଓ ଅନୁଭବ ଜ୍ଞାନ ଓ ଧାରଣାର ଯଥାର୍ଥ ବାହକ ହେଲା ନିବନ୍ଧ । ଏହାର ବିଷୟବସ୍ତୁର ଆହରଣ ସୁଦୂରପ୍ରସାରୀ ହେଲା । ସାମାଜିକ ବିଧି ବ୍ୟବସ୍ଥା, ସମକାଳୀନ ଓ ଐତିହାସିକ ଘଟଣାବଳି, ଦାର୍ଶନିକ ଓ ରାଜନୈତିକ ଭାବଧାରା, କଳା ଓ ସାହିତ୍ୟ ଆଲୋଚନା ଆଦି ନିବନ୍ଧର ଅନ୍ତର୍ଗତ ହେବାକୁ ଲାଗିଲା । ରୋମାଣ୍ଟିକ ଯୁଗର ସାହିତ୍ୟିକଙ୍କ ଲେଖନୀରେ ନିବନ୍ଧ ଆହୁରି ଶିଳ୍ପ ସମୃଦ୍ଧ ହୋଇ ଉଠିଲା । ଆଜିର ବିଶ୍ୱସାହିତ୍ୟରେ ନିବନ୍ଧ ରଚନାର କଳା ବିଚିତ୍ର ଅଭିନବ ଶୈଳୀ ପ୍ରବର୍ତ୍ତନରେ ଫରାସୀ ଦେଶର ଲେଖକମାନେ ଅଗ୍ରଣୀ । ବିଶେଷତଃ ‘ବେଲ୍‌ ଲେଟ୍‌ର’ ବା ‘ରମ୍ୟରଚନା’ ଓ ‘ରିପୋତାଜ୍‌’ ବା ‘ବିବୃତ୍ତ ରଚନା’ ଭଳି ନୂତନ ଶୈଳୀ ପ୍ରବର୍ତ୍ତନ ଦ୍ୱାରା ଏମାନେ ନିବନ୍ଧକୁ ଗଳ୍ପ ଓ ଉପନ୍ୟାସ ପରି ଜନପ୍ରିୟ କରି ପାରୁଛନ୍ତି । ବର୍ତ୍ତମାନ ଯୁଗରେ ରମ୍ୟ ରଚନାରେ ଆମେରିକା, ଆଉ ରିପୋତାଜ୍‌ ରଚନାରେ ଋଷିଆର ଲେଖକମାନେ ଯଥେଷ୍ଟ ନିଷ୍ଟା ଓ କୁଶଳତା ଦେଖାଇଅଛନ୍ତି । ଏସବୁ ପ୍ରଭାବ ଆମ ଦେଶର ଲେଖକଙ୍କ ଉପରେ ଖୁବ୍‌ ପଡ଼ୁଛି ।

 

ଇଉରୋପରେ ଯେତେବେଳେ ନିବନ୍ଧର ସ୍ୱର୍ଣ୍ଣଯୁଗ, ସେତେବେଳେ ଆମ ଦେଶରେ ତାର ସୂତ୍ରପାତ୍‌ କଲେ ଯୁଗନିର୍ମାତା ଲେଖକଗଣ । ଏହା ଉନବିଂଶ ଶତକର ଶେଷ ପାଦ । ଏଇଠାରୁ ଆମ ନିବନ୍ଧ-ସାହିତ୍ୟର ପ୍ରକୃତ ଇତିହାସ ଆରମ୍ଭ । କିନ୍ତୁ, ଆମ ନିବନ୍ଧ-ସାହିତ୍ୟର କଣ ପୂର୍ବତନ ଇତିହାସ ନାହିଁ ? ପୂର୍ବେ ଦେଖିଛୁ-ପାଶ୍ଚାତ୍ୟ ଦେଶରେ ସମାଲୋଚକମାନେ ପ୍ରାଚୀନ ଗ୍ରୀକ୍‌ ଓ ରୋମାନ୍‌ ସାହିତ୍ୟରେ ମିଳୁଥିବା ନୀତି ଓ ଧର୍ମ ସମ୍ୱନ୍ଧୀୟ ଆଳାପର ଲିଖିତ ରୂପକୁ ନିବନ୍ଧର ଆଦି ଅବସ୍ଥା ବୋଲି ଗ୍ରହଣ କରିଛନ୍ତି । ସେ ଦୃଷ୍ଟିରେ ଦେଖିଲେ, ଆମ ଭାରତୀୟ ସାହିତ୍ୟରେ କୌଣସି ଏକ ବିଷୟ ବିଶେଷ ଉପରେ ନିର୍ଦ୍ଦିଷ୍ଟ ଶୀର୍ଷକରେ ସୂକ୍ଷ୍ମ ଆଲୋଚନାର ଦୃଷ୍ଟାନ୍ତ ପ୍ରଚୁର ରହିଅଛି । ଏଠାରେ ପ୍ରାଚୀନ ସଂସ୍କୃତ ସାହିତ୍ୟର ତ କଥା ନାହିଁ । ଆମ ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ଦେଖିଲେ ହେବ । ଦୃଷ୍ଟାନ୍ତରୂପେ ଦୀନକୃଷ୍ଣ ଦାସଙ୍କ ‘ନାମରତ୍ନ ଗୀତା’କୁ ନିଆଯାଇପାରେ । ଏଥିରେ ‘ବିତ୍ତର ବ୍ୟବହାର’,‘ଗୁପ୍ତ ରଖିବା ବିଷୟ’,‘ଉସ୍ୱାସ ଲୋକ ଓ ବଡ଼ ଲୋକଙ୍କ ଲକ୍ଷଣ’ ଭଳି ବିଷୟ ବିଶେଷ ଉପରେ ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କର କଥୋପକଥନ ଲିପିବଦ୍ଧ ହୋଇଅଛି । ଏଗୁଡ଼ିକରେ ଶୀର୍ଷକ ବିଷୟାନୁସାରୀ । ବିଷୟ ବସ୍ତୁର ପରିବେଷଣ ମନୋରମ । ବର୍ଣ୍ଣନା ବାସ୍ତବ ଅନୁଭୂତି ଦିଗକୁ ଯେପରି ସ୍ପର୍ଶ କରିଛି, କଳ୍ପନା ବିଳାସରେ ସେଇପରି ହୃଦ୍ୟ ହୋଇଛି ।

 

ଗତ ଶତକରେ ଓଡ଼ିଆ ପତ୍ର ପତ୍ରିକାର ପ୍ରସାର ଘଟିବା ସଙ୍ଗେ ସଙ୍ଗେ ନିବନ୍ଧ ରଚନା ସୂତ୍ରପାତ୍‌ ହେଲା । ଗୌରୀଶଙ୍କର, ଫକୀରମୋହନ, ରାଧାନାଥ, ଭକ୍ତକବି ମଧୁସୂଦନ ଆଦି ବିଭିନ୍ନ ଶୈଳୀରେ, ବିଭିନ୍ନ ବିଷୟରେ ନିବନ୍ଧ ଲେଖିବାକୁ ଆରମ୍ଭ କଲେ । ଏମାନଙ୍କ ଚିନ୍ତାଧାରାରେ ପାଶ୍ଚାତ୍ୟ ଶିକ୍ଷାହେତୁ ଯେଉଁ ସଂଶୟବାଦ, ଜାତୀୟବାଦ ଓ ସ୍ୱାଧୀନ ଚିନ୍ତାର ବୀଜ ଅଙ୍କୁରିତ ହୋଇ ଉଠିଥିଲା ତାହା ନିବନ୍ଧମାନଙ୍କରେ ପ୍ରକାଶ ପାଇଲା । ଏମାନଙ୍କ ନିବନ୍ଧରେ ଏକାଧାରରେ ଅଷ୍ଟାଦଶ ଶତକର ଇଉରୋପୀୟ ଲେଖକମାନଙ୍କର ବ୍ୟଙ୍ଗ ବ୍ୟଞ୍ଜନା ଓ ହେତୁବାଦ, ଭିକ୍‌ଟୋରିଆ ଯୁଗ ଇଂରେଜୀ ଲେଖକଙ୍କର ପାଣ୍ଡିତ୍ୱପୂର୍ଣ୍ଣ ତଥ୍ୟ ପ୍ରାଧାନ୍ୟ, ତଥା ରୋମାଣ୍ଟିକ ଧର୍ମୀ ବ୍ୟକ୍ତିନିଷ୍ଠତା ଓ ଆବେଗ-ପ୍ରବଣତାର ସଂକେତ ମିଳେ ।

 

ଆଦି ଯୁଗରେ ଓଡ଼ିଆ ନିବନ୍ଧ ଯେଉଁ କଳାତ୍ମକ ସ୍ତରକୁ ଉଠି ପାରିଥିଲା, ତାର ଶ୍ରେଷ୍ଠ ନିଦର୍ଶନ ରାଧାନାଥଙ୍କ ‘ବିବେକୀ ।’ ରାଧାନାଥ ସ୍ୱଭାବତଃ ଭାବୁକ ଓ କବି । ତାଙ୍କ ଦୃଷ୍ଟିରେ ଶିଳ୍ପୀର ମନୋହାରିତା ବିଦ୍ୟମାନ । ଅତି ନିପୁଣଭାବରେ ସେ ସମକାଳୀନ ସମାଜର ରୀତି ନୀତି, ନବ୍ୟଶିକ୍ଷିତ ତଥା ବିଦ୍ୟାଭିମାନୀଙ୍କ ଚରିତ୍ର ଓ ଦୋଷ ଦୁର୍ବଳତାର ଚିତ୍ରଣ ଏଇ ନିବନ୍ଧରେ କରିଅଛନ୍ତି । ଇଂରେଜୀରେ ଯାହାକୁ ‘ପାର୍ସନାଲ ଏସେ’ କହନ୍ତି ତାର ଆଦ୍ୟ ପ୍ରୟାସ ରାଧାନାଥ ହିଁ କରିଛନ୍ତି । କିନ୍ତୁ ତାର ବିକାଶ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆତ୍ମପ୍ରକାଶ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା, ନିବନ୍ଧ ରଚନାରେ ପ୍ରହରାଜଙ୍କ ପ୍ରତିଭା ବହୁମୁଖୀ । ତାଙ୍କର ଉପାଦାନ ଅତି ମାମୁଲି, ଅଥଚ ସଂକେତ ଓ ବ୍ୟଞ୍ଜନାରେ ତାହା ଭାବ ସମୃଦ୍ଧ । ଯେମିତି ବାଇ ମାହାନ୍ତି ପାଞ୍ଜିରେ ନାରୀଙ୍କ ଅଳଙ୍କାର ଆଉ ଆମ୍ୱ ଅଳଙ୍କାରର ଉପଯୋଗିତା ବର୍ଣ୍ଣନାରେ ପ୍ରାଚୀନ ଓ ଆଧୁନିକ ଆଦର୍ଶର ସମନ୍ୱୟ ଓ ସଘର୍ଷ, ତଥା ଆମ୍ୱର ପ୍ରକାର ବର୍ଣ୍ଣନାରେ ବିଭିନ୍ନ ଦୃଷ୍ଟିକୋଣରୁ ମାନବ-ଚରିତ୍ରର ଚିତ୍ର ସେ ଦେଇଛନ୍ତି । ପ୍ରହରାଜଙ୍କ ଦୃଷ୍ଟିକୋଣରେ ମୌଳିକତା ଓ ଯଥାର୍ଥବାଦିତ ଫୁଟିଛି । ବାସ୍ତବଦୃଷ୍ଟିରେ ସେ ବ୍ୟକ୍ତିସର୍ବସ୍ୱବାଦୀ ସମାଜରେ ବ୍ୟକ୍ତି ବ୍ୟକ୍ତି ଭିତରେ ସଂପର୍କକୁ ବିଶ୍ଳେଷଣ କରିଛନ୍ତି । ସେ ଦେଖିଛନ୍ତି, ଦୁନିଆରେ ସ୍ନେହ, ଶ୍ରଦ୍ଧା, ପ୍ରେମ, ଭକ୍ତି ଆଦି ସମସ୍ତ ସକାମ । ଜଣେ ସାର୍ଥକ ନିବନ୍ଧକାର ରୂପେ ସାହିତ୍ୟବିଶାରଦ ପ୍ରହରାଜ ନିବନ୍ଧ ରଚନାର ସକଳ ପ୍ରକାର ପ୍ରକାର ରୀତି ଓ ତାର ଉପଯୋଗିତାର ପରୀକ୍ଷା କରିଛନ୍ତି । ପରୀକ୍ଷାରେ ସଫଳତାର ସମସ୍ତ ସମ୍ଭାବନାର ସ୍ୱାକ୍ଷର ରଖି ଯାଇଛନ୍ତି । ତଥାପି ତାଙ୍କଠାରେ ଯାହା ଅଭାବ-ତାହା ଶିଳ୍ପୀର ସଂଯମ ଓ ଆତ୍ମ-ସମାଲୋଚନା । ସେଥିଲାଗି ତାଙ୍କର ସମ୍ଭାବନାସମୃଦ୍ଧ ଲେଖନୀ ଅନଗାମୀମାନଙ୍କ ପାଇଁ ଚରମ ଆଦର୍ଶ ରଖିଯାଇ ପାରି ନାହିଁ ।

 

ଗୋଟିଏ ସଂପୂର୍ଣ୍ଣ ଓଡ଼ିଆ ଗ୍ରନ୍ଥାଗାର ପ୍ରତି ଯଦି କିଏ ଦୃଷ୍ଟିପାତ କରେ, ତେବେ ଦେଖିବ, ଆମ ସାହିତ୍ୟରେ କବିତା ଆଉ ଗଳ୍ପ ଉପନ୍ୟାସ ପରେ ତୃତୀୟ ସ୍ଥାନ ଅଧିକାର କରିଛି ନିବନ୍ଧ । କିନ୍ତୁ ଓଡ଼ିଆ ପାଠକମଣ୍ଡଳୀ ପ୍ରତି ଦୃଷ୍ଟିପାତ କଲେ ପ୍ରବନ୍ଧକୁ ଏ ସ୍ଥାନ ମିଳିବ କି ନାହିଁ ଗଭୀର ସନ୍ଦେହ ହୁଏ । ଏହାର କାରଣ ସ୍ୱରୂପ କେତେକ କହି ପାରନ୍ତି, ପ୍ରବନ୍ଧ ପଢ଼ିବାକୁ ଯେଉଁ ଉନ୍ନତ ଓ ମାର୍ଜିତ ରୁଚି ତଥା ଜ୍ଞାନ ସମୃଦ୍ଧି ଲୋଡ଼ା, ତାହା ଆମର ଅଧିକାଂଶ ପାଠକଙ୍କଠାରେ ନାହିଁ-। ହୁଏତ ଏଥିରେ କିଛି ସତ୍ୟ ଅଛି । ପାଠକ ଗଢ଼ିବାର ପ୍ରୟାସ ଆଜି ସବୁଠାରୁ ଅଧିକ ଲୋଡ଼ା-ଗଳ୍ପ ଉପନ୍ୟାସ, କାବ୍ୟ କବିତା ଯେଉଁମାନେ ଲେଖୁଛନ୍ତି, ସେମାନେ ବି ଏହା କହିବେ । କିନ୍ତୁ ଏହାର କାରଣ, ନିବନ୍ଧକାରମାନେ ପ୍ରଥମେ ନିଜ ସୃଷ୍ଟିରେ ଖୋଜିବା ଉଚିତ ।

 

ଆମ ଜୀବନର ବିପୁଳ ବିସ୍ତାରର ଭାଷ୍ୟ ରଚନା କରିଛି ନିବନ୍ଧ । ଏହା ଆମର ନିବନ୍ଧକାରଙ୍କ ଗୌରବ । ଦୁର୍ଭାଗ୍ୟ, ଜୀବନର ଅନ୍ତରଙ୍ଗ ପ୍ରକାଶରେ ରୂପ ରଚନା କରି ନାହିଁ; ଆମର ଅଧିକାଂଶ ଉଚ୍ଚ କୋଟୀର ନିବନ୍ଧରେ ହୁଏ ତ ଜ୍ଞାନ ଗରିମା ଅଛି, କିନ୍ତୁ ସୃଷ୍ଟିର ମହିମା ନାହିଁ-। ଥିଲେ, ତାହା କ୍ୱଚିତ୍‌, ଅକିଞ୍ଚିତକର । ତା’ ବୋଲି ଆମ ନିବନ୍ଧ ସାହିତ୍ୟ ଦରଦି ପାଠକଙ୍କ ହୃଦୟକୁ ମୋଟେ ଯେ ସ୍ପର୍ଶ କରି ନାହିଁ-ନୁହେଁ । ବିପୁଳ ଜୀବନବୋଧର ଆଦର୍ଶରେ ସତ୍ୟର ପ୍ରାଣମୟ ସୁଧା ସ୍ପର୍ଶରେ ଏହା ବହୁ ଜନମତ ଦ୍ରବିତ କରିଛି । ଦୃଷ୍ଟାନ୍ତ-ସତ୍ୟବାଦୀ ଯୁଗର ନିବନ୍ଧ; ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠଙ୍କ ପ୍ରାଣସମୃଦ୍ଧ ରଚନା ତା’ ଛଡ଼ା ଜ୍ଞାନଗରିମାରେ ସମୁନ୍ନତ, ବିଚାର ବଳିଷ୍ଠ ରଚନା ଅନେକେ ଲେଖିଛନ୍ତି; ସର୍ବବୋଧ୍ୟ, ସର୍ବଗମ୍ୟ ହେବାକୁ ଉଦ୍ୟମ କରିଛନ୍ତି । ସାଧୁ !

 

ଯଥାର୍ଥ ସୃଷ୍ଟିର ଆନନ୍ଦ ଦେବ, ଆବେଗର ପ୍ରବାହ ବନ୍ୟାରେ ପାଠକକୁ ସଙ୍ଗରେ ଘେନିଯିବ ଏଭଳି ଉଦ୍ୟମ ଆଜି ଆମ ନିବନ୍ଧ ସାହିତ୍ୟରେ ଅଧିକରୁ ଅଧିକ ଲୋଡ଼ା । ଏ ଦୃଷ୍ଟିରେ ନିବଦ୍ଧ ଅର୍ଥ ଜ୍ଞାନର ଗ୍ରନ୍ଥନ ନୁହେଁ, ଅନୁଭବର ରୂପାନ୍ତର । ଏ ଆଦର୍ଶ କେବଳ ସାମାନ୍ୟ ଆମୋଦି ଲେଖା ଲାଗି ନୁହେଁ, ଉଚ୍ଚ କୋଟୀର ଗବେଷଣା, ଆଲୋଚନା କ୍ଷେତ୍ରରେ ମଧ୍ୟ ଗ୍ରହଣ କରା ଯାଇପାରେ । ଧରାଯାଉ, କବି ବିଶେଷ, ଗ୍ରନ୍ଥ ବା ଯୁଗ ବିଶେଷ ଉପରେ ଦୀର୍ଘ ପ୍ରବନ୍ଧଟିଏ ଲେଖିବାର ସଂକଳ୍ପ ନେଲି । ଉପାଦାନ ସଂଗ୍ରହରେ ବର୍ଷେ ଲାଗିଲା । ତାକୁ ଯୋଡ଼ାଯୋଡ଼ି କରି ଲେଖିବାକୁ ଲାଗିଲା ଛ’ମାସ । ଆଉ ଦି’ମାସରେ କ’ଣ ତାର ମୁଣ୍ଡି ମାରିବି ? ସୁଦୂରପ୍ରସାରୀ ଅଧ୍ୟୟନ, ଗଭୀର ମନନ ଥିଲେ ଏହା ଏକ ଉପାଦେୟ ଗ୍ରନ୍ଥ ହୋଇ ପାରେ । କିନ୍ତୁ ତାହା ଯଥାର୍ଥରେ ରଚନା ହେବ ନାହିଁ, ସୃଷ୍ଟି ହେବ ନାହିଁ, ସୃଜନଶୀଳ ସାହିତ୍ୟ ହେବ ନାହିଁ । ଏ କ୍ଷେତ୍ରରେ ତଥ୍ୟ ଲୋଡ଼ା, ତା’ ଠାରୁ ବେଶୀ ଲୋଡ଼ା ତଥ୍ୟର ରୂପାନ୍ତର । ପଣ୍ଡିତ ନୀଳକଣ୍ଠଙ୍କ ରଚନାରେ ସ୍ଥାନେ ସ୍ଥାନେ ଏହାର ଦୃଷ୍ଟାନ୍ତ ମିଳିବ । ବର୍ତ୍ତମାନ ବଙ୍ଗ ସାହିତ୍ୟରେ ଏ ଧାରାର ସଙ୍କେତ ସୁସ୍ପଷ୍ଟ । ରବୀନ୍ଦ୍ର ନାଥ ପଥ ଦେଖେଇ ଦେଇ ଯାଇଛନ୍ତି । ଏ ଦିଗରେ ଫରାସୀ ଲେଖକଙ୍କର ପ୍ରଭାବ ଅବଶ୍ୟ ସର୍ବତ୍ର ବେଶୀ । ସାଁତୋବ୍ରିଆଁ (Chateaubriand) ଉପରେ ସଁତ ବ୍ୟୋଭଙ୍କ ଲେଖା ଏହାର ଶ୍ରେଷ୍ଠ ନିଦର୍ଶନ ।

 

ସୃଜନଶୀଳ ଉନ୍ନତ ନିବନ୍ଧ ସାହିତ୍ୟ ରଚନାରେ ପ୍ରତିବନ୍ଧକ ଖୁବ୍‌ ବେଶୀ । ପୁସ୍ତକବିକ୍ରେତା କହନ୍ତି ପିଲାଙ୍କ ପଢ଼ାବହି, ବା ପଢ଼ାରେ ସାହାଯ୍ୟ ଉପଯୋଗୀ ନୋହିଲେ ସାହିତ୍ୟର ଯଥାର୍ଥ ବିନୋଦ ଓ ଆନନ୍ଦ ଲାଗି କେହି ନିବନ୍ଧ ପଢ଼ନ୍ତି ନାହିଁ । ପୁଣି ଲେଖକଙ୍କ ପକ୍ଷରୁ ଏ ଦିଗରେ ଉଦ୍ୟମ କ୍ଷୀଣ । ଯାହା ହୋଇଛି ଦୂରଦେଶ କଥା ଦୂରେ ଥାଉ, ପାଖ ପଡୋଶୀ ବଙ୍ଗ, ମହାରାଷ୍ଟ୍ର ସହିତ ତାର ତୁଳନା ଅସମ୍ଭବ । ତେଣୁ ଯେଉଁତକ ଆମର ଅଛି, ସେଥିରେ ଆତ୍ମସନ୍ତୋଷ ଆସେ ନାହିଁ । ତଥାପି ନିରାଶର ହେତୁ ନାହିଁ । ଗଳ୍ପ ଉପନ୍ୟାସ, କାବ୍ୟ କବିତାରେ ତ ଅନେକ ପ୍ରଚେଷ୍ଟା, ନୂତନ ପରୀକ୍ଷା କ୍ରମଶଃ ସଫଳତା ଲାଭ କରୁଛି । ଜୀବନର ସମୃଦ୍ଧି ଘଟିଲେ, ସାହିତ୍ୟର ସମୃଦ୍ଧି ଘଟେ, ନବ ନବ ସୃଷ୍ଟିର ପ୍ରେରଣା ମିଳେ । ନାନା ଆଶାନ୍ତି ଅସନ୍ତୋଷ, ଆଶା ଆଉ ଆଶ୍ୱାସନା ଭିତରେ ଜୀବନର ସମୃଦ୍ଧି ଯେଉଁ ପରିମାଣରେ ଘଟୁଛି-ସେଥିରେ ଆମ ନିବନ୍ଧ ସାହିତ୍ୟର ଏକ କଳ୍ପାନ୍ତର କଳ୍ପନା କରିବା ସମ୍ଭବ ।

 

କାନ୍ତ-ସାହିତ୍ୟ-ଏକ ଶୂନ୍ୟସଞ୍ଚାରୀ ଦୃଷ୍ଟି

 

କାନ୍ତ-ସାହିତ୍ୟର ଚେହେରା ଏବେ ବି ଆମ ଆଖିରେ ସ୍ପଷ୍ଟ ନୁହେଁ । ଏହାର ଅଧିକାଂଶ ଅପ୍ରକାଶିତ ବା ବିକ୍ଷିପ୍ତ ଭାବରେ ପ୍ରକାଶିତ । ଏଥିଲାଗି କେବଳ ସ୍ୱରୂପ ନୁହେଁ, ଏହାର ସ୍ୱାତନ୍ତ୍ର୍ୟ ସଂପୂର୍ଣ୍ଣରୂପେ କଳନା କରିବା କଠିନ ।

 

କାନ୍ତସାହିତ୍ୟର ପୃଷ୍ଠଭୂମିରେ ରାଧାନାଥ, ସତ୍ୟବାଦୀ ଓ ସବୁଜଯୁଗର ସାହିତ୍ୟ ବିଦ୍ୟମାନ । ଭାବବସ୍ତୁ ଓ ପ୍ରକାଶ ଧାରାରେ ଏଇ ତିନିଯୁଗର ସାହିତ୍ୟ ଭିନ୍ନ । ଏଇ ତିନିଯୁଗର ପରିଧିରେ କାନ୍ତସାହିତ୍ୟର ଜନ୍ମ ଓ ବିକାଶ ଘଟିଅଛି । ଏହା ଯୁଗରୁଚିରେ ପ୍ରଭାବିତ, ଯୁଗ ରଙ୍ଗରେ ଅନୁରଞ୍ଜିତ ହୋଇଛି ସତ, କିନ୍ତୁ ନିଜର ସ୍ୱତନ୍ତ୍ର ସତ୍ତା ହଜାଇ ନାହିଁ । ଏ ସ୍ୱାତନ୍ତ୍ର୍ୟ ବାହାରୁ ଧାରଣା କରିବା କଠିନ । କାନ୍ତକବିଙ୍କ ଭଜନ, ଜଣାଣ, ଚମ୍ପୂ; ଲାଳିକା, ପ୍ରହସନ ଫାର୍ଶ ଆଦି ରସ-ରଚନା, ଗଳ୍ପ ଉପନ୍ୟାସ, ପ୍ରବନ୍ଧ ଓ କବିତାରେ ସମସ୍ତ ଆହରଣ, ଭିନ୍ନ ରୁଚିର ପ୍ରଭାବ, ରୂପର ଛାୟା, ତଥା ଭାବର ଘାତ ପ୍ରତିଘାତ ମଧ୍ୟରେ, ନବ ନବ ପରିବେଶର ଘୂର୍ଣ୍ଣିରେ ବହମାନ ପରମ୍ପରାର ଅନିବାର୍ଯ୍ୟ ପରିବର୍ତ୍ତନ ଭିତରେ ବି ଆମ ସାହିତ୍ୟ ଓ ସଂସ୍କୃତି ଯେ ଏକ ସ୍ୱତନ୍ତ୍ର ସତ୍ତାରେ ଜୀବିତ ରହିଛି ତାହାହିଁ ଉପଲବ୍‌ଧି କରୁଁ । ଏ ଉପଲବ୍‌ଧ୍ ଅତି ଅନ୍ତରଙ୍ଗ, ଅତି ଗଭୀର ।

 

ଉନବିଂଶ ଶତକର ଶେଷ ଭାଗରେ [୧୮୮୮] କାନ୍ତ କବିଙ୍କ ଜନ୍ମ । ବିଂଶ ଶତକର ପ୍ରଥମ ପାଦରେ ତାଙ୍କ ସାହିତ୍ୟ-ପ୍ରତିଭାର ଉନ୍ମେଷ । ଏତେବେଳେ ରାଧାନାଥଙ୍କ ପ୍ରବର୍ତ୍ତିତ ରଚନାରୀତି ବିଶେଷ ପ୍ରତିଷ୍ଠା ଲାଭ କରି ସାରିଥିଲା । ଏହାର ପ୍ରଭାବ ଏଡ଼ିବା ତରୁଣ ଲକ୍ଷ୍ମୀକାନ୍ତଙ୍କ ଲେଖନୀ ପକ୍ଷରେ ସମ୍ଭବ ନ ଥିଲା । ତାଙ୍କ କଣ୍ଠରେ ଯେପରି କି ରାଧାନାଥଙ୍କ କଣ୍ଠସ୍ୱର ଅନୁରଣିତ ହେଉଥିଲା । ଦୃଷ୍ଟାନ୍ତ

 

ବୈତରଣୀ ତୋର ପୂଣ୍ୟ ନାମ ସ୍ମରି,

ନବ ଆଶା ପ୍ରାଣେ ଉଠିବ ସଞ୍ଚରି ।

ସେ ଉଦ୍ୟମେ ମାତି ଉତ୍କଳ ସନ୍ତାନ,

ଆଣିବେ ଫେରାଇ ଅତୀତ ସମ୍ମାନ ।

ଭାତିବ ଉତ୍କଳେ ସେ ପୂର୍ବ ଗୌରବ,

ପ୍ରକଟିବ ରବି ଛବି ନବ ନବ । (କଲ୍ଲୋଳ)

 

ସମଗ୍ର କାନ୍ତ-ସାହିତ୍ୟକୁ ଧାରଣାରେ ଆଣିଲେ ଏ ପ୍ରଭାବ ଅତି ଅକିଞ୍ଚିତ୍‌କର ମନେ ହୁଏ-। ଏଇ ପ୍ରଭାବରୁ କବି କିପରି ମୁକ୍ତ ହେଲେ-ତାହାର ବହୁ କାରଣ ଅନୁମାନ କରାଯାଇ ପାରେ-

 

ନିଜର ପ୍ରାଥମିକ ସାହିତ୍ୟିକ ଜୀବନର ସୂଚନା ଦେଇ କବି ଲେଖିଥିଲେ-‘‘ପିଲାବେଳେ ଲୀଳାଯାତ୍ରା ଦେଖି ମୁହେଁ ମୁହେଁ କବିତା ରଚନା କରୁଥିଲି । କଲେଜରେ ରାଧାନାଥ, ଫକୀରମୋହନ, ନନ୍ଦକିଶୋର ବଳଙ୍କ ଲେଖା ପଢ଼ିଲି । ରବୀଠାକୁରଙ୍କ ରଚନା ପଢ଼ିଲି । ଏ ସବୁଥିରୁ ସାହିତ୍ୟିକ ପ୍ରେରଣା ପାଇଲି ।’’ ଏଇଥିରୁ ସ୍ପଷ୍ଟ ହୁଏ, ତରୁଣ ବୟସରୁ କବିଙ୍କ ଅନ୍ତରରେ ଦୁଇଟି ଧାରା ପ୍ରବାହିତ ହେଉଥିଲା । ଗୋଟିଏ ପାରମ୍ପରିକ ଲୋକସାହିତ୍ୟର ଧାରା, ଅନ୍ୟଟି ଆହରିତ ବିଦଗ୍‌ଧ ସାହିତ୍ୟର ଧାରା । କବି ଯଦି ଆଧୁନିକ ଶିକ୍ଷା ଦୀକ୍ଷା ପାଇ ନ ଥାନ୍ତେ, ତେବେ ସେ ହୁଏତ ସଂପୂର୍ଣ୍ଣରୂପେ ଗାଉଁଲୀ ହୋଇ ରହିଥାଆନ୍ତେ । ଗ୍ରାମ୍ୟରୀତିର ରଚନାରେ ତାଙ୍କ ପ୍ରତିଭାର ଚରମ ପରିଣତ ଘଟିଥାନ୍ତା । କିନ୍ତୁ ଆଧୁନିକ ଶିକ୍ଷା ତାଙ୍କୁ ଆଧୁନିକ ମନ ଆଣିଦେଲା । ଆଧୁନିକ ମନ ଇତିହାସ ସଚେତନ, ଦେଶକାଳର ବିଚିତ୍ର ଗତିସ୍ଥିତି ସହ ସମ୍ୱନ୍ଧିତ । ଆଧୁନିକ ଜଗତର ଭାବ ସଙ୍ଘର୍ଷ ଓ କର୍ମ ସମନ୍ୱୟର ଆବେଗ ଓ ପ୍ରବଣତାରୁ ସ୍ୱତନ୍ତ୍ର ନୁହେଁ ।

 

କବିଙ୍କ ରଚନାରେ ଏଇ ଆଧୁନିକ ମନର ପ୍ରକାଶ ବହୁ ବ୍ୟାପକ । ଏ ଦେଶର ବହୁ ସମସ୍ୟା ଓ ତାର ସମାଧାନର ସଙ୍କେତ ଏଥିରେ ପୂରି ରହିଛି । ଭାରତୀୟ ଜାତୀୟତାର ଅଭ୍ୟୁଦୟ ଯୁଗରେ କାନ୍ତକବିଙ୍କ ଲେଖନୀ ଆତ୍ମ ପ୍ରକାଶ କରିଥିଲା । ନାନା ଭାବରେ ଜାତିର ଐତିହ୍ୟ ଓ ପରମ୍ପରାର ଗୌରବମୟ ଭୂମିକାକୁ କଳ୍ପନାରେ ଉଜ୍ଜ୍ୱଳ ରଙ୍ଗରେ ଚିତ୍ରିବା, ଦେଶର ମାଟି ପାଣି ପବନରେ ପବିତ୍ରତା, ମହାନତା, ସୌନ୍ଦର୍ଯ୍ୟ ଆରୋପ କରିବା, ଅନ୍ତରର ଉଚ୍ଛ୍ୱାସ ଓ ଆବେଗ ଦେଇ ତାକୁ ଶ୍ରଦ୍ଧା କରିବାକୁ ଶିଖେଇବା ଏ ଯୁଗରେ ଆଦର୍ଶ ଥିଲା । ଏ ଆଦର୍ଶ କାନ୍ତକବି ନିବିଡ଼ ଭାବରେ ଅନୁସରଣ କରିଅଛନ୍ତି । ପାରିବାରିକ ଓ ପାରିପାର୍ଶ୍ୱିକ ପରିଧିରେ ସେ ସ୍ୱଦେଶୀ ବାତାବରଣରେ ବଢ଼ିଥିଲେ । ତାଙ୍କ ପିତା ଭାଗବତ ପ୍ରସାଦ ମହାପାତ୍ର ଏଇ ନୂତନ ଆନ୍ଦୋଳନର ନେତା ଥିଲେ । ପିତାଙ୍କ ସାଧନା ଓ କର୍ମ ଜୀବନର ପ୍ରଭାବରେ ହିଁ ତରୁଣ କବିଙ୍କ ମନ ଗଢ଼ା ହୋଇଥିଲା । ଏଥିଲାଗି ସମସ୍ତ ପ୍ରତିକୂଳ ପରିବେଶ କବିଙ୍କ ହ୍ୟଦଦୟରୁ ଜାତୀୟ ଭାବନା ଓ ସ୍ୱାଧୀନତାର ଚିନ୍ତାକୁ ମଳିନ କରି ପାରି ନ ଥିଲା । ସବୁ ପ୍ରକାର ଅସତ୍ୟ, ଅନାଚର ଓ ଅବିଚାର ବିରୁଦ୍ଧରେ ତାଙ୍କ ଲେଖନୀରୁ ଅଗ୍ନି ଗର୍ଭ ବାଣୀ ସ୍ଫୁରୁଥିଲା । ତାଙ୍କର ବହୁ ସଙ୍ଗୀତ ଓ କବିତାରେ ଏଇ ସଂଗ୍ରାମୀ ମନର ସ୍ୱାକ୍ଷର ଅତି ଉଜ୍ଜ୍ୱଳ । କିନ୍ତୁ କାନ୍ତଲେଖନୀର ଅସାଧାରଣ ସାଫାଲ୍ୟ କେବଳ ଏଇ ଭାବାଦର୍ଶୀ ଲାଗି ନୁହେଁ । ଏଥିଲାଗି ତାଙ୍କର ପ୍ରକାଶରୀତି ଓ ଆଙ୍ଗିକ ପ୍ରତି ଦୃଷ୍ଟିପାତ୍‌ କରିବାକୁ ହେବ ।

 

ତରୁଣ ବୟସରେ କାନ୍ତକବି ଆଧୁନିକ ଜୀବନର ସମସ୍ତ ପରିବେଶରେ ବିଚରଣ କରିଥିଲେ । ନାଗରିକ ଜୀବନ ସହିତ ତାଙ୍କର ପରିଚୟ ନିବିଡ଼ ଥିଲା । ସ୍କୁଲ କଲେଜ ପ୍ରଭୃତି ଶିକ୍ଷାୟତନରେ ଭାବନା ଓ କର୍ମଧାରାରେ ସେ ଥିଲେ ଅଗ୍ରମାମୀ । ତାଙ୍କର ସରସ ଓ ବୁଦ୍ଧିଦୀପ୍ତ ବ୍ୟକ୍ତିତ୍ୱ ଗ୍ରନ୍ଥ ସର୍ବସ୍ୱ ନ ଥିଲା । ନୃତ୍ୟଗୀତ, ଖେଳ କସରତ କାହିଁରେ ସେ ଊଣା ନ ଥିଲେ । ଛାତ୍ର ଜୀବନ ଶେଷ ହେଉ ନ ହେଉଣୁ ସେ ବ୍ୟାଧିଗ୍ରସ୍ତ ହୋଇ ପଡ଼ିଲେ । ଭାଗ୍ୟ ତାଙ୍କୁ ପଲ୍ଲୀର ପରିବେଶ ଭିତରେ ବନ୍ଦୀ କରି ରଖିଲା । ଏଇ ପଲ୍ଲୀ ଜୀବନ ତାଙ୍କୁ ନୂତନ ପୁରୋଦୃଷ୍ଟି ଆଣି ଦେଲା-। ଆଧୁନିକ ଜୀବନ ତଥା ସାହିତ୍ୟରେ ଯେଉଁସବୁ ଅସଙ୍ଗତ ରହିଛି, ତାହା ସେ ଭଲ ଭାବରେ ବୁଝି ପାରିଲେ । ସେ ଦେଖିଲେ ଆଧୁନିକ ସାହିତ୍ୟର ପାଠକ ସମାଜ ସଙ୍କୁଚିତ । ଆଧୁନିକ ଜୀବନ କୃତ୍ରିମତା ଦୃଷ୍ଟି । ସାଂସ୍କୃତିକ ବିକାଶ, କିମ୍ୱା ସୁସ୍ଥ ଜାତୀୟ ଜୀବନର ଅଭ୍ୟୁଦୟ ଲାଗି ଏହାହିଁ ଥିଲା ସବୁଠାରୁ ବଡ଼ ପ୍ରତିବନ୍ଧକ । ଏହା ଏଡ଼ିବା ତାଙ୍କର ଲକ୍ଷ୍ୟ ଥିଲା । ତେଣୁ ସେ ଦେଶର ବୃହତ୍ତର ଜୀବନ ପ୍ରତି ଦୃଷ୍ଟି ଦେଲେ । ସମସ୍ତଙ୍କଠାରେ ସାହିତ୍ୟ ଯେପରି ଆପଣାର ହୋଇ ପାରିବ-ସେଥିଲାଗି ନୂତନ ଭାବରେ, ନୂତନ ରଚନାରୀତି ପ୍ରତି ଧ୍ୟାନ ଦେଲେ । ସେ ରଚନା କଲେ ଯାତ୍ରା, ଗୀତାଭିନୟ, ରସରଚନା, ଲାଳିକା,ଭଜନ, ଚମ୍ପୂ । ଏହାର ଭାଷାରେ କୃତ୍ରିମତା ନ ଥିଲା । ଭାବରେ ବୌଦ୍ଧିକତାର କଠିନ ଆବରଣ ନ ଥିଲା । ପଲ୍ଲୀ ଜନତାର ପ୍ରାଣରେ ପରମ୍ପରାକ୍ରମେ ଯେଉଁ ରସଧାରା ପ୍ରବାହିତ ହୋଇ ଆସୁଥିଲା-ତାର ମୂଳସ୍ରୋତ କବି ଅନୁସନ୍ଧାନ କଲେ । ଏଇ ସ୍ରୋତକୁ ନିଜର ଅନନ୍ୟସାଧାରଣ ପ୍ରତିଭା ବଳରେ ବେଗବାନ ଓ ବିସ୍ତୁତ କଲେ । ଏଇ ଭାବରେ ଆମ ସାହିତ୍ୟରେ କାନ୍ତକବି ଗୋଟିଏ ନୂଆ ଦିଗ ଦେଖାଇଲେ ।

 

ପ୍ରାଚୀନ ଓ ମଧ୍ୟଯୁଗରେ ସାହିତ୍ୟ ସମାଜ ଜୀବନର ଏକ ଅଙ୍ଗ ଥିଲା । ପୁରାଣ ପଣ୍ଡା, କିମ୍ୱା ରାଜସଭାର କବିରୂପେ ସାହିତ୍ୟ ରଚୟିତାଙ୍କ ସହିତ ସାହିତ୍ୟ ଭୋକ୍ତାଙ୍କର ପ୍ରତ୍ୟକ୍ଷ ଯୋଗ ଥିଲା । ଏହାର ସଙ୍ଗୀତର ରସ ସମସ୍ତେ ଭୋଗ କରି ପାରୁଥିଲେ । ଆଧୁନିକ ସାହିତ୍ୟର ପାଠକ ଅନିର୍ଦ୍ଦିଷ୍ଟ । ଲେଖକ ଅନିର୍ଦ୍ଦିଷ୍ଟ । ଏଇ ଅନିର୍ଦ୍ଦିଷ୍ଟତା ଓ ବର୍ଣ୍ଣ ପରିଚୟର ପ୍ରତିବନ୍ଧକ ଜନିତ ଅସଙ୍ଗତ ଦୂର କରି ସାହିତ୍ୟକୁ ସମାଜଜୀବନର ଅଙ୍ଗ ରୂପେ ପୁନଃପ୍ରତିଷ୍ଠା କରିବା କାନ୍ତକବିଙ୍କର ଲକ୍ଷ୍ୟ ଥିଲା-। ସେଥିଲାଗି ସେ ଯୋଗସୂତ୍ରର ନୂଆ ମାଧ୍ୟମ ଖୋଜିଲେ । ପ୍ରଥମେ ତାଙ୍କ ଦୃଷ୍ଟିରେ ପଡ଼ିଲା ସଙ୍ଗୀତ ଓ ଲୋକନାଟ୍ୟ । ପ୍ରାଚୀନ ଲୋକପ୍ରିୟ ଛାନ୍ଦ ଓ ସଙ୍ଗୀତର ଧିସାରେ ବହୁ ଲେଖା ଳେଖିଲେ । ଗ୍ରାମ୍ୟ ନାଟ୍ୟ ସମାଜ ଜରିଆରେ ସେ ସବୁ ପ୍ରଚାର କଲେ । ଏଇ ସଙ୍ଗୀତରେ ପ୍ରାଣପ୍ରାଚୁର୍ଯ୍ୟ ଅସୀମ । ରବୀନ୍ଦ୍ର ସଙ୍ଗୀତରେ ବଙ୍ଗଳାର ବାଉଲ ପ୍ରାଣ ଫୁଟିଥିଲା ଭଳି ଏଥିରେ ଆମ ଯୋଗୀ ଓ କୀର୍ତ୍ତନୀୟାଙ୍କ ପ୍ରାଣ ପ୍ରକାଶିତ ହୋଇଅଛି । ପାରମ୍ପରିକ ରୀତିରେ ରଚିତ ହୋଇଥିଲେ ହେଁ ଏହାର ଆଭିମୁଖରେ ପାର୍ଥକ୍ୟ ସ୍ପଷ୍ଟ । ଧର୍ମ ଓ ଧର୍ମଜଡ଼ିତ ପ୍ରେମ-ଦର୍ଶନ ହିଁ ଥିଲା ପ୍ରାଚୀନ ସଙ୍ଗୀତର ପ୍ରେରଣା । ଆଧୁନିକ ଚିନ୍ତାର ଅନୁରଞ୍ଜନରେ ‘କାନ୍ତ-ସଙ୍ଗୀତ’ର ପରିଧି ସଂପ୍ରସାରିତ । ସେ ଶ୍ରୀ ଶ୍ରୀ ଗୌରଜଣାଣ’,‘ପତିତପାବନ ଜଣାଣ’ ବା ‘ଝୁଲଣ ପଦାବଳୀ’ ସାଙ୍ଗକୁ ‘ବାଜ ମୋ ଦୁନ୍ଦୁଭି ମନ୍ଦ୍ର ତାନେ’ ମଧ୍ୟ ଲେଖିଛନ୍ତି । ଆଧୁନିକ ସାହିତ୍ୟର ବଡ଼ ପ୍ରେରଣା ଜାତୀୟତା ଓ ସ୍ୱେଦେଶାନୁରକ୍ତି । ଏହାର ପ୍ରକାଶ ଅତି ସୁନ୍ଦର ।

 

କେବଳ ସଙ୍ଗୀତ ନୁହେଁ, ନାଟକ, ନାଟିକା, ଫାର୍ଶ ପ୍ରହସନ ଆଦିରେ ଏଇ ଭାବବୈଚିତ୍ର୍ୟ ଦେଖିବାକୁ ମିଳେ। ଏଗୁଡ଼ିକର ବିଷୟବସ୍ତୁ ଅଧିକାଂଶ ସ୍ଥଳରେ ପୌରାଣିକ । ପୌରାଣିକ ଗଳ୍ପ ଓ ଚରିତ୍ର ସହିତ ଲୋକମନର ଦୀର୍ଘକାଳ ଧରି ନିବିଡ଼ ଯୋଗ ଥିବାରୁ ଏ ସବୁଥିରେ ସହଜରେ ଲୋକପ୍ରିୟତା ଅର୍ଜନ କରିବା ସମ୍ଭବ ହୋଇଅଛୁ । କର୍ଣ୍ଣ, ବ୍ରଜବର୍ଜନ, ବେଶ ବଦଳା ବା କାଳୀୟଦଳନ ନାଟକର ବିଷୟବସ୍ତୁ ପୌରାଣିକ ଓ ପାରମ୍ପରିକ ସତ୍ୟ, ତଥାପି ଏଥିରେ ଆଧୁନିକ ପ୍ରଗତିଶୀଳ ଚିନ୍ତାର ପ୍ରକାଶ ଅନବଦ୍ୟ । ସତ୍ୟନିଷ୍ଠା, ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ଆଗ୍ରହ, ଗଭୀର ମାନବପ୍ରେମର ଅନୁରଞ୍ଜନ ବଳରେ ଏଇ ନାଟକ ଦେଇ କବି ଏକାନ୍ତ ପୁରାଣବିଧୃତ ଲୋକମନକୁ ଉଦାର ଓ ଉଦାତ୍ତ କରି ଗଢ଼ିବାରେ ସଫଳ ହୋଇଛନ୍ତି । ଜାତିଭେଦ ପ୍ରଥା, ନିଶା ନିବାରଣ ଭଳି ସମାଜ ସଂସ୍କାର ଆନ୍ଦୋଳନକୁ ବିଶେଷ ଶକ୍ତି ଯୋଗାଇବାକୁ ଲକ୍ଷ୍ମୀ ଚଣ୍ଡାଳୁଣୀ, ଅଫିମଲୀଳା ଭଳି ନାଟକ ରଚିତ ହୋଇଚି । ସମକାଳୀନ ଇତିହାସର ବହୁ ଘଟଣା ଓ ସମସ୍ୟାକୁ ଗଣଚକ୍ଷୁକୁ ଆଣିବା ଲାଗି ସେ ‘ଡ଼ିମ୍ୱକ୍ରେସୀ ସଭା’,‘ ଜର୍ମାନ ଭୂତ ଓ ବ୍ରିଟିଶ ଦୂତ’ ପ୍ରହସନ ରଚନା କରିଚନ୍ତି । ଏଇସବୁ ଜନପ୍ରିୟ ମାଧ୍ୟମରେ ଦର୍ଶକକୁ ହସାଇ ହସାଇ ଆଧୁନିକ ଜ୍ଞାନ ଓ ଚିନ୍ତାଧାରର ଅନ୍ତସ୍ଥଳକୁ କବି ଯେପରି ଘେନି ଯାଇ ପାରିଚନ୍ତି-ଏହାର ତୁଳନା ଅନ୍ୟତ୍ର ବିରଳ ।

 

ସଙ୍ଗୀତ, ନାଟକ, ଗଳ୍ପ ସର୍ବତ୍ର ହାସ୍ୟରସ ହିଁ କାନ୍ତସାହିତ୍ୟର ଅଙ୍ଗୀରସ । ମାନବ-ଜୀବନରେ ଶୋକ ଦୁଃଖ, ଅଶ୍ରୁକ୍ରନ୍ଦନ ଭଳି ହାସ୍ୟ-ରସର ଯୋଗ ଅତି ନିବିଡ଼ । ଏହା ବ୍ୟତୀତ ଜୀବନର ଚିତ୍ର ସଂପୂର୍ଣ୍ଣ ହୁଏ ନାହିଁ । କିନ୍ତୁ କେବଳ ହାସ୍ୟ ସଞ୍ଚାର କରୁଥିବା ଗୋଟିଏ ଗୋଟିଏ ଘଟଣାର ଚିତ୍ର ସ୍ୱତନ୍ତ୍ର ଭାବରେ ବାଢ଼ି ପାଠକକୁ ହସାଇବା ଯେଉଁଠି ଲକ୍ଷ୍ୟ ହୋଇଥାଏ, ସେଠାରେ ଜୀବନର ସମଗ୍ର ରୂପ ଚିତ୍ରଣର ଅବକାଶ ନ ଥାଏ । କାନ୍ତକବିଙ୍କ ଗଦ୍ୟ ଓ ପଦ୍ୟ ଉଭୟ ଶ୍ରେଣୀର ରସରଚନା କ୍ଷେତ୍ରରେ ଅଧିକାଂଶ ସ୍ଥାନରେ ଏହା ହିଁ ହୋଇଚି । ଏଗୁଡ଼ିକ ପଢ଼ି କ୍ଷଣକ ଲାଗି ଆମେ ହସୁଁ, କିନ୍ତୁ ଆମ ମନରେ କୌଣସି ଚିରନ୍ତନ ପ୍ରଭାବ ପଡ଼େ ନାହିଁ । କେତେକ ସ୍ଥଳରେ ଏ ଯୁଗରେ ବିଶେଷ ଧରଣର ସାମାଜିକ ବିଧି ବ୍ୟବସ୍ଥା, ରାଜନୈତିକ ଓ ଐତିହାସିକ ସ୍ଥିତିରୁ ସୃଷ୍ଟ ପ୍ରତିନିଧି ସ୍ଥାନୀୟ ଚରିତ୍ରମାନଙ୍କୁ ଘେନି ହାସ୍ୟରସ ସୃଷ୍ଟି କରିଚନ୍ତି । ଏଥିରେ ଆମେ ଯୁଗଭୂମିରେ ବିପୁଳ ପ୍ରକାଶ ଦେଖୁଁ । ଶିକ୍ଷାଭିମାନୀ ଇଂରେଜୀ ପଢ଼ୁଆ ଯୁବକ; କଂଗ୍ରେସ କର୍ମୀ, ପୁଲିସ, ଭୋଟ ଭିକାରୀ, ଏ. ଆର. ପି., ସ୍କୁଲ ମାଷ୍ଟର, କିରାଣି ବିସ୍ମରଣଶୀଳ ଚଳନ୍ତୀ ଇତିହାସର ସୀମା ଲଘଂନ କରି ସତେ ଯେମିତି ଅବିସ୍ମରଣୀୟ ହୋଇ ଯାଇଚନ୍ତି । ବହୁ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଗ୍ରହଣ କରାଯାଇଚି । ଏ ସବୁ ‘ପୀତ ସାମ୍ୱାଦିକତା’ ଭଳି ମନେ ହୁଏ । ତଥାପି କବି ନିଜକୁ କୁତ୍ସାରଟନାର ବହୁ ଉର୍ଦ୍ଧ୍ୱକୁ ଉଠାଇ ନେଇ ପାରିଚନ୍ତି । ଏହା ତାଙ୍କ ଲେଖନୀର ମହତ୍ତ୍ୱ । ‘କଟକ ସଫର’’ ‘ମନ୍ତ୍ରୀ ବରଣୀ’,‘ପଞ୍ଚଦେବତା ସଙ୍ଖୋଳା’ ପ୍ରଭୃତି ଲେଖା ଏହାର ଦୃଷ୍ଟାନ୍ତ । ସମାଜ ଜୀବନରେ ନାନା କ୍ଷମତା ଓ ପ୍ରଭାବ ପ୍ରତିପତ୍ତି ସମ୍ପନ୍ନ ବ୍ୟକ୍ତି-ଯେଉଁମାନଙ୍କୁ ଆମେ ଭକ୍ତି କରୁଁ, ଭୟ ଓ ଘୃଣା କରୁଁ, କୃତ୍ରିମ ଆବରଣର ବହଳ ଆଚ୍ଛାଦନ ଭିତରୁ ସେମାନଙ୍କର ଦୋଷ ଓ ଦୁର୍ବଳତାର ଦିଗଗୁଡ଼ିକୁ ଆଲୋକକୁ ଆଣି କବି ସମାଜ ଗଠନରେ ଏକ ଅଗ୍ରଗାମୀ ଭୂମିକା ଗ୍ରହଣ କରି ପାରିଚନ୍ତି ।

 

ଜୀବନର ପୂର୍ଣ୍ଣତର ଓ ମହତ୍ତର ଚିତ୍ର ସହିତ ମିଞ୍ଜାଇ ଯେଉଁଠି ହାସ୍ୟରସ ପରିବେଷଣର ପ୍ରୟାସ ହୋଇଚି–ସେଠାରେ କାନ୍ତ ଲେଖନୀ ଅସମ୍ଭବ ଭାବରେ ସଫଳ ହୋଇଚି । ଏହା ଯେପରି କି କବି ଅଲକ୍ଷ୍ୟରେ କରିଚନ୍ତି । ଇଚ୍ଛାକରି ପାଠକକୁ ହସାଇବାକୁ ନ ଯାଇ, ସେ ଜୀବନର ବାସ୍ତବ ଚିତ୍ର ବାଢ଼ିଚନ୍ତି । ଲକ୍ଷ୍ମୀକାନ୍ତଙ୍କ କଥା-ସାହିତ୍ୟ ଏହାର ପ୍ରକୃଷ୍ଟ ଉଦାହରଣ । ଧନୀ ହେବାର ସହଜ ଉପାୟ, ଶିକାରୀ, ମଙ୍ଗୁଳିଆ, ପ୍ଲଟ, ମାଦସୀ, ଉତ୍କଟ ପ୍ରେମ ପ୍ରଭୃତି ଏଇ ଧରଣର ଗଳ୍ପ । ଶୈଳୀ ଓ ବିଷୟବସ୍ତୁ ଦିଗରୁ ଏଗୁଡ଼ିକ ଉଚ୍ଚକୋଟୀର । ଆଧୁନିକ ଜୀବନର ଦୈନ୍ୟ, ବିକାର, ଘାତ ପ୍ରତିଘାତର କରୁଣ ମଧୁର ଚିତ୍ର ଏଥିରେ ଅତି ମନୋଜ୍ଞ । ଏ ଗଳ୍ପରେ ନାୟକ ମାନଙ୍କର ବିବେକହୀନତା ଆତ୍ମମ୍ଭରୀତା, ଦେଖି ଆମେ ହସୁଁ ସତ, କିନ୍ତୁ ପରମୁହୂର୍ତ୍ତରେ ସମାଜ ଜୀବନର ଗୋଟିଏ ଗୋଟିଏ କଠିନ ସମସ୍ୟା ଓ ତାର କରୁଣ ପରିଣତ କଥା ଭାବି ଚିନ୍ତାକୁଳିତ ଓ ବ୍ୟଥିତ ହେଉଁ । ‘ଶିକାରୀ’ ଗଳ୍ପରେ ଅଳିକ ବଡ଼ଲୋକି ଓ ଆଡ଼ମ୍ୱର ଆଟୋପ ଭିତରେ ସମ୍ଭ୍ରାନ୍ତ ଜମିଦାର ପୁତ୍ରଙ୍କ ଦୟନୀୟ ମୂର୍ତ୍ତି ଆମ ମନରେ ଯେତିକି ହାସ୍ୟ ଜନ୍ମାଏ, ଧନୀ ହେବାର ସହଜ ଉପାୟ’ ଗଳ୍ପରେ ଭାଗ୍ୟହତ, ସହଜ ବିଶ୍ୱାସୀ ଯୁବକ ବିଶୁର ଆତ୍ମବଳୀ ସେଇଭଳି କରୁଣା ଉଦ୍ରେକ କରେ ।

 

କାନ୍ତ ସାହିତ୍ୟରେ ରଙ୍ଗରସର ପ୍ରାଧାନ୍ୟ ଦେଖି, ଆମେ ମନେ କରିଥାଉଁ, ସେ ଯେପରିକି କି ହୃଦ୍‌ତନ୍ତ୍ରୀର ହାଲୁକା ସ୍ୱରରେ ଆଘାତ କରି ଅଛନ୍ତି । କିନ୍ତୁ ଏହା ଠିକ୍‌ ନୁହେଁ । କରୁଣ ରସାତ୍ମକ ସ୍ୱର ସାହିତ୍ୟରେ ସେ ମାନବ ହୃଦୟର ଅତି ଗହନ ଅନ୍ତସ୍ଥଳକୁ ମଧ୍ୟ ସ୍ପର୍ଶ କରିଅଛନ୍ତି । ‘ଜୀବନ ସଙ୍ଗୀତ’ ଓ ‘ସଙ୍ଗୀତ ରତ୍ନ ଫରୁଆ’ର ସଙ୍ଗୀତ ଏହାର ନିଦର୍ଶନ । ମାନବ ଜୀବନ, ମାନବର ଆଶା ଆକାଂକ୍ଷାର ଗଭୀର ଉପଲବ୍‌ଧି - ଏ ଉପଲବ୍‌ଧିର ନିରାବରଣ ପ୍ରକାଶ ଏଥିରେ ଦେଖିବାକୁ ପାଉଁ-। ବ୍ୟକ୍ତି ଜୀବନର ସୀମାବଦ୍ଧ ବେଦନା ବିଷାଦକୁ ଏପରି ଭାବରେ ସାର୍ବଜନୀନ ଓ ଶାଶ୍ୱତ ରୂପ ଦେବା ଏକା ଶ୍ରେଷ୍ଠ କବି-ପ୍ରତିଭା ପକ୍ଷରେ ସମ୍ଭବ । ଦାରୁଣ ରୋଗ ଦୁର୍ବିପାକର ଅନ୍ତର୍ଦାହରେ ପଡ଼ି ମଧ୍ୟ ଅନ୍ୟ ଦୃଷ୍ଟିରେ ନିଜକୁ ଦୟନୀୟ କରି କବି ଥୋଇନାହାନ୍ତି; ଅଧିକନ୍ତୁ ନିଜର ବାଣୀ ମୂର୍ତ୍ତିରେ, ବଳିଷ୍ଠ ଜୀବନସାଧନାରେ ମହନୀୟ ହୋଇ ଉଠିଚନ୍ତି । ଆବେଗ ଓ ଅନୁଭୂତିର ତନ୍ମୟ ପ୍ରକାଶ-ଏ କ୍ଷୁଦ୍ର ସଙ୍ଗୀତ ଗୁଡ଼ିକୁ ଶ୍ରେଷ୍ଠ ଗୀତିକବିତାର ଧର୍ମରେ ବିମଣ୍ଡିତ କରିଛି ।

 

କବିଙ୍କ ସ୍ତୂପୀକୃତ ରଚନା ମଧ୍ୟରେ ଭାବାତ୍ମକ ଗୀତକବିତାର ସଂଖ୍ୟା ଅଳ୍ପ । ଅଳ୍ପ ହେଲେ ମଧ୍ୟ ଏଥିରୁ କେତୋଟି କାନ୍ତସାହିତ୍ୟର ଉଜ୍ଜ୍ୱଳ ମଧ୍ୟମଣି । କବିଙ୍କ ମନର ଉଦାରତା, ବ୍ୟକ୍ତିତ୍ୱର ମହାନତା, ହୃଦୟର ଆବେଗ ଓ ଶିଳ୍ପନୈପୁଣ୍ୟର ପରାକାଷ୍ଠା ଅତି ସଂକ୍ଷିପ୍ତ ପରିସର ମଧ୍ୟରେ କଳନା କରିବାକୁ ହେଲେ-ଏଗୁଡ଼ିକ ପଢ଼ିବା ଉଚିତ । ‘ଗାନ୍ଧୀ, ‘ଫିଙ୍ଗ ପୁଣି ପଶା’,‘ଅମର କବି’ ଏ ତିନୋଟି କବିତା ଶ୍ରେଷ୍ଠ ଉଦାହରଣ । ଗାନ୍ଧୀ କବିତାରୁ ଗୋଟିଏ ପଦ -

 

‘‘ଗାନ୍ଧୀ ଯେ ଏକ ଭାବର ଆବହ,

ମୂର୍ତ୍ତ ହୋଇଛି ଆମର ରାଗେ;

ଝଙ୍କାର ଯା’ର କୋଟି ମାନବର,

ଅନନ୍ତ ତାରେ ଆପେ ସେ ଜାଗେ ।

ମରଣକୁ କରେ ଜୀବନ ଦାନ

ଜୀବନ ଯହିଁରୁ ଅଞ୍ଜଳି ଭରି

କରଇ ମୁକ୍ତି ପୀୟୁଷ ପାନ ।’’

 

‘ଫିଙ୍ଗ ପୁଣି ପଶା’ କବିତାରେ କବିଙ୍କ ଜୀବନ ଦର୍ଶନର ପ୍ରକାଶ ଅତି ସୁନ୍ଦର । ମାନବ-ଜୀବନର ଅପରାହତ ଜୟଯାତ୍ରା କବି ମୁକ୍ତ କଣ୍ଠରେ ଗାନ କରି ଅଛନ୍ତି । ଯେତେ ପ୍ରକାର ପ୍ରତିକୂଳ ପରିବେଶ ଆସୁନା କାହିଁକି, ଜୀବନ ସଂଗ୍ରାମର ସୋପାନ ପଂକ୍ତିରେ ଯେତେଥର ପରାଜୟ ଘଟୁନା କାହିଁକି, ମାନବର ଦୁର୍ବାର ଯାତ୍ରା କେବେ ସ୍ଥଗିତ ହେବନାହିଁ । ଏଇ ବିଶ୍ୱାସରେ ଅଟଳ ରହିବା ହିଁ ପ୍ରକୃତ ମାନବ ଧର୍ମ । କବି ବିଭିନ୍ନ ଭାବାବେଶରେ ବହୁ ବିଚିତ୍ର ସାହିତ୍ୟ ସମ୍ଭାର ସୃଷ୍ଟି କରିଛନ୍ତି । କିନ୍ତୁ ସେ ଯେ ମୁଖ୍ୟତଃ କବି ଥିଲେ, ଏହା ତାଙ୍କର ‘ଅମର କବି’ କବିତାରୁ ଜଣାଯାଏ । ଏଥିରେ କବିଧର୍ମର ଉପଲବ୍‌ଧି ଅତୁଳନୀୟ ।

 

‘‘ଆପଣା ଅନ୍ତରେ ଥାପି ବିଶ୍ୱର ମରମ,

ହସିଛି, କାନ୍ଦିଛି ଗୀତ ଗାଇଛି ଅସରା;

ରମିଛି ଆପଣା ପ୍ରାଣେ କବି ଆତ୍ମହରା,

ନିଜକୁ ନିଃଶେଷ କରି ରାଜହଂସ ସମ ।

ଏହାକୁ ବୋଲିବ ମୃତ୍ୟୁ ! - ଏ ଯେବେ ମରଣ

ଅନନ୍ତ ଜୀବନ କିସ କହିବ କି କେହି ?’’

 

କାନ୍ତକବିଙ୍କ ଜୀବନୀ ବଡ଼ କି ସାହିତ୍ୟ ବଡ଼ ଏହା କଳନାର ଅବକାଶ ମିଳିନାହିଁ । କାରଣ ସାହିତ୍ୟ ରଚନା ବ୍ୟତୀତ ଅନ୍ୟ ଭାବରେ କର୍ମଜୀବନରେ ଆତ୍ମପ୍ରକାଶର ସ୍ୱାଧୀନତାରୁ ଭାଗ୍ୟ ତାଙ୍କୁ ବଞ୍ଚିତ କରିଅଛି । କବିଙ୍କ ସଂପୂର୍ଣ୍ଣ ଜୀବନ ଓ ବ୍ୟକ୍ତିତ୍ୱର ସ୍ୱାକ୍ଷର ଯଦି ତାଙ୍କ ସାହିତ୍ୟର କୌଣସି ଗୋଟିଏ ବିଭାଗରୁ ଖୋଜିବାକୁ ହୁଏ-ତେବେ ତାଙ୍କ ନିବନ୍ଧ ସାହିତ୍ୟ ପ୍ରତି ଦୃଷ୍ଟି ଦେବାକୁ ହେବ । ଏଗୁଡିକ ‘ରମ୍ୟ-ରଚନା’ ତନ୍ତ୍ରୟ ଭବାବେଗ ଏହାର ପ୍ରାଣଧର୍ମ । କବିମାନସର ପୂର୍ଣ୍ଣରୂପ ଯେଉଁ ନିବନ୍ଧଗୁଡ଼ିକରେ ପରିସ୍ଫୁଟ-ସେଥି ମଧ୍ୟରେ ଶୈଶବ ସ୍ମୃତି’, ‘ଯୌବନ ପଥେ ‘ନବ ଜାଗରଣ’ ଆଦି ପ୍ରଦାନ । ‘‘ମୁଁ ଚାହେଁ ଜୀବନ, ମୁଁ ଚାହେଁ ଜୀବନ ରସ, ଜୀବନର ମନ୍ଦିରା, ଜୀବନର ଭୋଗ-ଆପଣାକୁ ନିଃଶେଷ, ନିଶ୍ଚିହ୍ନ କରିଦେଇ’’-ଭଳି ପଂକ୍ତିରୁ କବିଙ୍କ ସମଗ୍ର ଜୀବନ କିପରି ପ୍ରାଣବନ୍ତ ଓ ଶକ୍ତିସମୃଦ୍ଧ ଥିଲା ତାହା ବେଶ କଳନା କରିହୁଏ ! କବି ସବୁମତେ ଜୀବନକୁ ଉପଭୋଗ ଓ ସବୁ ଭାବରେ ଉପଯୋଗ କରିବାକୁ ଚାହିଁ ଚନ୍ତି । ତାଙ୍କ କଥାରେ -‘‘ମୁଁ ଭାବରେ ଉପଭୋଗ କରିବି ।’’ ଏହା ଆତ୍ମ ଶକ୍ତିରେ ଉଦ୍‌ବୁଦ୍ଧ ମାନବାତ୍ମାର ଶାଶୁବୋଣୀ। ଏଥିରେ ଅବବୋଧର ଆବରଣ ନାହିଁ । ଯେଉଁଠି ମନୁଷ୍ୟର ସ୍ୱତସ୍ଫୂର୍ତ୍ତ ପ୍ରାଣଶକ୍ତି ସକଳ ଦୁର୍ବଳତା, ସଂକୀର୍ଣ୍ଣତା, ଭ୍ରାନ୍ତି ଓ ମୋହାବିଷ୍ଟତାର ବନ୍ଧନ ନ ମାନି ଅଜସ୍ର କର୍ମଧାରାରେ ବ୍ରବାହିତ ହେବାକୁ ଚାହେଁ, ସେଇଠାରେ ହିଁ ତାର ପ୍ରକାଶ ଏଭଳି ଉଜ୍ଜଳ ଓ ଉଜ୍ଜଳ ହେବା ସମ୍ଭବ ।

 

ଚିନ୍ତାରେ ଯେପରି କବି ତରୁଣ ଥିଲେ, ଆଚରଣରେ ଓ ମନରେ ସେଇପରି ସହଜ ଓ ଶିଶୁଭଳି ସରଳ ଥିଲେ । ‘ଡଗର’ ର ନାଗବଚ୍ଚା ବିଭାଗ ଜରିଆରେ ଶିଶୁ ମନକୁ ନୂଆ ଭାବରେ ଗଢ଼ିବା ଲାଗି ସେ ଅଭିନବ ଉଦ୍ୟମ କରି ଯାଇଅଛନ୍ତି । କବିଙ୍କ ରଚିତ ଶିଶୁ ସାହିତ୍ୟ ପଢ଼ିଲେ ମନେହୁଏ-ସେ ଥିଲେ ଅନ୍ତରରେ ଚିର ଚପଳ ଶିଶୁ । ଶିଶୁ ମନୋରଞ୍ଜନ ଓ ଶିଶୁ ଶିକ୍ଷା ଲାଗି ସେ ସୁନ୍ଦର ସାହିତ୍ୟ ରଚନା କରିଯାଇଚନ୍ତି । ‘ଜୀବଜନ୍ତୁଙ୍କ ଚିଡ଼ିଆଖାନା’, ‘କୁମାରୀ’, ‘ସୁନା ପୁଅ’ ପ୍ରଭୃତି ପ୍ରକାଶିତ ଗ୍ରନ୍ଥ ଓ ଡଗର ନାଗବଚ୍ଚା ସ୍ତମ୍ଭର ବହୁ ବିକ୍ଷିପ୍ତ ଲେଖା ଏହାର ଶ୍ରେଷ୍ଠ ନିଦର୍ଶନ । ଶିଶୁ ମନରେ ଉଚ୍ଚାକାଂକ୍ଷା ଜାଗ୍ରତ କରିବାରେ କବିଙ୍କ ନୈପୁଣ୍ୟ ‘ବାଇଚଢ଼େଇ’ କବିତାରୁ ଦେଖନ୍ତୁ–

 

‘‘ଟିକ ଚଢ଼େଇଟି ବଡ଼ ସାହସିଆ

ମନ ତୋର ଭାରି ବଡ଼,

ସବୁରି ଉପରେ ରହିବାକୁ ପରା

ଉଞ୍ଚରେ ବାନ୍ଧିଛୁ ଘର !

 

ନିକଟ ଭବିଷ୍ୟତରେ କାନ୍ତ-ସାହିତ୍ୟ ଏକତ୍ର ସଙ୍କଳିତ ହେଉଛି । ହେଲେ-ତାର ବୈଚିତ୍ୟ ଓ ବିପୁଳତା ସହଜରେ ଧାରଣା କରିହେବ । ବିଗତ ଅର୍ଦ୍ଧ ଶତାଦ୍ଦୀ ମଧ୍ୟରେ କାନ୍ତ ଲେଖନୀ ଆମର ଜାତୀୟ ଜୀବନକୁ ସମୃଦ୍ଧ ଓ ସରସ କରିଅଛି, ଜାତୀୟ ପ୍ରଗତିକୁ ଶ ଯୋଗାଇ ଅଛି । ଆମ ସାହିତ୍ୟ ଓ ସଂସ୍କୃତିର ସ୍ୱାଭାବିକ ବିକାଶଧାରା ଅବ୍ୟାହତ ରଖିଅଛି । ବାହାର ପ୍ରଭାବ ଓ ଭିତର ଦୁର୍ବଳତା ଏଇ ଦ୍ୱିମୁଖୀ କ୍ଷୟଶକ୍ତିର ଗତିରୋଧ କରିଅଛି । କାନ୍ତକବିତା ଦୁର୍ବଳ ଶରୀରରେ ସିଂହର ହୃଦୟ ଥିଲା । ସେଇ ବଳରେ ସେ ନିଜ ଲେଖନୀ ମୁନରେ ସବୁ ପ୍ରକାର ଅସଙ୍ଗତ ଓ ଅସତ ବିରୋଧରେ ସଂଗ୍ରାମ ଘୋଷଣା କରିଅଛନ୍ତି । ତାଙ୍କର ମୃତ୍ୟୁରେ ଏ ସଂଗ୍ରାମର ଅବସାନ ହୋଇନାହିଁ । କଥାଟି କେବଳ ତାଙ୍କର ଭଳି ଯୋଗଜନ୍ମାଙ୍କ ପକ୍ଷରେ ସତ୍ୟ–

 

‘‘A man in dead, but his fight goes on

To conquer death, to overcome oblivion”

ପଲ୍‌ ଏଲୁଆର୍‌

Image